ଆଜିକୁ ପ୍ରାୟ ବର୍ଷକ ତଳେ ଅର୍ଥାତ୍‌ ୨୦୨୦ ମସିହା ଫେବ୍ରୁଆରି ମାସରେ ଯେତେବେଳେ କରୋନା ଭୂତାଣୁ ପୃଥିବୀ ପୃଷ୍ଠରେ ତାର ‘ଶିଶୁସୁଲଭ ପଦପାତ’ରେ ଚାଲିବା ଆରମ୍ଭ କରିଥିଲା, ସେତିକି ବେଳେ ଭାରତର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏକ ଅନୁମାନ କରି କହିଥିଲେ ଯେ ୨୦୨୧ ଫେବ୍ରୁଆରି ସୁଦ୍ଧା ଏହି ପାନ୍‌ଡେମିକ୍‌ର ଅନ୍ତ ଘଟିବ। ତେବେ ଏହି ବୟାନର ବର୍ଷକ ପରେ ଅର୍ଥାତ୍‌ ବର୍ତ୍ତମାନ ଭାରତରେ କରୋନା-୧୯ ସ˚କ୍ରମଣର ଅନ୍ତ ହେବା ପରିବର୍ତ୍ତେ ତାର ଦ୍ବିତୀୟ ତରଙ୍ଗ ପ୍ରାରମ୍ଭ ହେବାର ସମସ୍ତ ଲକ୍ଷଣ ପ୍ରକଟ ହେଲାଣିି। ସୁତରାଂ, ଏଭଳି ସ୍ଥଳେ କରୋନା-ଅଭିଜ୍ଞ ତଥା କରୋନା-ଜ୍ଞାନୀଙ୍କ ଦ୍ବାରା ଭରପୂର ଏହି ପୃଥିବୀକୁ ଆଉ ଅଧିକ କ’ଣ ସନ୍ଦେଶ ଦିଆ ଯାଇପାରିବ, ତାହା ଏକ ଚିନ୍ତାର ବିଷୟ। ସ୍ବୀକାର କରିବାକୁ ହେବ ଯେ ବର୍ଷକ ପୂର୍ବରୁ କୋଭିଡ୍‌-୧୯ ସ˚କ୍ରାନ୍ତ ଗବେଷଣାଲବ୍‌ଧ ଓ ଅନୁଭୂତି ପ୍ରସୂତ ଜ୍ଞାନର ଅନୁପସ୍ଥିତିରୁ ଏ ସ˚ଦର୍ଭରେ ଯାହା ସବୁ କୁହାଯିବାରେ ଲାଗିଥିଲା, ସେ ସବୁ ମଧୢରୁ ଅନେକ ଥିଲା ଭ୍ରାନ୍ତିି ବିଜଡ଼ିତ ଏବ˚ ତୁଚ୍ଛା ଅନୁମାନମୂଳକ; ଯହିଁରୁ ଅନେକ ଆଧାରହୀନ ବୋଲି ସାବ୍ୟସ୍ତ ହୋଇ କ୍ରମେ ଅପସୃୟମାନ ହେବାରେ ଲାଗିଛନ୍ତି ବା ତହିଁରୁ କିଛି ସଂପୂର୍ଣ୍ଣ ଦୂରୀଭୂତ ହୋଇ ଗଲେଣି। କେବଳ ସେତିକି ନୁହେଁ ଏହାର ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ପ୍ରକାର ବିକାଶ ଘଟି ଏବ˚ ପ୍ରାୟ ଦଶ ସରିକି ଭ୍ୟାକ୍‌ସିନର ଆବିର୍ଭାବ ସମ୍ଭବ ହୋଇ କରୋନା ପାନ୍‌ଡେମିକ୍‌ର ଅନ୍ତ ନେଇ ଏକ ଆଶାର ସ˚ଚାର ହୋଇଛି ମଧୢ। ତେଣୁ ଏଭଳି ସ୍ଥଳେ ଭାରତରେ କରୋନା ସ˚କ୍ରମଣର ଦ୍ବିତୀୟ ତରଙ୍ଗ ସୃଷ୍ଟି ହେବାର ଏକ ଦୃଢ଼ ଆଶଙ୍କା ଏକ ଦୁର୍ଭାଗ୍ୟଜନକ ବିଡ଼ମ୍ବନା ନୁହେଁ କି? ସୁତରା˚, ଏ ସମ୍ବନ୍ଧରେ ଏକ ସ˚କ୍ଷିପ୍ତ ଆଲୋଚନା ବିଶେଷ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

Advertisment

ଗତ ବର୍ଷ ସେହି ଫେବ୍ରୁଆରି ମାସରେ ‘ନ୍ୟୁୟର୍କ ଟାଇମ୍‌୍‌ସ’ରେ ପ୍ରକାଶିତ ଏକ ନିବନ୍ଧରେ ଲେଖିକା ଗିନା କୋଲାଟା ଏହି ପାନ୍‌ଡେମିକ୍‌ର ଅନ୍ତ ନେଇ ଯେଉଁ ଦୁଇ ପ୍ରକାର ସମ୍ଭାବ୍ୟ ଚିତ୍ରର ଅବତାରଣା କରିଥିଲେ, ତାହା ଥିଲା ଏହି ଭଳି: ହୋଇପାରେ ଯେ ଗବେଷଣା ବଳରେ କୌଣସି ପ୍ରତିଷେଧକର ଆବିର୍ଭାବ ଘଟି ପୃଥିବୀକୁ କରୋନାମୁକ୍ତ କରିବ ଅଥବା ଏଭଳି ସମ୍ଭବ ଯେ ଏହି ପାନ୍‌ଡେମିକ୍‌ ଅତ୍ୟନ୍ତ ଦେହସୁହା ହୋଇଯାଇ ଜନ ସମାଜରୁ ଏହା ପ୍ରତି ଥିବା ଭୟର ଅପସାରଣ ଘଟାଇବ, ଯାହା ଫଳରେ ଏହା ପୃଥିବୀ ପୃଷ୍ଠରେ ବିଦ୍ୟମାନ ଥିବା ସତ୍ତ୍ବେ ଏହା ନାହିଁ ବୋଲି ସୃଷ୍ଟ ଏକ ଧାରଣା ଗୋଟିଏ କଳ୍ପିତ କରୋନାମୁକ୍ତ ପୃଥିବୀକୁ ସମ୍ଭବ କରିବ। ଗିନା କୋଲାଟା ଏହି ନିବନ୍ଧଟି ରଚନା କଲା ବେଳକୁ ଯଦିଓ ଏକ ପ୍ରତିଷେଧକ ପ୍ରସ୍ତୁତି ଲାଗି ସଘନ ଗବେଷଣା ଆରମ୍ଭ ହୋଇଯାଇଥିଲା, ନିକଟ ଭବିଷ୍ୟତ୍‌ରେ ଏକ ସମର୍ଥ ପ୍ରତିଷେଧକର ସମ୍ଭାବନା ତଥାପି ଅତ୍ୟନ୍ତ ଅନିଶ୍ଚିତ ଥିଲା। ସେହିପରି କେତେ କାଳ ଭୋଗିବା ପରେ କରୋନା ପୃଥିବୀବାସୀଙ୍କ ଲାଗି ଦେହସୁହା ହୋଇଯିବ, ସେ ନେଇ କୌଣସି ସୁରାକ୍‌ ନ ଥିଲା। କିନ୍ତୁ ଦେଖିବାକୁ ମିଳିଛି ଯେ ଗିନାଙ୍କ ନିବନ୍ଧ ପ୍ରକାଶିତ ହେବାର ବର୍ଷକ ପରେ ତାଙ୍କ ଦ୍ବାରା ପ୍ରଦତ୍ତ ଦୁଇଟି ଯାକ ପୂର୍ବାନୁମାନ ବାସ୍ତବତାରେ ପରିଣତ ହୋଇଛି। ସୁତରା˚, ଗୋଟିଏ ପଟେ ବିଶ୍ବର ବିଭିନ୍ନ ସ୍ଥାନରେ ଟିକାକରଣ ଅଭିଯାନ ଦୃଶ୍ୟମାନ ହୋଇଥିବା ବେଳକୁ ଅନ୍ୟ ପଟେ କରୋନା ପ୍ରତି ଥିବା ଭୟ ଅପସାରିତ ହୋଇଯାଇ ଏଭଳି ଏକ ଧାରଣା ସୃଷ୍ଟି କଲାଣି ଯେ କରୋନା ପଳାୟନମାନ। ତେବେ ଏହି ଭଳି ସ୍ଥିତିରେ ଭାରତରେ ଯାହା ଦେଖିବାକୁ ମିଳିଛି, ତାହା ହେଲା ଟିକାକରଣର ପ୍ରୟାସ ଭିତରେ ଦ୍ବିତୀୟ ତରଙ୍ଗର ଆଶଙ୍କା।

ଉଲ୍ଲେଖଯୋଗ୍ୟ ଯେ ଗଲା ମାର୍ଚ୍ଚ ୭ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଗୋଟିଏ ସପ୍ତାହ ମଧୢରେ ସ˚କ୍ରମଣର ହାରରେ ୩୫ ପ୍ରତିଶତ ଏବ˚ ମୃତ୍ୟୁ ହାରରେ ୨୮ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ କରାଯାଇଛି। ମହାରାଷ୍ଟ୍ର ଭଳି ରାଜ୍ୟ ଯେଉଁଠି ଭାରତର ଜନସ˚ଖ୍ୟାର ମାତ୍ର ୬ ପ୍ରତିଶତ ବାସ କରନ୍ତି ସେଠାରୁ ଭାରତର ସମୁଦାୟ କରୋନା ସ˚କ୍ରମିତଙ୍କ ମଧୢରୁ ୬୦ ପ୍ରତିଶତ ବାହାରୁଛନ୍ତି। କେବଳ ସରକାର ନୁହନ୍ତି, ବିଶେଷଜ୍ଞମାନେ ମଧୢ ଉଦ୍‌ବିଗ୍ନ ଯେ ସମଗ୍ର ଭାରତକୁ କରୋନାର ଏକ ଭୟାବହ ଦ୍ବିତୀୟ ତରଙ୍ଗ ପ୍ଳାବନ କରିବାର ଆଶଙ୍କା ବେଶ୍‌ ଦୃଢ଼। ଏହି ପରିପ୍ରେକ୍ଷୀରେ ଅତ୍ୟନ୍ତ ଦ୍ରୁତ ଟିକାକରଣ ଉପରେ ଗୁରୁତ୍ବ ପ୍ରଦାନ କରାଯାଉଛି। କାରଣ, ଇତିମଧୢରେ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରାୟ ୧୧ କୋଟି ଲୋକଙ୍କୁ ଟିକା ଦିଆ ଯାଇ ସାରିଥିବା (ସେଠାକାର ଜନସ˚ଖ୍ୟାର ପ୍ରାୟ ଏକ ତୃତୀୟା˚ଶ) ବେଳେ ପ୍ରାୟ ସେହି ସମାନ ସମୟରେ ଟିକାକରଣ ଅଭିଯାନ ଆରମ୍ଭ କରିଥିବା ଭାରତ ଏ ଯାବତ୍‌ ମାତ୍ର ୩ କୋଟିରୁ କିଛି ଅଧିକ ଲୋକଙ୍କୁ ପ୍ରତିଷେଧକ ଦେଇ ପାରିଛି, ଯାହା ଭାରତର ଜନସ˚ଖ୍ୟାର ମାତ୍ର ୨ରୁ ୩ ପ୍ରତିଶତ ମଧୢରେ ହେବ। ସୁତରା˚, ଏଠାରେ ଟିକାକରଣ ଅତ୍ୟନ୍ତ ମନ୍ଥର ବୋଲି ଅଭିଯୋଗ ଉଠିବାରେ ଲାଗିଛି। ତେବେ, ଭାରତରେ ଦ୍ବିତୀୟ ତରଙ୍ଗ ସୃଷ୍ଟି ହେବା ପଛରେ ନିହିତ ପ୍ରକୃତ କାରଣଟି ହେଉଛି ଗିନା କୋଲାଟା କହିଥିବା ଭଳି ଏକ କରୋନାମୁକ୍ତ ପୃଥିବୀର ଭ୍ରାନ୍ତ ଧାରଣା ବହନ କରି ଭୟକୁ ଜଳାଞ୍ଜଳି ଦେଇ ଥିବା ଏକ ମନୋଭାବ, ଯହିଁରେ କରୋନା ପ୍ରତିହତକାରୀ ତିନିଟି ସରଳ ନିୟମର ଅନୁପାଳନ ପ୍ରତି ଘୋର ଅବଜ୍ଞା ଦେଖିବାକୁ ମିଳୁଛି।

କହିବା ବାହୁଲ୍ୟ ଯେ କରୋନା ଟିକା ଯେଉଁ ଦୁଇଟି ଡୋଜ୍‌ରେ ସ˚ପୂର୍ଣ୍ଣ ହୋଇ ଜଣେ ବ୍ୟକ୍ତିକୁ କରୋନା ବିଜୟୀ କରିପାରିବାର ସମ୍ଭାବନା ରଖିଥାଏ, ସର୍ବନିମ୍ନ ଗୋଟିଏ ମାସର ସମୟ ଆବଶ୍ୟକ କରିଥାଏ। ପୁନଶ୍ଚ ଭାରତ ଭଳି ଦେଶର ଜନବହୁଳତା ଏବ˚ ଭିତ୍ତିଭୂମିର ସ୍ଥିତି ଦୃଷ୍ଟିରୁ ପ୍ରତ୍ୟେକ ଭାରତୀୟ ଏହି ଟିକା ଲାଭ କରି କରୋନା ପ୍ରତିରୋଧୢ ହୋଇ ଉଠିଲା ବେଳକୁ କିଛି ବର୍ଷ ସମୟ ଲାଗି ଯାଇପାରେ। ତେଣୁ ଏଭଳି ସ୍ଥଳେ କରୋନା ସ˚କ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ଯାହା ସର୍ବାଧିକ ଜରୁରୀ, ତାହା ହେଲା କରୋନାକୁ ଆଦୌ ଦେହସୁହା ହେବାକୁ ନ ଦେଇ ତା’ ପ୍ରତି ସ˚ଭ୍ରମ ଭୟ ଭାବ ପୋଷଣ କରିବା, ଯାହା କରୋନା କଟକଣା ମାନି ନେବାକୁ ଏକ ସ୍ବାଭାବିକତାରେ ପରିଣତ କରିବ।

ଏହା ଏକ ବାସ୍ତବତା ଯେ ଭାରତରେ କରୋନାର ଦ୍ବିତୀୟ ତରଙ୍ଗ ସୃଷ୍ଟି ହୋଇ ଭୟାବହ ରୂପ ଧାରଣ କଲେ ସୁଦ୍ଧା ପ୍ରଥମ ତରଙ୍ଗକାଳୀନ ଅତ୍ୟନ୍ତ ବ୍ୟାପକ, କଠୋର ଓ ଦୟାମାୟାଶୂନ୍ୟ ଲକ୍‌ଡାଉନ୍‌ କରାଯିବାର ସମ୍ଭାବନା ଆଉ ହୁଏ’ତ ନାହିଁ। କାରଣ ବର୍ତ୍ତମାନ ରାଷ୍ଟ୍ରୀୟ ଅର୍ଥନୈତିକ ଦୁଃସ୍ଥିତି ପରିପ୍ରେକ୍ଷୀରେ ପୂର୍ବ ଭଳି ଲକ୍‌ଡାଉନ ବାସ୍ତବବାଦୀ ହେବ ନାହିଁ। ବରଂ ଗଲା ବର୍ଷରୁ ଏ ପର୍ଯ୍ୟନ୍ତ ବନ୍ଦ ହୋଇ ପଡ଼ିଥିବା କେତେକ କ୍ଷେତ୍ରକୁ ସରକାର ଓଲଟି ଖୋଲିବାକୁ ଏକ ପ୍ରକାର ବାଧୢ ହେବା ଅନିବାର୍ଯ୍ୟ। ଉଦାହରଣ ସ୍ବରୂପ ଯାତ୍ରୀବାହୀ ରେଳ ଚଳାଚଳକୁ ସରକାର ଆଉ କେତେ କାଳ ବନ୍ଦ କରି ରଖିପାରିବେ? ଏଭଳି ଏକ ସ୍ଥିତିରେ ଯାହା ଅତ୍ୟନ୍ତ ଆବଶ୍ୟକ, ତାହା ହେଲା କରୋନା ଦ୍ବାରା ସୃଷ୍ଟ ବିଭୀଷିକାର କରୁଣ ସ୍ମୃତିକୁ ବିଲୟ ହେବାକୁ ନ ଦେବା, କରୋନା ସ˚ପର୍କିତ ଆହରିତ ଜ୍ଞାନକୁ କରୋନା ସଚେତନତାରେ ରୂପାନ୍ତରିତ କରିବା ଏବ˚ ଏହି କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ପ୍ରତି ସ˚ଭ୍ରମତା ପ୍ରକାଶ କରି ସମସ୍ତ କଟକଣାକୁ ପାଳନ କରିବା। ତା’ ନ ହେଲେ ଦୁଇ ଦୁଇଟି ସମର୍ଥ ପ୍ରତିଷେଧକ ଥିବା ସତ୍ତ୍ବେ ଆମ ଦେଶ ଅନେକ ବର୍ଷ ଯାଏ କରୋନାମୁକ୍ତ ହୋଇ ପାରିବ ନାହିଁ।