କାଫ୍‌କା ଓ କୁନି ଝିଅ

କଥାଟିଏ-ଯାଯାବର

ପ୍ରଖ୍ୟାତ ଲେଖକ ଫ୍ରାନ୍‌ଜ କାଫ୍‌କା ଥରେ ଗୋଟିଏ ପାର୍କ‌୍‌ରେ ଦେଖିଲେ ଯେ କୁନି ଝିଅଟିଏ କାନ୍ଦୁଛି। ଝିଅଟି ତାର କଣ୍ଢେଇଟିକୁ ହଜେଇ ଦେଇଥିବାରୁ କାନ୍ଦୁଥିଲା। କାଫ୍‌କା ଝିଅଟିକୁ ବୁଝାଇବାକୁ ଯାଇ ପ୍ରତିଶ୍ରୁତି ଦେଲେ ଯେ ସେ ଗୋଟିଏ ଦିନ ଭିତରେ କଣ୍ଢେଇଟିକୁ ଖୋଜି ଆଣିଦେବେ। କିନ୍ତୁ, ସାରା ପାର୍କ ଖୋଜି ମଧୢ ସେ କଣ୍ଢେଇଟିକୁ ପାଇଲେ ନାହିଁ।
ସୁତରାଂ, ପର ଦିନ ଝିଅଟି ଲାଗି ଗୋଟିଏ ହାତ ଲେଖା ଛୋଟ ଚିଠି ଆଣି ଦେଲେ ଓ କହିଲେ କଣ୍ଢେଇଟି ମିଳିଲା ନାହିଁ, କିନ୍ତୁ ୟେ ହେଉଛି ତାର ହାତ ଲେଖା ଚିଠି। ଚିଠିରେ କୁନି ଝିଅକୁ କଣ୍ଢେଇ ଲେଖିଥିଲା- ପ୍ରିୟ, ମୁଁ ପୃଥିବୀ ଦେଖିବାକୁ ବୁଲି ବାହାରି ଯାଇଛି। ତେଣୁ ମୋତେ ଖୋଜିବ ନାହିଁ।
ଏବ˚ ତା ପର ଠାରୁ କାଫ୍‌କା ପ୍ରତି ଦିନ ଝିଅଟି ଲାଗି କଣ୍ଢେଇ ଠାରୁ ଚିଠିଟିଏ ନେଇ ଆସିବାକୁ ଲାଗିଲେ।
ଏମିତି ଅନେକ ଦିନ ଗଲା। କାଫ୍‌କା ଦିନେ ଆଉ ଗୋଟିଏ କଣ୍ଢେଇ ଆଣି ଝିଅଟିକୁ ଦେଲେ। କିନ୍ତୁ ତାହା ଝିଅ ହଜାଇଥିବା କଣ୍ଢେଇ ନ ଥିଲା। କାଫ୍‌କା ଏଥର କଣ୍ଢେଇର ଶେଷ ଚିଠିଟିକୁ ତା ବେକରେ ଝୁଲାଇ ଦେଇଥିଲେ। ଝିଅଟି ତାହା ଆଗ୍ରହରେ ପଢ଼ିଲା।
ସେଥିରେ ଲେଖାଥିଲା- ପ୍ରିୟ, ସାରା ପୃଥିବୀ ବୁଲିବା ପରେ ଦେଖ ମୁଁ କେମିତି ବଦଳି ଯାଇଛି। ତେଣୁ ତୁମେ ମୋତେ ଚିହ୍ନି ପାରୁନାହଁ। ମୁଁ ସେଇ କଣ୍ଢେଇ।
ଝିଅଟି ଏବେ କଣ୍ଢେଇକୁ ଛାତିରେ ଚାପି ଧରି ହସି ପକାଇଲା ଓ ଘରକୁ ଧାଇଁଲା।

ସମ୍ବନ୍ଧିତ ଖବର