ୟୁଜିକେଙ୍କୁ ଜଣେ ଅନୁଗାମୀ ପଚାରିଲେ- ଆମର ଶତ୍ରୁ କିଏ ଆଉ ମିତ୍ର କିଏ?
ୟୁଜିକେ କହିଲେ- ଆପଣଙ୍କ ପ୍ରଶ୍ନରେ ମୋର ଗୋଟିଏ କଥା ମନେ ପଡ଼ି ଯାଉଛି। କିଛି ଦିନ ତଳେ ଡେଟ୍ରଏଟ୍ ସହରରେ ମୁଁ ଆଉ ମୋର ଜଣେ ବନ୍ଧୁ ଗୋଟିଏ ସ୍ଥାନକୁ ଯାଉଥିଲୁ। ବନ୍ଧୁ ନୂଆ ଗାଡ଼ି କିଣିଥିଲେ ଓ ତାକୁ ଚଳାଉଥିଲେ। ଗୋଟିଏ ସ୍ଥାନରେ ତାଙ୍କ ଗାଡ଼ିଟି ସହିତ ଆଉ ଗୋଟିଏ ଗାଡ଼ିର ମୃଦୁ ଧକ୍କା ହୋଇଗଲା। କାହାର କିଛି କ୍ଷତି ହେଲାନାହିଁ। ଗାଡ଼ି ଦୁଇଟି ମଧ୍ୟ ଜଖମ ହୋଇ ନ ଥିଲେ। କିନ୍ତୁ ଦୁଇ ଗାଡ଼ିର ଚାଳକଙ୍କ ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ଉଭୟେ ନିଜ ନିଜ ଗାଡ଼ିରୁ ବାହାରି ଯାଇ ପରସ୍ପରକୁ ଏମିତି ଭାବେ ସାମନା କଲେ, ଯେମିତି କ୍ଷଣିକ ଭିତରେ ହାତାହାତି ହୋଇଯିବେ। ମୁଁ ମଧ୍ୟ ଗାଡ଼ିରୁ ବାହାରି ବନ୍ଧୁଙ୍କ ପାଖରେ ଛିଡ଼ା ହୋଇଯାଇଥିଲି। ଦୁହିଁଙ୍କ ନାକ ପୁଡ଼ାରୁ ଅଣଚାଶ ପବନ ବହୁଥିଲା। ମୁଁ କିନ୍ତୁ ମୋ ବନ୍ଧୁଙ୍କ ହାତକୁ ଧୀରେ ଛୁଇଁଲି। ବନ୍ଧୁ ମୋ ଠାରୁ ବାର୍ତ୍ତା ପାଇଗଲେ। ହଠାତ୍ ସେ ପ୍ରକୃତିସ୍ଥ ହୋଇଗଲେ ଏବଂ ଦୁଃଖିତ ବୋଲି କହି ଅଳ୍ପ ହସି ନିଜ ପ୍ରତିପକ୍ଷଙ୍କୁ ଆଲିଙ୍ଗନ କଲେ। ପୂରା ସ୍ଥିତି ବଦଳିଗଲା।
ଏବେ କହନ୍ତୁ ଆମର ପରମ ଶତ୍ରୁ ବା ମିତ୍ର କିଏ?
ଭଦ୍ର ବ୍ୟକ୍ତି କହିଲେ- ଏବେ ବୁଝି ପାରିଲି, ଆମେ ନିଜେ ନିଜର ଶତ୍ରୁ ବା ମିତ୍ର। ଟିକିଏ ବିଚାର କଲେ ବୁଝି ହୋଇଗଲା ଅନ୍ୟକୁ ଶତ୍ରୁ ବୋଲି ବିବେଚନା କରିବା ହେଉଛି ଆମର ନିର୍ବୋଧତା।