ରାଜାଙ୍କ ନମ୍ରତା

କଥାଟିଏ - ଯାଯାବର

ବୟସରେ ସିନା ତରୁଣ, ରାଜା ଥିଲେ ଅତ୍ୟନ୍ତ ସାହସୀ ଓ ବୀର। ଏହା ସତ୍ତ୍ବେ ସେ ଥିଲେ ବିନୟୀ ଓ ନମ୍ର। ତେବେ ରାଜାଙ୍କର ବିନୟୀ ଗୁଣଟି ମହାମନ୍ତ୍ରୀଙ୍କୁ ଭଲ ଲାଗୁ ନ ଥିଲା। ସେ ଭାବୁଥିଲେ ଯେ ବିନୟୀ ଗୁଣଟି ରାଜାଙ୍କର ଏକ ଦୁର୍ବଳତା। ସାଧାରଣ ପ୍ରଜାମାନଙ୍କ ସହିତ ରାଜାଙ୍କ ଏହି ବ୍ୟବହାର ଯଥାର୍ଥ ନୁହେଁ। ଦିନେ ମହାମନ୍ତ୍ରୀ ନିଜ ଅନୁଭୂତିକୁ ଆଧାର କରି ଅନେକ ଉଦାହରଣ ତାଙ୍କ ଆଗରେ ରଖି କହିଲେ ଯେ ରାଜାଙ୍କ ନମ୍ରତା ଭୁଲ ସନ୍ଦେଶ ଦେଉଛି। ସାଧାରଣ ପ୍ରଜା ଭାବିନେବେ ଯେ ସେମାନଙ୍କ ରାଜା ଦୁର୍ବଳ।

ତରୁଣ ରାଜା ଏହା ଶୁଣିଲେ ଏବ˚ କହିଲେ- ମହାମନ୍ତ୍ରୀ, ଆପଣ ମୋ ପିତାଙ୍କର ସବୁଠାରୁ ଘନିଷ୍ଠ ପରାମର୍ଶଦାତା ଥିଲେ। ଆପଣଙ୍କ ପରାମର୍ଶକୁ ମୁଁ ମଧୢ ସର୍ବଦା ଶ୍ରଦ୍ଧାର ସହିତ ଗ୍ରହଣ କରେ। କିନ୍ତୁ ଏ ବ୍ୟାପାରରେ ମୋର ମତ ଭିନ୍ନ। ମୋ ପିତା ମୋତେ ଗୋଟିଏ କଥା କହିଥିଲେ, ଯାହାକୁ ମୁଁ ମୋ ଜୀବନରେ ସର୍ବଦା ପାଳନ କରିବାକୁ ଚେଷ୍ଟା କରିବି। ଥରେ ମୋ ପିତା ମୋତେ କହିଥିଲେ- ତୁମ ପାଖରେ କ’ଣ ଅଛି ତାହା କିଛି ମୂଲ୍ୟ ରଖେନା। କାରଣ ସେ ସବୁ ପରିସ୍ଥିତି ଚକ୍ରରେ ଅନ୍ୟ ଦ୍ବାରା ଅପହୃତ ହୋଇଯାଇପାରେ, କାଳ ଚକ୍ରରେ ଜଣେ ତାର ଧନ ସ˚ପତ୍ତି, ପ୍ରତିପତ୍ତି ଆଦି ହରାଇ ଦେଇପାରେ। ତେଣୁ ତୁମେ କ’ଣ ଆହରଣ କରିଛ ତାହା ଗୁରୁତ୍ବ ରଖେନା। ଯାହା ଗୁରୁତ୍ବ ରଖେ ତାହା ହେଉଛି ତୁମର ଗୁଣ ବା ତୁମେ କ’ଣ! ତୁମେ ଯାହା, ତାହା ତୁମ ଠାରୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ତେଣୁ ତୁମେ ସେହି ଅନୁସାରେ ନିଜକୁ ଗଢ଼ିବ।

ମନ୍ତ୍ରୀ କିଛି କହିଲେ ନାହିଁ।

କିନ୍ତୁ ବିନମ୍ର ରାଜାଙ୍କ ପ୍ରଭାବ ସେ ଲକ୍ଷ୍ୟ କରିପାରୁଥିଲେ। କ୍ଷମତାଧାରୀ ବିନୟୀ ହେଲେ ପ୍ରଜା କିଭଳି ଆପଣା ଛାଏଁ ହୃଦୟ ଦେଇ ବଶମ୍ବଦ ହୋଇଯାଆନ୍ତି, ମନ୍ତ୍ରୀ ମହାଶୟ ତାହା ଦେଖିଲେ।

ସମ୍ବନ୍ଧିତ ଖବର