ସାମାନ୍ୟ କଥନ: ଭାରତୀୟ ଜ୍ଞାନ ପରଂପରା ଓ ଭାରତ

ପ୍ରୀତୀଶ ଆଚାର୍ଯ୍ୟ

ବିଶ୍ବର କୌଣସି ସମାଜ କେବେ ହେଲେ ଜ୍ଞାନଶୂନ୍ୟ ନ ଥିଲା; ତା’ର ଜନସଂଖ୍ୟା ଓ ‌ଭୌଗୋଳିକ ପରିଧି ଯେତେ କମ୍‌ ହେଉ ପଛକେ! ପ୍ରତ୍ୟେକ ସମାଜ ନିଜର ଆବଶ୍ୟକତା ଏବଂ ଉପାଦାନର ଉପଲବ୍‌ଧତା ଅନୁସାରେ ଜ୍ଞାନ ଓ ଜ୍ଞାନ-କୌଶଳର ବିକାଶ କରେ ଓ ତାହାକୁ ସାଇତି ରଖେ। ତାହା ଉକ୍ତ ସମାଜରେ ବ୍ୟାପ୍ତ ଆସ୍ଥା, ପରଂପରା, ଲୋକକଥା, ପ୍ରବାଦ, କୃତି, ସାହିତ୍ୟ ଓ ସଂସ୍କୃତି ଆଦିକୁ ଆଶ୍ରୟ କରି ତିଷ୍ଠି ରହେ। ଯେଉଁ ସମାଜର ସ୍ଥାପତ୍ୟ କଳା ଓ ଜ୍ଞାନ ଯେତେ ପ୍ରାଚୀନ, ଯେତେ ଅଧିକ ନିରବଚ୍ଛିନ୍ନ, ତା’ର ଜ୍ଞାନ-ପରମ୍ପରାର ଭଣ୍ଡାର ସେତେ ଅଧିକ ସଂବୃଦ୍ଧ! ସେହି ଆଧାରରେ, ଭାରତୀୟ ଜ୍ଞାନ ପରମ୍ପରାକୁ ନେଇ ଆଶଙ୍କାର କୌଣସି ଅବକାଶ ନାହିଁ, କାରଣ ଭାରତୀୟ ସଭ୍ୟତାର ପ୍ରାଚୀନତା ‌େଢର ଅଧିକ! ବହୁଦିନ ଧରି ଧାରଣା ଥିଲା ଯେ ୩୦୦୦ ଖ୍ରୀ.ପୂ.ର ହରପ୍ପା ସଂସ୍କୃତି ଆମର ଆଦ୍ୟତମ ସଭ୍ୟତା। କିନ୍ତୁ, ଏବର ପୁରାତାତ୍ତ୍ବିକ ପ୍ରମାଣ ହେଲା, ପାଖାପାଖି ୬୦୦୦ ଖ୍ରୀ.ପୂ. ତଳର ନବ ପାଷାଣ ଯୁଗୀୟ ମେହରଗଡ଼ ସଭ୍ୟତା ଓ ସଂସ୍କୃତି ସେ ଧାରଣାକୁ ବଦଳାଇ ଦେଇଛି।
ଆମ ଭାରତୀୟ ଜ୍ଞାନ ପରମ୍ପରାକୁ ନେଇ ଚର୍ଚ୍ଚା କଲାବେଳେ ଅ‌େନକ ହୁଏତ ହରପ୍ପା, ମହେଞ୍ଜୋଦାରୋ ବା ମେହରଗଡ଼ ଭଳି ସ୍ଥାନର ସାଂପ୍ରତିକ ଅବସ୍ଥିତିକୁ ନେଇ ସଂଶୟଗ୍ରସ୍ତ ଦିଶିପାରନ୍ତି। କିନ୍ତୁ ପ୍ରାଚୀନ ଭାରତର ଭୌଗୋଳିକ ପରିଧି ଅତ୍ୟନ୍ତ ପରିବ୍ୟାପ୍ତ ଥିଲା। ଆଜିର ଭାରତ ପ୍ରାଚୀନ ଭାରତ ଭୂଖଣ୍ଡ ତୁଳନାରେ ଯଥେଷ୍ଟ କ୍ଷୁଦ୍ର। ପ୍ରାଚୀନ ଭାରତରେ ମୋଟ ଭାରତୀୟ ଉପମହାଦେଶ ବିଦ୍ୟମାନ; ବର୍ତ୍ତମାନର ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଠାରୁ ଆରମ୍ଭ କରି ନେପାଳ, ଭୁଟାନ ଓ ଶ୍ରୀଲଙ୍କା ଯାଏଁ ତାହା ବିସ୍ତୃତ। ତେଣୁ ଏହି ଭୂଖଣ୍ଡର ଜ୍ଞାନ ପରମ୍ପରାକୁ ଭାରତର ବୌଦ୍ଧିକ ଓ ଭୌତିକ ସମ୍ପଦ ବୋଲି ହିଁ କୁହାଯିବ। ଏହାର ପରିକଳ୍ପନାରେ ରାଜନୈତିକ ବିଭାଜନ କିମ୍ବା ଧାର୍ମିକ ପୃଥକତା ଗୌଣ ହେବ।
ଭାରତୀୟ ସଂସ୍କୃତି ଓ ସଭ୍ୟତାର ଏକ ଆଦି ପିଣ୍ଡ ହେଲା ହରପ୍ପା ସଂସ୍କୃତି, ଯାହା ବିସ୍ତାରିତ ଥିଲା ବର୍ତ୍ତମାନର ଭାରତ, ପାକିସ୍ତାନ ଓ ଆଫଗାନିସ୍ତାନ ପର୍ଯ୍ୟନ୍ତ। ଏହାର କେନ୍ଦ୍ର ହେଲା ବର୍ତ୍ତମାନର ପାକିସ୍ତାନ। ଏହି ସଂସ୍କୃତିର ନଗର ପରିଚାଳନା, ପ୍ରାକ୍‌-ଲୌହଯୁଗୀୟ ବିଶାଳ ଶସ୍ୟାଗାର ଏବଂ ବିଳାସପୂର୍ଣ୍ଣ ସ୍ନାନାଗାରର ନିର୍ମାଣ କଳା ତଥା ଏ ପର୍ଯ୍ୟନ୍ତ ପା‌େଠାଦ୍ଧାର ହୋଇନଥିବା ସ‌େତ୍ତ୍ବ ଲିପିର ବିକାଶ ତଦ୍‌କାଳୀନ ସଂବୃଦ୍ଧ ଜ୍ଞାନ-ପରମ୍ପରାକୁ ଦର୍ଶାଏ। ପାକିସ୍ତାନ-‌େକନ୍ଦ୍ରିକ ହୋଇଥିବାରୁ ହରପ୍ପା ସଂସ୍କୃତିକୁ ବାହାର ମୁଲକର ବୋଲି ବିଚାର କରିବା ଅଯୌକ୍ତିକ। ସିନ୍ଧ ପ୍ରଦେଶସ୍ଥିତ ମହେଞ୍ଜୋଦାରୋ (ପରିଧି ୨୦୦ ବର୍ଗ ହେକ୍ଟର) ହେଉଛି ଏହି ସଂସ୍କୃତିର ସର୍ବବୃହତ୍‌ ଏବଂ ସ୍ବୟଂସମ୍ପୂର୍ଣ୍ଣ ସହର। ଆଜି ତାହା ପାକିସ୍ତାନ ଅନ୍ତର୍ଭୁକ୍ତ, କିନ୍ତୁ ସେଠାରେ ଆମ ଜ୍ଞାନ ପରମ୍ପରା ତା’ର ପ୍ରାରମ୍ଭ କାଳ ପ୍ରତ୍ୟକ୍ଷ କରିଛି। ଗଲା ସପ୍ତମ ଦଶକରେ (୧୯୭୪) ବେଲୁଚିସ୍ତାନ ପ୍ରଦେଶସ୍ଥିତ କାଚି ଜିଲ୍ଲାର ମେହରଗଡ଼ର ପୁରାତାତ୍ତ୍ବିକ ଖନନରୁ ଜଣାପଡ଼ିଛି ଯେ ଏହାର ଅତୀତ ୬୦୦୦ ଖ୍ରୀ.ପୂ. ପାଖାପାଖି ଏବଂ ଏହା କୃଷିର ଆରମ୍ଭ ସ୍ଥଳ। କୃଷି, କୃଷି ଉତ୍ପାଦନ ଏବଂ ଜନବସତିକୁ ନେଇ ତହିଁରୁ ପ୍ରାପ୍ତ ଅଜସ୍ର ପୁରାତାତ୍ତ୍ବିକ ଅବଶେଷରୁ ସିଦ୍ଧ ହୋଇଛି ଯେ ଏଠାକାର ସଂସ୍କୃତି ଖୁବ୍‌ ବିକଶିତ ଥିଲା। ଏହା ମଧ୍ୟ ଭାରତୀୟ ଜ୍ଞାନ ପରମ୍ପରାର ଗଙ୍ଗୋତ୍ରୀ।
ଭାରତୀୟ ଜ୍ଞାନ ପରମ୍ପରାର ଏକ ଅମୂଲ୍ୟ ସମ୍ପଦ ହେଲା ପାଣିନିଙ୍କ ରଚିତ ସଂସ୍କୃତ ବ୍ୟାକରଣ- ‘ଅଷ୍ଟାଧ୍ୟାୟୀ’; ରଚନା କାଳ ପାଖାପାଖି ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀ। ‘ଅଷ୍ଟାଧ୍ୟାୟୀ’ର ପ୍ରାଚୀନତା ଏବଂ ଯୁକ୍ତିଯୁକ୍ତତା ଯୋଗୁଁ ବିଶ୍ବ ସ୍ତରରେ ପାଣିନିଙ୍କୁ ‘ଭା‌ଷାତତ୍ତ୍ବର ଜନକ’ ବୋଲି କୁହାଯାଏ। ବ୍ୟାକରଣ ହିଁ ସଂସ୍କୃତକୁ ଅଧିକାଂଶ ଭାରତୀୟ ଭାଷା-ସାହିତ୍ୟର ମୂଳାଧାର କରିଛି। ସଂସ୍କୃତର ବୈଶିଷ୍ଟ୍ୟ ହେଲା କୌଣସି ଲୋକସମାଜର ଏହା ମାତୃଭାଷା ‌ହୋଇ ନ ଥିବା ‌ସ‌ତ୍ତ୍ବେ ପ୍ରାଚୀନ କାଳରୁ ମୋଟ ଭାରତରେ ଏହା ବୌଦ୍ଧିକ ବିମର୍ଶ ଏବଂ ପ୍ରଶାସନିକ ନଥିପତ୍ରର ନିର୍ଭରଯୋଗ୍ୟ ମାଧ୍ୟମ ହୋଇପାରିଛି। ଦକ୍ଷିଣରେ କେରଳଠାରୁ ଉତ୍ତରରେ କାଶ୍ମୀର ପର୍ଯ୍ୟନ୍ତ ଭୂଖଣ୍ଡରେ ବୌଦ୍ଧିକ ବିମର୍ଶର ଭାଷା ଥିଲା ସଂସ୍କୃତ। ମହାନ ବ୍ୟାକରଣିକ ପାଣିନିଙ୍କ ଜନ୍ମ ସ୍ଥାନ ଆଜିର ଆଫଗାନିସ୍ତାନର ଗାଧାର ପ୍ରଦେଶରେ। ଏହା ସତ୍ତ୍ବେ ପାଣିନି ପ୍ରଦତ୍ତ ଜ୍ଞାନ ହେଉଛି ଏକ ମହାନ ଭାରତୀୟ ଐତିହ୍ୟ ସଂପଦ।
ଭାରତୀୟ ଜ୍ଞାନ ପରମ୍ପରାର ବ୍ୟାପକତା ତ ଏକ ସତ୍ୟ; କିନ୍ତୁ ତା’ ବୋଲି ବିଶ୍ବର ସମସ୍ତ ଜ୍ଞାନ ପ୍ରାଚୀନ କାଳରୁ ଭାରତରେ ଗଚ୍ଛିତ ଥିଲା ବୋଲି ଦାବି କରିବା ହେଉଛି ଏକ ଅପଳାପ! ତେଣୁ ଏହି କ୍ରମରେ ବ୍ୟୋମଯାନର ନିର୍ମାଣ କୌଶଳ ଠାରୁ ଆରମ୍ଭ କରି ବର୍ତ୍ତମାନର ସମସ୍ତ ବୈଜ୍ଞାନିକ ପ୍ରଯୁକ୍ତି ଅତୀତରେ ଭାରତରେ ରହିଥିଲା ବୋଲି କହିବା ଏକ ଆସ୍ଫାଳନ ବ୍ୟତୀତ ଆଉ କିଛି ନୁହେଁ। ଏହି ସଂଦର୍ଭରେ ପ୍ରଶ୍ନ ଉଠିଥାଏ ଯେ ଯଦି ଆମ ଠାରେ ହିଁ ସମସ୍ତ ଜ୍ଞାନକୌଶଳର ଭଣ୍ଡାର ବିଦ୍ୟମାନ ଥିଲା, ତେବେ‌ ଅନ୍ୟ ସମାଜଗୁଡ଼ିକ କ’ଣ ଅତୀତରେ ଜ୍ଞାନଶୂନ୍ୟ ଥିଲେ? ପୁଣି ଆମ ନିକଟରେ ଉପଲବ୍‌ଧ ପାରମ୍ପରିକ ପ୍ରଯୁକ୍ତି ବଳରେ ଆଜି ଆମେ ବିକଳ୍ପ ବ୍ୟୋମଯାନଟିଏ ନିର୍ମାଣ କରି ପାରିଲେ ନାହିଁ କାହିଁକି?
ଭୌଗୋଳିକ ପରିସୀମା ଆଧାରରେ ଭାରତ ନାମକ ଏକ ରାଷ୍ଟ୍ରର ଆବିର୍ଭାବ ହେଉଛି ଏକ ଅତ୍ୟନ୍ତ ନୂଆ କଥା। ତେଣୁ ଭାରତୀୟ ଚେତନା ବା ଜ୍ଞାନ ପରମ୍ପରାକୁ ଭୌଗୋଳିକ, ଧାର୍ମିକ ଅଥବା ରାଜନୈତିକ ସୀମା ଦ୍ବାରା ସୀମିତ କରାଯାଇପାରିବ ନାହିଁ। ଏକ ବୈଶ୍ବିକ ଜ୍ଞାନ ଭଣ୍ଡାରର ଅଂଶ ହେଉଛି ପ୍ରତ୍ୟେକ ସମାଜର ଜ୍ଞାନ ପରମ୍ପରା। ଏହି ସ୍ବାଭାବିକ ସତ୍ୟକୁ ହୃଦୟଙ୍ଗମ କଲେ ଆମ ଜ୍ଞାନ ପରଂପରା ଯେ ବୈଶ୍ବିକ ଜ୍ଞାନ ଭଣ୍ଡାରର ଉତ୍ସ; ଏଭଳି ଆସ୍ଫାଳନ କରିବାକୁ ମନ ବଳିବ ନାହିଁ।
[email protected]

ସମ୍ବନ୍ଧିତ ଖବର