ବେଟୀ ବଚାଓ

ଭାରତରେ ଜନ୍ମ ସମୟର ଲିଙ୍ଗାନୁପାତ ଚିତ୍ରରେ ଏପରି ଚିନ୍ତାଜନକ ଅବନତି ଦେଖା ଦେଇଥିବା ବେଳେ, ସମୟ ପଛୁଆ ଚାଲିଥିବା ଭଳି ଏଠାରେ କନ୍ୟା-ବିଦ୍ବେଷର ଆଉ ଏକ ଏପରି ବର୍ବର ପରିପ୍ରକାଶ ଏବେ ବି ଘଟିବା ଦେଖାଯାଇଛି, ଯାହା ଏକ ଧାରଣା ସୃଷ୍ଟି କରିଥାଏ ଯେ ଆମେ ବୋଧହୁଏ ଏକବିଂଶ ଶତାବ୍ଦୀରେ ନୁହେଁ, ଊନବିଂଶ ଶତାବ୍ଦୀରେ ବାସ କରୁଛୁ, ଯେଉଁ ସମୟରେ ଏଭଳି ଆଚରଣକୁ ନିଷିଦ୍ଧ କରିବା ପାଇଁ ବ୍ରିଟିସ୍‌ ସରକାର ‘ଫିମେଲ୍‌ ଇନ୍‌ଫାଣ୍ଟିସାଇଡ୍‌ ପ୍ରିଭେନ୍‌ସନ୍‌ ଆକ୍‌ଟ, ୧୮୭୦’ ପ୍ରଣୟନ କରିବାକୁ ବାଧ୍ୟ ହୋଇଥିଲେ। ଏହି ବର୍ବରତା ହେଉଛି ଗର୍ଭସ୍ଥ ଭ୍ରୂଣର ହତ୍ୟା ନୁହେଁ, ଜନ୍ମିତ କନ୍ୟା ଶିଶୁର ନିର୍ମମ ହତ୍ୟା। ନିକଟରେ ପ୍ରକାଶିତ ସମ୍ବାଦ ଅନୁସାରେ ହରିଆଣାରେ ଜଣେ ମାତା ତା’ର ନ’ ମାସ ବୟସର ଦୁଇଟି ଯାଁଳା ଝିଅଙ୍କୁ ତକିଆରେ ଚାପି ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ବେଳେ ମହାରାଷ୍ଟ୍ରରେ ଜଣେ ପିତା ତା’ର ଦୁଇଜଣ ଯାଁଳା ଝିଅଙ୍କୁ ବିଷ ଦେଇ ହତ୍ୟା କରିବା ପରେ ପୁତ୍ର ସନ୍ତାନ ପ୍ରସବ କରି ନ ଥିବା ଅପରାଧରେ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଛି।

ଲୋକସଭାରେ କେନ୍ଦ୍ର ସରକାରଙ୍କର ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ଏକ ପ୍ରଶ୍ନର ଉତ୍ତର ଅନୁସାରେ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଦେଶରେ ଜନସଂଖ୍ୟାରେ ‘ଜନ୍ମ ସମୟର ଲିଙ୍ଗାନୁପାତ’ (ସେକ୍‌ସ ରେସିଓ ଆଟ୍‌ ବାର୍ଥ ‘ଏସ୍‌ଆର୍‌ବି’)ରେ ୧୫ ପଏଣ୍ଟ ବୃଦ୍ଧି ଘଟିଛି। ୨୦୧୪-୧୫ରେ ‘ଏସ୍‌ଆର୍‌ବି’ ୯୧୮ ଥିବା ବେଳେ ୨୦୨୨-୨୩ରେ ତାହା ୯୩୩କୁ ବୃଦ୍ଧି ପାଇଥିଲା। ଅର୍ଥାତ୍‌ ବର୍ତ୍ତମାନ ପ୍ରତି ୧୦୦୦ ପୁତ୍ର ଶିଶୁ ପିଛା ଜନ୍ମ ହେଉଥିବା କନ୍ୟା ଶିଶୁଙ୍କ ସଂଖ୍ୟା ହେଉଛି ୯୩୩। ଦେଶରେ ‘ଏସ୍‌ଆର୍‌ବି’ରେ ଦେଖାଯାଇଥିବା ଏହି ଉନ୍ନତି ପାଇଁ ସରକାରଙ୍କର ୨୦୧୫ରେ ଆରମ୍ଭ ହୋଇଥିବା ବହୁ ପ୍ରଚାରିତ କାର୍ଯ୍ୟକ୍ରମ ‘ବେଟୀ ବଚାଓ ବେଟୀ ପଢ଼ାଓ’ର ବି‌େଶଷ ଅବଦାନ ରହିଛି ବୋଲି ସରକାର ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମ ଯୋଗୁଁ କନ୍ୟା ସନ୍ତାନ ପ୍ରତି ଭାରତୀୟମାନଙ୍କ ମଧ୍ୟରେ ପାରମ୍ପରିକ ଭାବରେ ବସା ବାନ୍ଧି ରହି ଆସିଥିବା ବିମୁଖ ଭାବ କ୍ରମେ ଦୂରୀଭୂତ ହେଉଥିବାରୁ ଏହି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଲିଙ୍ଗାନୁପାତରେ ଏଭଳି ଉନ୍ନତି ଘଟିଛି ବୋଲି ବିଶ୍ବାସ କରାଯାଉଛି।
ତେବେ ମନେ ରଖିବାକୁ ହେବ ଯେ ଆମକୁ ସନ୍ତୋଷଜନକ ମନେ ହେଉଥିବା ଉପରୋକ୍ତ ସଂଖ୍ୟା ହେଉଛି ଏକ ହାରାହାରି ସଂଖ୍ୟା, ଯାହା ସାରା ଦେଶର ଜନସଂଖ୍ୟା ପ୍ରତି ପ୍ରଯୁଜ୍ୟ। କିନ୍ତୁ ପରିସଂଖ୍ୟାନ ଶାସ୍ତ୍ର ସହିତ ପ୍ରାଥମିକ ପରିଚିତ ଥିବା ସମସ୍ତଙ୍କୁ ଜଣା ଯେ ଅନେକ ସମୟରେ ଏକ ହାରାହାରି ପରିସଂଖ୍ୟାନର ଆଢୁଆଳରେ କେତେକ ଅସୁବିଧାଜନକ ନିର୍ଦ୍ଦିଷ୍ଟ ତଥ୍ୟ ଆତ୍ମଗୋପନ କରି ରହି ଯାଇଥାନ୍ତି। ଉପରୋକ୍ତ ‘ଏସ୍‌ଆର୍‌ବି’ ପରିସଂଖ୍ୟାନ କ୍ଷେତ୍ରରେ ତାହା ହିଁ ଘଟିଛି ବୋଲି କୁହାଯିବ। କାରଣ, ପ୍ରକାଶିତ ସୂଚନା ଅନୁସାରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ମିଶି ୩୬ଟି ଅଞ୍ଚଳ ମଧ୍ୟରୁ ୧୩ଟିରେ ‘ଏସ୍‌ଆର୍‌ବି’ରେ ହ୍ରାସ ଘଟିଥିବା ବେଳେ ଆଉ ୮ଟିରେ ସେଥିରେ କୌଣସି ଉଲ୍ଲେଖନୀୟ ପରିବର୍ତ୍ତନ ଘଟିବା ପରିଦୃଷ୍ଟ ହୋଇନାହିଁ। ଏମାନଙ୍କ ମଧ୍ୟରୁ କେବଳ ୧୫ଟିରେ ଅର୍ଥାତ୍‌ ଅଧାରୁ କମ୍‌ ଅଞ୍ଚଳରେ ‘ଏସ୍‌ଆର୍‌ବି’ରେ ଏହି ସମୟ ମଧ୍ୟରେ ବୃଦ୍ଧି ଘଟିଛି, ଯାହା ଉପରୋକ୍ତ ହାରାହାରିକୁ ଏକ ସନ୍ତୋଷଜନକ ରୂପ ପ୍ରଦାନ କରିଛି।
ପ୍ରଦତ୍ତ ସୂଚନା ଅନୁସାରେ ‘ଏସ୍‌ଆର୍‌ବି’ରେ ସର୍ବାଧିକ ଉନ୍ନତି ଘଟିଥିବା ଅଞ୍ଚଳ ହେଉଛି ଲାଦାଖ, ଯେଉଁଠି ୨୦୨୨-୨୩ରେ ପ୍ରତି ୧,୦୦୦ ପୁତ୍ର ଶିଶୁ ପିଛା ଜନ୍ମ ଲାଭ କରିଥିବା କନ୍ୟା ଶିଶୁମାନଙ୍କ ସଂଖ୍ୟା ଥିଲା ୧,୦୨୩। ଅପର ପାର୍ଶ୍ବରେ ହରିଆଣାରେ ‘ଏସ୍‌ଆର୍‌ବି’ରେ ୧୧ ପଏଣ୍ଟ ହ୍ରାସ ଘଟିଥିବା ବେଳେ, ହିମାଚଳ ପ୍ରଦେଶରେ ୧୨ ପଏଣ୍ଟ, ଚଣ୍ଡୀଗଡ଼ରେ ୩୫ ପଏଣ୍ଟ ଓ ପଣ୍ଡିଚେରୀରେ ୩୮ ପଏଣ୍ଟ ହ୍ରାସ ଘଟିଛି। ସ୍ମରଣଯୋଗ୍ୟ ଯେ ୨୦୧୫ରେ ପ୍ରଧାନମନ୍ତ୍ରୀ ଉପରୋକ୍ତ ‘ବେଟୀ ବଚାଓ ବେଟୀ ପଢ଼ାଓ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ହରିଆଣାର ପାନିପତ ଠାରୁ, ଯାହା ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା, କାରଣ ପୁରୁଷ ପ୍ରାଧାନ୍ୟ ପାଇଁ କୁଖ୍ୟାତ ଏହି ରାଜ୍ୟରେ ‘ଏସ୍‌ଆର୍‌ବି’ ସର୍ବଦା ଚିନ୍ତାଜନକ ଭାବରେ ନୀଚା ରହିଆସିଛି। ସେ ଅଭିଯାନ କାର୍ଯ୍ୟକାରୀ ହେବାର ପାଖାପାଖି ଦୁଇ ଦଶନ୍ଧି ପରେ ସେ ରାଜ୍ୟରେ ‘ଏସ୍‌ଆର୍‌ବି’ରେ ଏପରି ସ୍ଖଳନ ଘଟିବା କେନ୍ଦ୍ର ସରକାରଙ୍କ ପାଇଁ ଯେତିକି ଚିନ୍ତାଜନକ, ସେ ରାଜ୍ୟ ସରକାର, ସେ ରାଜ୍ୟର ଜନସମାଜ ତଥା ସାରା ଦେଶବାସୀଙ୍କ ପାଇଁ ସେତିକି ଚିନ୍ତାଜନକ ହୋଇଥାଏ।
ଏହି ଅଭିଯାନର ଯେଉଁ ଦୁଇଟି ରଣକୌଶଳ ଥିଲା ମୁଖ୍ୟ, ତାହା ହେଲା ଆକ୍ରମଣାତ୍ମକ ଢଙ୍ଗରେ ଏକ କନ୍ୟା-ଅନୁକୂଳ ଜନସଚେତନା ସୃଷ୍ଟି କରିବା ଏବଂ ଭ୍ରୂଣର ଲିଙ୍ଗ ନିରୂପଣରେ ବ୍ୟାପୃତ ଥିବା ପରୀକ୍ଷାଗାରମାନଙ୍କୁ ନିଷିଦ୍ଧ କରିବା। ଆରମ୍ଭରେ ଏହି ଦ୍ବିବିଧ କୌଶଳ ପ୍ରୟୋଗରୁ ବେଶ୍‌ ସଫଳତା ମିଳିବା ଦେଖା ଯାଇଥିଲା; ଜନ୍ମ ସମୟରେ ଲିଙ୍ଗ ଅନୁପାତରେ ରହିଥିବା କନ୍ୟା ବିଦ୍ବେଷୀ ବୈଷମ୍ୟ କ୍ରମେ ନିଶ୍ଚିହ୍ନ ହେବାକୁ ଆରମ୍ଭ କରିଥିଲା। କିନ୍ତୁ ବର୍ତ୍ତମାନର ଏହି ପରିସଂଖ୍ୟାନ ଦେଖି ମନେ ହେଉଛି ଯେ ଭାରତୀୟ ସମାଜ ପୁଣି ପୂର୍ବର ପାରମ୍ପରିକ ପୁତ୍ର-ଅନୁକୂଳ, କନ୍ୟା-ବିରୋଧୀ ମାନସିକତାକୁ ଫେରିବାକୁ ଆରମ୍ଭ କଲାଣି। ଆଉ ଏହି ମାନସିକତାକୁ ବାସ୍ତବତାରେ ପରିଣତ କରିବାରେ ଯେଉଁମାନେ ସାହାଯ୍ୟ କରୁଛନ୍ତି, ସେମାନେ ହେଲେ ଆଇନଗତ ପ୍ରତିବନ୍ଧ ସତ୍ତ୍ବେ ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣରେ ସକ୍ରିୟ ଥିବା ଟେକ୍‌ନିସିଆନ୍‌ମାନେ। ଏମାନେ ଆଇନ ଆଖିରେ ଧୂଳି ଫିଙ୍ଗି ଛୋଟ ଛୋଟ ‘ପୋର୍ଟେବ୍ଲ ଅଲଟ୍ରାସାଉଣ୍ଡ୍‌’ ମେସିନ୍‌ ଧରି ଘର ଘର ବୁଲି ଭ୍ରୂଣର ଲିଙ୍ଗ ନିରୂପଣ କରି ଦେଉଛନ୍ତି। ଏଭଳି କେତେକ ଅଲଟ୍ରାସାଉଣ୍ଡ୍‌ ମେସିନ୍‌ର ଆକାର ଏତେ ଛୋଟ ହୋଇଥାଏ ଯେ ତାହାକୁ କୋଟ୍‌ ପକେଟ୍‌ରେ ଲୁଚାଇ ରଖି ଦେଇହୁଏ। ଏହାଛଡ଼ା ଲାବରେଟରିରେ ବ୍ୟବହୃତ ବିଧିବଦ୍ଧ ମେସିନ୍‌ ତୁଳନାରେ ଏହାର ମୂଲ୍ୟ ଏତେ କମ୍‌ ହୋଇଥାଏ ଯେ ଏହି ଭ୍ରାମ୍ୟମାଣ ଟେକ୍‌ନିସିଆନ୍‌ମାନଙ୍କ ପାଇଁ ସେଗୁଡ଼ିକ କ୍ରୟ କରିବା କଷ୍ଟକର ହୋଇ ନ ଥାଏ। ଲାବରେଟରିରେ ବ୍ୟବହୃତ ମେସିନ୍‌ର ଦାମ ୩୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ, ଏହି ପୋର୍ଟେବ୍ଲ ମେସିନ୍‌ଟିଏ ୫-୭ ଲକ୍ଷ ଟଙ୍କାରେ ମିଳିଯାଇଥାଏ।
ଭାରତରେ ଜନ୍ମ ସମୟର ଲିଙ୍ଗାନୁପାତ ଚିତ୍ରରେ ଏପରି ଚିନ୍ତାଜନକ ଅବନତି ଦେଖା ଦେଇଥିବା ବେଳେ, ସମୟ ପଛୁଆ ଚାଲିଥିବା ଭଳି ଏଠାରେ କନ୍ୟା-ବିଦ୍ବେଷର ଆଉ ଏକ ଏପରି ବର୍ବର ପରିପ୍ରକାଶ ଏବେ ବି ଘଟିବା ଦେଖାଯାଇଛି, ଯାହା ଏକ ଧାରଣା ସୃଷ୍ଟି କରିଥାଏ ଯେ ଆମେ ବୋଧହୁଏ ଏକବିଂଶ ଶତାବ୍ଦୀରେ ନୁହେଁ, ଊନବିଂଶ ଶତାବ୍ଦୀରେ ବାସ କରୁଛୁ, ଯେଉଁ ସମୟରେ ଏଭଳି ଆଚରଣକୁ ନିଷିଦ୍ଧ କରିବା ପାଇଁ ବ୍ରିଟିସ୍‌ ସରକାର ‘ଫିମେଲ୍‌ ଇନ୍‌ଫାଣ୍ଟିସାଇଡ୍‌ ପ୍ରିଭେନ୍‌ସନ୍‌ ଆକ୍‌ଟ, ୧୮୭୦’ ପ୍ରଣୟନ କରିବାକୁ ବାଧ୍ୟ ହୋଇଥିଲେ। ଏହି ବର୍ବରତା ହେଉଛି ଗର୍ଭସ୍ଥ ଭ୍ରୂଣର ହତ୍ୟା ନୁହେଁ, ଜନ୍ମିତ କନ୍ୟା ଶିଶୁର ନିର୍ମମ ହତ୍ୟା। ନିକଟରେ ପ୍ରକାଶିତ ସମ୍ବାଦ ଅନୁସାରେ ହରିଆଣାରେ ଜଣେ ମାତା ତା’ର ନ’ ମାସ ବୟସର ଦୁଇଟି ଯାଁଳା ଝିଅଙ୍କୁ ତକିଆରେ ଚାପି ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ବେଳେ ମହାରାଷ୍ଟ୍ରରେ ଜଣେ ପିତା ତା’ର ଦୁଇଜଣ ଯାଁଳା ଝିଅଙ୍କୁ ବିଷ ଦେଇ ହତ୍ୟା କରିବା ପରେ ପୁତ୍ର ସନ୍ତାନ ପ୍ରସବ କରି ନ ଥିବା ଅପରାଧରେ ପତ୍ନୀଙ୍କୁ ମଧ୍ୟ ହତ୍ୟା କରିଛି।
ପତନମୁଖୀ ‘ଏସ୍‌ଆର୍‌ବି’ ସହିତ କନ୍ୟା ଶିଶୁମାନଙ୍କ ପ୍ରତି ଏଭଳି ଘାତକ ଆଚରଣ ଭାରତୀୟ ସମାଜର ଯେଉଁ ଲଜ୍ଜାଜନକ ଚରିତ୍ରକୁ ପଦାରେ ପକାଇଥାଏ, ପଣ୍ଡିତମାନେ ତା’ର ଅସଂଖ୍ୟ କାରଣର ଲମ୍ବା ତାଲିକା ପ୍ରସ୍ତୁତ କରିପାରିବେ। କିନ୍ତୁ ଯାହା ହେଉଛି ଏହାର ଅସଲ କାରଣ ତାହା ହେଲା, ଭାରତୀୟ ସମାଜର ବିଭିନ୍ନ ନାରୀ-ପ୍ରତିକୂଳ ଆଭିମୁଖ୍ୟ ଯୋଗୁଁ ଝିଅଟିଏ ପିତାମାତାଙ୍କ ପାଇଁ ଏପରି ଏକ ବୋଝ ରୂପେ ଆବିର୍ଭୂତ ହୋଇଥାଏ ଯେ ସେମାନଙ୍କ ମଧ୍ୟରୁ କେତେକ ଏ ଦାୟିତ୍ବରୁ ମୁକୁଳିବା ପାଇଁ ‘‘ମୂଳୁ ମାରିଲେ ଯିବ ସରି’’ ନୀତି ଅବଲମ୍ବନ କରିଥାନ୍ତି। ଏହା ଏକ ଗଭୀର ଓ ଜଟିଳ ସମସ୍ୟା, ଯାହାର ସମାଧାନ ସମୟସାପେକ୍ଷ। କିନ୍ତୁ ଏ ଉଭୟ ପ୍ରକାର ଅପରାଧର ତୁରନ୍ତ ଠାବ ଓ କଠୋର ଦଣ୍ଡ ଦାନ ଦ୍ବାରା ସମ୍ଭାବ୍ୟ ଅପରାଧୀମାନଙ୍କୁ ଅନ୍ତତଃ ଏପରି ନରକୀୟ କାର୍ଯ୍ୟରୁ ନିବୃତ୍ତ କରାଯାଇପାରନ୍ତା। ବେଟୀମାନେ ବଞ୍ଚି ଯାଆନ୍ତେ।

ସମ୍ବନ୍ଧିତ ଖବର