ତ୍ରୁଟି ଚିହ୍ନଟ ଓ ବିବେକ

କଥାଟିଏ - ଯାଯାବର

ଭଗବାନ ତାଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି ମନୁଷ୍ୟକୁ ବୁଦ୍ଧି ଦେଲେ, ଯାହା ତାକୁ ସମସ୍ତଙ୍କ ଠାରୁ ସ୍ବତନ୍ତ୍ର କଲା। ତେଣୁ ମନୁଷ୍ୟର ଅହ˚କାର ବଢ଼ିଗଲା।

ଗୋଲାପ ଫୁଲକୁ ମନୁଷ୍ୟ ପସନ୍ଦ କଲା ସିନା ପ୍ରଶ୍ନ କଲା ଗୋଲାପ ଗଛରେ ଏତେ କଣ୍ଟା କାହିଁକି? ସମୁଦ୍ରର ଅଗାଧ ନୀଳ ଜଳରାଶି ଦେଖି ମୋହିତ ହେଲା, କିନ୍ତୁ ପଚାରିଲା ଏ ପାଣି ଏତେ ଲୁଣିଆ କାହିଁକି? ଏମିତି। ଏଭଳି ପ୍ରଶ୍ନରେ ସମସ୍ତେ ଜର୍ଜରିତ ଓ ବ୍ୟଥିତ ହୋଇ ଈଶ୍ବରଙ୍କ ନିକଟରେ ଅଭିଯୋଗ କଲେ।

ଈଶ୍ବର ମଣିଷକୁ ଡାକି କହିଲେ- ତୁ ଯେହେତୁ ସମସ୍ତଙ୍କ ଠାରେ ଖୁଣ ବାହାର କରୁଛୁ, ସେଥି ଲାଗି ସମସ୍ତେ ତୋ ପ୍ରତି ଅସନ୍ତୁଷ୍ଟ।

ମନୁଷ୍ୟ ତା ବୁଦ୍ଧିରେ ଜବାବ କହିଲା- ପ୍ରଭୁ ଆପଣ ମୋତେ ଏଭଳି ବୁଦ୍ଧି ଦେଇଛନ୍ତି ଯେ ମୁଁ ତର୍ଜମା କରିବାକୁ ସମର୍ଥ। ତେଣୁ ମୁଁ ଯଦି ତ୍ରୁଟି ବାହାର କଲି ସେଥିରେ ଭୁଲ ରହିଲା କେଉଁଠି?

ଭଗବାନ କହିଲେ- ପ୍ରଥମ କଥା, ତୁମେ ନିଜ ବୁଦ୍ଧି ବଳରେ ସ୍ରଷ୍ଟାଙ୍କ ସୃଷ୍ଟିର ଖୁଣ ବାହାର କରୁଛ। ତାର ଅର୍ଥ ତୁମେ ସ୍ରଷ୍ଟାଙ୍କ ବିବେଚନାବୋଧରେ ସନ୍ତୁଷ୍ଟ ନୁହଁ। ସ୍ରଷ୍ଟାଙ୍କ ସୃଷ୍ଟିକୁ ତୁମ ଛଡ଼ା ଅନ୍ୟ ସମସ୍ତେ ବିନା ପ୍ରଶ୍ନରେ ଗ୍ରହଣ କରିନେଇଛନ୍ତି। ତେଣୁ ଖୁଣ ଅନ୍ୟମାନଙ୍କ ଠାରେ ଅଛି ନା ତୁମ ଠାରେ ଅଛି ତାହା ବିଚାର କର। ତୁମକୁ ଏ ପର୍ଯ୍ୟନ୍ତ ମୁଁ କେବଳ ବୁଦ୍ଧି ଦେଇଥିଲି। ଏବେ ବିବେକ ଦେଉଛି। ବିବେକ ହିଁ ତୁମ ଦୃଷ୍ଟିକୁ ମାର୍ଜିତ କରିବ। ସେଇ ଦୃଷ୍ଟିରେ ଦେଖିଲେ ତୁମେ ନିଜ ଖୁଣ ବି ଦେଖିପାରିବ ଓ ନିରବ ରହିବ।

ଏ ଗପଟି କହି ଶିକ୍ଷକ ପିଲାମାନଙ୍କୁ କହିଲେ- ଏବେ ଅନ୍ୟର ଖୁଣ ଦେଖାଇବା ବେଳେ ଟିକିଏ ବିବେକର ଉପଯୋଗ କରିବ।

ସମ୍ବନ୍ଧିତ ଖବର