ହୀରାର ସ୍ଥାନ

କଥାଟିଏ-ଯାଯାବର

ଥରେ ଜଣେ ରାଜା ଜଣେ ସନ୍ନ୍ୟାସୀଙ୍କୁ ଗୋଟିଏ ବହୁ ମୂଲ୍ୟ ହୀରା ଉପହାର ସ୍ବରୂପ ଦେଲେ। ସନ୍ନ୍ୟାସୀ ଜଣକ ତାକୁ ନେଇ ଚାଲିଗଲେ। ଏ କଥା କିଛି ଚୋରଙ୍କ କାନରେ ପଡ଼ିଲା। ସେମାନେ ସ୍ଥିର କଲେ ଯେ ସନ୍ନ୍ୟାସୀଙ୍କ ଆଶ୍ରମରେ ପଶି ତାକୁ ଚୋରି କରି ନେବେ। ସୁତରା˚, ସେମାନେ ଆଶ୍ରମରେ ପଶିଲେ।
ରାତିରେ ସନ୍ନ୍ୟାସୀ ଶୋଇଥିବା ବେଳେ ସେମାନେ ଆଶ୍ରମର ସବୁ ଅନ୍ଦିକନ୍ଦି ଖୋଜିଲେ। ସବୁ ମୁଣା ଦରାଣ୍ତି ପକାଇଲେ। କିନ୍ତୁ ତାହା ମିଳିଲା ନାହିଁ। ବାଧୢ ହୋଇ ସେମାନେ ସାଧୁଙ୍କୁ ନିଦରୁ ଉଠାଇ ତାଙ୍କୁ କାବୁ କରି ନେଇ ଭୟ ପ୍ରଦର୍ଶନ କରିବା ସହିତ ସେହି ହୀରା କୁଆଡ଼େ ଗଲା ବୋଲି ପଚାରିଲେ।
ସାଧୁ ଏ କଥା ଶୁଣି ହସିଲେ ଓ କହିଲେ-ତୁମେମାନେ ଏତେ ଦିନ ହେଲା ଚୋରି କଲଣି ଅଥଚ ହୀରାର ସ୍ଥାନ କେଉଁଠି ତାହା ଜାଣିଲ ନାହିଁ!
ଚୋରମାନେ କହିଲେ- ବହୁ ମୂଲ୍ୟବାନ ରତ୍ନର ସ୍ଥାନ ତ ସିନ୍ଦୁକ ଭିତରେ! କିନ୍ତୁ ତୁମ ସିନ୍ଦୁକ ଭିତରେ ତ କିଛି ନାହିଁ!
ସନ୍ନ୍ୟାସୀ ଏଥର ଆଉ ଥରେ ହସିଲେ ଓ କହିଲେ- ତୁମେମାନେ ଅଧା କଥା ଜାଣିଛ। ହୀରାର ସ୍ଥାନ କାହା ପାଖରେ, କେଉଁଠି ତାହା ବିବେଚନା କରିବାର ବୁଦ୍ଧି ତୁମ ପାଖରେ ନାହିଁ। କାରଣ ସ˚ସାରୀ ପାଖରେ ହୀରା କେଉଁଠି ରହେ ତାହା ତୁମେ ଜାଣିଛ। କିନ୍ତୁ ସନ୍ନ୍ୟାସୀ ପାଖରେ ହୀରା କେଉଁଠି ଥାଏ ତାହା ଜାଣିନା। ଏବେ ମୋ ସହିତ ଚାଲ ମୁଁ ତାହା ତୁମକୁ ଦେଖାଇ ଦେବି।
ସନ୍ନ୍ୟାସୀ ଚୋରମାନଙ୍କୁ ପାଖ ନଈକୁ ନେଇଗଲେ ଏବ˚ କହିଲେ- ଏ ହୀରା ଥିଲା ମାଟିର ଉପଜ। ତେଣୁ ତାହା ମାଟିକୁ ଯାଉ ବୋଲି ଏଠି କେଉଁଠି ଫିଙ୍ଗି ଦେଇଥିଲି! ପାରିବ ଯଦି ଏଠି ଖୋଜି ପାର।

 

ସମ୍ବନ୍ଧିତ ଖବର