ରାଜାଙ୍କ ଦଣ୍ତାଦେଶ

କଥାଟିଏ - ଯାଯାବର

ଏକଦା କୌଣସି ଜଣେ ବ୍ୟକ୍ତିର ଆକ୍ରମଣରେ ରାଜ୍ୟର ଜଣେ ପ୍ରଭାବଶାଳୀ ଅମାତ୍ୟ ନିହତ ହେଲେ। ତେବେ ହତ୍ୟାକାରୀର ଠାବ ମିଳିଲା ନାହିଁ। ଅନେକ ଦିନ ପରେ ଜଣେ ଯୁବକ ରାଜାଙ୍କୁ ଭେଟିବାକୁ ଚାହିଁଲା। ଯୁବକଟି ରାଜାଙ୍କୁ ଯାହା କହିଲା ସେଥିରେ ରାଜା ଆକାଶରୁ ଗଳିପଡ଼ିଲେ। କାରଣ ଯୁବକର କହିବାନୁସାରେ ସେ ଥିଲା ହତ୍ୟାକାରୀ। ଯେହେତୁ ସେ ଦୋଷୀ, ସେ ଦଣ୍ତ ପାଇବା ଉଚିତ ବୋଲି ରାଜାଙ୍କ ନିକଟରେ ନିଜକୁ ସମର୍ପଣ କରିବାକୁ ଆସିଥିଲା।

ଅମାତ୍ୟ ଜଣେ ଅତ୍ୟାଚାରୀ ସଇତାନ ଥିବାରୁ ତାଙ୍କୁ ସେ ହତ୍ୟା କରିଥିଲା। ରାଜା ତାକୁ ଜେଲକୁ ପଠାଇଦେଲେ। ତେବେ କାରାଗାର ରକ୍ଷୀ ଠାରୁ ଯୁବକର ପ୍ରତିଟି ଆଚରଣ ବିଷୟରେ ଖବର ରଖିଲେ। କିଛି ଦିନ ପରେ ରାଜା ଯୁବକର ବିଚାର କଲେ। ରାଜ୍ୟର ଆଇନ ଅନୁସାରେ ହତ୍ୟାକାରୀକୁ ମୃତ୍ୟୁ ଦଣ୍ତ ମିଳିବା କଥା। ପୁଣି ନିହତ ବ୍ୟକ୍ତି ଜଣେ ଅମାତ୍ୟ। ତେଣୁ ସମସ୍ତେ ନିଶ୍ଚିତ ଥିଲେ ଯେ ମୃତ୍ୟୁ ଦଣ୍ତ ମିଳିବ। କିନ୍ତୁ ଶେଷରେ ରାଜା ବିଚାର ଶୁଣାଇ କହିଲେ- ହତ୍ୟାକାଣ୍ତ‌ର ଦୋଷୀର ମୃତ୍ୟୁ ହୋଇ ସାରିଲାଣି। ତାକୁ ଦଣ୍ତ ଦେଇ ଲାଭ ନାହିଁ।

ରାଜାଙ୍କ ଠାରୁ ଏଭଳି ବିଚାର ଶୁଣି ଗୁଞ୍ଜରଣ ଖେଳିଗଲା।

ତେଣୁ ରାଜା ବୁଝାଇ ଦେଇ କହିଲେ- ଯୁବକଟି ହତ୍ୟା କରିଛି ସତ। ଏବ˚ ସେ ଯାହାଙ୍କୁ ହତ୍ୟା କରିଛି ସେ ମଧୢ ଜଣେ ମନ୍ଦ ସ୍ବଭାବର ବ୍ୟକ୍ତି। କିନ୍ତୁ ହତ୍ୟା କରିବା କୌଣସି ରୂପେ ଏକ ଉତ୍ତମ କାର୍ଯ୍ୟ ନୁହେଁ ବୋଲି ଯୁବକ ବୁଝି ପାରିଛି। ସେଥି ଲାଗି ସେ ଘୋର ଅନୁତପ୍ତ। ତାକୁ କେହି ଧରି ପାରୁ ନ ଥିବା ବେଳେ ସେ ଆତ୍ମସମର୍ପଣ କରି ଦଣ୍ତ ଭିକ୍ଷା କରିଛି। ତେଣୁ ମୁଁ ଭାବେ ଅପରାଧ କରିଥିବା ଯୁବକଟି ଆଜି ମୃତ। ତେଣୁ ତାକୁ ଆଉ ମୃତ୍ୟୁ ଦଣ୍ତ ନ ଦେଇ ଜିଇବାର ବାଟ ଦେଖାଇ ଦିଆଯାଉ।

ସମ୍ବନ୍ଧିତ ଖବର