ପାତ୍ର ଓ ଅପାତ୍ର

କଥାଟିଏ - ଯାଯାବର

ଗୁରୁଙ୍କୁ ଶିଷ୍ୟ ପଚାରିଲା- ମହାତ୍ମା, ମୋ ମନରେ ପ୍ରଶ୍ନଟିଏ ଉଠୁଛି। ତାହା ହେଲା, ଭଗବାନ କାହିଁକି ଅପାତ୍ରରେ ଦିଅନ୍ତି?

ଗୁରୁ କହିଲେ- ତାହା ବୁଝିବା ଲାଗି ମୋ ଠାରୁ କଥାଟିଏ ଶୁଣ। ଗୋଟିଏ ଆମ୍ବ ଗଛ ଥିଲା। ସେଥିରେ ଫଳୁଥିଲା ଦୁର୍ଲ୍ଲଭ ଆମ୍ବ। କିନ୍ତୁ ଆମ୍ବ ଫଳୁଥିଲା ବହୁତ କମ୍‌। ଯେଉଁ ସ୍ଥାନରେ ଗଛଟି ଥିଲା, ସେଠାକାର ଲୋକମାନେ ଗଛଟିକୁ ଅତି ପବିତ୍ର ବୋଲି ମାନୁଥିବାରୁ କେହି ଗଛ ଚଢ଼ି ବା ପଥର ମାରି ଆମ୍ବ ଝଡ଼ାଉ ନ ଥିଲେ। କେବଳ ଆମ୍ବ ପାଚି ଝଡ଼ିଲେ ଯାଇ ଲୋକେ ତାକୁ ନେଉଥିଲେ।

ଥରେ ରାଜାଙ୍କର ସେ ଗଛର ଆମ୍ବ ଖାଇବାକୁ ଇଚ୍ଛା ହେଲା। ରାଜାଙ୍କ କର୍ମଚାରୀମାନେ ଆସି ଗଛ ମୂଳରେ ଜଗି ରହିଲେ ଯେ ଆମ୍ବ ପଡ଼ିଲେ ନେଇ ରାଜାଙ୍କୁ ଦେବେ। ଗଛରେ ପାଚିଲା ଆମ୍ବ ଥିଲା, କିନ୍ତୁ ଅନେକ ଦିନ ପର୍ଯ୍ୟନ୍ତ ଗୋଟିଏ ବି ଝଡ଼ିଲା ନାହିଁ। ଦିନେ ଜଗିଥିବା କର୍ମଚାରୀମାନେ ଅପେକ୍ଷା କରି କରି ଧୈର୍ଯ୍ୟହରା ହୋଇ ଟିକିଏ ମଉଜ ଲାଗି ପାଖ ଗାଁକୁ ଚାଲିଗଲେ। ସେମାନେ ଯିବା ପରେ ପରେ ଆମ୍ବଟିଏ ପଡ଼ିଲା। ସେଇ ବାଟେ ଯିଏ ଯାଉଥିଲା ସେ ତାକୁ ପାଇ ନେଇଗଲା।

ଆମ୍ବ ପାଚି ଆପେ ଆପେ ପଡ଼ିବା କାର୍ଯ୍ୟଟି ଯଦି ଭଗବାନଙ୍କ ଦ୍ବାରା ନିୟନ୍ତ୍ରିତ ବୋଲି ଆମେ ଭାବିବା ତେବେ ଗୋଟିଏ କଥା ପରିଷ୍କାର ଯେ ଭଗବାନ ରାଜାଙ୍କ ଲାଗି ଆମ୍ବଟିଏ ପକାନ୍ତି ନାହିଁ। ଆମ୍ବଟି ଠିକଣା ଭାବେ ପାଚିଲେ ହିଁ ତଳେ ପଡ଼ିବ। ସେତିକି ବେଳେ ସେଠି ଯିଏ ଥିବ ସେ ତାହା ପାଇବ। ସେ ପାତ୍ର କି ଅପାତ୍ର ତାହା ଭଗବାନ ବୁଝନ୍ତି ନାହିଁ। ଭଗବାନ ସେମିତି ଦିଅନ୍ତି।

ସମ୍ବନ୍ଧିତ ଖବର