ଆମ ପରିବେଶ ସଂକଟ

ଦିଲୀପ ଶ୍ରୀଚନ୍ଦନ

ଏବେ ସମଗ୍ର ବିଶ୍ବର ପରିବେଶ ଓ ପର୍ଯ୍ୟାବରଣ ଏକ ସ˚କଟଜନକ ସ୍ଥିତିରେ। ସମଗ୍ର ବିଶ୍ବ ବୋଧହୁଏ, ଏକ ଅନ୍ତିମ ପରୀକ୍ଷାର ଦ୍ବାରଦେଶରେ ଦଣ୍ତାୟମାନ। ବୈଜ୍ଞାନିକମାନେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଯେ ପୃଥିବୀର ଆୟୁଷ ଆଉ ଅଧିକ ଦିନ ନୁହେଁ। ପରିବେଶ ପ୍ରଦୂଷଣ ଯୋଗୁ ପୃଥିବୀପୃଷ୍ଠରୁ ଅନେକ ଜାତିର ପ୍ରାଣୀ ଓ ଉଦ୍ଭିଦ ଲୋପ ପାଇଯାଉଛନ୍ତି। ଆଗକୁ ଜୈବ-ଚକ୍ରର ଅସନ୍ତୁଳନ ହେତୁ ବର୍ତ୍ତମାନ ଆତଯାତ ହେଉଥିବା ଅନେକ ପ୍ରାଣୀ ଓ ଉଦ୍ଭିଦଙ୍କୁ ଆମେ ହୁଏ’ତ କେବଳ ମ୍ୟୁଜିୟମ୍‌ରେ ଦେଖିବା। ପ୍ରଚଣ୍ତ ତାପମାତ୍ରା, ଖାଦ୍ୟ, ଜଳ ଓ ବାୟୁର ଅଭାବ ଯୋଗୁ ଜୀବନ ଦୁର୍ବିଷହ ହୋଇଯିବ।

୧୯୯୫ ମସିହା ଠାରୁ ବାୟୁମଣ୍ତଳର ଉତ୍ତାପ ଅହେତୁକ ଭାବେ ବୃଦ୍ଧି ପାଇ ଚାଲିଛି। ‘ଗ୍ଲୋବାଲ୍‌ ଵାର୍ମିଂ’ ବା ‘ବିଶ୍ବ ତାପନ’ ଯୋଗୁ ମେରୁ ଅଞ୍ଚଳ ସମେତ ହିମାଳୟ ଭଳି ଉଚ୍ଚ ପର୍ବତ ଶୃଙ୍ଗରେ ଜମିଥିବା ବରଫ ତରଳି ସମୁଦ୍ରର ଜଳପତ୍ତନକୁ ବଢ଼ାଇ ବଢ଼ାଇ ଚାଲିଛି। ପୃଥିବୀ ପୃଷ୍ଠରେ ଥିବା ସବୁ ମଧୁର ଜଳ ଉତ୍ସ ଯେମିତି କି କୂଅ, ପୋଖରୀ, ନଦୀ, ହ୍ରଦ, ଝରଣା ସମେତ ମେଘ, କାକର ଓ କୁହୁଡ଼ିରେ ତଥା ମାଟି ତଳେ ଥିବା ମୋଟ ଜଳର ପରିମାଣ ସମୁଦାୟ ଜଳ ପରିମାଣର ମାତ୍ର ୧.୩ ପ୍ରତିଶତ। ଆଉ ୧.୪ ପ୍ରତିଶତ ହେଉଛି ବରଫ। ଏହା ପରେ ଅବଶିଷ୍ଟ ୯୭.୩ ପ୍ରତିଶତ ହେଉଛି ଲୁଣି ଓ ବ୍ୟବହାର ଅନୁପଯୋଗୀ ଜଳ। ବରଫ ତରଳି ସମୁଦ୍ରର ଲୁଣିଆ ଜଳରେ ମିଶିଲେ ମଧୁର ଜଳର ପରିମାଣ କମି କମି ଚାଲିବ। ସମୁଦ୍ର ପତ୍ତନରେ ଅସ୍ବାଭାବିକ ବୃଦ୍ଧି ଘଟିବ; ଯାହା ଦ୍ବାରା ଅଦୂର ଭବିଷ୍ୟତ୍‌ରେ ମାଳଦ୍ବୀପ ଭଳି ଦ୍ବୀପ ରାଷ୍ଟ୍ର ବା ବାଂଲାଦେଶ ବା ଭାରତର ମୁମ୍ବାଇ ଭଳି ସମୁଦ୍ର ତଟବର୍ତ୍ତୀ ସହର ଜଳମଗ୍ନ ହେବ। ସମୁଦ୍ର ପତ୍ତନ ଚଳିତ ଶତାବ୍ଦୀରେ ୧୫ରୁ ୯୪ ସେଣ୍ଟିମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି କୁହାଯାଉଛି। ସମୁଦ୍ର ପତ୍ତନ ଯଦି ୫୦ ସେଣ୍ଟିମିଟର ପର୍ଯ୍ୟନ୍ତ ବୃଦ୍ଧି ପାଏ ତେବେ ପ୍ରାୟ ୫୦/୬୦ କୋଟି ଲୋକ ସାମୁଦ୍ରିକ ଜୁଆର ଦ୍ବାରା କ୍ଷତିଗ୍ରସ୍ତ ହେବେ। ବୈଜ୍ଞାନିକଙ୍କ ଭବିଷ୍ୟତ୍‌ବାଣୀ ଯେ ୨୦୨୩ ସୁଦ୍ଧା ବିଶ୍ବର ୨୨ଟି ପ୍ରମୁଖ ମହାନଗର ଏଭଳି ଦଶା ଭୋଗିବ, ଯାହା ମଧୢରେ ଅଛନ୍ତି ମୁମ୍ବାଇ, ଲଣ୍ତନ, ଟୋକିଓ, କୋପେନ୍‌ହେଗେନ୍‌ ଓ ଆମେରିକାର ବହୁ ସହର। ଆମ ରାଜ୍ୟର ପାରାଦୀପ, ଗୋପାଳପୁର ଆଦି ବନ୍ଦର ଡୁବିଯିବା କଥା କୁହାଯାଉଛି। ପୁରୀ ସହର ଭିତରକୁ ସମୁଦ୍ର ଜଳ ପ୍ରବେଶ କରିବ। କୁହାଯାଉଛି ଯେ ମାଳିକା ବଚନ ସତ୍ୟ ହେବ; ଯହିଁରେ ‘ବାଇଶି ପାହାଚେ ଖେଳିବ ମୀନ’ ବୋଲି ଲେଖାଯାଇଛି। କେବଳ ସେତିକି ନୁହେଁ, ଏହି କ୍ରମରେ ସମୁଦ୍ର ଜଳରେ ମଧୁର ଜଳ ଅଧିକ ପ୍ରବେଶ କରିବାରୁ ତା’ର ଲବଣାଂଶ କମି ସମୁଦ୍ରରେ ଥିବା ଜୀବ ପରିସଂସ୍ଥା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବ।

ସେମିତି ବାୟୁ ପ୍ରଦୂଷଣ ମଧ୍ୟ ଏବେ ଉଦ୍‌ବେଗଜନକ। ଆମେ ପ୍ରତିଦିନ ପ୍ରଶ୍ବାସରେ ଗ୍ରହଣ କରୁ ୧୬ କିଲୋଗ୍ରାମ ଓଜନର ଅମ୍ଳଜାନ। ଏହି ଅମ୍ଳଜାନ ବାୟୁମଣ୍ତଳକୁ ଦେଇଥାଏ ଗଛ। ଜଣେ ମଣିଷ ପାଇଁ ପ୍ରତିଦିନ ୨୦ଟି ପତ୍ର ଦ୍ବାରା ନିଃସୃତ ହେଉଥିବା ଅମ୍ଳଜାନ ଦରକାର। କିନ୍ତୁ ତାହା ନ ବୁଝି ମଣିଷ ଅବିଚାରିତ ଭାବରେ ଜଙ୍ଗଲ ପଦା କରୁଛି। ବିକାଶ ନାମରେ ଗଛକଟା ଚାଲିଛି। ଗଛ ଆମକୁ ଅମ୍ଳଜାନ ଦେବା ସହିତ ମଣିଷ ଛାଡୁଥିବା ଓ ଶିଳ୍ପସ˚ସ୍ଥାରୁ ନିର୍ଗତ ଅଙ୍ଗାରକାମ୍ଳକୁ ଶୋଷି ନିଏ। ଏହି କାରଣରୁ ସୃଷ୍ଟି ତିଷ୍ଠି ରହିଛି। କିନ୍ତୁ ଆମ ବାୟୁମଣ୍ତଳ କେବଳ ପ୍ରଦୂଷିତ ନୁହେଁ, ତାହା ଅଧିକରୁ ଅଧିକ ଉତ୍ତପ୍ତ ହୋଇ ଚାଲିଛି। ବାୟୁମଣ୍ତଳକୁ ପ୍ରଦୂଷିତ ଓ ଉତ୍ତପ୍ତ କରୁଥିବା ବାଷ୍ପଗୁଡ଼ିକ ହେଲେ ଅଙ୍ଗାରକାମ୍ଳ, ମିଥେନ୍‌, ନାଇଟ୍ରସ୍‌ ଅକ୍‌ସାଇଡ, କ୍ଲୋରୋଫ୍ଲୋରୋ କାର୍ବନ ଇତ୍ୟାଦି। ଯାନବାହାନ, କଳକାରଖାନା, ଘରେ ଜାଳେଣି ଭାବେ ବ୍ୟବହୃତ କାଠ, କୋଇଲା, ଖଣିଜ ତୈଳ ଭଳି ଜୀବାଶ୍ମ ଇନ୍ଧନର ଦହନରୁ ତଥା ମଣିଷ ତଥା ଜୀବଜନ୍ତୁଙ୍କର ନିଃଶ୍ବାସରୁ ମୁଖ୍ୟତଃ ନିର୍ଗତ ହୋଇଥା’ନ୍ତି। ମିଥେନ୍‌ ସାଧାରଣତଃ କୃଷିକ୍ଷେତ୍ର ଓ ଜୈବିକ ବସ୍ତୁ ବିଘଟନରୁ ସୃଷ୍ଟି ହୁଏ। ରେଫ୍ରିଜେରେଟର, ଏୟାର କୁଲର, ଅଗ୍ନି ନିର୍ବାପକ ଗ୍ୟାସ୍‌ ଆଦିରୁ କ୍ଲୋରୋଫ୍ଲୋରୋ କାର୍ବନ୍‌ ନିର୍ଗତ ହୁଏ।

ବି˚ଶ ଶତାବ୍ଦୀ ଆରମ୍ଭରେ ପୃଥିବୀର ଉତ୍ତାପ ୧୩.୭୭ ଡିଗ୍ରି ସେଲ୍‌ସିଅସ୍‌ ଥିଲା। ଶତାବ୍ଦୀ ଶେଷ ବେଳକୁ ଏହା ୧୪.୪୩ ଡିଗ୍ରି ସେଲ୍‌ସିଅସ୍‌ରେ ପହଞ୍ଚିଛି। ଗତ ୧୩ ହଜାର ବର୍ଷ ଧରି ବାୟୁମଣ୍ତଳର ଉତ୍ତାପ ଏମିତି ବଢ଼ି ନ ଥିଲା। ବରଫ ଯୁଗ ପୂର୍ବରୁ ପ୍ରାୟ ୧ ଲକ୍ଷ ୨୫ ହଜାର ବର୍ଷ ତଳେ ବିଶ୍ବ ତାପନ ଯୋଗୁ ସମୁଦ୍ର ପତ୍ତନ ୪ରୁ ୬ ମିଟର ବଢ଼ି ସୃଷ୍ଟିର ଜଳ ସମାଧିର କାରଣ ହୋଇଥିଲା। ନବମ ଦଶକ ଥିଲା ଗଲା ଶତାବ୍ଦୀର ସର୍ବାଧିକ ଉତ୍ତପ୍ତ ଦଶ ବର୍ଷ। ୧୯୯୮ ମସିହା ଥିଲା ସେହି ଦଶକର ସର୍ବାଧିକ ଉତ୍ତପ୍ତ ବର୍ଷ। ଏକବି˚ଶ ଶତାବ୍ଦୀରେ ପୃଥିବୀ ପୃଷ୍ଠର ତାପମାତ୍ରା ୧.୧ରୁ ୬.୪ ଡିଗ୍ରି ସେଲ୍‌ସିଅସ୍‌ ବଢ଼ିବ ବୋଲି ଆକଳନ କରାଯାଇଛି। ୧୮୬୦ ପର ଠାରୁ ବାୟୁମଣ୍ତଳରେ ଅଙ୍ଗାରକାମ୍ଳର ୩୦ ପ୍ରତିଶତ ବଢ଼ିଛି। ବାଷ୍ପର ସାନ୍ଦ୍ରତା ମାପିବାର ଏକକ ହେଉଛି ଆୟତନ ଅନୁପାତର ନିୟୁତା˚ଶ (ପିପିଏମ୍‌ଭି)। ଅଙ୍ଗାରକାମ୍ଳର ସାନ୍ଦ୍ରତା ୨୮୦ ନିୟୁତା˚ଶରୁ ବଢ଼ି ବଢ଼ି ୩୬୫ ନିୟୁତା˚ଶରେ ପହଞ୍ଚିଛି ଓ ଆହୁରି ବଢୁଛି। ଏଭଳି ବୃଦ୍ଧି ହେତୁ ଏକବି˚ଶ ଶତାବ୍ଦୀ ଶେଷ ବେଳକୁ ସବୁଜ ଗୃହ ବାଷ୍ପର ସାନ୍ଦ୍ରତା ୭୦୦ ନିୟୁତା˚ଶକୁ ଟପିଯିବ।

ଉପର ବର୍ଣ୍ଣିତ ଅଙ୍ଗାରକାମ୍ଳ, ମିଥେନ୍‌ ଆଦି ପ୍ରଦୂଷଣ ସୃଷ୍ଟିକାରୀ ସବୁଜ ଗୃହ ବାଷ୍ପ ଜଳୀୟବାଷ୍ପ ସହିତ ମିଶି ବାୟୁମଣ୍ତଳର ଉପର ସ୍ତରରେ ଏକ ଘଞ୍ଚ ଆସ୍ତରଣ ସୃଷ୍ଟି କରେ। ଏଥିରେ ୫୧ ଭାଗ ସୂର୍ଯ୍ୟାଲୋକ ଭୂପୃଷ୍ଠରେ ପ୍ରତିଫଳିତ ହୋଇ ଫେରିବା ବେଳକୁ ଏହି ବାଷ୍ପ ଚାଦରଟି ତା’ର ପଥରୋଧ କରିଥାଏ। ଫଳରେ ପୃଥିବୀ ପୃଷ୍ଠରେ ତାପମାତ୍ରା ବଢ଼ିଯାଏ। ସବୁଜ ଗୃହ ବାଷ୍ପ ଯେତେ ଘନ ହୁଏ, ଅଧିକ ପ୍ରତିଫଳିତ ସୂର୍ଯ୍ୟାଲୋକ ବାହାରକୁ ଯାଇ ନ ପାରି ଉତ୍ତାପ ବୃଦ୍ଧି କରେ ଯାହା ବିଶ୍ବ ତାପନର କାରଣ ହୋଇଛି। ଏହା ସହିତ ସବୁଜ ଗୃହ ବାଷ୍ପର ପ୍ରଭାବରୁ ବାୟୁମଣ୍ତଳର ସର୍ବୋଚ୍ଚ ସ୍ତରରେ ଥିବା ସୁନିର୍ମଳ ଅଥଚ ଗାଢ଼ ଓଜୋନ୍‌ ଆସ୍ତରଣରେ ଛିଦ୍ର ହେଲାଣି। ଓଜୋନ୍‌ ଆସ୍ତରଣଟି ପୃଥିବୀ ପାଇଁ ପ୍ରକୃତି ସୃଷ୍ଟ ରକ୍ଷା କବଚ। ଏହା ସୂର୍ଯ୍ୟର କ୍ଷତିକାରୀ ଅତି ବାଇଗଣି ବା ଲୋହିତ ରଶ୍ମିର ବିକିରଣକୁ ରୋକିଥାଏ। ଏଥିରେ ଛିଦ୍ର ଜୀବ ଜଗତ୍‌ ଲାଗି କ୍ଷତିକାରକ। କିନ୍ତୁ ଆମର ଦାୟିତ୍ବହୀନ ଭୋଗବାଦୀ ସ˚ସ୍କୃତି ଦ୍ବାରା ସବୁଜ ଗୃହ ବାଷ୍ପ ବୃଦ୍ଧି ପାଇ ଚାଲିଛି ଓ ଓଜୋନ୍‌ ଆସ୍ତରଣକୁ ନଷ୍ଟ କରି ପୃଥିବୀବାସୀଙ୍କ ଲାଗି ବିପଦର କାରଣ ହୋଇଛି।
ମୋ- ୯୪୩୭୨୮୭୮୦୬

ସମ୍ବନ୍ଧିତ ଖବର