ଜଣେ ଗୁରୁଙ୍କ ପାଖରେ ଥିଲା ଭାରି ଯୁକ୍ତିପ୍ରବଣ ଶିଷ୍ୟଟିଏ। ସେ ଈଶ୍ବରଙ୍କ ଅସ୍ତିତ୍ବ ନେଇ ଯୁକ୍ତି କରୁଥିଲା। ସେ କହୁଥିଲା ଈଶ୍ବର ଅଛନ୍ତି ବୋଲି ପ୍ରମାଣ ଦିଅ।
ଏହା ଶୁଣି ଗୁରୁ ଜଣେ ଶିଷ୍ୟକୁ କହିଲେ- ଏ ପିଲାର ବୁଢ଼ା ଆଙ୍ଗୁଠିକୁ ପାପୁଲି ସହିତ ମିଶାଇ ଜୋର୍ରେ ବାନ୍ଧି ଦିଅ। ତାହା କରାଗଲା। ବର୍ତ୍ତମାନ ଗୁରୁ ଯୁକ୍ତିପ୍ରବଣ ଶିଷ୍ୟଟିକୁ କହିଲେ- ବାବୁରେ ମୋ ପାଇଁ ପାଣି ଢାଳଟିଏ ଆଣିଲୁ ଦେଖିବା।
ପିଲାଟି କହିଲା ବୁଢ଼ା ଆଙ୍ଗୁଠି ବାନ୍ଧି ଦେଇଛନ୍ତି। ପାଣି ଢାଳ ଉଠାଇବି କେମିତି?
ଗୁରୁ କହିଲେ, ବାବୁ ସତ କହ, ତୁ ହେତୁ ପାଇବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ଚଉଦ ପନ୍ଦର ବର୍ଷ ବିତି ଯିବଣି। ତୁ କେବେ ହେଲେ କ୍ଷଣଟିଏ ବି ଚିନ୍ତା କରିଛୁ ଯେ ତୋର ହାତରେ ବୁଢ଼ା ଆଙ୍ଗୁଠିଟିଏ ଅଛି ଆଉ ତା’ ବିନା ଅନେକ କାମ କରିବା ଅସମ୍ଭବ?
ଶିଷ୍ୟଟି କହିଲା- ମହାତ୍ମା, ଆପଣ ଠିକ୍ କହୁଛନ୍ତି। ହେଲେ ଏହା ସହିତ ମୋ ପ୍ରଶ୍ନର କ’ଣ ସ˚ପର୍କ? ଈଶ୍ବର ଅଛନ୍ତି ବୋଲି ପ୍ରମାଣ କ’ଣ?
ଗୁରୁ କହିଲେ, ଆରେ ମୂର୍ଖ, ନିଜ ହାତର ବୁଢ଼ା ଆଙ୍ଗୁଠି ନେଇ ତୁ ସଚେତନ ନୁହେଁ, ଅଥଚ ଈଶ୍ବର ଅଛନ୍ତି କି ନାହିଁ ବୋଲି ପ୍ରମାଣ ଖୋଜୁଛୁ? ବୁଝିଲୁ ବାବୁ, ଈଶ୍ବର ବୁଢ଼ା ଆଙ୍ଗୁଠି ଭଳି। ଏ ପୃଥିବୀକୁ କିଏ ଚଳାଉଛି? କୋଉ ମଣିଷ ଚଳାଉଛି କି? ବୁଢ଼ା ଆଙ୍ଗୁଠି ଭଳି ଈଶ୍ବର ସବୁ ଭିତରେ ରହି ଏମିତି ତାକୁ ଚଳାଉଛନ୍ତି ଯେ ତୁମେ ସେ ବିଷୟରେ ଜାଣି ପାରୁନା। ସବୁ କିଛି ସ୍ବାଭାବିକ ଲାଗୁଛି। ସେହି ଗୋଟିଏ ଆଙ୍ଗୁଠି ନ ଥିଲେ ଚାରି ଆଙ୍ଗୁଠି ଥାଇ ନ ଥିଲା ଭଳି। ଈଶ୍ବରଙ୍କ ଉପସ୍ଥିତି ନ ଥିଲେ ସବୁ କିଛି ଥାଇ ନ ଥିଲା ଭଳି ହୋଇଯିବ।