୧୫୫ ଗ୍ରାମ୍‌ ଧଳାଜହର ଜବତ, ଦୁଇ ବେପାରୀ ଗିରଫ

ଧଉଳି : ଭୁବନେଶ୍ୱର ଅବକାରୀ ବିଭାଗ ଆଜି ସକାଳେ ଧଉଳି ଛକ ନିକଟରୁ ଦୁଇ ବ୍ରାଉନ୍‌ସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ପିପିଲି ଥାନା ଅଞ୍ଚଳର ଜଗବନ୍ଧୁ ବୈଠାରୁ (୨୬) ଏବଂ ସଂଜୟ କୁମାର ସାହୁ (୨୫)। ଅବକାରୀ ବିଭାଗ ସେମାନଙ୍କ ନିକଟରୁ ୧୫୫ ଗ୍ରାମ୍‌ ବ୍ରାଉନସୁଗାର ସହ ଦୁଇଟି ବାଇକ୍‌ ଜବତ କରିଛି। ଜବତ ବ୍ରାଉନସୁଗାରର ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଅଭିଯୁକ୍ତ ଦ୍ବୟଙ୍କୁ ଜାମିନ୍‌ ନାମଂଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ, ଦୁଇ ବେପାରୀ ଆଜି ଧଉଳି ଛକ ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ଅବକାରୀ ବିଭାଗ ଅଧିକାରୀମାନେ ସେମାନଙ୍କୁ ମାଡ଼ି ବସିଥିଲେ। ପୂର୍ବ ସୂଚନାନୁସାରେ ସେମାନେ ବାଇକ୍‌ ଦୁଇଟିର ହେଡ୍‌ଲାଇଟ୍‌ ଓ ଅନ୍ୟାନ୍ୟ ସ୍ଥାନ ଯାଞ୍ଚ କରି ବ୍ରାଉନସୁଗାର ପୁଡ଼ିଆ ଜବତ କରିଥିଲେ। ପ୍ରତି ପୁଡ଼ିଆରେ ୮ରୁ ୧୦ ଗ୍ରାମ୍‌ର ବ୍ରାଉନସୁଗାର ଥିଲା। ଅଭିଯୁକ୍ତ ଦ୍ବୟ ଜଳେଶ୍ବରରୁ ମାଲ୍‌ ଆଣି ଧଉଳି, ବାଲିପାଟଣା, ପିପିଲି, ବାଲିଅନ୍ତା ଓ ଆଖପାଖ ଅଞ୍ଚଳରେ ବେପାର କରନ୍ତି। ଅବକାରୀ ସୁପରିନଟେଣ୍ଡେଣ୍ଟ ରାମଚନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ବିକାଶ କୁମାର ନାୟକ, ଓଆଇସି ନାରାୟଣ ଜେନା, ଏସ୍‌ଆଇ ଅକ୍ଷୟ ଜେନା, ଏଏସ୍‌ଆଇ ସୁଜିତ୍‌ ମୁଦୁଲି, ସୋମନାଥ ସ୍ବାଇଁ ପ୍ରମୁଖ ଏହି ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର