ପକ୍ଷୀ ଭଳି ଗୁରୁ

କଥାଟିଏ - ଯାଯାବର

ଥରେ ଜଣେ ଅନୁଗାମୀ ଜେନ୍‌ ସନ୍ନ୍ୟାସୀଙ୍କୁ ପଚାରିଲେ- ଆପଣଙ୍କ ଗୁରୁ କିଏ?

ନେନେ ‌ସେ ଦିନ ବଗିଚାରେ କୌଣସି କାମ କରୁଥିଲେ। ଏବେ ଅଟକି ଯାଇ ସେ ଆକାଶକୁ ଚାହିଁଲେ ଏବଂ ଉଡ଼ି ଯାଉଥିବା ଦଳେ ପକ୍ଷୀଙ୍କ ଆଡ଼କୁ ହାତ ଠାରି ଦେଖାଇ ଦେଲେ।

ଅନୁଗାମୀ ଜଣକ ପଚାରିଲେ- ଆପଣଙ୍କ ଗୁରୁ ହେଉଛନ୍ତି ପକ୍ଷୀ! ଏହା କେମିତି ତାହା ବୁଝାଇ ଦିଅନ୍ତୁ।

ନେନେ କହି‌େଲ- ବଗିଚା ଭିତରେ ପଡ଼ିଥିବା ଏଇ ରାସ୍ତାକୁ ଦେଖୁଛ କି? ଆମମାନଙ୍କ ଭଳି ଅନେକ ଚାଲିବା ଦ୍ବାରା ବଗିଚା ଭିତରେ ଏଇ ମାର୍ଗଟି ଫିଟିଯାଇଛି। ଏ ବଗିଚାକୁ ଯିଏ ଆସିବ ସେ ଏହି ମାର୍ଗରେ ହିଁ ଚାଲିବ। ଅନେକ ବ୍ୟକ୍ତି ଏଇଭଳି ଗୁରୁ ଖୋଜନ୍ତି, ଯିଏ ମାର୍ଗ ତିଆରି କରିଥିବେ ଏବଂ ଅନୁଗାମୀମାନେ କେବଳ ତାଙ୍କ ପଦାଙ୍କ ଅନୁସରଣ କରି ଚାଲିବେ। ସେହିଭଳି ଗୁରୁ ହିଁ ଶ୍ରେଷ୍ଠ ଗୁରୁ ବୋଲି ମାନ୍ୟତା ମଧ୍ୟ ପାଆନ୍ତି। କିନ୍ତୁ ମୁଁ ସର୍ବଦା ଆକାଶକୁ ଦେ‌େଖ ଓ ଭାବେ ୟା ଭିତରେ ମଧ୍ୟ କେତେ ମାର୍ଗ ନ ପଡ଼ିଛି! କିନ୍ତୁ ସେଇଭଳି ମାର୍ଗର କୌଣସି ଚିହ୍ନ ନାହିଁ। ପ୍ରତିଦିନ ପକ୍ଷୀମାନେ ଉଡ଼ିଗଲା ବେଳେ ଆକାଶରେ ମାର୍ଗ ଫିଟାଇଥାନ୍ତି। କିନ୍ତୁ ସେମାନେ ନିଜର ପଦ ଚିହ୍ନ ଛାଡ଼ି ଯାଆନ୍ତି ନାହିଁ। ତା ଦ୍ବାରା କୌଣସି ପ୍ରଦର୍ଶିତ ମାର୍ଗରେ କେହି ଚାଲୁ ବୋଲି ବିଚାର ରହେନାହିଁ। ପ୍ରତି ପକ୍ଷୀ ନିଜ ନିଜ ମାର୍ଗ ତିଆରି କରନ୍ତି ଯାହା ସେମାନେ ଉଡ଼ିଯିବା ପରେ ଆପେଆପେ ପୋଛି ହୋଇଯାଏ। ମୋ ମତରେ ପ୍ରକୃତ ଗୁରୁ ହେଉଛନ୍ତି ସିଏ, ଯିଏ ପକ୍ଷୀଙ୍କ ଭଳି ସୂଚାଇ ଦିଅନ୍ତି ଯେ ମାର୍ଗଟିଏ ଅଛି। କିନ୍ତୁ କେଉଁ ମାର୍ଗଟି ଠିକ୍‌ ତାହା କହିବେନାହିଁ। ତୁମେ ତୁମ ବଳରେ ତାହା ନିର୍ଣ୍ଣୟ କରିବ ଓ ତୁମ ସାମର୍ଥ୍ୟ ପ୍ରତିପାଦନ କରିବ।

ସମ୍ବନ୍ଧିତ ଖବର