ଥରେ ଜଣେ ରାଜା ନିଜ ମନ୍ତ୍ରୀ ଓ ପାରିଷଦମାନଙ୍କ ସହିତ ବଣ ଭିତରକୁ ଶିକାର ଲାଗି ଯାଇ ଦୁର୍ଭାଗ୍ୟବଶତଃ ଦଳ ଠାରୁ ଅଲଗା ହୋଇଗଲେ। ରାତି ମାଡ଼ି ଆସିଲା। ରାଜା କୌଣସି ଉପାୟ ନ ପାଇ ଏକ ଗୁମ୍ଫା ଭିତରେ ଆଶ୍ରୟ ନେଲେ। ତେବେ ସେଠାରେ ରାତ୍ରି ଯାପନ କରିବା ଥିଲା ବିପଦସ˚କୁଳ। ରାଜା ଭୟରେ ଜଡ଼ସଡ଼ ହୋଇ ଗୁମ୍ଫା ଭିତରେ ଲୁଚି ବସିଲେ।
ଏତିକି ବେଳେ ସେଠାରେ ପହଞ୍ଚିଲା ଜଣେ ଯୁବକ। ଗୁମ୍ଫା ବାହାରେ ସୁନ୍ଦର ଘୋଡ଼ା ଠିଆ ହୋଇଥିବାର ଦେଖି ସେ ବୁଝିପାରିଲା ଯେ କେହି ଜଣେ ସ˚ଭ୍ରାନ୍ତ ବ୍ୟକ୍ତି ବିପଦରେ ପଡ଼ି ଗୁମ୍ଫାରେ ଲୁଚିଛନ୍ତି। ସେ ସ୍ଥିର କଲା ଯେ ଗୁମ୍ଫା ଦ୍ବାରରେ ସାରା ରାତି ଜଗି ବସି ଗୁମ୍ଫାରେ ଆଶ୍ରିତ ବ୍ୟକ୍ତିିଙ୍କୁ ସୁରକ୍ଷା ଦେବ।
ରାତିରେ ସେ ବାହାରେ ଜଗିଲା। ସକାଳ ହେବାରୁ ଯୁବକ ରାଜାଙ୍କୁ ଜଙ୍ଗଲ ବାହାରେ ଆଣି ଛାଡ଼ିଲା ବେଳକୁ ରାଜା ନିଜ ପରିଚୟ ଦେଲେ। ଯୁବକ ତଟସ୍ଥ ହୋଇଗଲା। ରାଜା ମଧୢ ଯୁବକକୁ ତା’ର ସାହାଯ୍ୟ ଲାଗି ଧନ୍ୟବାଦ ଦେଇ ପଚାରିଲେ- ଯୁବକ, ରାତିରେ ତୁମକୁ ସେ ଭୟାନକ ଜଙ୍ଗଲ ଭିତରେ ଏକୁଟିଆ ପହରା ଦେଉଥିବାର ଦେଖି ମୁଁ ଭାବୁଥିଲି ଯେ ତୁମେ ବୋଧହୁଏ କାହାକୁ ଭୟ କରନାହିଁ?
ଯୁବକ କହିଲା- ମଣିମା, ମୁଁ ବାହାର ଦୁନିଆର କାହାକୁ ହେଲେ ବି ଡରେନାହିଁ। କିନ୍ତୁ ମୁଁ ମୋ ନିଜ ଅନ୍ତର ଭିତରର ଦୁର୍ବଳତାକୁ ଭୟ କରେ। କାରଣ ମୋ ଭିତରେ ଥିବା ବିଭିନ୍ନ ପ୍ରକାର ଦୁର୍ବଳତା ମୋତେ ପ୍ରଲୋଭନ ଦେଖାଏ, ବେଳେବେଳେ ମୋତେ ଅବାଟରେ ଯିବାକୁ ପ୍ରବର୍ତ୍ତାଏ। ତା ନ ହେଲେ ଆଉ କାହାକୁ ଭୟ କରେନାହିଁ।
ରାଜା ଯୁବକର ହାତ ଧରି ପକାଇ କହିଲେ- ଧନ୍ୟ ତୁମେ ଓ ତୁମର ବିଚାର।