ଜଣେ ସାମୁରାଇ ଯୋଦ୍ଧା ତରବାରି ଚାଳନାରେ ଅପୂର୍ବ ପାରଦର୍ଶିତା ଲାଭ କରିବା ପରେ ଯେତେବେଳେ ଗୁରୁଙ୍କ ଠାରୁ ମେଲାଣି ମାଗିଲେ, ଗୁରୁ କହିଲେ ଶେଷ ଶିକ୍ଷାଟି ଏ ଯାବତ୍ ଦେଇନାହିଁ। ଗୋଟିଏ ତରବାରି ଚୋଟରେ ମାଛିକୁ ଦୁଇ ଗଡ଼ କରି ଦେଇପାରୁଥିବା ସେହି ଯୋଦ୍ଧା େଶଷ ଶିକ୍ଷାଟି ଲାଗି ଦୁଇ ବର୍ଷ ଅପେକ୍ଷା କରିବା ପରେ ଯେତେବେଳେ ଗୁରୁ ତାହା ଦେବାକୁ ମଙ୍ଗିଲେ ନାହିଁ, ଯୋଦ୍ଧା କାହାକୁ ନ କହି ଗୁରୁ ଗୃହ ଛାଡ଼ିଲେ।
କିଛି ବାଟ ଗଲା ପରେ ଗୋଟିଏ ଗଛ ମୂଳରେ ବସିଥିବା ବେଳେ ଦେଖିଲେ ଗାତରୁ ମୂଷାଟିଏ ମୁଣ୍ଡ ବାହାର କରିଛି। ଯୋଦ୍ଧାଙ୍କ ମନକୁ କ’ଣ ଆସିଲା କେଜାଣି ଅଭ୍ୟାସ ଲାଗି ନିଜ ପାଖରେ ରଖିଥିବା କାଠ ତରବାରିରେ ମୂଷା ଉପରେ ଏକ ବୈଦ୍ୟୁତିକ ପ୍ରହାର କଲେ। କିନ୍ତୁ ମୂଷାଟି ଗାତ ଭିତରେ ପଶିଗଲା ଏବଂ କାଠ ତରବାରି ଭାଙ୍ଗିଗଲା। ଏତିକିରେ େଯାଦ୍ଧା ବିଚଳିତ ହୋଇ ଉଠିଲେ। ସେ ଏଥର ତାଙ୍କ ଅସଲ ତରବାରି ଉଠାଇ ଗାତ ମୁହଁରେ ଜଗି ବସିଲେ। ଏଥର ଲକ୍ଷ୍ୟ ଯେମିତି ଚ୍ୟୁତ ନ ହୁଏ, ସେଥି ଲାଗି ଦୃଢ଼ ପରିକର ରହିଲେ। କିଛି ସମୟ ପରେ ପୁଣି ମୂଷାଟି ମୁଣ୍ଡ ଟେକିଲା। ତାକୁ ଆଘାତ ଦେବାକୁ ଉଦ୍ୟତ ଯୋଦ୍ଧା କିନ୍ତୁ ଏବେ ନିଜ ହାତରେ ଏକ ବିଚିତ୍ର କଂପନ ଅନୁଭବ କଲେ। ଏଭଳି ଅନୁଭବ ତାଙ୍କର ଆଗରୁ କେବେ ହୋଇ ନ ଥିଲା।
ସୁତରାଂ, ମୂଷାକୁ ଆକ୍ରମଣ କରିବା ଛାଡ଼ି ସେ ଗୁରୁଙ୍କ ପାଖକୁ ଫେରିଲେ। ସେ ଗୁରୁଙ୍କୁ ସବୁ କଥା କହିଲେ। ଗୁରୁ ଏହା ଶୁଣି କହିଲେ- ଜଣେ ସାମୁରାଇ ଲାଗି ଶେଷ ଶିକ୍ଷା ତୁମେ ପାଇସାରିଛ। ତାହା ହେଲା- କାର୍ଯ୍ୟଟି ସ୍ବଚ୍ଛନ୍ଦରେ କରିଯାଅ, କାମଟି କେମିତି କରୁଛ ତା ଉପରେ ନଜର ରଖ ନାହିଁ।