ଗାଡ଼ିର ଜୀବାତ୍ମା

ଭାରତ ସରକାର ବିଧିବଦ୍ଧ ଭାବରେ ତାଙ୍କର ‘ଗାଡ଼ି ଭଙ୍ଗା ନୀତି’ ବା ‘ଭେଇକ୍‌ଲ ସ୍କ୍ରାପେଜ୍ ପଲିସି’ ବିଜ୍ଞପିତ କରିଛନ୍ତି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୩ ତାରିଖରେ ଏହା ଘୋଷଣା କରି ଏହାକୁ ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲ୍‌ଖୁଣ୍ଟି ରୂପେ ଅଭିହିତ କରିଛନ୍ତି। ସରଳ ଭାବରେ କହିଲେ ଏ ନୀତିର ଲକ୍ଷ୍ୟ ହେଉଛି ଦେଶରେ ପୁରୁଣା ହୋଇ ଯାଉଥିବା ମଟରଗାଡ଼ିମାନଙ୍କୁ ଅଚଳ କରି ଦିଆଯାଇ ସେ ଶୂନ୍ୟ ସ୍ଥାନକୁ ନୂଆଗାଡ଼ିମାନଙ୍କ ଦ୍ବାରା ପୂରଣ କରି ଦିଆଯିବା ପାଇଁ ଏକ ବାଧ୍ୟତାମୂଳକ ଓ ଇଚ୍ଛାମୂଳକ ମିଶ୍ରିତ ପରିବେଶ ସୃଷ୍ଟି କରିବା। ପ୍ରଧାନମନ୍ତ୍ରୀଙ୍କ ଭାଷାରେ ଏହି ନୂତନ ନୀତି ଏ କ୍ଷେତ୍ରରେ ଏକ ‘ଚକ୍ରାକାର ଅର୍ଥନୀତି’କୁ ଜନ୍ମଦାନ କରିବ। ଏହି ଉକ୍ତିର ତାତ୍ପର୍ଯ୍ୟ ହେଲା, ପୁରୁଣା ଗାଡ଼ିମାନଙ୍କୁ ଭାଙ୍ଗିଦେବା ଦ୍ବାରା ସେଥିରୁ ଯେଉଁ ଲୁହା, ପ୍ଲାଷ୍ଟିକ୍ ଆଦି ଶାରୀରିକ ଅଂଶ ମାନ ଉପଲବ୍‌ଧ ହେବ, ତାହାକୁ ପୁନଃ-ପ୍ରସ୍ତୁତ ବା ‘ରିସାଇକ୍‌ଲ’ କରାଯାଇ ନୂଆ ଗାଡ଼ି ନିର୍ମାଣ ପାଇଁ ଆବଶ୍ୟକ କଞ୍ଚାମାଲ୍ ରୂପେ ବ୍ୟବହାର କରାଯାଇ ପାରିବ। ଏହା ଦ୍ବାରା ନୂଆ ଗାଡ଼ି ନିର୍ମାଣ ଖର୍ଚ୍ଚରେ ବିଶେଷ ହ୍ରାସ ଘଟିବ।
ପୁରୁଣା ଗାଡ଼ିକୁ ଭାଙ୍ଗିବା ଓ ତା’ର ଅଂଶମାନଙ୍କୁ ରିସାଇକ୍‌ଲ କରିବା ଏକ ବିଶାଳ ଶିଳ୍ପରେ ପରିଣତ ହୋଇ ନୂତନ ନିଯୁକ୍ତି ସମ୍ଭାବନା ସୃଷ୍ଟି କରିବ।

ଏଣେ ଦୃଶ୍ୟପଟରୁ ପୁରୁଣା ଗାଡ଼ିଗୁଡ଼ିକ ଅନ୍ତର୍ଦ୍ଧାନ ହୋଇଗଲେ ସେଠାରେ ନୂଆ ଗାଡ଼ିମାନ ପାଇଁ ଚାହିଦା ସୃଷ୍ଟି ହେବ। ଏହାକୁ ପୂରଣ କରିବା ପାଇଁ ଆବଶ୍ୟକ ଯୋଗାଣ ବୃଦ୍ଧି ଘଟିବା ପାଇଁ ମଟରଗାଡ଼ି ଉତ୍ପାଦନରେ ବୃଦ୍ଧି ଘଟିବ; ନିଯୁକ୍ତିରେ ବୃଦ୍ଧି ଘଟିବ; ଆୟରେ ବୃଦ୍ଧି ଘଟିବ। ଗାଡ଼ି ଭଙ୍ଗା ଓ ନୂତନ ଗାଡ଼ି ତିଆରିରୁ ଯେଉଁ ନୂତନ ଆୟ ସୃଷ୍ଟି ହେବ, ତାହାର କିଛି ଅଂଶ ପୁଣି ନୂଆ ଗାଡ଼ି କିଣିବାରେ ଖର୍ଚ୍ଚ ହେବ। ନୂଆ ଗାଡ଼ି ପୁଣି ପୁରୁଣା ହେବ; ପୁରୁଣା ପୁଣି ନୂଆକୁ ଜନ୍ମ ଦେବ ଓ ନୂଆ ପୁଣି ପୁରୁଣା ହେବ…। ସତେ ଯେମିତି ଏହି ଚକ୍ରାକାର ଅର୍ଥନୈତିକ ପରିକଳ୍ପନାର ପ୍ରେରଣାର ଉତ୍ସ ହେଉଛି ଶ୍ରୀମଦ୍ ଭଗବତ ଗୀତାର ସେଇ ପ୍ରସିଦ୍ଧ ଉକ୍ତି: ‘‘ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ନାତି ନରୋପରାଣି। ତଥା ଶରୀରାଣି ବିହାୟ ଜୀର୍ଣ୍ଣାନ୍ୟନ୍ୟାନି ସଂଯାତି ନବାନି ଦେହୀ।।’’(ଯେଉଁ ଭଳି ମନୁଷ୍ୟ ପୁରୁଣା ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ଗ୍ରହଣ କରିଥାଏ, ସେହିପରି ଜୀବାତ୍ମା ପୁରୁଣା ଶରୀରକୁ ତ୍ୟାଗ କରି ଅନ୍ୟ ଏକ ନୂତନ ଶରୀର ପ୍ରାପ୍ତ ହୋଇଥାଏ।)

ସଡ଼କ ପରିବହନ ମନ୍ତ୍ରୀ ନୀତୀନ୍ ଗଡ଼କାରୀ କହିଛନ୍ତି ମଟରଗାଡ଼ି ଶିଳ୍ପ ହେଉଛି ସର୍ବୋଚ୍ଚ ରାଜସ୍ବ ଉତ୍ପନ୍ନକାରୀ ତଥା ବହୁଳ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ଏବଂ ସରକାରଙ୍କ ନୂତନ ଗାଡ଼ିଭଙ୍ଗା ନୀତି ଏହି କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧିରେ ସହାୟକ ହେବ। ତେବେ ଗୀତାଜ୍ଞାନ-ଭିତ୍ତିକ ଏହି ଚକ୍ରାକାର ଅର୍ଥନୀତି ସୃଷ୍ଟିର ସୁଫଳ କେବଳ ଯେ ଏହି କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧିରେ ସୀମିତ, ତାହା ନୁହେଁ, ପ୍ରଧାନମନ୍ତ୍ରୀ କହିଥିବା ଭଳି ଏହା ଦେଶର ପରିବେଶର ଉନ୍ନତି ସାଧନରେ ମଧ୍ୟ ସହାୟକ ହେବ। ପୁରୁଣା ଜ୍ଞାନ କୌଶଳ ବ୍ୟବହାର କରାଯାଇ ନିର୍ମିତ ହୋଇଥିବା ମଟରଗାଡ଼ି ମାନ ଅଦକ୍ଷ ଭାବରେ ପେଟ୍ରୋଲ୍, ଡିଜେଲ୍ ଭଳି ଜୀବାଶ୍ମ ଇନ୍ଧନ ବ୍ୟବହାର କରିଥାନ୍ତି। ଏହି ପୁରୁଣା ଗାଡ଼ିମାନରୁ ତେଣୁ ପରିବେଶର କ୍ଷତି ସାଧନ କରୁଥିବା ପ୍ରଦୂଷକ ମାନର ଅଧିକ ମାତ୍ରାରେ ନିର୍ଗମନ ଘଟିଥାଏ।

ବିଦ୍ୟୁତ୍ ଶକ୍ତି ଚାଳିତ ଗାଡ଼ିମାନଙ୍କ ଭଳି ନୂତନ ଜ୍ଞାନକୌଶଳ ଭିତ୍ତିକ ନୂତନ ଗାଡ଼ିମାନ ସମ୍ପୂର୍ଣ୍ଣ ପ୍ରଦୂଷଣଶୂନ୍ୟ ହୋଇଥିବା ବେଳେ ସେଇ ପାରମ୍ପରିକ ଜୀବାଶ୍ମ ଇନ୍ଧନ ବ୍ୟବହାର କରୁଥିବା ନୂତନ ଗାଡ଼ିମାନଙ୍କରେ ଲାଗିଥିବା ଅଧିକ ଦକ୍ଷ ଉନ୍ନତତର ଇଞ୍ଜିନ୍‌ମାନ ମଧ୍ୟ ପୂର୍ବର ପ୍ରଦୂଷଣ ମାତ୍ରାରେ ତୀକ୍ଷ୍‌ଣ ହ୍ରାସ ଘଟାଇଥାନ୍ତି। ଏଣୁ ଗାଡ଼ିର ଜୀବାତ୍ମା ଯେତେବେଳେ ସରକାରଙ୍କର ନୀତି ଯୋଗୁଁ ସ୍ବଳ୍ପ ସମୟ ବ୍ୟବଧାନରେ ସଦାବେଳେ ନୂତନ ଶରୀର ଧାରଣ କରିବାକୁ ବାଧ୍ୟ ହେବ, ତା’ର ଏକ ଗୁରୁତ୍ବପୂର୍ଣ୍ଣ ପାର୍ଶ୍ବ-ସୁଫଳ ସଦୃଶ ପରିବେଶ ପ୍ରଦୂଷଣରେ ଉଲ୍ଲେଖନୀୟ ହ୍ରାସ ଘଟିବ। ସରକାରଙ୍କର ଏହି ନୂତନ ଗାଡ଼ି-ଭଙ୍ଗା ବା ଗାଡ଼ି-ଅଚଳକାରୀ ନୀତିକୁ ଯଦି ତେଣୁ ଏକ ସ୍ଥୂଳ ଦୃଷ୍ଟିରେ ଦେଖାଯାଏ, ତେବେ ଏହା ଏକ ସମ୍ପୂର୍ଣ୍ଣ ସ୍ବାଗତଯୋଗ୍ୟ ନିଖୁଣ ନୀତି ରୂପେ ପ୍ରତୀୟମାନ ହୋଇ ପାରେ। କିନ୍ତୁ ଯଦି ଏହା ଉପରେ ଏକ ସୂକ୍ଷ୍ମ ଦୃଷ୍ଟି ନିକ୍ଷେପ କରାଯାଏ, ଯେଉଁ କେତେକ ଖୁଣ ଦୃଷ୍ଟିଗୋଚର ହୋଇଥାଏ, ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା ଯୁକ୍ତିଯୁକ୍ତ ମନେ ହୋଇଥାଏ। ଆମର ସମସ୍ତ ଆତ୍ମପ୍ରବଞ୍ଚନା ସତ୍ତ୍ବେ ଆମକୁ ସ୍ବୀକାର କରିବାକୁ ହେବ ଯେ ଭାରତ ହେଉଛି ତଥାପି ଏକ ଦାରିଦ୍ର୍ୟ ପ୍ରପୀଡ଼ିତ ଦେଶ, ଯେଉଁଠି ଆୟ ବଣ୍ଟନରେ ଘୋର ବୈଷମ୍ୟ ଦେଖାଯାଇଥାଏ। ଉଚ୍ଚ ଆୟକାରୀମାନଙ୍କ ପାଇଁ ଦାମିକା ମଟରଗାଡ଼ି ଏକ ବିଳାସ ଦ୍ରବ୍ୟ ହୋଇଥିବା ବେଳେ, ଅଗଣିତ ନିମ୍ନ ଆୟ ବର୍ଗର ସଦସ୍ୟମାନଙ୍କ ପାଇଁ ଚାରିଚକିଆ ଗାଡ଼ିଟିଏ ଏକ ଅାକାଂକ୍ଷିତ ଦ୍ରବ୍ୟ ହୋଇଥାଏ- ସେମାନଙ୍କର ଉଚ୍ଚାଶାର ପ୍ରତୀକ। ସେମାନଙ୍କ ମଧ୍ୟରୁ ଯେଉଁମାନେ କ୍ରମେ ଏହି ଆକାଂକ୍ଷା ପୂରଣ କରିବା କ୍ଷମତା ହାସଲ କରନ୍ତି, ପ୍ରଥମେ ଏକ ପୁରୁଣା ଗାଡ଼ି ମାଧ୍ୟମରେ ହିଁ ତାହା ସାକାର କରିଥାନ୍ତି। ସେମାନଙ୍କ ପାଖରେ ନୂଆ ଗାଡ଼ିଟିଏ କିଣିବାର ସାମର୍ଥ୍ୟ ନ ଥାଏ।

ଯେତେବେଳେ ଆମେ ସଚେତନ ହେଉ ଯେ ଦେଶର ଅଧିକାଂଶ ଦରିଦ୍ର ଗ୍ରାମାଞ୍ଚଳରେ ବାସ କରନ୍ତି, ସେତେବେଳେ ଉପରବର୍ଣ୍ଣିତ ସ୍ଥୂଳଚିତ୍ରରେ ଏକ ବିଶେଷ ପରିବର୍ତ୍ତନ ଘଟିଥାଏ। ବାୟୁମଣ୍ଡଳର ପ୍ରଦୂଷଣ ସ୍ତର ଦେଶର ପ୍ରତ୍ୟେକ ସ୍ଥାନରେ ଏକା ଭଳି ନୁହେଁ: ସହରାଞ୍ଚଳରେ ଏହି ସ୍ତର ବହୁତ ଉଚ୍ଚା ହୋଇଥିବା ବେଳେ ଗ୍ରାମାଞ୍ଚଳରେ ବହୁତ ନୀଚା ହୋଇଥାଏ। ତେଣୁ ଏହା ହୃଦୟଙ୍ଗମ କରିବା କଷ୍ଟକର ନୁହେଁ ଯେ ଯେଉଁ ପୁରୁଣା ଗାଡ଼ି ସହରାଞ୍ଚଳ ପାଇଁ ଘୋର ପ୍ରଦୂଷଣକାରୀ ରୂପେ ବିବେଚିତ ହୋଇଥାଏ, ଗ୍ରାମାଞ୍ଚଳର ବାୟୁମଣ୍ଡଳ ପାଇଁ ତାହା ସମ୍ପୂର୍ଣ୍ଣ ନିରାପଦ ସାବ୍ୟସ୍ତ ହୋଇପାରେ- ସେଠାରେ ଗାଡ଼ିର ଜୀବାତ୍ମା ନୂତନ ଶରୀର ଆବଶ୍ୟକ କରେ ନାହିଁ। ଏଣୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଗୋଟିଏ ପ୍ରକାର ଗାଡ଼ିଭଙ୍ଗା ନିୟମ ଲାଗୁ କରିବା ଯୁକ୍ତିଯୁକ୍ତ ମନେ ହୁଏ ନାହିଁ। ପୁଣି, ପ୍ରଦୂଷଣ ପାଇଁ ଗାଡ଼ିର ଇଞ୍ଜିନ୍ ଯେତିକି ଦାୟୀ, ଇନ୍ଧନର ମାନ ମଧ୍ୟ ସେତିକି ଦାୟୀ। ସରକାର ଦେଶସାରା ଉତ୍ତମ ମାନର ଇନ୍ଧନ ଯୋଗାଣ ନିଶ୍ଚିତ କରିବାକୁ ସେତିକି ଗୁରୁତ୍ବ ଦେବା ଉଚିତ, ଯେତିକି ଗାଡ଼ି-ଭଙ୍ଗା ନୀତିକୁ ଦେଉଛନ୍ତି। ନଚେତ୍ ସରକାରଙ୍କର ଗାଡ଼ି-ଅଚଳ ନୀତି ସାଧାରଣ ଜନତାଙ୍କ ପାଇଁ ସେଇଭଳି ବେଦନାଦାୟକ ହେବ, ଯେଉଁ ଭଳି ପାଞ୍ଚ ବର୍ଷ ତଳେ ମୋଦୀଙ୍କର ନୋଟ୍-ଅଚଳ ନୀତି ‘ବିମୁଦ୍ରୀକରଣ’ ହୋଇଥିଲା।

ସମ୍ବନ୍ଧିତ ଖବର