ଜନ୍ମସ୍ଥାନକୁ ଫେରିବାର କରୁଣ ଚିତ୍ର : ଟ୍ରକ୍‌ରେ ଖୁନ୍ଦାଖୁନ୍ଦି ହୋଇ ଆନ୍ଧ୍ରପ୍ରଦେଶରୁ ଶୁଳିଆପଦା ଫେରିଲେ ୬୫ ପ୍ରବାସୀ ଓଡ଼ିଆ

ବାରିପଦା/ଶୁଳିଆପଦା : ସାମ୍ନାକୁ ଆସିଛି ପ୍ରବାସୀ ଓଡ଼ିଆଙ୍କ ନିଜ ଜନ୍ମସ୍ଥାନର କରୁଣ ଚିତ୍ର। ଆଜି ଏକ ଟ୍ରକ୍‌ରେ ଖୁନ୍ଦାଖୁନ୍ଦି ହୋଇ ୬୫ଜଣ ପ୍ରବାସୀ ଶୁଳିଆପଦା ଫେରିଛନ୍ତି। ଡହଡହ ଖରାରେ ସିଝି ସିଝି ଆନ୍ଧ୍ରପ୍ରଦେଶରୁ ଫେରିଛନ୍ତି ଏହି ଓଡ଼ିଆ। ଯଦିଓ ଟ୍ରକ୍‌ଟିର ମୟୂରଭଞ୍ଜକୁ ଆସିବାର ଅନୁମତି ନଥିଲା ମାତ୍ର ଏଥିରେ ଥିବା ସମସ୍ତଙ୍କ ନିକଟରେ କିନ୍ତୁ ନିଜ ଘରକୁ ଫେରିବାର ଅନୁମତି ଥିଲା। ତେଣୁ ମାନବିକତାର ଦୃଷ୍ଟିକୋଣରୁ ସମସ୍ତଙ୍କୁ ଜିଲ୍ଲାକୁ ଆସିବାର ଅନୁମତି ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ଆଜି ପ୍ରଚୁର ଖରା ସତ୍ତ୍ବେ ଏକ ଟ୍ରକ୍‌ରେ ଆବଶ୍ୟକତାଠାରୁ ଅଧିକ ଲୋକ ବାରିପଦା ସହର ମଧ୍ୟରେ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଯାଉଥିବା ଦେଖି ସ୍ଥାନୀୟ ଲୋକ ପୁଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସ୍ଥାନୀୟ ଦାରୋଗାଡାହି ଗୋଲେଇ ନିକଟରେ ଅଟକି ଥିବା ଲୋକଙ୍କୁ ପଚରା ଉଚୁରା କରିଥିଲେ । ଘଟଣାସମ୍ପର୍କରେ ସମସ୍ତ ତଥ୍ୟ ଜାଣି ଆଇଆଇସି ଶ୍ରୀ ସେନାପତି ପ୍ରଥମେ ଟ୍ରକ୍‌ରେ ଥିବା ଲୋକଙ୍କୁ ପାଣି ପିଇବାକୁ ଦେଇଥିଲେ। ପରେ ଉପରିସ୍ଥ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇ ଶୁଳିଆପଦା ଥାନା ଆଇଆଇସିଙ୍କୁ ଏସମ୍ପର୍କରେ ସୂଚନା ଦେଇଥିଲେ। ଟ୍ରକ୍‌ଟିକୁ ଶୁଳିଆପଦା ଥାନା ସୀମା ପର୍ଯ୍ୟନ୍ତ ନେଇ ହସ୍ତାନ୍ତର କରିଥିଲେ। ତେବେ ଟ୍ରକ୍‌ଟି ଲୋକଙ୍କୁ ବାରିପଦାରେ ହିଁ ଛାଡ଼ିଦେବାକୁ କହୁଥିବା ଜଣାପଡ଼ିଥିଲା। ମାତ୍ର ପୁଲିସ୍ ଏବଂ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ଶୁଳିଆପଦା ନିଆଯାଇଥିଲା। ସମସ୍ତ ପ୍ରବାସୀଙ୍କୁ ଶୁଳିଆପଦାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ଜଣାପଡ଼ିଛି।

ଆଜି ସୁଦ୍ଧା ଜିଲ୍ଲାକୁ ପ୍ରାୟ ୧୬ଶହରୁ ଊର୍ଧ୍ବ ପ୍ରବାସୀ ଓଡ଼ିଆ ଆସିସାରିଛନ୍ତି। ଜିଲ୍ଲାକୁ ଫେରିବାକୁ ପ୍ରାୟ ୫୦ହଜାର ପ୍ରବାସୀ ପଞ୍ଜିକରଣ କରିଛନ୍ତି। ପ୍ରଥମରୁ ଗ୍ରୀନ୍‌ ଜୋନରେ ଥିବା ମୟୁରଭଞ୍ଜ ପାଇଁ ସୁରତ ଫେରନ୍ତା ବିପଦ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୯ ଜଣ କରୋନା ଆକ୍ରାନ୍ତ ସମସ୍ତେ ସୁରତ ଫେରନ୍ତା।

ସମ୍ବନ୍ଧିତ ଖବର