ଜଣେ ସାଧୁ ସହରର ଜଣଙ୍କ ଘରେ ଆଶ୍ରୟ ନେଲେ। କ୍ଳାନ୍ତ ସାଧୁ ନିଦରେ ଶୋଇଗଲା ପରେ ଘର ମାଲିକ ତାଙ୍କ ଚାକରକୁ କହିଲେ- ସାଧୁଙ୍କ ଝୁଲାମୁଣିକୁ ଏଠିକି ଆଣ ତ! ଦେଖିବା ତା’ ଭିତରେ ସେ କଅଣ କଅଣ ରଖିଛନ୍ତି?
ଚାକରଟି ଝୁଲା ମୁଣିକୁ ନେଇ ଆସିଲା। ଘର ମାଲିକ ଦେଖିଲେ ଯେ ତା’ ଭିତରେ ସାଧୁଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହିତ ରହିଛି ଏକ ସୁନ୍ଦର ଦର୍ପଣ। ଏହା ଦେଖି ଘର ମାଲିକ ମନେ ମନେ ଭାବିଲେ ଜଣେ ସାଧୁ କ’ଣ ଏମିତି ନିଜ ରୂପଚର୍ଯ୍ୟା ଲାଗି ଆତୁର ଯେ ସାଙ୍ଗରେ ଦର୍ପଣଟିଏ ନ ହେଲେ ନ ଚଳେ!
ଅପରାହ୍ଣରେ ସାଧୁ ଉଠିଲା ପରେ ଘର ମାଲିକ ତାଙ୍କୁ ପଚାରିଲେ- ଆଜ୍ଞା, ଆପଣଙ୍କ ବିନାନୁମତିରେ ଆପଣଙ୍କ ମୁଣା ଯାଞ୍ଚ କରିଥିବାରୁ କ୍ଷମା ମାଗୁଛି। କିନ୍ତୁ ଆପଣଙ୍କ ମୁଣାରେ ଦର୍ପଣଟିଏ ଦେଖି ବିସ୍ମିତ ଲାଗିଛି। ଆପଣ ଜଣେ ସାଧୁ ହୋଇ ଦର୍ପଣଟିଏ ରଖିଛନ୍ତି କାହିଁକି? ଏହା କ’ଣ ଆପଣଙ୍କର ରୂପ ମୋହ?
ସାଧୁ କିଛି ନ କହି ଦର୍ପଣଟିକୁ ବାହାର କଲେ ଏବ˚ ତାକୁ ଘର ମାଲିକଙ୍କ ମୁହଁକୁ ଦେଖାଇ ପଚାରିଲେ- କଅଣ ଦେଖୁଛନ୍ତି?
ଘର ମାଲିକ କହିଲେ- ନିଜ ପ୍ରତିବିମ୍ବ, ଆଉ କ’ଣ?
ସାଧୁ କହିଲେ- ଠିକ୍ ଭାବେ ଦେଖିଲେ ଆପଣ ନିଜ ଚେହେରାରେ ଥିବା ଉତ୍କଣ୍ଠା, ଅନୁସନ୍ଧିତ୍ସାକୁ ବି ଦେଖିପାରିବେ। ଆପଣ ରାଗିଲା ବେଳେ ଏହାକୁ ଦେଖିଲେ ଏଥିରୁ ଆପଣଙ୍କ କୁତ୍ସିତ ଚେହେରା ବି ଦିଶିବ। ଆପଣ ଈର୍ଷାତୁର ହେଲେ ଏ ଦର୍ପଣ ଆପଣଙ୍କୁ ତାହା ମଧୢ ଦେଖାଇ ଦେବ। ମୁଁ ଦର୍ପଣକୁ ସେଥି ଲାଗି ରଖିଛି। ମୋ ଭିତରେ ଥିବା କୁପୁରୁଷ ମୁଣ୍ତ ଟେକିଲେ ମୁଁ ଏ ଦର୍ପଣରେ ମୋ ମୁହଁକୁ ଦେଖେ ଓ ତାକୁ ଚିହ୍ନି ପକାଏ। ଚିହ୍ନିବାର ଅର୍ଥ ହେଲା ତା’ ଠାରୁ ଦୂରେଇ ରହିପାରିବାର ସାମର୍ଥ୍ୟ ଲାଭ କରିବା।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର