ଜୋତା ଭିତର କଣ୍ଟା

ରୋଗର ଚିକିତ୍ସାରେ ପ୍ରୟୋଗ କରାଯାଉଥିବା ଔଷଧର ମାତ୍ରା ଗୁରୁତ୍ବପୂର୍ଣ୍ଣ ହୋଇଥାଏ- ମାତ୍ରା ଅତ୍ୟଧିକ ହେଲେ ତାହା ବିଷ ସଦୃଶ ହୋଇଥାଏ; ମାତ୍ରା କମ୍‌ ହେଲେ ତାହା ରୋଗ ପାଖରେ ହାର ମାନିଥାଏ। ଔଷଧର ଠିକ୍‌ ମାତ୍ରା ଭଳି ଅର୍ଥନୀତିକୁ ସୁସ୍ଥ ରଖିବାକୁ ହେଲେ ଦରଦାମ୍‌ ବୃଦ୍ଧି (ମୁଦ୍ରାସ୍ଫୀତି)ର ମାତ୍ରା କେତେ ହେବା ଉଚିତ, ସେ ନେଇ ଦୀର୍ଘ କାଳ ଧରି ବିତର୍କ ଚାଲି ଆସିଛି। ସାଧାରଣତଃ ଜାପାନରୁ ଆରମ୍ଭ କରି ଉନ୍ନତ ପାଶ୍ଚାତ୍ୟ ଦେଶମାନେ ଏକ ନୀଚା ମୁଦ୍ରାସ୍ଫୀତି ହାର ଅତିକ୍ରମ କରି ଏକ ଉତ୍ସାହଜନକ ଅପେକ୍ଷାକୃତ ଉଚ୍ଚା ମୁଦ୍ରାସ୍ଫୀତି ହାର ହାସଲ କରିବା ପାଇଁ ନିକଟ ଅତୀତରେ ବିଫଳ ପ୍ରୟାସ ଚଳାଇ ଆସିଥିବା ବେଳେ ଭାରତ ଭଳି ବିକାଶଶୀଳ ଦେଶମାନେ ଏକ ଅସ୍ଥିରତା ସୃଷ୍ଟିକାରୀ ଉଚ୍ଚା ମୁଦ୍ରାସ୍ଫୀତିକୁ କିପରି ଦମନ କରି ନିରାପଦ ସ୍ତରରେ ରଖାଯିବ, ସେଥିପାଇଁ ଚେଷ୍ଟା କରି ଚାଲିଛନ୍ତି।

ଏକ ଆଦର୍ଶ ମୁଦ୍ରାସ୍ଫୀତି ହାର ତାହେଲେ କେତେ ହେବା ଉଚିତ? ଏହି ଜଟିଳ ପ୍ରଶ୍ନର ଏକ ନିର୍ଦ୍ଦିଷ୍ଟ ଉତ୍ତର ଦେବା ପାଇଁ ସାହସ କରିଥିଲେ ୨୦୧୦ରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (‘ଆଇଏମ୍‌ଏଫ୍‌’)ର ତତ୍‌କାଳୀନ ମୁଖ୍ୟ ଅର୍ଥନୀତିଜ୍ଞ ଅଲିଭିଅର‌୍‌ ବ୍ଲାଞ୍ଚାର୍ଡ। ସେ କହିଥିଲେ ବାର୍ଷିକ ୪ ଶତା˚ଶ ହେଉଛି ଏକ ଆଦର୍ଶ ମୁଦ୍ରାସ୍ଫୀତି ହାର। ପାଶ୍ଚାତ୍ୟ ପରିପ୍ରେକ୍ଷୀରେ ଏହା ଏକ ଅପେକ୍ଷାକୃତ ଉଚ୍ଚା ହାର ରୂପେ ବିବେଚିତ ହେଉଥିଲେ ମଧୢ ନୋବେଲ୍‌ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ପଲ୍‌ କ୍ରୁଗ୍‌ମ୍ୟାନଙ୍କ ଠାରୁ ପ୍ରସିଦ୍ଧ ହାର୍ଭାଡ୍‌ ଅର୍ଥଶାସ୍ତ୍ରୀ ଜର୍ଜ ମାଙ୍କିଙ୍କ ପର୍ଯ୍ୟନ୍ତ ଏପରି ଏକ ଉଚ୍ଚସ୍ତରୀୟ ମୁଦ୍ରାସ୍ଫୀତି ହାର ପ୍ରତି ସମର୍ଥନ ଜ୍ଞାପନ କରିଥିଲେ। ସେମାନଙ୍କ ମତରେ ଏହି ହାର ବ୍ୟବସାୟ ବାଣିଜ୍ୟ ପାଇଁ ଅନୁକୂଳ ହୋଇଥିବା ସଙ୍ଗେ ସଙ୍ଗେ ଅର୍ଥନୀତିକୁ ମାନ୍ଦା ଅବସ୍ଥା କିମ୍ବା ଅବପାତ ଆଡ଼କୁ ଠେଲି ନେବାର ବିପଦ ସୃଷ୍ଟି କରିନଥାଏ।

ଭାରତରେ ଅର୍ଥନୈତିକ ନୀତି ନିର୍ଦ୍ଧାରକମାନେ ଏହି ନିଷ୍କର୍ଷ ଦ୍ବାରା ପ୍ରଭାବିତ ହୋଇଛନ୍ତି କି ନାହିଁ ଜଣା ନାହିଁ, କିନ୍ତୁ ୨୦୧୬ ଜୁନ୍‌ରେ ଯେତେବେଳେ ଦରଦାମରେ ସ୍ଥିରତା ରକ୍ଷାକୁ ଦେଶର ମୁଦ୍ରାନୀତିର ମୁଖ୍ୟ ଲକ୍ଷ୍ୟ ରୂପେ ଗ୍ରହଣ କରି ବିଧିବଦ୍ଧ ରୂପେ ଗ୍ରହଣ କରି ବିଧିବଦ୍ଧ ରୂପେ ଏକ ‘ନମନୀୟ ମୁଦ୍ରାସ୍ଫୀତି ଲକ୍ଷ୍ୟ ଭେଦ ନୀତି’ (‘ଫ୍ଲେକ୍‌ସିବ୍‌ଲ ଇନ୍‌ଫ୍ଲେସନ ଟାର୍ଗେଟିଙ୍ଗ୍‌’) ଅବଲମ୍ବନ କରାଗଲା, ସେତେବେଳେ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଦେଶରେ ‘ଶିରୋନାମା ମୁଦ୍ରାସ୍ଫୀତି’ (‘ହେଡ୍‌ଲାଇନ୍‌ ଇନ୍‌ଫ୍ଲେସନ୍‌’)କୁ ୪ ଶତା˚ଶ ହାରରେ ସ୍ଥିର ରଖିବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆକୁ ଦାୟିତ୍ବ ପ୍ରଦାନ କରାଗଲା। ଅବଶ୍ୟ ଏହା ସମ୍ପୂର୍ଣ୍ଣ କଠୋର ନହୋଇ ଏହାର ଉପରେ ୨ ଶତା˚ଶ ଓ ତଳେ ୨ ଶତା˚ଶ ସହନ ସୀମା ଧାର୍ଯ୍ୟ କରାଯାଇଥିଲା- ଅର୍ଥାତ ମୁଦ୍ରାସ୍ଫୀତି ହାରକୁ ୨ ଶତା˚ଶରୁ ୬ ଶତା˚ଶ ମଧୢରେ ସୀମିତ ରଖିବା ହେଉଛି ରିଜର୍ଭ ବ୍ୟାଙ୍କ୍‌ର ଦାୟିତ୍ବ। ଏହି ପୃଷ୍ଠଭୂମିରେ ଦେଖିଲେ ପ୍ରାୟ ବର୍ଷେ କାଳ ଧରି ଚୀନା କରୋନା ଦ୍ବାରା କଲବଲ ହୋଇ ଚାଲିଥିବା ଭାରତୀୟ ଅର୍ଥନୀତିରେ ଜାନୁଆରି ମାସରେ ଯେଉଁ ହାରରେ ମୁଦ୍ରାସ୍ଫୀତି ଅନୁଭୂତ ହୋଇଥିବା ପ୍ରକାଶ ପାଇଛି ତାହା ରିଜର୍ଭ ବ୍ୟାଙ୍କ୍‌କୁ ବେଶ୍‌ ସନ୍ତୋଷ ପ୍ରଦାନ କରୁଥିବ।

ଜାନୁଆରି ମାସର ୪.୦୬ ଶତା˚ଶ ହାରରେ ଘଟିଥିବା ମୁଦ୍ରାସ୍ଫୀତି ହେଉଛି ବିଗତ ୧୬ ମାସ ମଧୢରେ ସର୍ବନିମ୍ନ ମୁଦ୍ରାସ୍ଫୀତି ହାର। ଏହା ପୂର୍ବ ବର୍ଣ୍ଣିତ ୪ ଶତା˚ଶ ଆଦର୍ଶ ହାର ସହିତ ସମାନ କହିଲେ ଭୁଲ୍‌ ହେବ ନାହିଁ। ମୁଦ୍ରାସ୍ଫୀତି ହାର ଏପରି ସନ୍ତୋଷଜନକ ଭାବରେ ନୀଚା ରହିବା ଯୋଗୁଁ ଏହା ରିଜର୍ଭ ବ୍ୟାଙ୍କ୍‌ ଅର୍ଥନୀତିର ପୁନରୁଦ୍ଧାର ପାଇଁ ସୁଧହାରକୁ ନୀଚା ରଖିବାରେ ସହାୟକ ହେବ; ନଚେତ୍‌ ମୁଦ୍ରାସ୍ଫୀତିକୁ ଲଗାମ ଦେବା ପାଇଁ ରିଜର୍ଭ ବ୍ୟାଙ୍କ୍‌ ସୁଧ ହାରରେ ବୃଦ୍ଧି ଘଟାଇବାକୁ ବାଧୢ ହୁଅନ୍ତା। ଉଚ୍ଚା ସୁଧହାର ସ୍ବାଭାବିକ ଭାବରେ ପୁଞ୍ଜି ନିବେଶ ଓ ବ୍ୟବସାୟ ବାଣିଜ୍ୟକୁ ନିରୁତ୍ସାହିତ କରନ୍ତା। ମୁଦ୍ରାସ୍ଫୀତିର କ୍ରମ ହ୍ରାସମାନ ଧାରାକୁ ଦେଖି ରିଜର୍ଭ ବ୍ୟାଙ୍କ୍‌ କିନ୍ତୁ ସମ୍ପୂର୍ଣ୍ଣ ଆଶାବାଦୀ ନ ହୋଇ ଅନୁମାନ କରୁଛି ଯେ ୨୦୨୧-୨୨ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ଏହି ଶିରୋନାମା ମୁଦ୍ରାସ୍ଫୀତି ହାର ୫-୫.୨ ଶତା˚ଶ ପର୍ଯ୍ୟନ୍ତ ପହଞ୍ଚିବ, ଯାହା ଅବଶ୍ୟ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଧାରିତ ସୀମା ମଧୢରେ।

ତେବେ ମୁଦ୍ରାସ୍ଫୀତି ପରିସ୍ଥିତି ରିଜର୍ଭ ବ୍ୟାଙ୍କ୍‌ ପାଇଁ ଏପରି ଆରାମଦାୟକ ହୋଇଥିବା ବେଳେ, ଏଥିରେ ଏପରି ଏକ ଅନ୍ତର୍ନିହିତ ଅଡୁଆ ରହିଛି, ଯାହା ଏକ ଆରାମଦାୟକ ଜୋତା ଭିତରେ ଲୁଚି ରହିଥିବା କଣ୍ଟା ପିନ୍ଧିଥିବା ବ୍ୟକ୍ତି ପାଇଁ ଅସ୍ବସ୍ତି ସୃଷ୍ଟି କଲା ଭଳି ରିଜର୍ଭ ବ୍ୟାଙ୍କ୍‌ ପାଇଁ ଚିନ୍ତାର କାରଣ ହୋଇଥିବ, ଯେଉଁଥିପାଇଁ ଆଗାମୀ ଦିନରେ ଶିରୋନାମା ମୁଦ୍ରାସ୍ଫୀତି ହାରରେ ଏଭଳି କିଛି ବୃଦ୍ଧି ଘଟିବ ବୋଲି ରିଜର୍ଭ ବ୍ୟାଙ୍କ୍‌ ଆଶଙ୍କା କରୁଛି। କୋଭିଡ୍‌ଗ୍ରସ୍ତ ଅର୍ଥନୀତିରେ ନିଯୁକ୍ତି ଓ ଆୟରେ ଘୋର ସ˚କୋଚନ ଘଟିବା ଯୋଗୁଁ ଅର୍ଥନୀତିର ଚାହିଦା ପାର୍ଶ୍ବରେ ଘଟିଥିବା ସ˚କୋଚନର ପ୍ରଭାବରେ ମୁଦ୍ରାସ୍ଫୀତି ହାର ବର୍ତ୍ତମାନ ଏଭଳି ନୀଚା ରହିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ଏହି ୪.୦୬ ଶତା˚ଶ ଶିରୋନାମା ମୁଦ୍ରାସ୍ଫୀତି ହାର ମଧୢରେ ଯେଉଁ ଏକ ବିରୋଧାଭାସ ଲୁଚି ରହିଛି ତାହା ହେଲା ଏହାକୁ ଆବୃତ କରି ରଖିଥିବା ଚୋପାକୁ ଛଡ଼ାଇ ଦେଇ ଯଦି ‘ମଞ୍ଜ ମୁଦ୍ରାସ୍ଫୀତି’ ଉପରେ ନଜର ପକାଯାଏ, ତେବେ ଦେଖାଯାଏ ଏହି ‘ମଞ୍ଜ ମୁଦ୍ରାସ୍ଫୀତି’ (‘କୋର‌୍‌ ଇନ୍‌ଫ୍ଲେସନ୍‌’) ‘ଶିରୋନାମା ହାର’ଠାରୁ ଉଚ୍ଚା ରହିଛି: ୫.୭ ଶତା˚ଶ।

ଏଠାରେ ଯାହାକୁ ଚୋପା ବୋଲି ଆଖ୍ୟାୟିତ କରାଯାଇଛି, ତାହା ହେଲା ଖାଦ୍ୟଦ୍ରବ୍ୟ ଓ ଇନ୍ଧନ ଦର ବୃଦ୍ଧି ଜନିତ ମୁଦ୍ରାସ୍ଫୀତି। ‘ଶିରୋନାମା ମୁଦ୍ରାସ୍ଫୀତି’ରୁ ଖାଦ୍ୟ ଓ ଇନ୍ଧନ ସମ୍ପର୍କିତ ମୁଦ୍ରାସ୍ଫୀତିକୁ ଅଲଗା କରି କାଢ଼ି ନେଲେ ଯାହା ଅବଶିଷ୍ଟ ରହିଯାଏ, ତାହା ହେଲା ‘ମଞ୍ଜ ମୁଦ୍ରାସ୍ଫୀତି’। ଏହି ସମୟରେ ଇନ୍ଧନ ଦରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିଲେ ହେଁ ପରିବା ପତ୍ର ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀମାନଙ୍କ ଦରରେ ଘଟିଥିବା ତୀକ୍ଷ୍‌ଣ ସ୍ଖଳନ ତାହାକୁ ପ୍ରଭାବହୀନ କରି ଦେଇଛି। ଖାଦ୍ୟ ମୁଦ୍ରାସ୍ଫୀତି ଡିସେମ୍ବରରେ ୩.୪୧ ଶତା˚ଶ ଥିବା ବେଳେ ଜାନୁଆରିରେ ତାହା ୧.୮୯ ଶତା˚ଶକୁ ଖସି ଆସିଥିଲା, ଯାହା ହେଉଛି ଗତ ୨୦ ମାସ ମଧୢରେ ସର୍ବନିମ୍ନ। ଆସନ୍ତା ଛ’ ରୁ ନ’ ମାସ ପର୍ଯ୍ୟନ୍ତ ପନିପରିବା ଦର ଅପେକ୍ଷାକୃତ ନୀଚା ରହିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ଖାଦ୍ୟ ମୁଦ୍ରାସ୍ଫୀତିର ନିମ୍ନଗାମୀ ପ୍ରଭାବ ଯୋଗୁଁ ‘ଶିରୋନାମା ମୁଦ୍ରାସ୍ଫୀତି’ ଏପରି ନୀଚା ରହିଥିଲେ ହେଁ, ଅଣଖାଦ୍ୟ-ଇନ୍ଧନ ମୁଦ୍ରାସ୍ଫୀତି ଏପରି ଉଚ୍ଚା ରହିବା ସ୍ବାଭାବିକ ଭାବରେ ଚିନ୍ତାଜନକ ହୋଇଥାଏ। ଏହାର କାରଣ ଅଣଖାଦ୍ୟ ମୁଦ୍ରାସ୍ଫୀତି ସାଧାରଣତଃ ଅଧିକ ନଛୋଡ଼ବନ୍ଧା ହୋଇଥାଏ। ମହାମାରୀ ସମୟରେ ଶିଳ୍ପ ବ୍ୟବସାୟ ଯେଉଁ ଭଳି କ୍ଷତି ସମ୍ଭାଳିଛନ୍ତି, ତାହାକୁ ଭରଣା କରିବା ପାଇଁ ଏବେ ସେମାନେ ନିଜ ନିଜର ଉତ୍ପାଦିତ ଦ୍ରବ୍ୟ ସବୁର ଦରବୃଦ୍ଧି କରିବାରେ ଲାଗିଛନ୍ତି। ମହାମାରୀ ପ୍ରଭାବରେ ଛୋଟ ଛୋଟ ଶିଳ୍ପ ସ˚ସ୍ଥାମାନ ବୁଡ଼ିଯିବା ଯୋଗୁଁ ଯୋଗାଣ ସ˚କୁଚିତ ହୋଇଯାଇଛି ଏବ˚ ଯେଉଁ ବଡ଼ ବଡ଼ ସ˚ସ୍ଥାମାନ ଏଥିରୁ ବର୍ତ୍ତି ଯାଇଛନ୍ତି, ସେମାନେ ହିଁ ଏହି ସ˚କୁଚିତ ଯୋଗାଣକୁ ନିୟନ୍ତ୍ରଣ କରୁଛନ୍ତି।

ସେମାନଙ୍କ ପକ୍ଷରେ ଦରବୃଦ୍ଧି କରିବା ତେଣୁ ସହଜ ହେଉଛି। ବର୍ତ୍ତମାନର ନୀଚା ସୁଧହାର ଓ ଉଚ୍ଚା ଖାଉଟି ଦର ସେମାନଙ୍କ ପାଇଁ ଯଥାଶୀଘ୍ର କ୍ଷତି ଭରଣା କରି ଲାଭ ଅର୍ଜନ କରିବାରେ ସହାୟକ ହେଉଛି। ବିଶେଷ କରି ସେବା କ୍ଷେତ୍ରରେ ଆମଦାନି ବିକଳ୍ପ ସମ୍ଭବ ନଥିବାରୁ, ସେ କ୍ଷେତ୍ରର ଦରଦାମ୍‌ରେ ଅଧିକ ବୃଦ୍ଧି ଘଟିବା ଦେଖାଯାଉଛି।

ଏହି ମଞ୍ଜ ମୁଦ୍ରାସ୍ଫୀତି ଜୋତା ଭିତରେ କଣ୍ଟା ଭଳି କାର୍ଯ୍ୟ କରୁଥିବାରୁ ରିଜର୍ଭ ବ୍ୟାଙ୍କ୍‌ ନିକଟ ଭବିଷ୍ୟତରେ ସୁଧ ହାର ଆଉ କୋହଳ କରିବା ପାଇଁ ନିଶ୍ଚତ ରୂପେ କୁଣ୍ଠିତ ହେବ। କିନ୍ତୁ ଯେହେତୁ ପୂର୍ବୋକ୍ତ ଭଳି ରିଜର୍ଭ ବ୍ୟାଙ୍କ୍‌ ଆଗାମୀ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ମୁଦ୍ରାସ୍ଫୀତି ୫.୦-୫.୨ ଶତା˚ଶ ରହିବ ବୋଲି ଅନୁମାନ କରୁଛି, ଯାହା ଉପର ସୀମା ୬.୦ ଶତା˚ଶରୁ କମ୍‌, ଏହି ସମୟରେ ସୁଧହାର ବୃଦ୍ଧିରୁ ବିରତ ରହିପାରେ।

ସମ୍ବନ୍ଧିତ ଖବର