ଜଣେ ଅତ୍ୟନ୍ତ ଧନୀ ବଣିକଙ୍କ ପତ୍ନୀଙ୍କ ବେକରୁ ବହୁ ମୂଲ୍ୟବାନ ହାରଟି ଖସି ପଡ଼ିଲା। ଦୁଇ ଦିନ ପରେ ଜଣେ ବ୍ୟକ୍ତି ତାହା ତାଙ୍କ ପାଖକୁ ଫେରାଇବାକୁ ଆଣିଲେ। ତାଙ୍କ ସାଧୁତା ଲାଗି ବଣିକ ତାଙ୍କୁ ପୁରସ୍କାର ଦେବାକୁ ସ୍ଥିର କଲାରୁ ସେ କହିଲେ- ପ୍ରଥମେ ମୋ କଥା ଶୁଣନ୍ତୁ। ଯେଉଁ ଦିନ ମୋର ଟଙ୍କା ମୁଣିଟିଏ ବାଟରେ ଖସି ପଡ଼ିଲା, ସେ ଦିନ ସଂଧ୍ୟାରେ ମୁଁ ଏ ହାରଟି ସେମିତି ବାଟରେ ପଡ଼ିଥିବା ପାଇଲି। ଘରେ ମୋର ବ୍ୟାଧିଗ୍ରସ୍ତ ପତ୍ନୀ। ଟଙ୍କା ତକ ତାଙ୍କ ଚିକିତ୍ସା ଲାଗି ଆଣୁଥିଲି, ଅଥଚ ହରାଇ ବସିଥିଲି। ତେଣୁ ହାରଟି ପାଇ ଭଗବାନଙ୍କୁ ଧନ୍ୟବାଦ ଦେଇ କହିଲି- ପ୍ରଭୁ, ତୁମେ ନ୍ୟାୟବନ୍ତ। ଯାହା ହରାଇଲି, ତା ଠାରୁ ଅଧିକ ତୁମେ ଦେଲ।
ମୁଁ ନିଜକୁ ନିଜେ କହିଲି ଯେ ରାସ୍ତାରେ ପଡ଼ିଥିବା ଏ ଚିଜର ଦାବିଦାର କେହି ନାହାନ୍ତି। ତେଣୁ, ଏହାକୁ ପାଇଥିବାରୁ ଏହା ମୋର। ତା’ ଛଡ଼ା ଏ ହାର ଯାହାର ହୋଇଥିବ, ସେ ଏତେ ଧନୀ ହୋଇଥିବ ଯେ ଏହାକୁ ହରାଇ ସେ ବିଶେଷ ବିଚଳିତ ହୋଇ ନ ଥିବ ଇତ୍ୟାଦି ଇତ୍ୟାଦି।
ଏମିତି ଭାବି ହାରଟିକୁ କୌଣସି ଅଳଙ୍କାର ବ୍ୟବସାୟୀଙ୍କ ପାଖକୁ ନେବାକୁ ବସିଛି, ଜଣେ ଅତ୍ୟନ୍ତ ଦରିଦ୍ର ଜୀର୍ଣ୍ଣଶୀର୍ଣ୍ଣ ବ୍ୟକ୍ତି ମୋ ଟଙ୍କା ମୁଣିଟି ଧରି ପହଞ୍ଚିଲେ। ସେ କହିଲେ, ବଡ଼ କଷ୍ଟରେ ଖୋଜି ଖୋଜି ଆପଣଙ୍କ ପାଖରେ ପହଞ୍ଚିଲି। କାରଣ ଆଖପାଖ ଲୋକେ କହିଲେ ଆପଣ ଦୁଇ ଦିନ ତଳେ ଟଙ୍କା ମୁଣି କେଉଁଠି ପକାଇ ଦେଇଛନ୍ତି। ମୁଁ ମଧ୍ୟ ଦୁଇ ଦିନ ତଳେ ଏହି ରାସ୍ତାରେ ଏହାକୁ ପାଇଥିଲି।
ଲଜ୍ଜାରେ ମୋର ମୁଣ୍ଡ ନଇଁଗଲା। ମୁଁ ସିଧା ପଚାରି ପଚାରି ଆପଣଙ୍କ ହାରଟି ଧରି ଏଠାରେ ପହଞ୍ଚିଲି। ଏହି ଘଟଣା ମୋତେ ଯେଉଁ ଶିକ୍ଷା ଦେଲା, ତାହା ସବୁଠାରୁ ବଡ଼ ପୁରସ୍କାର। ମୁଁ ଆଉ କୌଣସି ପୁରସ୍କାର ଚାହେଁ ନାହିଁ।