ଅତି-ସମ୍ପଦ
କିନ୍ତୁ ସେ ପୁସ୍ତକ ଦ୍ବୟ ଓ ଏହି ରିପୋର୍ଟ ବୈଷମ୍ୟର ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ସମ୍ବନ୍ଧରେ ନିରବ, ତାହା ହେଲା ବୈଷମ୍ୟ ଅର୍ଥନୈତିକ ଉଦ୍ୟମ ଓ ପ୍ରଗତି ପାଇଁ ଯୋଗାଉଥିବା େପ୍ରାତ୍ସାହନ, ଯାହାର ଅନୁପସ୍ଥିତିରେ ସମ୍ପୃକ୍ତ ସମାଜରେ କେବଳ ଦାରିଦ୍ର୍ୟର ହିଁ ସୁଷମ ବଣ୍ଟନ ଘଟିବା ସାର ହେବ। ସେ ଦୃଷ୍ଟିରୁ ବିଚାର କଲେ ରବିନ୍ସ ଓ ହିଲ୍ଡ୍ୟାର୍ଡଙ୍କର ଚରମ ସମାଧାନ ଅପେକ୍ଷା ପିକେଟି ଓ ତାଙ୍କର ସାଥୀମାନଙ୍କର ପରାମର୍ଶ ଅଧିକ ବିଚାରବନ୍ତ ମନେ ହୋଇଥାଏ, ଯେଉଁଥିରେ ସେମାନେ ଭାରତର ୧୬୭ଟି ସର୍ବାଧିକ ଧନୀ ପରିବାରର ସମ୍ପତ୍ତି ଉପରେ ୨ ଶତାଂଶ ହାରରେ ଏକ ସୁପର୍ ଟିକସ ଲାଗୁ କରି, ସେ ଆଦାୟ ଅର୍ଥକୁ ସମାଜର ସାମଗ୍ରିକ ମଙ୍ଗଳ କାର୍ଯ୍ୟରେ ନିବେଶ କରିବାକୁ ସୁପାରିସ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସାମ୍ପ୍ରତିକ ସମାଜରେ ଦେଖାଯାଉଥିବା ଚରମ ଅର୍ଥନୈତିକ ବୈଷମ୍ୟର ଦୂରୀକରଣ ପାଇଁ ଚରମ ସମାଧାନର ସୂତ୍ର ବହନ କରୁଥିବା ଦୁଇଟି ସଦ୍ୟ ପ୍ରକାଶିତ ଚହଳ ସୃଷ୍ଟିକାରୀ ପୁସ୍ତକ ହେଉଛନ୍ତି: ‘ଲିମିଟାରିଆନିଜ୍ମ: ଦି କେସ୍ ଏଗେନ୍ଷ୍ଟ ଏକଷ୍ଟ୍ରିମ୍ ୱେଲ୍ଥ’ ଓ ‘ଇନଫ୍: ହ୍ବାଏ ଇଟ୍ସ ଟାଇମ୍ ଟୁ ଆବୋଲିସ୍ ଦି ସୁପର୍ ରିଚ୍’। ପ୍ରଥମଟିର ଲେଖିକା ହେଉଛନ୍ତି ହଲାଣ୍ଡ୍ର ୟୁଟ୍ରେକ୍ଟ ବିଶ୍ବବିଦ୍ୟାଳୟର ନୀତିଶାସ୍ତ୍ର ପ୍ରଫେସର୍ ଇଙ୍ଗ୍ରିଡ୍ ରବିନ୍ସ ଓ ଦ୍ବିତୀୟଟିର ଲେଖକ ହେଉଛନ୍ତି ଲଣ୍ଡନ୍ସ୍ଥିତ ଏକ ବାମପନ୍ଥୀ ଥିଙ୍କ୍ ଟ୍ୟାଙ୍କ୍, ‘ହାଇ ପେ ସେଣ୍ଟର୍’ର ନିର୍ଦ୍ଦେଶକ ଲ୍ୟୁକ୍ ହିଲ୍ଡ୍ୟାର୍ଡ। ଉଭୟ ପୁସ୍ତକର ଶୀର୍ଷକ ସୂଚାଉଥିବା ଭଳି, ପୁସ୍ତକ ଦୁଇଟିରେ ଅତି-ସମ୍ପଦର ଅଧିକାରୀ ହେବା ବିରୁଦ୍ଧରେ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯିବା ସଙ୍ଗେ ସଙ୍ଗେ ସମାଜରେ ଏଭଳି ଅତିଧନିକଙ୍କ ଆବିର୍ଭାବକୁ ପ୍ରତିହତ କରିବା ନିମିତ୍ତ ଉପାୟ ସମ୍ବନ୍ଧରେ ସୂଚନା ଦିଆଯାଇଛି।
ଅତି-ସମ୍ପଦ ତା’ହେଲେ କେତେ ସମ୍ପଦ? ପୁସ୍ତକ ଦୁଇଟି ଏହାର ନିର୍ଦ୍ଦିଷ୍ଟ ଉତ୍ତର ବହନ କରିଥାନ୍ତି। ରବିନ୍ସଙ୍କ ମତରେ ଏକ ରାଷ୍ଟ୍ର ତା’ର କୌଣସି ନାଗରିକକୁ ୧୦ ନିୟୁତ ଡଲାର୍ (ପ୍ରାୟ ୮୦ କୋଟି ଟଙ୍କା)ରୁ ଅଧିକ ଠୁଳ କରିବାକୁ ଦେବା ଉଚିତ ନୁହେଁ, ଯାହାକୁ ସେ ଏହାର ‘ରାଜନୈତିକ ସୀମା’ ରୂପେ ପ୍ରଦର୍ଶିତ କରିଛନ୍ତି। କିନ୍ତୁ ଏହି ସର୍ବୋଚ୍ଚ ସୀମାର ବହୁ ତଳେ ଏକ ନୈତିକ ସୀମା ନିର୍ଦ୍ଧାରଣ କରାଯିବା ଉଚିତ ବୋଲି ପ୍ରଫେସର୍ ରବିନ୍ସ ବିଶ୍ବାସ କରନ୍ତି। ଉଦାହରଣ ସ୍ବରୂପ ତାଙ୍କ ମତରେ ତାଙ୍କ ଦେଶ ଭଳି ଯେଉଁ ଦେଶରେ ରାଷ୍ଟ୍ର ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ପେନ୍ସନ୍ ମଧ୍ୟ ପ୍ରଦାନ କରିଥାଏ, ସେଠାରେ କୌଣସି ବ୍ୟକ୍ତି ୧ ନିୟୁତ ଡଲାର୍ (ପ୍ରାୟ ୮ କୋଟି ଟଙ୍କା)ରୁ ଅଧିକ ସଂଚୟ କରିବା ଉଚିତ ନୁହେଁ, ଏବଂ ଏହି ସୀମା ଲଂଘନକାରୀମାନଙ୍କୁ ସମାଜ ଘୃଣା କରିବା ଉଚିତ। ହିଲ୍ଡ୍ୟାର୍ଡଙ୍କ ଅନୁସାରେ ଏକ ଦେଶର ସର୍ବୋଚ୍ଚ ଏକ ଶତାଂଶ ଆୟକରଦାତା ଗୋଷ୍ଠୀର ବର୍ତ୍ତମାନର ସର୍ବନିମ୍ନ ଆୟ ଠାରୁ କାହାରି ଆୟ ଅଧିକ ହେବା ଉଚିତ ନୁହେଁ (୨୦୨୧ରେ ଆମେରିକାରେ ଏହି ସୀମା ଥିଲା ପ୍ରାୟ ୩,୩୦,୦୦୦ ଡଲାର୍ ବା ୨ କୋଟି ୬୪ ଲକ୍ଷ ଟଙ୍କା)।
ଲେଖକ ଲେଖିକା ଦ୍ବୟ କେବଳ ମତାନ୍ଧ ହୋଇ ସମାଜରେ ଅତି-ସମ୍ପଦ ବା ଆୟର ଉପସ୍ଥିତିକୁ ବିରୋଧ କରିନାହାନ୍ତି; ଏଥିନିମିତ୍ତ ସେମାନେ ଦୃଢ଼ ଯୁକ୍ତି ମଧ୍ୟ ଉପସ୍ଥାପନ କରିଛନ୍ତି। ଧନିକମାନଙ୍କର ବିଳାସପୂର୍ଣ୍ଣ, ପ୍ରଦର୍ଶନପ୍ରବଣ ଜୀବନଶୈଳୀ ପରିବେଶର କ୍ଷତିସାଧନ କରିଥାଏ (ଯେମିତି ନିକଟରେ ଭାରତରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁତ୍ର ବିବାହ ଉତ୍ସବରେ ଯୋଗଦେବା ପାଇଁ ଅାସିଥିବା ଧନିକ ଅତିଥିମାନଙ୍କର ବହୁସଂଖ୍ୟକ ଘରୋଇ ଜେଟ୍ ବିମାନମାନଙ୍କରୁ ନିର୍ଗତ ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷଣ ଘଟିବା ନେଇ ସମାଲୋଚନା ଦେଖିବାକୁ ମିଳିଛି)। ଧନିକମାନେ ଏକାଧିକ ଗୃହର ମାଲିକ ହୋଇ ଦେଶରେ ବାସଗୃହ ସମସ୍ୟା ସୃଷ୍ଟି କରନ୍ତି। ସେମାନଙ୍କ ମଧ୍ୟରୁ କେତେକ ରାଜନୈତିକ ଚାନ୍ଦା ଦେଇ ରାଜନୈତିକ ପ୍ରଭାବର ଅଧିକାରୀ ହୋଇଥାନ୍ତି। କେତେକ ଦୁର୍ନୀତିମୂଳକ ଭାବରେ ଏଭଳି ଅତି-ସମ୍ପଦର ଅଧିକାରୀ ହୋଇଥାନ୍ତି। (ଭାରତରେ ନିର୍ବାଚନୀ ବଣ୍ଡ୍କୁ ନେଇ ଦେଖାଦେଇଥିବା ହୈଚୈ ପରିପ୍ରେକ୍ଷୀରେ ଏହା ବୁଝିବା କଷ୍ଟକର ନୁହେଁ।)
ଲେଖକ, ଲେଖିକାଙ୍କ ମତରେ ଏକ ଅର୍ଥନୈତିକ ବୈଷମ୍ୟହୀନ ସମାଜର ସଦସ୍ୟମାନେ ବହୁମାତ୍ରାରେ କମ୍ ଚାପଗ୍ରସ୍ତ ଜୀବନଯାପନ କରିବେ, କାରଣ ସେମାନେ ଅହରହ ପ୍ରତିଯୋଗିତା ରୂପକ ମୂଷା-ଦୌଡ଼ରୁ ରକ୍ଷା ପାଇବେ; ପରସ୍ପରର ଅର୍ଥନୈତିକ ସ୍ଥିତି ନେଇ ତୁଳନାରୁ ସୃଷ୍ଟ ଈର୍ଷାର ବାତାବରଣ ଅନ୍ତର୍ଦ୍ଧାନ ହେବା ଯୋଗୁଁ ସମାଜର ସଦସ୍ୟମାନଙ୍କ ମଧ୍ୟରେ ଅଧିକ ସଂହତିର ଆବିର୍ଭାବ ଘଟିବ। ଧନିକମାନେ ଯେଉଁ ଅର୍ଥ ଠୁଳ କରିଥାନ୍ତେ, ତାହାକୁ ଗରିବମାନଙ୍କର ଉପକାର ସାଧନରେ ଏବଂ ସାର୍ବଜନୀନ ସେବା ଯୋଗାଣରେ ନିୟୋଜିତ କରାଯାଇ ପାରିବ। ସେମାନଙ୍କ ଅନୁସାରେ ଏଭଳି ଅର୍ଥନୈତିକ ବୈଷମ୍ୟ ଦୂରୀକରଣର ଦୁଇଟି ଉପାୟ ରହିଛି: ଉପର ବର୍ଣ୍ଣିତ ସୀମା ଠାରୁ ଅଧିକ ଆୟ ଓ ସମ୍ପଦକୁ ଟିକସ ମାଧ୍ୟମରେ ରାଜକୋଷ ମଧ୍ୟକୁ ନେଇଯିବା; କିମ୍ବା ଏଭଳି ନୀତି କାର୍ଯ୍ୟକାରୀ କରିବା, ଯାହା ଅନୁସାରେ କେହି ନିର୍ଦ୍ଧାରିତ ସୀମା ଠାରୁ ଅଧିକ ଆୟ ଅର୍ଜନ ହିଁ କରିପାରିବ ନାହିଁ କିମ୍ବା ସମ୍ପଦ ଠୁଳ କରିପାରିବ ନାହିଁ। ଏହାର ଅର୍ଥ ସେଇ ସୀମା ଉପରେ ୧୦୦ ଶତାଂଶ ହାରରେ ଟିକସ ଲାଗୁ ହେବ।
ଯେଉଁ ସମୟରେ ପୁସ୍ତକ ଦୁଇଟି ଅର୍ଥନୈତିକ ବୈଷମ୍ୟ ପ୍ରତି ଏଭଳି ତାଜା ଦୃଷ୍ଟି ଆକର୍ଷଣ କରିଛନ୍ତି, ସେଇ ସମୟରେ ଭାରତରେ ଉପସ୍ଥିତ ଅର୍ଥନୈତିକ ବୈଷମ୍ୟ ସମ୍ପର୍କରେ ଏପରି ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ଏଠାରେ ଘୋର ଆଲୋଡ଼ନ ସୃଷ୍ଟି କରିଛି। ରିପୋର୍ଟଟି ବହନ କରୁଥିବା ଗୁରୁତ୍ବର ଅନ୍ୟତମ କାରଣ ହେଉଛି, ‘ୱାଲ୍ର୍ଡ ଇନ୍ଇକ୍ବାଲିଟି ଲ୍ୟାବ୍’ ନାମକ ସଂସ୍ଥାର ଯେଉଁ ଚାରିଜଣ ଅର୍ଥନୀତିଜ୍ଞ ଏହାକୁ ପ୍ରସ୍ତୁତ କରିଛନ୍ତି, ସେମାନଙ୍କ ମଧ୍ୟରେ ମୁଖ୍ୟ ହେଉଛନ୍ତି ବର୍ତ୍ତମାନ ପୃଥିବୀର ପ୍ରସିଦ୍ଧତମ ଅର୍ଥନୈତିକ ବୈଷମ୍ୟ ବିଶାରଦ ରୂପେ ବିବେଚିତ ପ୍ରଖ୍ୟାତ ଫରାସୀ ଅର୍ଥନୀତିଜ୍ଞ ଥମାସ୍ ପିକେଟି (ଯାହାଙ୍କର ୨୦୧୩ରେ ପ୍ରକାଶିତ ପୁସ୍ତକ, ‘କ୍ୟାପିଟାଲ୍ ଇନ୍ ଦି ଟ୍ବେଣ୍ଟିଫାଷ୍ଟ୍ ସେଞ୍ଚୁରି’ ବୈଷମ୍ୟ-ବିରୋଧୀ ମହଲରେ ଏକ ଧର୍ମଗ୍ରନ୍ଥର ମର୍ଯ୍ୟାଦା ହାସଲ କରିଛି)।
‘ଇନ୍କମ୍ ଆଣ୍ଡ୍ ୱେଲ୍ଥ ଇନ୍ଇକ୍ବାଲିଟି ଇନ୍ ଇଣ୍ଡିଆ, ୧୯୨୨-୨୦୨୩: ଦି ରାଇଜ୍ ଅଫ୍ ଦି ବିଲିଅନେଆର୍ ରାଜ୍’ ଭଳି ଏକ ଚାଞ୍ଚଲ୍ୟ ସୃଷ୍ଟିକାରୀ ଶୀର୍ଷକ ବହନ କରୁଥିବା ଏହି ରିପୋର୍ଟ ଅନୁସାରେ ଭାରତ ବର୍ତ୍ତମାନ ହାସଲ କରିଥିବା ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଚମକପ୍ରଦ ହୋଇଥିଲେ ହେଁ ଏହାର ସୁଫଳ ସମାଜର ସମସ୍ତ ସଦସ୍ୟ ସମାନ ଭାବରେ ଉପଭୋଗ କରିବା ପାଇଁ ଉପଲବ୍ଧ ହୋଇନାହିଁ। ଉଦାହରଣ ସ୍ବରୂପ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ରାଷ୍ଟ୍ରର ମୋଟ ସମ୍ପଦର ୪୦ ଶତାଂଶରୁ ଅଧିକ ରହିଛି ମାତ୍ର ଜନସଂଖ୍ୟାର ଏକ ଶତାଂଶ ସଦସ୍ୟଙ୍କ ମାଲିକାନାରେ, ଯେଉଁମାନଙ୍କ ଦଖଲରେ ମଧ୍ୟ ରହିଛି ଦେଶର ମୋଟ ଆୟର ପ୍ରାୟ ୨୩ ଶତାଂଶ ବା ପାଖାପାଖି ଏକ-ଚତୁର୍ଥାଂଶ। ସେମାନେ ଦର୍ଶାଇଛନ୍ତି େଯ ଭାରତରେ ବର୍ତ୍ତମାନ ଯେଉଁଭଳି ଅର୍ଥନୈତିକ ବୈଷମ୍ୟ ପରିଲକ୍ଷିତ ହେଉଛି, ତାହା ବ୍ରିଟିଶ୍ ରାଜ ସମୟ ଠାରୁ ମଧ୍ୟ ଅଧିକ ତୀବ୍ର ଏବଂ ଭାରତର ସମଗ୍ର ଇତିହାସରେ ଏଭଳି ବୈଷମ୍ୟ କେବେହେଲେ ଦେଖାଯାଇ ନ ଥିଲା। ଗବେଷକମାନଙ୍କ ମତରେ ଭାରତରେ ପରିଦୃଷ୍ଟ ଏହି ବୈଷମ୍ୟ ହେଉଛି ଦକ୍ଷିଣ ଆଫ୍ରିକା, ବ୍ରାଜିଲ୍ ଓ ଏପରିକି ଆମେରିକା ଭଳି ବୈଷମ୍ୟ ଅଧ୍ୟୁଷିତ ଦେଶମାନଙ୍କରେ ଉପସ୍ଥିତ ବୈଷମ୍ୟ ଠାରୁ ମଧ୍ୟ ଅଧିକ, ଯାହା ଭାରତକୁ ପୃଥିବୀର ସର୍ବାଧିକ ବିଷମ ସମାଜରେ ପରିଣତ କରିଥାଏ।
ଏଭଳି ବୈଷମ୍ୟର କୁପରିଣାମ କିଭଳି ହୋଇପାରେ ତାହା ଆରମ୍ଭରେ ଉଲ୍ଲେଖ କରାଯାଇଥିବା ଦୁଇଟି ପୁସ୍ତକରୁ ଉଦ୍ଧାର କରି ଉପରେ ଦର୍ଶାଯାଇଛି। କିନ୍ତୁ ସେ ପୁସ୍ତକ ଦ୍ବୟ ଓ ଏହି ରିପୋର୍ଟ ବୈଷମ୍ୟର ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ସମ୍ବନ୍ଧରେ ନିରବ, ତାହା ହେଲା ବୈଷମ୍ୟ ଅର୍ଥନୈତିକ ଉଦ୍ୟମ ଓ ପ୍ରଗତି ପାଇଁ ଯୋଗାଉଥିବା େପ୍ରାତ୍ସାହନ, ଯାହାର ଅନୁପସ୍ଥିତିରେ ସମ୍ପୃକ୍ତ ସମାଜରେ କେବଳ ଦାରିଦ୍ର୍ୟର ହିଁ ସୁଷମ ବଣ୍ଟନ ଘଟିବା ସାର ହେବ। ସେ ଦୃଷ୍ଟିରୁ ବିଚାର କଲେ ରବିନ୍ସ ଓ ହିଲ୍ଡ୍ୟାର୍ଡଙ୍କର ଚରମ ସମାଧାନ ଅପେକ୍ଷା ପିକେଟି ଓ ତାଙ୍କର ସାଥୀମାନଙ୍କର ପରାମର୍ଶ ଅଧିକ ବିଚାରବନ୍ତ ମନେ ହୋଇଥାଏ, ଯେଉଁଥିରେ ସେମାନେ ଭାରତର ୧୬୭ଟି ସର୍ବାଧିକ ଧନୀ ପରିବାରର ସମ୍ପତ୍ତି ଉପରେ ୨ ଶତାଂଶ ହାରରେ ଏକ ସୁପର୍ ଟିକସ ଲାଗୁ କରି, ସେ ଆଦାୟ ଅର୍ଥକୁ ସମାଜର ସାମଗ୍ରିକ ମଙ୍ଗଳ କାର୍ଯ୍ୟରେ ନିବେଶ କରିବାକୁ ସୁପାରିସ କରିଛନ୍ତି।
ଯଦି ସରକାର ବେଳହୁଁ ପଦକ୍ଷେପ ନ ନିଅନ୍ତି, ତେବେ କତିପୟଙ୍କର ଅତି-ସମ୍ପଦ କେବଳ ସମାଜ ପାଇଁ କ୍ଷତିକାରକ ହେବ, ତାହା ନୁହେଁ, ଶେଷରେ ତାହା ସେମାନଙ୍କର ବିନାଶର କାରଣ ମଧ୍ୟ ହୋଇପାରେ, ଯେମିତି ରାଧାନାଥଙ୍କ ଭାଷାରେ: ‘‘ଜଳ-ଗହଳ ହେଲା ତା’ପକ୍ଷେ ଯମ,/ଅତି-ସମ୍ପଦ, ବାବୁ, ମହାବିଷମ।’’