ଧାତବ ଅସନ୍ତୋଷ

ଅନେକ ବର୍ଷ ତଳେ ଆକାଶବାଣୀ କଟକରୁ ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ରଚିତ ଏକ ହାସ୍ୟରସାତ୍ମକ ବେତାର ନାଟିକା ପ୍ରସାରିତ ହୋଇ ଲୋକପ୍ରିୟତା ଅର୍ଜନ କରିଥିଲା, ଯାହାର ଅବୋଧୢ ମନେ ହେଉଥିବା ଶୀର୍ଷକ ଥିଲା- ‘ଧାତବ ସନ୍ତୋଷ ଯାତ୍ରା’। ଏହାର ସରଳ ଓଡ଼ିଆରେ ମର୍ମାନୁବାଦ ହେଉଛି-ଏକ ଧାତୁ ନିର୍ମିତ ଯାନ ଅର୍ଥାତ୍‌ ମଟର ଗାଡ଼ିରେ ବସି ଯାତ୍ରା କରିବାର ସନ୍ତୋଷ। ଏହି ସନ୍ତୋଷ ଲାଭ କରିବା ଉଦ୍ଦେଶ୍ୟରେ ଏକ ମଟରକାର‌୍‌ରେ ଭର୍ତ୍ତି ହୋଇ ଯାତ୍ରା ଆରମ୍ଭ କରିଥିବା ଦଳେ ବନ୍ଧୁ କିଭଳି ଅପ୍ରତ୍ୟାଶିତ ହାସ୍ୟୋଦ୍ରେକକାରୀ ବାଧାବିଘ୍ନ ଓ ଅଘଟଣମାନଙ୍କର ସମ୍ମୁଖୀନ ହୋଇଛନ୍ତି, ତାହା ଥିଲା କାହାଣୀଟିର ବିଷୟବସ୍ତୁ। ଏଠାରେ କିନ୍ତୁ ଏହାର ଅବତାରଣାର ଉଦ୍ଦେଶ୍ୟ ହେଉଛି ମଟରଗାଡ଼ିର ଆକର୍ଷଣ ଆଧୁନିକ ମନୁଷ୍ୟ ପାଇଁ କିଭଳି ଦୁର୍ବାର, ତାହା ସୂଚାଇବା। ତାହା ହିଁ ଥିଲା ହେମକାନ୍ତଙ୍କର ବ୍ୟଙ୍ଗର ଅସଲ ଉଦ୍ଦେଶ୍ୟ।

ଆଧୁନିକ ମନୁଷ୍ୟଟିଏ ତା’ର ଜୀବନକାଳ ମଧୢରେ ଯେତେ ସବୁ ବାଞ୍ଛିତ ପାର୍ଥିବ ଦ୍ରବ୍ୟ ବ୍ୟବହାର କରିଥାଏ କିମ୍ବା ବ୍ୟବହାର କରିବାର ସ୍ବପ୍ନ ଦେଖିଥାଏ, ମଟରଗାଡ଼ି ଯେ ହେଉଛି ସେଥିରେ ଅଗ୍ରଗଣ୍ୟ, ଯେଉଁମାନେ ଏହା ଅସ୍ବୀକାର କରିବେ, ସେମାନେ ନିଶ୍ଚିତ ରୂପେ ଏକ ବିରଳ ଶ୍ରେଣୀଭୁକ୍ତ ହେବେ। ଯଦି କୌଣସି ଏକ ସମାଜରେ ଆକାଙ୍‌କ୍ଷିତ ଦ୍ରବ୍ୟ ବା ‘ଆସ୍ପିରେସନାଲ୍‌ ଗୁଡ୍‌ସ’ମାନଙ୍କର ଏକ ତାଲିକା କରାଯାଏ, ତାଲିକାର ଏକ ନମ୍ବର ସ୍ଥାନରେ ନିଶ୍ଚିତ ରୂପେ ଯାହା ରହିବ, ତାହା ହେଉଛି ମଟର‌୍‌ କାର‌୍‌। ଭାରତ ଭଳି ଏକ ବିକାଶଶୀଳ ଦେଶରେ ଯେଉଁମାନେ ଅର୍ଥନୈତିକ ଦୁର୍ବଳତାକୁ ପଛରେ ପକାଇ ଉନ୍ନତିର ଶିଡ଼ିରେ ଉପରକୁ ଉଠିବା ଆରମ୍ଭ କରନ୍ତି, ସୁଯୋଗ ମିଳିବା ମାତ୍ରେ ସେମାନେ କାର‌୍‌ଟିଏର ମାଲିକ ହେବାକୁ ମନ ବଳାନ୍ତି। କାର‌୍‌ ଅର୍ଥଶାସ୍ତ୍ରର ଭାଷାରେ ଏକ ‘ସ୍ଥାୟୀ ଖାଉଟି ଦ୍ରବ୍ୟ’ ରୂପେ ବିବେଚିତ ହୋଇଥାଏ, ଯାହାକୁ କ୍ରେତାଜଣକ ବହୁ ବର୍ଷ ଧରି ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଥାଏ। ପ୍ରଥମ ଥର କାର‌୍‌ଟିଏ କିଣିବାକୁ ବାହାରିଥିବା ଅନେକ ସ୍ବଳ୍ପ ଆୟକାରୀ କେତ୍ରାମାନେ ନୂଆ ଗାଡ଼ି କିଣିବାକୁ ସମର୍ଥ ହୋଇନଥିବାରୁ ଅପେକ୍ଷାକୃତ କମ୍‌ ଦାମ୍‌ରେ ବ୍ୟବହୃତ ହୋଇଥିବା ‘ସେକେଣ୍ତ ହାଣ୍ତ’ ଗାଡ଼ି କିଣିଥାନ୍ତି। ହେମକାନ୍ତଙ୍କ ଭାଷାରେ ସେମାନଙ୍କର ଧାତବ ପିପାସାର ଏଇଭଳି ସନ୍ତୋଷ ବିଧାନ ହୋଇଥାଏ।

କିନ୍ତୁ ଭାରତ ସରକାରଙ୍କ ମନରେ ଏବେ ଯେଉଁ ଏକ ଭିନ୍ନ କିସମର ଧାତବ ପିପାସା ଲହଡ଼ି ଭାଙ୍ଗିବା ଦେଖାଯାଉଛି ତାହା ସେମାନଙ୍କର ଏହି ସନ୍ତୋଷକୁ କ୍ଷଣକରେ ଅସନ୍ତୋଷରେ ପରିଣତ କରି ଦେବାର ସମ୍ଭାବନା ସୃଷ୍ଟି କଲାଣି। କେନ୍ଦ୍ର ସରକାରଙ୍କର ପରିବହନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅର୍ଥମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବେଶ୍‌ କିଛି କାଳ ଧରି ଯେଉଁ ଭଳି ସୂଚନା ଦେବାରେ ଲାଗିଛନ୍ତି, ସ˚କ୍ଷେପରେ ତାହାର ମର୍ମ ହେଲା, ସରକାର ପୁରୁଣା ମଟର ଗାଡ଼ି ସବୁକୁ ଭାଙ୍ଗିରୁଜି ଦେଇ ପୁଣି ତା’ର ମୂଳ ଧାତବପିଣ୍ତରେ ପରିଣତ କରି ଦେବାକୁ ଦୃଢ଼ ସ˚କଳ୍ପ କରିଛନ୍ତି, ଯାହାକୁ ଇ˚ରେଜୀରେ କୁହାଯାଇଥାଏ- ସ୍କ୍ରାପେଜ୍‌। ସରକାରଙ୍କ ଏହି ନୀତି ଯେତେବେଳେ ଅନ୍ତିମ ରୂପ ନେଇ କାର୍ଯ୍ୟକାରୀ ହେବାକୁ ଆରମ୍ଭ କରିବ, ସେତେବେଳେ ପୁରୁଣା ମଟର ଗାଡ଼ିମାନଙ୍କୁ ବାଧୢତାମୂଳକ ଭାବରେ ଏଇଭଳି ଭାଙ୍ଗି ଦିଆଯିବ କିମ୍ବା ଭାଙ୍ଗି ଦେବା ପାଇଁ ମାଲିକମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ।

କେତୋଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲରେ ସହାୟକ ହେବା ଉଦ୍ଦେଶ୍ୟ ନେଇ ସରକାର ଏଭଳି ସ୍କ୍ରାପେଜ୍‌ ନୀତିର ପରିକଳ୍ପନା କରିଛନ୍ତି। ଗୋଟିଏ ଲକ୍ଷ୍ୟ ହେଲା, ଏହାଦ୍ବାରା ବଜାରରେ ନୂଆ କାର‌୍‌ ପ୍ରତି ଚାହିଦାରେ ବୃଦ୍ଧି ଘଟାଇ ମଟର ଗାଡ଼ି ଶିଳ୍ପକୁ ସହାୟକ ହେବା। ଦ୍ବିତୀୟ ଲକ୍ଷ୍ୟ ହେଉଛି ପରିବେଶ ପ୍ରଦୂଷଣରେ ହ୍ରାସ ଘଟାଇବା। ଜଣାଶୁଣା ଭାବରେ ପୁରୁଣା ମଟର‌୍‌ଗାଡ଼ି ସବୁରୁ ଅଧିକ ମାତ୍ରାରେ କ୍ଷତିକାରକ ବାଷ୍ପ ଓ କଣିକା (ପାର୍ଟିକୁଲେଟ୍‌ ମାଟର‌୍‌) ମାନ ନିର୍ଗତ ହୋଇଥାଏ; ନୂଆ ଗାଡ଼ି ଏଭଳି ଦୋଷରୁ ମୁକ୍ତ ଥାଏ। ତୃତୀୟ ଲକ୍ଷ୍ୟ ହେଉଛି ଇନ୍ଧନ ବ୍ୟବହାର ସ˚କୁଚିତ କରିବା। ଭାରତ ଯେହେତୁ ପେଟ୍ରୋଲ, ଡିଜେଲ୍‌ ଆଦି ମୁଖ୍ୟତଃ ଆମଦାନି କରିଥାଏ, ନୂଆ ଗାଡ଼ିର ଦକ୍ଷ ଇଞ୍ଜିନ୍‌ ପାଇଁ କମ୍‌ ଇନ୍ଧନ ଆବଶ୍ୟକ ହେଲେ ଆମର ଆମଦାନି ବୋଝ ହାଲୁକା ହେବ ଏବ˚ ଦେଶର ବୈଦେଶିକ ମୁଦ୍ରା ପାଣ୍ଠି ଉପରେ ଚାପ ହ୍ରାସ ପାଇବ। ପରିବହନ ମନ୍ତ୍ରୀ ନୀତୀନ୍‌ ଗଡ଼କରୀଙ୍କ କହିବା ଅନୁସାରେ ସରକାରଙ୍କ ନୀତି ଅନୁସାରେ ପ୍ରାୟ ଏକ କୋଟି ପୁରୁଣା ଗାଡ଼ି ସ୍କ୍ରାପ୍‌ କରାଯିବ ଓ ନୂଆ ଇନ୍ଧନ-ଦକ୍ଷ ଗାଡ଼ିମାନ ସେ ସ୍ଥାନ ନେବ। ଫଳରେ ଦେଶକୁ ପ୍ରଭୂତ ପରିମାଣରେ ଏ ଦ୍ବିବିଧ ଉପକାର ଉପଲବ୍‌ଧ ହେବ।

ଏଭଳି ଯୁକ୍ତିର ଧାରା ଠିକ୍‌ ହୋଇଥିଲେ ହେଁ ଏହି ନୀତିର ଶେଷ ଫଳ ଯେ ଆଶା କରାଯାଉଥିବା ଭଳି ହେବ, ଏହା ସନ୍ଦେହଜନକ। ଉଦାହରଣ ସ୍ବରୂପ ପ୍ରଦୂଷଣ ନିୟନ୍ତ୍ରଣକୁ ଦେଖାଯାଉ। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ (‘ଏନ୍‌ସିଆର‌୍‌’)ରେ ‘ନ୍ୟାସନାଲ୍‌ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌’ (‘ଏନ୍‌ଜିଟି’) ଦଶ ବର୍ଷରୁ ଅଧିକ ପୁରୁଣା ଡିଜେଲ୍‌ ଗାଡ଼ି ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡ଼ି ଚଳାଚଳ ନିଷେଧ କରିଛି। କିନ୍ତୁ ଏହି ନିଷେଧାଜ୍ଞା କାର୍ଯ୍ୟକାରୀ ହେବା ପରବର୍ତ୍ତୀ କାଳରେ ଦିଲ୍ଲୀର ବାୟୁମଣ୍ତଳ ଗୁଣବତ୍ତାରେ କୌଣସି ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇନାହିଁ। ଉଦାହରଣ ସ୍ବରୂପ ୨୦୧୮ ଓ ୨୦୧୯ ଶୀତଋତୁରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ପୂର୍ବାପେକ୍ଷା ଖରାପ ଥିବା ଦେଖାଯାଇଥିଲା। ଏଥିପାଇଁ ଅସଲ ଅପରାଧୀ ଥିଲେ- ପଞ୍ଜାବରେ ନଡ଼ା ପୋଡ଼ି, ଇଟା ଭାଟିର ଧୂଆଁ, କଳ କାରଖାନାର ଧୂଆଁ, ଗୃହ ନିର୍ମାଣରୁ ନିର୍ଗତ ଧୂଳି, ଅଳିଆ ପୋଡ଼ି, କୋଇଲା ଜାଳୁଥିବା ଶକ୍ତି କେନ୍ଦ୍ର ଇତ୍ୟାଦି। ସତକଥା ହେଲା ପୁରୁଣା କାର‌୍‌ ବଦନାମ ବହନ କରୁଥିଲେ ହେଁ, ଏହାର ମାଲିକମାନେ ଯେ ନିୟମିତ ଭାବରେ, ପ୍ରତିଦିନ ଏହାକୁ ନେଇ ରାସ୍ତାକୁ ବାହାରି ପଡ଼ନ୍ତି, ଏପରି ନୁହେଁ। ଅସଲ କଥା ହେଲା ପ୍ରଚାରଧର୍ମୀ ଆକ୍ରମଣ ପାଇଁ ପୁରୁଣା ଗାଡ଼ି ଯେମିତି ସହଜ ଓ ନରମା ନିଶାଣ ହୋଇଥାଏ, ନଡ଼ାପୋଡ଼ି କିମ୍ବା ଇଟାଭାଟି ସେମିତି ହୋଇନଥାଏ।

ଯଦି ପୁରୁଣା ଗାଡ଼ିର ଉତ୍ତମ ରକ୍ଷଣାବେକ୍ଷଣ କରାଯାଇଥାଏ, ତେବେ କେବଳ ବର୍ଷ ହିସାବ କରି ସେଗୁଡ଼ିକୁ ସ୍କ୍ରାପ୍‌ କରି ଦେବା ଏକ ଆଦର୍ଶ ନୀତି ନୁହେଁ। ପୂର୍ବରୁ କୁହାଯାଇଥିବା ଭଳି ଏହାଦ୍ବାରା ସେକେଣ୍ତ ହାଣ୍ତ ଗାଡ଼ିର ଦାମ୍‌ ଆକାଶ ଛୁଆଁ ହେବ ଏବ˚ ଅସ୍ବଚ୍ଛଳ ବର୍ଗଙ୍କ ପାଇଁ କାର‌୍‌ଟିଏ କିଣିବା ଯେମିତି ସ୍ବପ୍ନ ହୋଇ ରହିଯିବ, ଛୋଟିଆ ପରିବହନ ବ୍ୟବସାୟୀମାନଙ୍କ ପାଇଁ ଟ୍ରକ୍‌ଟିଏ ସେମିତି ପହୁଞ୍ଚ ବାହାରକୁ ଚାଲିଯିବ। ଏକ ବିଡ଼ମ୍ବନା ଭଳି ଏହି ଝିଣ୍ଟିକାମାନଙ୍କୁ ମାରି ଯେଉଁ ବଣିମାନଙ୍କୁ ଲାଭବାନ କରିବା ପାଇଁ ସରକାର ବାହାରିଛନ୍ତି ସେମାନେ ହେଉଛନ୍ତି ବଡ଼ ବଡ଼ ଗାଡ଼ି ନିର୍ମାତା କମ୍ପାନିମାନ ଯେଉଁମାନେ ଲାଭଜନକ ବ୍ୟବସାୟ କରୁଛନ୍ତି। ସେମାନଙ୍କ ବ୍ୟବସାୟ ଏଭଳି ସ୍କ୍ରାପେଜ୍‌ ନୀତି ଅପେକ୍ଷା ଦେଶର ଅର୍ଥନୈତିକ ସ୍ବାସ୍ଥ୍ୟ ଉପରେ ଅଧିକ ନିର୍ଭର କରିଥାଏ।

ଭାରତ ତା’ର ଯୋଗାଡ଼ ସ˚ସ୍କୃତି ପାଇଁ ଯେତିକି ପ୍ରସିଦ୍ଧ ଫିଙ୍ଗି ନ ଦେଇ ଦ୍ରବ୍ୟର ଦୀର୍ଘକାଳୀନ ବ୍ୟବହାର ସ˚ସ୍କୃତି ପାଇଁ ସେତିକି ପ୍ରସିଦ୍ଧ। ପୁରୁଣା ଗାଡ଼ିଟିଏ ଯେପର୍ଯ୍ୟନ୍ତ ଫିଟ୍‌ନେସ୍‌ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଉଥିବ ଏବ˚ ପ୍ରଦୂଷଣ ସୀମା ମଧୢରେ କାର୍ଯ୍ୟ କରୁଥିବ, ତା’ର ବୟସ ନିର୍ବିଶେଷରେ ତାହା ବ୍ୟବହାରକାରୀଙ୍କୁ ଧାତବ ସନ୍ତୋଷ ପ୍ରଦାନ କରି ଚାଲିବାକୁ ଦେବା ଉଚିତ ହେବ। ସରକାରଙ୍କ ସ୍କ୍ରାପେଜ୍‌ ନୀତିି ତାକୁ ଧାତବ ଅସନ୍ତୋଷରେ ପରିଣତ ନ କରୁ।

ସମ୍ବନ୍ଧିତ ଖବର