ମୁଲ୍ଲା ନସିରୁଦ୍ଦିନ ବିଚାରପତି ଥିବା ବେଳେ ଜଣେ ପାଠୁଆ ଲୋକ ଆସି ଜଣାଇଲେ- ଧର୍ମାବତାର, ଜଣେ ଲୋକ ରାସ୍ତାରେ ମୋତେ ବଡ଼ ପାଟିରେ ଗଧ ବୋଲି କହି ଅପମାନିତ କରିଛି। ଏଣୁ ମୁଁ ମାନହାନି ମକଦ୍ଦମା କରିବାକୁ ଚାହେଁ।
ମୁଲ୍ଲାଙ୍କ ମୁଖମଣ୍ଡଳ କଠିନ ହୋଇଗଲା। ସେ କହିଲେ- ଏଇ ମାତ୍ର କଥା ଲାଗି ତୁମେ ବିଚାରାଳୟର ସମୟ ନଷ୍ଟ କରିବାକୁ ଆସିଛ? ତୁମ ଉପରେ ହଜାରେ ସ୍ବର୍ଣ୍ଣ ମୁଦ୍ରାର ଜରିମାନା ଦଣ୍ଡ ଲାଗିଲା। ଏବେ ତାହା ପୈଠ କର।
ଅଭିଯୋଗ ଆଣିଥିବା ଲୋକ ଏହାର ପ୍ରତିବାଦ କରିବା ଲାଗି ମୁହଁ ଖୋଲିବା ବେଳକୁ ମୁଲ୍ଲାଙ୍କ ଚିତ୍କାର ଶୁଣାଗଲା- ଆହୁରି ସମୟ ନଷ୍ଟ କରିବାକୁ ଚାହୁଁଛ? ଏଇ କ୍ଷଣି ଏଠାରୁ ଭାଗ ନ ହେଲେ ଜରିମାନାକୁ ଦଶ ସହସ୍ର ସ୍ବର୍ଣ୍ଣ ମୁଦ୍ରା କରିପକାଇବି। ସେଇ ବ୍ୟକ୍ତି କାନ୍ଦୁଣୁମାନ୍ଦୁଣୁ ହୋଇ ବାହାରି ଚାଲିଗଲା ବେଳକୁ ନିଜକୁ ନିଜେ କହିବାକୁ ଲାଗିଲେ- ମୁଁ ପ୍ରକୃତରେ ବଡ଼ ଗଧ। ନ ହେଲେ ଏଠାକୁ ଅଭିଯୋଗ ନେଇ ଆସିଥା’ନ୍ତି!
ଏବେ ମୁଲ୍ଲା କଅଁଳିଆ ସ୍ବରରେ ପଛରୁ ଡାକିଲେ- ଏବେ ଆସ। ଏବେ ବୁଝିପାରିଲ ତ ତୁମକୁ ଗଧ ବୋଲି କହି ତୁମର ମାନହାନି କରାଯାଇନାହିଁ?
ମୁଲ୍ଲା କହିଲେ- ଶୁଣ, ଆମେମାନେ ନିଜକୁ ଯେତେ ଚଲାକ ଚତୁର ବୋଲି ଭାବିଲେ ବି ଆମେମାନେ ଯେ ପ୍ରକୃତରେ ଜଣେ ଜଣେ ଗଧ ତାହା ଅନେକ ଘଡ଼ିସନ୍ଧି କ୍ଷଣରେ ଆମେ ହୃଦୟଙ୍ଗମ କରୁ। ଆଗରୁ ତାହା ଯେ ବୁଝିପାରେ ସେ ପ୍ରକୃତରେ ବୁଦ୍ଧିମାନ ଓ ସେ ଖୁସିରେ ରହେ।