ସରକାରଙ୍କ ନିଷ୍ପତ୍ତି ବିରୋଧରେ ବ୍ୟବସାୟୀ ସଂଘ ହାଇକୋର୍ଟଙ୍କ ଦ୍ବାରସ୍ଥ

ବିଏମସିକୁ ଡମଣା ହାଟ ହସ୍ତାନ୍ତର ପ୍ରସଂଗରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ

କଟକ : ଡମଣା ହାଟକୁ ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ୍‌ (ବିଏମସି)କୁ ହସ୍ତାନ୍ତର ପ୍ରସଂଗରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଜଟଣୀ ନିୟନ୍ତ୍ରିତ ବଜାର କମିଟି ପରିଚାଳନାରେ ଥିବା ଡମଣା ହାଟକୁ ବିଏମସିକୁ ହସ୍ତାନ୍ତର ନିଷ୍ପତ୍ତି ବିରୋଧରେ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିବା ସହିତ ଏହି ପ୍ରସଂଗରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସି.ଆର.ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୋପୀନାଥ ଜିଉ ଆରଏମସି ଡମଣା ହାଟ ବ୍ୟବସାୟୀ ସଂଘ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡମଣା ହାଟ ଜଟଣୀ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ଦ୍ବାରା ପରିଚାଳିତ ହେଉଛି। ଏଗ୍ରିକଲଚର ମାର୍କେଟିଂ ନିର୍ଦ୍ଦେଶକଙ୍କ ଅନୁମୋଦନ ଓ ସମବାୟ ବିଭାଗ ବିଜ୍ଞପ୍ତି ଆଧାରରେ ଡମଣା ହାଟ ପାଇଁ ସରକାର ସ୍ଥାନ ଚିହ୍ନଟ କରିଥିଲେ। ଏହି ହାଟର ପରିଚାଳନା ଭାର ଜଟଣୀ ନିୟନ୍ତ୍ରିତ ବଜାର କମିଟି ହାତରେ ରହିଥିବା ବେଳେ ଚାଷୀମାନେ ବିଭିନ୍ନ କୃଷିଜାତ ଦ୍ରବ୍ୟ ଏଠାରେ ବିକ୍ରୟ କରି ଉପଯୁକ୍ତ ମୂଲ୍ୟ ପାଇବା ଉଦ୍ଦେଶ୍ୟରେ ଏହି ବଜାର ପ୍ରତିଷ୍ଠା କରାଯାଇଥିଲା। ଓଡ଼ିଶା ଏଗ୍ରିକଲଚର ପ୍ରଡ୍ୟୁସ୍ ମାର୍କେଟ ଆକ୍ଟ, ୧୯୫୬ ଅନୁସାରେ ଏହି ବଜାରର ପରିଚାଳନା ଆରଏମସି ହାତରେ ନ୍ୟସ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଡମଣା ହାଟର ପରିଚାଳନା ଓ ନିୟନ୍ତ୍ରଣ ଦାୟିତ୍ବ ଜଟଣୀ ଆରଏମସି ନିକଟରୁ ଆଣି ବିଏମସି ହାତରେ ନ୍ୟସ୍ତ କରିବା ପାଇଁ ୨୦୧୮ରେ ସରକାର ନିଷ୍ପତ୍ତି ନେଇଥିଲେ। ଡମଣା ହାଟର ଉନ୍ନୟନ ପାଇଁ ମଧ୍ୟ ବିଏମସି ଯୋଜନା ପ୍ରସ୍ତୁତ କରିଥିଲା। ଏହାପରେ ଡମଣା ହାଟ ପରିଚାଳନା ଦାୟିତ୍ବ ହସ୍ତାନ୍ତର ପାଇଁ ରାଜ୍ୟ ସମବାୟ ବିଭାଗକୁ ବିଏମସି କମିସନର୍‌ ୨୦୨୦, ଡିସେମ୍ବର ୩୦ରେ ଚିଠି ଲେଖିଥିଲେ। ଅନ୍ୟପକ୍ଷରେ ଡମଣା ହାଟର ପରିଚାଳନା ଦାୟିତ୍ବ ବିଏମସିକୁ ହସ୍ତାନ୍ତର ନିଷ୍ପତ୍ତିକୁ ଡମଣା ହାଟ ବ୍ୟବସାୟୀ ସଂଘ ବିରୋଧ କରିଥିଲା। ଚାଷୀଙ୍କୁ ନିଜ କୃଷିଜାତ ଦ୍ରବ୍ୟ ବିକ୍ରି କରି ଉଚିତ ମୂଲ୍ୟ ପାଇବା ପାଇଁ ଏହି ହାଟ କରାଯାଇଥିବା ବେଳେ ବିଏମସିକୁ ଏହା ହସ୍ତାନ୍ତର କରାଯିବା ଉଚିତ ନୁହେଁ। ଏହି ହାଟର ପରିଚାଳନା ଦାୟିତ୍ବ ନିୟମ ଅନୁସାରେ ଆରଏମ୍‌ସି ନିକଟରେ ରହିଥିବା ବେଳେ ବିଏମସିକୁ ଏହା ହସ୍ତାନ୍ତର କରାଯିବା ନିଷ୍ପତ୍ତି କୃଷକଙ୍କ ସ୍ବାର୍ଥବିରୋଧୀ ବୋଲି ଆବେଦନରେ ଦର୍ଶାଯାଇଥିଲା। ଏଭଳି ନିଷ୍ପତ୍ତି ରଦ୍ଦ କରାଯାଉ ଓ ପୂର୍ବଭଳି ଆରଏମସି ଅଧୀନରେ ଡମଣା ହାଟ ପରିଚାଳିତ ହେଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଥିବା ବେଳେ ମିହିର ଶେଖର ସାହୁ ଓ କାମାକ୍ଷା ପ୍ରସାଦ ବେ‌େହରା ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର