ଦର୍ପଣ, ଜନସଂଖ୍ୟା କ୍ରମେ କମିବ!

ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧିର ହାରକୁ ଦେଖି ଯେଉଁମାନେ ଭବିଷ୍ୟତ୍‌ରେ ଜନସଂଖ୍ୟା ବିସ୍ଫୋରଣର ଭୟ ଦ୍ବାରା ଆଚ୍ଛନ୍ନ ସେମାନଙ୍କୁ ଚମକାଇ ଦେବା ଭଳି ସଦ୍ୟ ଆସିଥିବା ଲାନ୍‍ସେଟ୍‍ ରିପୋର୍ଟ କହିଥାଏ ଯେ ପ୍ରକୃତରେ ୨୧୦୦ ମସିହା ବେଳକୁ ବିଶ୍ବ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବା ଧାରାରେ ରହିଥିବ। ‘ୟୁନିଭର୍ସିଟି ଅଫ୍ ୱାସିଂଟନ୍‌’ର ‘ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ ମାଟ୍ରିକ୍‌ସ ଏଣ୍ଡ ଇଭାଲ୍ୟୁଏସନ’ ଆନୁକୂଲ୍ୟରେ କରାଯାଇଥିବା ଏହି ବିସ୍ତୃତ ଅନୁଶୀଳନମୂଳକ ରିପୋର୍ଟ କହିଛି ‌େଯ ୨୦୬୪ ମସିହା ବେଳକୁ ବିଶ୍ବ ଜନସଂଖ୍ୟା ଶିଖର ଛୁଇଁ ୯୭୩ କୋଟିରେ ପହଞ୍ଚିବ। ତା’ ପରେ ଏଥିରେ ହ୍ରାସ ଘଟିବା ଆରମ୍ଭ ହେବ। ୨୧୦୦ ବେଳକୁ ବିଶ୍ବ ଜନସଂଖ୍ୟା କମି ଯାଇ ୮୭୯ କୋଟିରେ ପହଞ୍ଚିଥିବ।

ଏହି ଆକଳନରେ ଭାରତ ସଂପର୍କରେ ବିଶେଷ ଭାବେ କୁହାଯାଇଛି। କାରଣ ୨୧୦୦ ବେଳକୁ ଭାରତ ହୋଇ ଯାଇଥିବ ପୃଥିବୀର ସର୍ବାଧିକ ଜନବହୁଳ ରାଷ୍ଟ୍ର। ଏହି ଆକଳନ ଅନୁସାରେ ୨୦୪୮ ମସିହା ବେଳକୁ ଭାରତର ଜନସଂଖ୍ୟା ଶୀର୍ଷତମ ବିନ୍ଦୁ ଛୁଇଁ ୧୬୦ କୋଟିରେ ପହଞ୍ଚିଲା ପରେ ତାହା ଅବରୋହଣ କରି ୨୧୦୦ ବେଳକୁ ୧୦୯ କୋଟିକୁ ହ୍ରାସ ପାଇଥିବ। ତେବେ ଏହି ଧାରା ବିପରୀତରେ ଯାଇ ବର୍ତ୍ତମାନ ସମୟରେ ୨୦ କୋଟି ଜନସଂଖ୍ୟା ଧାରଣ କରିଥିବା ନାଇଜେରିଆର ଜନସଂଖ୍ୟା ୭୬୫% ବଢ଼ି ୭୯ କୋଟିରେ ପହଞ୍ଚିବା ସହ ଚୀନକୁ ପଛରେ ପକାଇ ସର୍ବାଧିକ ଜନବହୁଳ ଦେଶ ରୂପେ ଦ୍ବିତୀୟ ସ୍ଥାନ ଅଧିକାର କରିବ। ଚୀନ, ଆମେରିକା, ପାକିସ୍ତାନ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନ ଅଧିକାର କରିବେ। ଚୀନର ଲୋକସଂଖ୍ୟା ସେତେବେଳକୁ ହୋଇଥିବ ୭୩ କୋଟି।

ଏହାର କାରଣ କ’ଣ? ଏହାର କାରଣ ହେଉଛି ମହିଳାଙ୍କ ଠାରେ ‘ଟୋଟାଲ୍ ଫର୍ଟିଲିଟି ରେଟ୍’ ବା ସନ୍ତାନ ଧାରଣ ହାରରେ ଉଲ୍ଲେଖନୀୟ ହ୍ରାସ। ଅଧିକରୁ ଅଧିକ ମହିଳା ଶିକ୍ଷିତ ଓ ରୋଜଗାରକ୍ଷମ ହୋଇଥିବେ ଏବଂ ବୃତ୍ତିର ବାଧ୍ୟବାଧକତାରେ ଅଧିକ ସନ୍ତାନ ଧାରଣ କରିବାକୁ ଅନିଚ୍ଛୁକ ହୋଇଥିବେ। ସେତେବେଳକୁ ସେମାନେ ବିଭିନ୍ନ ଗର୍ଭନିରୋଧକ ଉପାୟ ଅବଲମ୍ବନ କରିବାର ସ୍ବାଧୀନତା ଲାଭ କରି ସାରିଥିବାରୁ କମ୍ ସଂଖ୍ୟକ ସନ୍ତାନର ଜନନୀ ହେଉଥିବେ। ବର୍ତ୍ତମାନ ଭାରତୀୟ ମହିଳାଙ୍କ ଫର୍ଟିଲିଟି ରେଟ୍ ବା ସନ୍ତାନ ଧାରଣ ହାର ୨.୧୪ ଥିବା ବେଳେ ୨୧୦୦ ବେଳକୁ ଏହା ୧.୨୯କୁ ହ୍ରାସ ପାଇଥିବ। ତେଣୁ ଭବିଷ୍ୟତ୍‌ରେ ଜନସଂଖ୍ୟା ବିସ୍ଫୋରଣଜନିତ ସମସ୍ୟାକୁ ନେଇ ବିଶେଷ ଉଦ୍‌ବିଗ୍ନ ହେବାର ନାହିଁ ବୋଲି ଲାନ୍‌ସେଟ୍ ପତ୍ରିକାର ଆକଳନ କହିଥାଏ।

ସମ୍ବନ୍ଧିତ ଖବର