କଥାଟିଏ ଯାଯାବର, ଦୋଷ କାହାର?

ଦୁଇ ଜଣ ଜେନ୍‌ ସାଧୁ ରାସ୍ତାରେ ଯାଉଥିଲେ। ଅନ୍ଧାର ସମୟ। ଜଣେ ସାଧୁ ହଠାତ୍‌ ଗୋଟିଏ ଗାତ ଭିତରେ ଗଳି ପଡ଼ିଲେ। ସେଥିରୁ ବହୁ କଷ୍ଟରେ କର୍ଦ୍ଦମାକ୍ତ ହୋଇ ସେ ବାହାରିଲେ। ଗାତରୁ ବାହାରିବା ପରେ ସାଧୁ ସେହି ଅଜଣା ଦାୟିତ୍ବହୀନ ଲୋକ ଉପରେ ଅଭିସଂପାତ ବର୍ଷଣ କରିବାକୁ ଲାଗିଲେ, ଯିଏ ସେହି ଗାତ ଖୋଳି ସେମିତି ଛାଡ଼ି ଦେଇ ଯାଇଥିଲା।
ଏହା ଶୁଣି ତାଙ୍କ ସାଙ୍ଗରେ ଥିବା ସାଧୁ କହିଲେ- ତୁମେ ଏତେ ବୁଦ୍ଧିମାନ ହୋଇ ସୁଦ୍ଧା ଏଭଳି ଭୁଲ କେମିତି କରୁଛ?
ଗାତରେ ପଡ଼ି ଯାଇଥିବା ସାଧୁ କହିଲେ- ଭୁଲ? କେଉଁ ଭୁଲ?
ବନ୍ଧୁ କହିଲେ- ବିଚାର କର। ବୁଝିପାରିବ।
ଗାତରେ ପଡ଼ି ଯାଇଥିବା ସାଧୁ ଏଥର କଥାଟିକୁ ନେଇ ଭାବିଲେ। ଅନେକ ସମୟ ଭାବିଲା ପରେ ହଠାତ୍‌ ତାଙ୍କ ମନରେ ଆସିଲା- ଆରେ ସତେ ତ?
ତା ପରେ ସେ ତାଙ୍କ ବନ୍ଧୁଙ୍କୁ କହିଲେ- ବନ୍ଧୁ ବୁଝି ପାରିଲି ମୋ ଭୁଲ। ସତ କହିଲେ ମୋର ହୋସ ନ ଥିଲା ବୋଲି ଏମିତି ହେଲା।
ବନ୍ଧୁ କହିଲେ- ଠିକ କହିଛ। ଗାତଟି ତ ଦିନ ବେଳେ ପରିଷ୍କାର ଭାବେ ପ୍ରକଟିତ ହେବ ଏବଂ ସେଥିରେ କେହି ପଡ଼ିବେ ନାହିଁ। କିନ୍ତୁ ରାତିରେ ଏହା ଯେତେବେଳେ ଅନ୍ଧାରରେ ଜଣାପଡ଼ିବ ନାହିଁ, ସେତିକି ବେଳେ ବାଟରେ ଚାଲୁଥିବା ଲୋକ ଲାଗି ଅଧିକ ସତର୍କତା ଲୋଡ଼ା। ପ୍ରତିଟି ପାଦ ବଢ଼ିବା ଆଗରୁ ସତର୍କ ହେବା ଦରକାର ଯେ ପାଦ ଅଥାନରେ ପଡୁନାହିଁ ତ? କେବଳ ଏହି କଥାରେ ନୁହେଁ। ଆମେ ହୋସରେ ରହୁ ନ ଥିବାରୁ ସବୁ ଅଘଟଣ ଘଟେ। କିନ୍ତୁ ଆମ ଅହଂକାର ସେ କଥା ଗ୍ରହଣ କରୁ ନ ଥିବାରୁ ଆମେ ଅନ୍ୟକୁ ଦୋଷାରୋପ କରୁ।

ସମ୍ବନ୍ଧିତ ଖବର