ନିଆଁ ଓ ପାଣି

କଥାଟିଏ - ଯାଯାବର

ଜଣେ ତରୁଣ ତାର ମାଆଙ୍କୁ ପଚାରିଲା-ମା’ ତୁମେ ଟାଣ ହେଉ ନାହଁ କାହିଁକି?

ମା’ ପଚାରିଲେ- ତୁ ସେମିତି କାହିଁକି ଭାବୁଛୁ?

ତରୁଣ କହିଲା- ବାପା ଏତେ କଡ଼ା। ସେ ରାଗି ଗଲେ ତାଙ୍କ ମନକୁ ଯାହା ଆସେ ତୁମକୁ ଗାଳି ଦିଅନ୍ତି। ତୁମେ କିଛି କୁହନାହିଁ। କେବଳ ବାପା ନୁହନ୍ତି, ଅନେକ ଲୋକ ତୁମ ଉପରେ ଟାଣ ଦେଖାନ୍ତି। ତଥାପି, ତୁମେ ସବୁ କିଛି ସହିଯାଅ। ଲାଗେ, ଯେମିତି କିଛି ବି ହୋଇନାହିଁ। ତୁମେ ବୁଝିପାରୁନାହଁ, ସମସ୍ତେ ତୁମର ଏ ଦୁର୍ବଳତାର ସୁଯୋଗ ନେଉଛନ୍ତି। ତୁମେ ପ୍ରତିବାଦ କର।

ମା’ କହିଲେ- ମୁଁ ଯାହା ସେମିତି ନ ହୋଇ କଡ଼ା ହୋଇଥିଲେ କ’ଣ ହୋଇଥାଆନ୍ତା?

ତରୁଣ କହିଲା- ସେମାନେ ଠିକଣା ଜବାବ ପାଆନ୍ତେ। ମୋ ସାଙ୍ଗର ମା’ ଏମିତି କଥାରେ ସହନ୍ତି ନାହିଁ; ରାଗି ରୋଷେଇ ବନ୍ଦ କରି ଦିଅନ୍ତି। ମାଉସୀଙ୍କ ଟାଣରେ ସମସ୍ତେ ସାବାଡ଼ ହୁଅନ୍ତି।

ମା’ ଧୀରେ କହିଲେ- କୋମଳତାରେ ବି ଗୋଟିଏ ଶକ୍ତିି ଥାଏ। କୋମଳତାର ବି ଟାଣ ପଣ ଥାଏ। ତୋ ସାଙ୍ଗ ଘରେ ଯାହା ହୁଏ, ତାହା ତ ଏକ ଅଶାନ୍ତ ପରିବେଶ ସୃଷ୍ଟି କରେ! ଆମ ଘରେ ସେମିତି ହେଉ ବୋଲି ତୁ ଚାହୁଁ କି? ମୋ କୋମଳତା ଯୋଗୁଁ ଘରେ ଶାନ୍ତି ବିରାଜମାନ କରେ। କାହା ମୁଣ୍ତରେ ରାଗ ଅଧିକ ସମୟ ରହିପାରେନା। ଯେଉଁ ବ୍ୟକ୍ତି ମୋ ସହିତ ଖରାପ ଆଚରଣ କରିଥାଆନ୍ତି, ଅନେକ ସମୟରେ ସେ ଅନୁତପ୍ତ ବି ହୁଅନ୍ତି। କାହାର କାହାର ହୃଦୟରେ ପରିବର୍ତ୍ତନ ବି ହୁଏ। ପୁଅ ନିଆଁକୁ କ’ଣ ନିଆଁ ଲିଭାଇ ପାରେ? ନିଆଁକୁ ଲିଭାଇବା ଲାଗି ପାଣି ଦରକାର। ପାଣି ଶୀତଳ, କିନ୍ତୁ ଦୁର୍ବଳ ନୁହେଁ।

ସମ୍ବନ୍ଧିତ ଖବର