ଅରାଜକତାକୁ ଦୂରେଇ ଦିଅ

କଥାଟିଏ - ଯାଯାବର

ଗୁରୁ ୟୁଜିକେ ତାଙ୍କର ଜଣେ ଅନୁଗାମୀଙ୍କ ସହିତ ବଜାରରେ ବୁଲୁଥିଲେ। ବଜାରର କୋଳାହଳ ମଧ୍ୟରେ ବି ୟୁଜିକେ ଧ୍ୟାନସ୍ଥ ଥିବା ଭଳି ବୋଧ ହେଉଥିଲା। ଅନୁଗାମୀ ଜଣକ ହଠାତ୍ ପ୍ରଶ୍ନ କଲେ- ଜୀବନକୁ ଶୃଙ୍ଖଳିତ କରିବି କିପରି?

ୟୁଜିକେ କହିଲେ- ତୁମେ ମୋ ସହିତ ବଜାରରେ ବୁଲୁଥିବା ବେଳେ କିଛି ଅପୂର୍ବ ସଂଗୀତ ଶୁଣି ପାରୁଥିଲ କି?

ଅନୁଗାମୀ କାନ ଡେରିଲେ ଓ କିଛି ଶୁଣିବାକୁ ଚେଷ୍ଟା କଲେ। ତା’ ପରେ ସେ କହିଲେ- କ୍ଷମା କରିବେ କାହିଁ କେଉଁଠାରୁ ସଂଗୀତ ଭାସି ଆସୁଥିବା ଭଳି ଲାଗୁ ନାହିଁ ତ?

ୟୁଜିକେ କହିଲେ- ନା, ନା। କଥା ହେଲା ଏହି ବଜାରର ଗୋଳ ଭିତରେ ବି ସେହି ଆଠଟି ସ୍ବର ବିଭିନ୍ନ ତୀବ୍ରତାରେ ରହିଛି, ଯାହା କୌଣସି ସ୍ବରବଦ୍ଧ ସଂଗୀତରେ ରହିଥାଏ। ଏହି ଆଠଟି ସ୍ବର ବାହାରେ କୌଣସି ସ୍ବର ସୃଷ୍ଟି ହୋଇନାହିଁ। ତେବେ ବଜାରରେ ଗୋଳ ଶୁଭୁଛି କାହିଁକି? ସଂଗୀତ ଶୁଭୁନାହିଁ କାହିଁକି? ଏହାର କାରଣ ବଜାରରେ ଅରାଜକତା ରହିଛି। ତମେ ଏଥିରୁ ଅରାଜକତାକୁ ଦୂରେଇ ଦିଅ, ଦେଖିବ ଚମତ୍କାର ସଂଗୀତଟିଏ ସୃଷ୍ଟି ହୋଇପାରେ।

ଏହା ପରେ ପୁଣି ୟୁଜିକେ କହିଲେ- ସେମିତି ତୁମ ଜୀବନରେ ସବୁ କିଛି ଅଛି ଯାହା ଏକ ଶୃଙ୍ଖଳିତ ଜୀବନରେ ଥାଏ। କେବଳ ବିଶୃଙ୍ଖଳାକୁ ଦୂରେଇ ଦିଅ।

ସମ୍ବନ୍ଧିତ ଖବର