ଜାଗ୍ରତ ହେବା

କଥାଟିଏ - ଯାଯାବର

ଥରେ ଜଣେ ବ୍ୟକ୍ତି ଫରିଦଙ୍କ ନାମରେ ମିଛ ଅପବାଦ ରଟନା କଲା। ଏ ବାବଦରେ ଖବର ଫରିଦଙ୍କ ପାଖରେ ପହଞ୍ଚିଲା। କିନ୍ତୁ ଫରିଦ ଥିଲେ ସର୍ବଦା ନିର୍ବିକାର।

ତେବେ ଫରିଦଙ୍କୁ ସ୍ଥାନୀୟ ଲୋକେ ବହୁତ ଭଲ ପାଉଥିଲେ। ତେଣୁ ଏଭଳି ଅପବାଦ ରଟନାକୁ ଲୋକେ ସହି ପାରିଲେ ନାହିଁ। ସବୁ ଆଡୁ ଆକଟ ଶୁଣି ଶେଷ‌େର ଦିନେ ସେ ନିଜ ଭୁଲ ଲାଗି ଅନୁତପ୍ତ ହେଲା ଓ ଫରିଦଙ୍କ ପାଖକୁ କ୍ଷମା ମାଗିବାକୁ ଆସିଲା।

ସେ ନିଜ ଭୁଲ ଲାଗି ଫରିଦଙ୍କୁ କ୍ଷମା ମାଗିଲା। ଫରିଦ ପଚାରିଲେ- କି କଥା? କ୍ଷମା କେଉଁଥି ଲାଗି?

ସେ ପୁଣି କହିଲେ- ଜଣେ ଜଣକୁ କ୍ଷମା ଦେବାର ମୂଳରେ କ’ଣ ଥାଏ ବୁଝିଛ ତ? ମୁଁ ତୁମକୁ କ୍ଷମା କଲି ବୋଲି ବିଚାର କରିବାର ଅର୍ଥ ଯେ ମୁଁ ମନ ଭିତରେ ସ୍ଥିର କରି ସାରିଛି ଯେ ତୁମେ ମୋ ପାଖରେ ଦୋଷୀ। ତେଣୁ ତୁମକୁ ମୁଁ କ୍ଷମା କରି ତୁମ ଦୋଷ ମାର୍ଜନା କଲି। ତାର ଅର୍ଥ ମୁଁ କେତେ ମହାନ?

କିନ୍ତୁ ସତ କହି‌େଲ ତୁମେ ଯାହା, ତୁମେ ତାହା। ତୁମେ ଯାହା କରିଛ, ତାହା ହିଁ ତୁମେ କରିବାକୁ ସବୁଠାରୁ ଅଧିକ ସମର୍ଥ। ମୁଁ ତୁମକୁ ତୁମ ଭଳି ହିଁ ସ୍ବୀକାର କରେ। ଆମେ ସମସ୍ତେ ଦୋଷ ଗୁଣରେ ଭରା। ତୁମେ ଯଦି ତୁମ କାମକୁ ଭୁଲ ବୋଲି ଭାବି କ୍ଷମା ପ୍ରାର୍ଥନା କରୁଛ, ମୋର ବି ସେମିତି କେତେ ଭୁଲ ହେଉଥିବ!

ବଡ଼ କଥା ହେଲା ଭୁଲକୁ ଭୁଲ ବୋଲି ଜାଣିବା। ତୁମେ ତାହା ଭୁଲ ଥିଲା ବୋଲି ଜାଣି ପାରିଛ ତ? ତାହା ହେଲେ କଥା ଶେଷ। ଜାଣିବାର ଅର୍ଥ ହେଲା ଜାଗ୍ରତ ହେବା। ସେତିକି ଯଥେଷ୍ଟ।

ସମ୍ବନ୍ଧିତ ଖବର