ଅପ୍ରସଙ୍ଗ!

ଗଲା ଅଷ୍ଟମ ଦଶକର ଅର୍ଧ ଭାଗ ବେଳକୁ ଭାରତୀୟ ବଜାରରେ ଆବିର୍ଭୂତ ହୋଇ ଚମକ ସୃଷ୍ଟି କରିଥିବା ଗୋଟିଏ ମୋଟର ସାଇକେଲର ବିଜ୍ଞାପନରେ ଗ୍ରାହକମାନଙ୍କ ଉଦ୍ଦେଶ୍ୟରେ ଯେଉଁ ବାର୍ତ୍ତାଟି ପ୍ରଦାନ କରାଯାଇଥିଲା, ତାହା ଥିଲା -‘ଫିଲ୍‌ ଇଟ୍‌, ସଟ୍‌ ଇଟ୍‌ ଏଣ୍ତ ଫରଗେଟ୍‌ ଇଟ୍‌’; ଯାହାର ଓଡ଼ିଆ ମର୍ମାର୍ଥ ହେଉଛି- ‘ଭରି ଦିଅ, ବନ୍ଦ କରିଦିଅ ଏବ˚ ଭୁଲି ଯାଅ’। ଉପରୋକ୍ତ ବାକ୍ୟରେ ଯେଉଁ ପଦାର୍ଥଟିକୁ ଭରି ଦେବା ଲାଗି କୁହାଯାଇଥିଲା, ତାହା ଥିଲା ପେଟ୍ରୋଲ ଏବ˚ ସେହି ଦୁଇଚକିଆ ଯାନଟି ମାତ୍ର ଗୋଟିଏ ଲିଟର ପେଟ୍ରୋଲରେ ଅଶୀ କିଲୋମିଟର ଦୂରତା ଅତିକ୍ରମ କରିପାରିବାର ଅକଳ୍ପନୀୟ ସାମର୍ଥ୍ୟର ଦାବି ବିଜ୍ଞାପନଟିରେ କରାଯାଇଥିଲା। କହିବା ବାହୁଲ୍ୟ ଯେ ବିଜ୍ଞାପନର ସ୍ଲୋଗାନ୍‌ଟି ମଧୢବିତ୍ତ ମିତ-ବ୍ୟୟୀ ଭାରତୀୟଙ୍କ ମଧୢରେ ଏଭଳି ଭେଦି ଗଲା ଯେ ଅଚିରେ ଏହି ଦୁଇଚକିଆ ଯାନଟି ବଜାରରେ ଏକକ ଆଧିପତ୍ୟ ବିସ୍ତାର କରିବା ସହିତ ଦୁଇଚକିଆ ଯାନକୁ ନେଇ ରହିଥିବା ପୂର୍ବର ସମସ୍ତ ଦୃଶ୍ୟପଟକୁ ବଦଳାଇ ଦେଇଥିଲା। ଅଧିକା˚ଶ ସମୟରେ ଦେଖାଯାଇଥାଏ ଯେ ବିଜ୍ଞାପନଗୁଡ଼ିକରେ ସ୍ଥାନ ପାଉଥିବା ଏଭଳି ବାର୍ତ୍ତାରୁ କେବଳ ଗ୍ରାହକମାନଙ୍କର ନୁହେଁ, ଗୋଟିଏ ରାଷ୍ଟ୍ରର ଜନ ସମାଜର ନାଡ଼ି ଚିପା ଯାଇପାରେ। ସୁତରା˚, ତତ୍କାଳୀନ ଭାରତର ନିରୁଦ୍‌ବେଗ ଅର୍ଥନୈତିକ ପରିବେଶରେ ‘ଅଳ୍ପକେ ଚଳିବା’ ଲାଗି ଉଦ୍ୟମରତ ମଧୢବିତ୍ତ ଗ୍ରାହକମାନଙ୍କୁ ଆକର୍ଷିତ କରିବା ସକା‌େଶ ଏହି ସ୍ଲୋଗାନର ଚିନ୍ତା କରାଯାଇଥିଲା। କିନ୍ତୁ ଏହାର ପରବର୍ତ୍ତୀ କାଳରେ ଭାରତକୁ ତାର ଚରମ ଆର୍ଥିକ ଦୁଃସ୍ଥିତିରୁ ରକ୍ଷା କରିବା ଲାଗି ଉଦାରୀକରଣ, ଜଗତ୍‌କରଣ ଏବ˚ ମୁକ୍ତ ବଜାର ଆଧାରିତ ଅର୍ଥ ବ୍ୟବସ୍ଥାର ପ୍ରଚଳନ କରାଗଲା; ଯାହାର ଫଳ ସ୍ବରୂପ ଖୁବ୍‌ ଶୀଘ୍ର ଭାରତର ଅର୍ଥନୀତି ଅତ୍ୟନ୍ତ ଚଳଚଞ୍ଚଳ ହୋଇ ଉଠି ଦେଶକୁ ଏକ ବିଶାଳ ବଜାରରେ ପରିଣତ କରି ପକାଇଲା, ଯହିଁରେ ମିତବ୍ୟୟୀ ଭାରତୀୟମାନେ ଖର୍ଚ୍ଚୀ ଭାରତୀୟରେ ରୂପାନ୍ତରିତ ହୋଇ ବଜାରରେ ବିଚରଣ କରିବାକୁ ଲାଗିଲେ। ସୁତରା˚, ସ˚ପୃକ୍ତ ଦୁଇଚକିଆ ଯାନର ବିଜ୍ଞାପନରେ ଉପରେ ବର୍ଣ୍ଣିତ ସ୍ଲୋଗାନ୍‌ଟି ଅଦୃଶ୍ୟ ହୋଇଗଲା, ଯହିଁରୁ ଧାରଣା ସୃଷ୍ଟି ହେଉଥିଲା ଯେ ଦୁଇଚକିଆ ଯାନ ଲାଗି ଇନ୍ଧନ ସାମର୍ଥ୍ୟ ଆଉ ଏକ ବିଶେଷ ଆକର୍ଷଣ ହୋଇ ରହିନାହିଁ। ଯହିଁରୁ ଏଭଳି ଏକ ଅର୍ଥ ବାହାର କରାଯାଇପାରେ ଯେ ମିତବ୍ୟୟୀ ଭାରତୀୟରୁ ଖର୍ଚ୍ଚୀ ଭାରତୀୟ ହେବାର ଏହି ଯାତ୍ରା କ୍ରମରେ ପେଟ୍ରୋଲର ଦର ହୁଏ’ତ ଏଣିକି ଗ୍ରାହକମାନଙ୍କ ଲାଗି ବିଶେଷ ଗୁରୁତ୍ବ ବହନ କଲା ନାହିଁ। ସେହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ କ’ଣ ଏହି କାରଣରୁ ସ˚ପ୍ରତି ପେଟ୍ରୋଲ ଦର ବୃଦ୍ଧି ଏକ ସର୍ବକାଳୀନ ରେକର୍ଡ ସ୍ପର୍ଶ କରି ଲିଟର ପିଛା ଶହେ ଟଙ୍କାକୁ ଅତିକ୍ରମ କରିବାକୁ ବସିଥିବା ବେଳେ ଏ ନେଇ ବିଶେଷ କୌଣସି ଜନ ଉଦ୍‌ବେଗ ବା ଆକ୍ରୋଶ ପ୍ରକାଶ ପାଉନାହିଁ? ଦେଖିବାକୁ ମିଳୁଛି ଯେ ପେଟ୍ରୋଲର ମାତ୍ରାଧିକ ଦର ବୃଦ୍ଧି ସ˚କ୍ରାନ୍ତରେ ବିରୋଧୀ ରାଜନୈତିକ ଦଳଗୁଡ଼ିକର ପ୍ରତିକ୍ରିୟା ମାତ୍ର ଅଳ୍ପ କେଇ ଧାଡ଼ିର ବିବୃତି ପ୍ରଦାନରେ ସମାପ୍ତ ହୋଇଯାଉଛି ଏବ˚ ଗଣମାଧୢମରେ ଏହା ଏକ ଗୌଣ ସମ୍ବାଦରେ ହିଁ ସୀମିତ ରହି ଅନ୍ୟାନ୍ୟ ଖବରର ଭିଡ଼ରେ ସତ୍ତା ହରାଉଛି। କହିବା ଅନାବଶ୍ୟକ ଯେ କିଛି ବର୍ଷ ପୂର୍ବ ପର୍ଯ୍ୟନ୍ତ ପେଟ୍ରୋଲ ଦର ବୃଦ୍ଧି ଭଳି ପ୍ରସଙ୍ଗ ଅସହନୀୟ ରାଜନୈତିକ ତାତି ସୃଷ୍ଟି କରି ଅନେକ ସମୟରେ ସରକାର ଟଳାଇ ଦେବାର ତାକତ ରଖୁଥିଲା।

୨୦୧୪ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନ୍‌.ଡି.ଏ. ସରକାର କେନ୍ଦ୍ରରେ ଶାସନକୁ ଆସିବା ପର ଠାରୁ ଆଜି ପର୍ଯ୍ୟନ୍ତ ଛଅ ବର୍ଷ ଅବଧି ମଧୢରେ ପେଟ୍ରୋଲ ଦରରେ ୨୮%ରୁ ଅଧିକ ବୃଦ୍ଧି ଘଟିଛି। ତେବେ ବିଡ଼ମ୍ବନାର କଥା, ୨୦୧୪ ପୂର୍ବରୁ କ˚ଗ୍ରେସ ନେତୃତ୍ବାଧୀନ ୟୁ.ପି.ଏ. ସରକାର ଅମଳରେ ପେ‌େଟ୍ରାଲ ଦରରେ ବୃଦ୍ଧିକୁ କେନ୍ଦ୍ର କରି ଯେଉଁ ବି.ଜେ.ପି. ଦେଶବ୍ୟାପୀ ଆନ୍ଦୋଳନମାନ ସୃଷ୍ଟି କରି ସରକାରଙ୍କୁ ଅତ୍ୟନ୍ତ ଅସ୍ବସ୍ତିକର ସ୍ଥିତିରେ ପକାଇଥିଲା, ବର୍ତ୍ତମାନ ସେହି ବି.ଜେ.ପି. ଏହି ଦର ବୃଦ୍ଧିର ପକ୍ଷଧର। ଏଥିରେ ନିହିତ ଅନ୍ୟ ଏକ ବିଡ଼ମ୍ବନା ହେଉଛି ୟୁ.ପି.ଏ. ସରକାର ବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୪୨ ଆମେରିକୀୟ ଡଲାର ଥିବା ବେଳେ ବର୍ତ୍ତମାନ ତାହା ଅତ୍ୟନ୍ତ ନୀଚା ଅର୍ଥାତ୍‌ ମାତ୍ର ୫୨ ଡଲାର ରହିଛି। ତେଣୁ ବର୍ତ୍ତମାନ ପେଟ୍ରୋଲ ଦର ସର୍ବାଧିକ ଉଚ୍ଚତା ସ୍ପର୍ଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ନୁହେଁ କି?

ଏ ନେଇ ସମସ୍ତେ ଅବଗତ ଯେ ବର୍ତ୍ତମାନର ଏହି ଉଚ୍ଚା ଦରର କାରଣ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଦ୍ବାରା ଲଗାଯାଉଥିବା ମାତ୍ରାଧିକ ଏକ୍‌ସାଇଜ୍‌ ଓ ଅନ୍ୟାନ୍ୟ ଟିକସ, ଯେଉଁ କାରଣରୁ ଭାରତୀୟ ଗ୍ରାହକମାନେ ପେ‌େଟ୍ରାଲ ଲାଗି ଯାହା ପ୍ରଦାନ କରୁଛନ୍ତି, ତାର ପ୍ରାୟ ୬୬% କେବଳ ଏହି ଟିକସ ବାବଦରେ ଯାଇଥାଏ। ପୁନଶ୍ଚ ଏହି ଟିକସର ହାର ଏନ୍‌.ଡି.ଏ. ସରକାର ଅମଳରେ ଅଧିକରୁ ଅଧିକ ବୃଦ୍ଧି ପାଇବାରେ ଲାଗିଛି। ଏକ ପରିସ˚ଖ୍ୟାନ ଅନୁସାରେ ୟୁ.ପି.ଏ. ସରକାର ଅମଳରେ ଏହି ସୂତ୍ରରୁ ହାରାହାରି ବାର୍ଷିକ ରାଜକୋଷୀୟ ଆୟ ୯୯,୦୦୦ କୋଟି ହୋଇଥିବା ବେଳେ ଏନ୍‌.ଡି.ଏ. ସରକାରର ଆଦ୍ୟ ଦୁଇ ବର୍ଷର କାର୍ଯ୍ୟ କାଳ ଭିତରେ ତାହା ବୃଦ୍ଧି ପାଇ ପହଞ୍ଚିଥିଲା ହାରାହାରି ୨.୪ ଲକ୍ଷ କୋଟି ଟଙ୍କାରେ। କହିବା ବାହୁଲ୍ୟ ଯେ କରୋନା ପାନ୍‌ଡେମିକ୍‌ କାଳୀନ ଏକ ଶୁଷ୍କ ରାଜକୋଷ ଲାଗି ଏହା ଏବେ ଏକ ବଳିଷ୍ଠ ସ୍ରୋତରେ ପରିଣତ ହୋଇଛି।

ଉଲ୍ଲେଖନୀୟ ଯେ ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଭଳି ପଡ଼ୋଶୀ ଦେଶରେ ପେଟ୍ରୋଲ ଦର ଲିଟର ପିଛା ଯଥାକ୍ରମେ ୫୦ ଟଙ୍କା, ୬୧ ଟଙ୍କା ଏବ˚ ୩୭ ଟଙ୍କା ୫୦ ପଇସା ହୋଇଥିବା ବେଳେ ଜାପାନ, ଦକ୍ଷିଣ କୋରିଆ, ଇ˚ଲଣ୍ତ, ଫ୍ରାନ୍‌ସ ଓ ଜର୍ମାନି ଇତ୍ୟାଦି ଭଳି ବିକଶିତ ରାଷ୍ଟ୍ରରେ ଏହା ଭାରତ ସହ ପ୍ରାୟ ସମକକ୍ଷ ବା ଭାରତ ଠାରୁ ଅଧିକ, ଯାହା ଲିଟର ପିଛା ଯଥାକ୍ରମେ ୯୪ ଟଙ୍କା, ୯୬ ଟଙ୍କା, ୧୧୮ ଟଙ୍କା, ୧୨୬ ଟଙ୍କା ଓ ୧୧୯ ଟଙ୍କା। ଚୀନରେ ଏହି ଦର ଭାରତ ସହିତ ପ୍ରାୟ ସମତୁଲ। ପେଟ୍ରୋଲର ବ୍ୟବହାର ପରିବେଶ ପ୍ରଦୂଷଣର ଏକ ବଡ଼ କାରଣ ହୋଇଥିବାରୁ ଅନେକ ୟୁରୋପୀୟ ରାଷ୍ଟ୍ରରେ ଏହା ଉପରେ ଅତିରିକ୍ତ ‘କାର୍ବନ ଟିକସ’ ମଧୢ ଲଗାଯାଇଥାଏ, ଯାହା ସେଠାକାର ଉଚ୍ଚ ଦରର ଏକ କାରଣ। ଅନେକ ବିଶେଷଜ୍ଞଙ୍କ ମତରେ ପେଟ୍ରୋଲ ଦରକୁ ଉଚ୍ଚା ରଖିବା ଅନେକ ସରକାରଙ୍କ ଏକ ଅଘୋଷିତ ନୀତି; କାରଣ ତାହା ପେଟ୍ରୋଲର ମାତ୍ରାଧିକ ବ୍ୟବହାରକୁ ନିରୁତ୍ସାହିତ କରି ଏହାର ଆମଦାନି ପରିମାଣରେ ତଥା ଏହା ଦ୍ବାରା ହେଉଥିବା ପରବେଶ ପ୍ରଦୂଷଣରେ ହ୍ରାସ ଘଟାଇବ। ଏହି କ୍ରମରେ ତାମିଲନାଡୁରେ ଏକ ତୈଳ ଓ ଗ୍ୟାସ୍‌ ପ୍ରକଳ୍ପର ଶୁଭ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବର ତୈଳ ଦରରେ ଦେଖା ଦେଇଥିବା ବୃଦ୍ଧି ପରିପ୍ରେକ୍ଷୀରେ ଏହାର ନିୟନ୍ତ୍ରିତ ବ୍ୟବହାର ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ।

ସ˚ପ୍ରତି ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ବେ ଭାରତରେ ଗାଡ଼ି ମଟର ସ˚ଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ତୈଳ ଦରରେ ଲଗାତାର ଓ ମାତ୍ରାଧିକ ବୃଦ୍ଧି ସତ୍ତ୍ବେ ଗାଡ଼ିମଟରର ବ୍ୟବହାର ଅଧିକରୁ ଅଧିକ ସଘନ ହୋଇ ଚାଲିଛି। କହିବା ଅନାବଶ୍ୟକ ଯେ ପେଟ୍ରୋଲ ବା ଡିଜେଲ ଦର ବୃଦ୍ଧିର ପ୍ରତ୍ୟକ୍ଷ ପ୍ରଭାବ ଗାଡ଼ିମଟର ବ୍ୟବହାର କରୁଥିବା ଏକ ବିଶାଳ ସ˚ଖ୍ୟକ ମଧୢବିତ୍ତଙ୍କ ଉପରେ ଅଧିକ ପଡ଼ିଥାଏ, ଯେତେବେଳେ କି ପରୋକ୍ଷ ଭାବେ ଏହା ବିଭିନ୍ନ ସାମଗ୍ରୀର ଦର ବୃଦ୍ଧିରେ ଉତ୍‌ପ୍ରେରକ ହୋଇ ନିମ୍ନ ମଧୢବିତ୍ତ ଓ ନିମ୍ନବିତ୍ତ ଭାରତୀୟମାନଙ୍କ ଲାଗି ମୁଣ୍ତ ବ୍ୟଥାର କାରଣ ହୋଇଥାଏ। ତେବେ, ବର୍ତ୍ତମାନର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅସ˚ଖ୍ୟ ଦରିଦ୍ର ପରିବାରଙ୍କ ଆ˚ଶିକ ଚାହିଦା ମେଣ୍ଟିଯାଉଛି। କିନ୍ତୁ ଯାହା ସ୍ବୀକାର୍ଯ୍ୟ, ତାହା ହେଲା ଆମ ସମାଜରେ ଏହି ବର୍ଗଟି ପ୍ରମୁଖ ଭାବେ ଏକ ନିରବ ଗୋଷ୍ଠୀ। ଆମ ରାଷ୍ଟ୍ରରେ ଯେଉଁ ବର୍ଗଟି ସର୍ବାଧିକ ମୁଖର, ସେହି ମଧୢବିତ୍ତମାନେ ସଂପ୍ରତି ଅଧିକ ଉପାର୍ଜନକ୍ଷମ ହେବା ସହିତ ମୁକ୍ତ ବଜାର ବ୍ୟବସ୍ଥାରେ ଚାର୍ବାକଙ୍କ ଚେଲାରେ ପରିଣତ ହୋଇ ‘ଋଣ କୃତ୍ବା ଘୃତ˚ ପିବେତ୍‌’ ନୀତିରେ ପରିଚାଳିତ ଏବ˚ ମିତବ୍ୟୟୀ ହେବା ପ୍ରତି ବିମୁଖ। ତେଣୁ, ସମ୍ଭବତଃ ପେଟ୍ରୋଲ ଦର ବୃଦ୍ଧି ସମସ୍ୟା ଏକ ଅପ୍ରସଙ୍ଗରେ ପରିଣତ ହେଲାଣି!

ସମ୍ବନ୍ଧିତ ଖବର