ଜଣେ ସାଧୁ ଗୋଟିଏ ମନ୍ଦିର ନିକଟରେ ବିଶ୍ରାମ ନେଉଥିଲେ। ସେଇ ମନ୍ଦିରକୁ ଅନେକ ଲୋକ ଯିବା ଆସିବା କରୁଥିଲେ। ସାଧୁ ଦେଖିଲେ ଯେ ସେମାନଙ୍କ ଭିତରୁ ଅନେକ ସେଇ ମନ୍ଦିରର ଗୋଟିଏ କୋଣରେ ରହିଥିବା ଏକ ଥାଳିରେ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ମୁଦ୍ରା ରଖୁଥାଆନ୍ତି।
ସାଧୁ ଏହାର କାରଣ କ’ଣ ବୋଲି ପଚାରିଲେ। ମନ୍ଦିରର ପୂଜକ କହିଲେ- ଏଇ ମନ୍ଦିରରେ ପୂଜା ପାଉଥିବା ଦେବତା ଭାରି ପ୍ରତ୍ୟକ୍ଷ। ଏଠାକୁ ଅନେକ ଶ୍ରଦ୍ଧାଳୁ ଆସି ମାନସିକ କରନ୍ତି। ମାନସିକ ପୂରଣ ହେଲେ ସେମାନେ ପ୍ରତିଜ୍ଞା କରିଥିବା ନିର୍ଦ୍ଦିଷ୍ଟ ପରିମାଣର ଅର୍ଥକୁ ଏହି ଥାଳିରେ ଅର୍ପଣ କରନ୍ତି।
ଏ କଥା ଶୁଣି ସାଧୁ ଚଟ୍ କିନା ଉଠିପଡ଼ିଲେ ଏବ˚ କହିଲେ- ମୋର ଏଠାରୁ ଏଇ କ୍ଷଣି ଚାଲିଯିବା ଉଚିତ ହେବ।
ପୂଜକ ବିସ୍ମିତ ହୋଇ କାରଣ କ’ଣ ବୋଲି ପଚାରିବାରୁ ସାଧୁ କହିଲେ- ଆପଣ ଯାହା ସବୁ କହିଲେ ସେଥିରୁ ମୁଁ ଜାଣିଲି ଯେ ଆପଣ ଏଠାରେ ଜଣେ ଏମିତି ଠାକୁରଙ୍କୁ ରଖିଛନ୍ତି ଯିଏ ଆପଣମାନେ ଡାକିଲା ମାତ୍ରକେ ଶୁଣନ୍ତି ଓ ଆପଣମାନଙ୍କ କଥା ଶୁଣିବା ମାତ୍ରକେ ତାକୁ ପାଳନ କରିବାରେ ଲାଗିଯାଆନ୍ତି। ପୁଣି ସେଥି ଲାଗି ଆପଣମାନେ ଠାକୁରଙ୍କୁ ପାରିଶ୍ରମିକ ବି ଦିଅନ୍ତି। ୟେ ତ ସା˚ଘାତିକ ବ୍ୟାପାର!
ପୂଜକ ଏହା ଶୁଣି ଲଜ୍ଜିତ ହେଲେ।
ସାଧୁ କହିଲେ- ମହାଶୟ, ଈଶ୍ବର ବୋଲି ଯଦି କେହି ଅଛନ୍ତି ତେବେ ସେ ପୃଥିବୀର କୀଟ ପତଙ୍ଗ ଠାରୁ ଆରମ୍ଭ କରି ସବୁ ପ୍ରାଣୀଙ୍କ ଈଶ୍ବର, କେବଳ ମନୁଷ୍ୟର ନୁହେଁ। ଜଗତ୍ର ହିତ ଓ କଲ୍ୟାଣ ଲାଗି ନିଜ ଇଚ୍ଛାରେ ହିଁ ତାକୁ ସେ ଚଳାନ୍ତି। ଯଦି ମଣିଷଙ୍କ ଇଚ୍ଛାରେ ଈଶ୍ବର ଚାଲିବେ, ତେବେ ଏ ସ˚ସାର ତିଷ୍ଠି ରହିବ ଟି?