ଭାବ ଓ ଭାଷା

କଥାଟିଏ - ଯାଯାବର

ଥରେ ୟୁଜିକେ ବସିଥିବା ବେଳେ ଜଣେ ବ୍ୟକ୍ତି ଆସି ତାଙ୍କ ଗୋଡ଼ ତଳେ ପଡ଼ିଗଲେ ଏବଂ ତାଙ୍କ ପାଦ ଦୁଇଟି ଧରି କାନ୍ଦିବାକୁ ଲାଗିଲେ। ୟୁଜିକେ ତାଙ୍କୁ ଉଠାଇ ସାନ୍ତ୍ବନା ଦେଇ ସାଷ୍ଟମ କରାଇଲେ। ଏ କଥା ଦେଖୁଥିଲେ ୟୁଜିକେଙ୍କ ଜଣେ ବନ୍ଧୁ, ବୃତ୍ତିରେ ଜଣେ ପ୍ରଫେସର।

ସେ ଦିନ ସଂଧ୍ୟାରେ ପ୍ରଫେସର ୟୁଜିକେଙ୍କୁ କହିଲେ- ତୁମେ ଜଣେ ମନୁଷ୍ୟ। ଆଉ ଜଣେ ମନୁଷ୍ୟ ତୁମ ଗୋଡ଼ ତଳେ ପଡ଼ି ତୁମ ପାଦ ଧରିବ, ଏ କଥାକୁ ତୁମେ ପସନ୍ଦ କରିପାରୁଛ?

ୟୁଜିକେ କହିଲେ- ତାହା ହେଲେ ଶୁଣ। ଥରେ ବୁଦ୍ଧ ତାଙ୍କ କିଛି ଶିଷ୍ୟଙ୍କ ସହିତ କେଉଁ ଆଡ଼େ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ବାଟ ଓଗାଳିଲା। ତା ଚେହେରା‌ରେ ବୁଦ୍ଧଙ୍କ ପ୍ରତି ପ୍ରଚୁର ଘୃଣା ଫୁଟି ଉଠୁଥିଲା। ସେ ବୁଦ୍ଧଙ୍କ ମୁହଁରେ ମେଞ୍ଚାଏ ଛେପ ପକାଇ ଦେଇ ଚାଲିଗଲା। ବୁଦ୍ଧଙ୍କ ଶିଷ୍ୟମାନେ ତଟସ୍ଥ ହୋଇଗଲେ। କିନ୍ତୁ ବୁଦ୍ଧ ଥିଲେ ଅବିଚଳିତ। ସେ ଶିଷ୍ୟମାନଙ୍କୁ କହିଲେ- ଦେଖ, ମୋ ପ୍ରତି ଏହାଙ୍କର ଘୃଣା ଏତେ ଅଧିକ ଯେ ତାହା ପ୍ରକାଶ କରିବାକୁ ସେ ଭାଷା ପାଇଲେ ନାହିଁ। ତଥାପି ସେହି ଭାବକୁ ମୋତେ ଜଣାଇ ଦେବା ଲାଗି ସେ ମୋ ମୁହଁରେ ଛେପ ପକାଇଲେ। ତେଣୁ ତାଙ୍କର ଏ ଭାଷାକୁ ବୁଝିବାକୁ ହେବ।

ସେମିତି ଏହି ଭଦ୍ରଲୋକ ମୋତେ ଯାହା କହିବାକୁ ଚାହୁଁଥିଲେ, ତାହା ଭାଷାରେ କହିବା ହୁଏତ ଅସମ୍ଭବ ଥିଲା। ସେଥି ଲାଗି ସେ ମୋ ପାଦକୁ ଧରି କାନ୍ଦି ପକାଇଲେ। ମୁଁ ସେଇ ଭାଷା ବୁଝିପାରିଲି। ତେଣୁ ଆମକୁ ଭିନ୍ନ ଭିନ୍ନ ପ୍ରକାର ଭାବର ଭାଷା ବୁଝିବାକୁ ହେବ।

ସମ୍ବନ୍ଧିତ ଖବର