ସାହିତ୍ୟିକ ପାଣିପାଗ: ‘କର୍ଣ୍ଣାଦିଦଶପର୍ବ’ କଥା

ଅସିତ ମହାନ୍ତି

ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ, ଏଇ (୨୦୨୨) ଜୁଲାଇ ଦୁଇ ତାରିଖ ଦିନ ଲୋକାର୍ପିତ ହୋଇଯାଇଛି ଦୁଇଟି ମହାଗ୍ରନ୍ଥ- ‘ସାରୋଳଦାସ ମହାଭାରଥ’ର ‘କର୍ଣ୍ଣାଦିଦଶପର୍ବ’ ଓ ତାହାର ‘ଗଦ୍ୟ ରୂପାନ୍ତର’। ‘ସାରୋଳଦାସ ମହାଭାରଥ’ ହେଉଛି- ଓଡ଼ିଶାର ଆଦିକବି ସାରଳାଦାସଙ୍କ ମହାଭାରତର ପାଠ-ଆଲୋଚନା ଆଧାରିତ ସଂସ୍କରଣ ବା ‘କ୍ରିଟିକାଲ୍ ଏଡ଼ିସନ୍‌’। ଏହାର ପ୍ରସ୍ତୁତି ଓ ପ୍ରକାଶନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)। ପୂର୍ବରୁ ‘ମୁସଳି’ ଓ ‘ସ୍ୱର୍ଗାରୋହଣ’ ପର୍ବକୁ ନେଇ ଏହି ଅନୁଷ୍ଠାନ ପକ୍ଷରୁ ସାରଳା ଦାସଙ୍କ ମହାଭାରତର ଗୋଟିଏ ଖଣ୍ଡ ପ୍ରକାଶ ପାଇଥିଲା। ତାହା ଥିଲା ଶେଷ ଦୁଇପର୍ବର ଏକ ମିଳିତ ଗ୍ରନ୍ଥ। ତା’ ସହିତ ଆଉ ଆଠଟି ପର୍ବକୁ ମିଶାଇ ପ୍ରକାଶ ପାଇଛି ଏହି ‘କର୍ଣ୍ଣାଦିଦଶପର୍ବ’। ସେହି ପର୍ବଗୁଡ଼ିକ ହେଉଛି- କର୍ଣ୍ଣ, ଶଲ୍ୟ, ଗଦା, କାଇଁଶିକା, ନାରୀ, ଶାନ୍ତି, ଆଶ୍ରମିକ ଓ ଅଶ୍ୱମେଧ ପର୍ବ। ଏ ଦଶଟି ହେଉଛି ସାରଳା ମହାଭାରତର ଶେଷ ଦଶପର୍ବ। ଏହା ଏହି ପାଠ-ଆଲୋଚନା ଆଧାରିତ ସଂସ୍କରଣର ସପ୍ତମ ଖଣ୍ଡ। ଏଥିରୁ ସୂଚିତ ଯେ ଅଠରଖଣ୍ଡ ମହାଭାରତର ପ୍ରଥମ ଆଠଟି ପର୍ବକୁ ନେଇ ଏପରି ଆହୁରି ଛଅଟି ଗ୍ରନ୍ଥ ଯଥାଶୀଘ୍ର ପ୍ରକାଶ ପାଇବ। ‘ଗଦ୍ୟ ରୂପାନ୍ତର’ କ୍ଷେତ୍ରରେ ମଧ୍ୟ ସେହି କ୍ରମ ରକ୍ଷା କରାଯିବ।

ଏ ପ୍ରସଙ୍ଗରେ ମନକୁ ଆସେ ଦୁଇଟି ପ୍ରଶ୍ନ। ପ୍ରଥମ- ‘ସାରଳାଦାସ’ ଓଡ଼ିଶାର ଆଦିକବି ଭାବରେ ସୁଖ୍ୟାତ ଏବଂ ତାଙ୍କ ରଚିତ ‘ମହାଭାରତ’ ଓଡ଼ିଶାର ଆଦିକାବ୍ୟ ଭାବରେ ସ୍ୱୀକୃତ; କିନ୍ତୁ ଏହି ନୂଆ ସଂସ୍କରଣରେ ସାରଳାଦାସଙ୍କୁ କାହିଁକି ‘ସାରୋଳଦାସ’ କୁହାଯାଇଛି? ସେହିପରି, ତାଙ୍କ ‘ମହାଭାରତ’କୁ ବି କାହିଁକି କୁହାଯାଇଛି ‘ମହାଭାରଥ’? ଦ୍ୱିତୀୟ- ପୂର୍ବରୁ ସାରଳା ଦାସଙ୍କ ମହାଭାରତର ଅନେକ ସଂସ୍କରଣ, ବିଶେଷକରି ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଂପାଦିତ ‘ଶୁଦ୍ଧ ସଂସ୍କରଣ’ ଥିବା ବେଳେ, ଏହି ନୂଆ ସଂସ୍କରଣର କି ଆବଶ୍ୟକତା ରହିଛି? ଏ ଦୁଇ ପ୍ରଶ୍ନର ଉତ୍ତର ଆମ ଭାଷା-ସାହିତ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ।

‘ସାରୋଳଦାସ ବିରଚିତ ମହାଭାରଥ’ର ଏହି ‘ସପ୍ତମ ଖଣ୍ଡ’ର ସଂପାଦନା କରିଛନ୍ତି ଗୌରାଙ୍ଗ ଚରଣ ଦାଶ, ପ୍ରଦୀପ୍ତ କୁମାର ପଣ୍ଡା, ଭାଗ୍ୟଲିପି ମଲ୍ଲ ଓ ଫଣୀନ୍ଦ୍ର ଭୂଷଣ ନନ୍ଦ। ସେମାନେ ୧୮୩୯ରୁ ୧୮୯୧ ଖ୍ରୀଷ୍ଟାବ୍ଦ ମଧ୍ୟରେ ଲିଖିତ ୧୪ଟି ପୋଥି, ୧୯୬୫ରୁ ୧୯୭୩ ମଧ୍ୟରେ ପ୍ରକାଶିତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଂପାଦିତ ପୁସ୍ତକ ଏବଂ କଟକ ଧର୍ମଗ୍ରନ୍ଥ ଷ୍ଟୋର୍ ଓ ପୁରାଣ ପ୍ରକାଶକ କମ୍ପାନୀ ପ୍ରକାଶିତ ବିଭିନ୍ନ ପର୍ବର ବିଚାରରେ ଏହି ନୂତନ ସଂସ୍କରଣ ପ୍ରସ୍ତୁତ କରିଛନ୍ତି। ଏ ପ୍ରଶ୍ନର ଉତ୍ତର ଅଛି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏହାର ‘ଅବତରଣିକା’ରେ। ସେଥିରେ କୁହାଯାଇଛି, “ଆମେ କବିଙ୍କର ତିନିପ୍ରକାର ନାଁ ସହିତ ପରିଚିତ- ଶାରଳା, ସାରଳା ଓ ସାରୋଳ। ‘ଦାସ’କୁ ତାଙ୍କର ସାଜ୍ଞା ଭାବରେ ବ୍ୟବହାର କରାଯାଇଛି। ଆମ ବହି ସଂପାଦନାପାଇଁ ବ୍ୟବହୃତ କୌଣସି ଖେଦାରେ ‘ସାରଳା’ କି ‘ଶାରଳା’ ଶବ୍ଦ ମିଳେନାହିଁ। ସବୁଠାରେ ‘ସାରୋଳ’। ଯାହା ଗୁରୁତ୍ୱପୂର୍ଣ୍ଣ, ‘ଦାସ’ ତାଙ୍କର ସାଜ୍ଞା ନୁହେଁ। ଏହା ସେବକ, ଅନୁଗତ ଅର୍ଥରେ ବ୍ୟବହୃତ। ତେଣୁ ତାଙ୍କୁ ସାରୋଳଦେବୀଙ୍କର ଦାସ, ଅର୍ଥାତ୍ ସାରୋଳଦାସ କୁହାଯାଇପାରିବ; ଯେପରି ବିଷ୍ଣୁଦାସ, ଚଣ୍ଡିଦାସ, ତୁଳସିଦାସ, ଶିବଦାସ ଇତ୍ୟାଦି।” ସେହିପରି, ‘ମହାଭାରଥ’। ସେ ସଂପର୍କରେ କୁହାଯାଇଛି, “କୌଣସି ଖେଦାରେ ‘ମହାଭାରତ’ ଶବ୍ଦ ନାହିଁ। ଏହା ସବୁଠାରେ ‘ମହାଭାରଥ’ ଲେଖାଯାଇଛି। ତେଣୁ ଗ୍ରନ୍ଥର ରଚନାକାଳ ଓ ପୋଥିପାଠକୁ ଆଧାରକରି, କବିଙ୍କ ନାଁ ‘ସାରୋଳଦାସ’ ଓ ଗ୍ରନ୍ଥକୁ ‘ମହାଭାରଥ’ ରଖାଯାଇଛି।”

ଏ ପ୍ରସଙ୍ଗରେ, ଅନ୍ୟ ପ୍ରଶ୍ନଟି ହେଉଛି- ସାରଳା/ସାରୋଳଦାସଙ୍କ ମହାଭାରତ/ମହାଭାରଥର ଅନେକ ସଂସ୍କରଣ ଥିବାବେଳେ; ବିଶେଷକରି ଓଡ଼ିଶା ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗ ଦ୍ୱାରା ପ୍ରକାଶିତ ତଥା ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସଂପାଦିତ ‘ସାରଳା ମହାଭାରତ’ ଥିବାବେଳେ, ଏ ସଂସ୍କରଣର ଆଉ କି ଆବଶ୍ୟକତା ଥିଲା ବା ଅଛି?
ଆବଶ୍ୟକତା ଥିଲା ବା ଅଛି ବୋଲି ଅନୁଭବ କରିବାରୁ ତ ଏହାର ସଂପାଦକବୃନ୍ଦ ବା ଏହାର ପ୍ରକାଶକ ଅନୁଷ୍ଠାନ ଏ ନୂଆ ସଂସ୍କରଣର ସଂପାଦନା ଓ ପ୍ରସ୍ତୁତି କରିଛନ୍ତି! ତେଣୁ ଏ ପ୍ରସଙ୍ଗରେ ସେମାନଙ୍କର ବକ୍ତବ୍ୟକୁ ନଯାଇ, ଓଡ଼ିଶାର ଅନ୍ୟ ବିଦ୍ୱାନ୍‌ଙ୍କ ବକ୍ତବ୍ୟକୁ ଯିବା। ପଂଡିତ ନୀଳକଂଠ ଦାସ ଓଡ଼ିଶାର ଜଣେ ଅବିସମ୍ବାଦିତ ବିଦ୍ୱାନ୍। ସ୍ପଷ୍ଟ ମତ ପ୍ରକାଶ ଓ ମୌଳିକ ଚିନ୍ତନ ପାଇଁ ସେ ସୁଖ୍ୟାତ। ‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ’ (୧୯୫୮)ରେ ଏ ସଂପର୍କରେ ସେ ଆଲୋଚନା କରିଛନ୍ତି। ସେଥିରେ ‘ଖେଦା ଲେଖାର ସଂଭାବ୍ୟ କରଣୀ’ ସଂପର୍କରେ ସୂଚାଇ ସେ କହିଛନ୍ତି, “ମହାଭାରତାଦି ଲେଖାହୋଇଥିଲା ତାଳପତ୍ରରେ। ସେଥିରେ ଜଣଙ୍କ ପୁସ୍ତକ ଆଉ ଜଣେ ଉତାରିନିଏ। ଲୋକେ ମଧ୍ୟ ଖେଦାରେ ଉତାରି ବିକ୍ରି କରୁଥିଲେ। ଏଇପରି ପୋଥି ଲେଖି ବିକିବା ଏ ଦେଶରେ କେତେ ଲୋକଂକର ଗୋଟିଏ ଜୀବିକା ଥିଲା। ଏଇପରି ସେକାଳେ ଲେଖାର ପ୍ରଚାର ହେଉଥିଲା। ଯାହା ଲୋକଂକ ମନକୁ ଯେତେ ବେଶୀ ପାଉଥିଲା ତାର ପ୍ରଚାର ସେତେ ଶୀଘ୍ର ହେଉଥିଲା ଓ ସେତେ ବେଶୀ ହେଉଥିଲା। … ସାରଳାଦାସଂକ କାଳରେ ଏହାର ଖୁବ୍ ପ୍ରସାର ଓ ପ୍ରତିପତ୍ତି ଥିଲା, ସଂଦେହ ନାଇ। ଖେଦାରୁ ଖେଦାକୁ ଉତରା ହେଲାବେଳେ ଲେଖକମାନେ, ବିଶେଷରେ ଖେଦାବିକ୍ରୟୀ ବ୍ୟବସାୟୀମାନେ ଏଇପରି ବର୍ଣନାରେ ଅଯଥା ଅତି ବିସ୍ତାର ସଂଗେ ନୂଆ ପ୍ରକାର ଓ ନୂତନ ଆଖ୍ୟାନମାନ ବରାବର ନିଜ କୃତିତ୍ୱର ଅଂଗରୂପେ ପ୍ରକାଶ କରି ଓ ସେସବୁକୁ ନିଜ ଲିଖିତ ପୁସ୍ତକର ବିଶେଷତ୍ୱ ରୂପେ ପ୍ରଚାର କରି ଲାଭବାନ୍ ହେଉଥିଲେ। ଏଇପରି ଅତିବର୍ଣନ ଓ ପ୍ରକ୍ଷେପର ସୀମା ନାଇ।”

ଏହି ପ୍ରସଙ୍ଗରେ ସେ ‘ଲେଖା ପୋଥି ଓ ଛାପାବହି’ର ଆଲୋଚନା କରିଛନ୍ତି। କହିଛନ୍ତି, “ଗତ ହଜାରେ କି ପଂଦର ଶହ ବର୍ଷ ତଳ ପର୍ଯଂତ ସଂସ୍କୃତ ମହାଭାରତ ଯାହା ହୋଇଥିଲା, ଓଡ଼ିଶାରେ ସାରଳାଦାସଂକ ମହାଭାରତ ପ୍ରାୟ ଗତ ପାଂଚଶହବର୍ଷ ଭିତରେ ସେଇପରି ଲେଖା ପୋଥିରେ ନାନାରୂପଧରି ଓଡ଼ିଶା ସାରା ବିଂଚି ହୋଇ ରହିଥିଲା। … ସେଥିସାଂଗକୁ ଛାପାରେ ପୋଥି ପ୍ରକାଶ କରୁଥିବା ତଥାକଥିତ ପଂଡିତ ଓ ଶିଷ୍ଟମାନଂକ କରଣୀ। ଯେତେଦୂର ଜଣାଯାଏ, ପ୍ରାୟ ତିରିଶ ବର୍ଷ ତଳେ ସାରଳା ଦାସଂକ ମହାଭାରତର ପ୍ରଥମ ଛାପା ପୂର୍ଣ ହୋଇଥିଲା। ସେ ସଂସ୍କରଣରେ ‘ଶୂଦ୍ରମୁନି’ ସାରଳାଦାସଂକ ଗ୍ରଂଥକୁ ପ୍ରକାଶକମାନେ ଟଂକା ଖର୍ଚ କରି, ପଂଡିତ ଲଗାଇ, ହୁଏତ ଗ୍ରାମ ପ୍ରଚଳିତ ବା ତାଂକ ମତରେ ଗ୍ରାମ୍ୟ ଭାଷାକୁ ଯଥାସାଧ୍ୟ ଓ ଯଥାସଂଭବ ସାଧୁଭାଷାରେ ପରିଣତ କଲେ- ଅବଶ୍ୟ ଜଣା ନ ପଡ଼ିବା ଭଳି ସେ ତା କରିଥିବେ। ମାତ୍ର ତାଂକ ବଡ଼ ଅଜ୍ଞତା ଓ ଦୁଷ୍କର୍ମଟି ହେଉଚି, ସେମାନେ ‘ଦାଂଡିବୃତ୍ତ’କୁ ଅକ୍ଷର ଯୋଡ଼ି, କାଟି ଚଉଦଅକ୍ଷରି ଧାଡ଼ିମାନଂକରେ ପରିଣତ କରିଦେଲେ। ଦାଂଡ଼ିବୃତ୍ତରୁ କଳସା ବାହାର କରିବା ଏକ କଥା; ଏପରି ଚଉଦଅକ୍ଷରି ପଦ ତିଆରି କରିବା ଆଉ ଏକ କଥା। ଯେଉଁ ପ୍ରାଣବତ୍ତା ଓ ଭାବତରଂଗରେ ଦାଂଡ଼ିବୃତ୍ତ ଲେଖା ହୋଇଥିଲା ତା ଏଥିରେ କ୍ଷୁର୍ଣ ହେବା ସ୍ୱାଭାବିକ; କ୍ଷୁର୍ଣ ହୋଇଥିଲା। ସେ ସଂସ୍କରଣ ବଜାରରେ ମିଳୁନାଇ। ପୁଣି ତା’ ବଡ଼ ଖରାପ କାଗଜରେ ଛାପା ହୋଇଥିବାରୁ ପ୍ରାୟ ନଷ୍ଟ ହୋଇଯାଇଚି। ଏବେ ନୂଆହୋଇ ପୁଣି ଛାପା ହୋଇଚି।”

ଏହି ପରିପ୍ରେକ୍ଷୀରେ ସେ ‘ଏବ ଛାପା ମହାଭାରତ’ର ଆଲୋଚନା କରିଛନ୍ତି। କହିଛନ୍ତି, “ଏବ ଛାପା ଗ୍ରଂଥଟି ମନେ ହେଉଚି, ଆଉ ସଂସ୍କରଣ ନୁହେ। ଏହା ଯେପରିକି ଖ୍ରୀଷ୍ଟୀୟ ବିଂଶ ଶତାବ୍ଦୀର ଗୋଟିଏ ନୂଆ ଓଡ଼ିଆ ମହାଭାରତ। ବଜାରରୁ ବ୍ୟବହାର କରିବାପାଇଁ କିଣି ଆଣି ଦେଖୁ ଦେଖୁ ଭୀଷ୍ମପର୍ବଟି ଉପରେ ଆଖିପଡ଼ିଲା। ମେଲାଇ ଦେଖୁ ଦେଖୁ ଶ୍ରୀମଦ୍‌ଭଗବଦ୍‌ଗୀତାର ପ୍ରଥମ ‘ଅର୍ଜୁନ ବିଷାଦଯୋଗ’ଠାରୁ ଅଷ୍ଟାଦଶ ‘ମୋକ୍ଷଯୋଗ’ ଯାଏ ଅଧ୍ୟାୟ। ପଢ଼ିବାରେ ଦେଖାଗଲା, ସେଗୁଡ଼ିକ ବରାବର ଗୀତାର ଏକ ପ୍ରକାର ଆକ୍ଷରିକ ଅନୁବାଦ। ଅନୁବାଦଟି ଏବର ହେଲେହେଁ ସେଥିରେ ସାରଳାଦାସଂକ ଠାଣିଟା ଦେବାପାଇଁ ନିଷ୍ଫଳ ପ୍ରଯତ୍ନଟାଏ ହୋଇଚି। ଆଶ୍ଚର୍ଯ୍ୟ ଲାଗିଲା- ଏ କ’ଣ ସାରଳା ଦାସଂକ ମହାଭାରତ? ଉପରେ ତ ଲେଖାଅଛି, ଶୂଦ୍ରମୁନି ପରେ ୰ ଇଏ କାହୁଁ ଅଇଲା ଚଂଦ୍ରବିଂଦୁଯୁକ୍ତ ସାରଳାଦାସଂକ କୃତ ମହାଭାରତ ବୋଲି? କ୍ରମେ ଦେଖାଗଲା, ଏ ଗୋଟିଏ ନୂତନ ଗ୍ରଂଥ। ଖାଲି ଗୀତାଟି ଯେ ଅନୁବାଦ କରି ଯୋଡ଼ା ହୋଇଚି, ସେତିକି ନୁହେ। ସାରଳା ଦାସଂକ ମୂଳ ମହାଭାରତରେ ଗୀତାଟି ଅତି ସଂକ୍ଷେପରେ ଶୃଙ୍ଖଳାହୀନ ଭାବରେ ଦିଆଯାଇଥିବା କଥା ସମସ୍ତେ ଜାଣଂତି। ପୁଣି ଗୀତାଭଳି ଦର୍ଶନ ଯୋଗତତ୍ତ୍ୱ ପ୍ରଚାର ପାଇଁ ସାରଳା ଦାସଂକ ମହାଭାରତ ଯେ ଲେଖା ହୋଇ ନଥିଲା ଏହା କହିବା ମଧ୍ୟ ନିଷ୍ପ୍ରୟୋଜନ।” ଏହିପରି, ବଜାରସଂସ୍କରଣରେ ମିଳୁଥିବା ‘ଅଜ୍ଞତା’ ପ୍ରସୂତ ଓ ‘ଦୁଷ୍କର୍ମ’ ପ୍ରପୀଡ଼ିତ, ଛାପା ସାରଳା ମହାଭାରତ ସଂପର୍କରେ, ଦୃଷ୍ଟାନ୍ତ ସହ ଦୀର୍ଘ ଆଲୋଚନା କରିଛନ୍ତି ନୀଳକଂଠ ଦାସ। ତାଙ୍କ ‘ଓଡ଼ିଆ ସାହିତ୍ୟର କ୍ରମ ପରିଣାମ’ର ପ୍ରଥମ ପ୍ରକାଶନ ବେଳକୁ (୧୯୫୮) ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ସଂପାଦିତ ‘ସାରଳା ମହାଭାରତ’ (୧୯୬୫-୭୩) ପ୍ରକାଶ ପାଇ ନଥିଲା। ତାହାର ପ୍ରଥମ ଖଣ୍ଡ ପ୍ରକାଶ ପାଇବାର ଦୁଇବର୍ଷ ପରେ (୧୯୬୭ରେ) ତାଙ୍କର ବିୟୋଗ ମଧ୍ୟ ଘଟିଥିଲା। ତେଣୁ ସେହି ମହାଭାରତ ସଂପର୍କରେ ଆଲୋଚନା କରିବାର ଅବକାଶ ତାଙ୍କର ନଥିଲା।

ପଂଡିତ ନୀଳକଂଠ ଦାସ ଯେଉଁ ଛାପା ମହାଭାରତର ଆଲୋଚନା କରିଛନ୍ତି, ତାହା ସମ୍ଭବତଃ ପୁରାଣ ପ୍ରକାଶକ କମ୍ପାନୀ ପ୍ରକାଶିତ ମହାଭାରତ। ସେ ସଂପର୍କରେ, ସଦ୍ୟତମ ଏହି ପାଠ-ଆଲୋଚନା ଆଧାରିତ ସଂସ୍କରଣର ସଂପାଦକବୃନ୍ଦ ମଧ୍ୟ ଆଲୋଚନା କରିଛନ୍ତି। ତାହାର ‘ଅବତରଣିକା’ରେ ସେମାନେ କହିଛନ୍ତି, “୧୮୯୮/୯୯ ମସିହାରେ ମହାଭାରଥର ମୁଦ୍ରିତ ରୂପ ପ୍ରକାଶ ପାଇଛି। ପୁରାଣ ପ୍ରକାଶକ କମ୍ପାନୀ ଏହାର ପ୍ରକାଶକ। ମାତ୍ର ଏହା ସାରୋଳ ଦାସଙ୍କର ଲେଖା ନୁହେଁ। ପରେ ପରେ ଅରୁଣୋଦୟ ପ୍ରେସ୍‌, ରାଧାରମଣ ପ୍ରେସ୍‌, ଧର୍ମଗ୍ରନ୍ଥ ଷ୍ଟୋର୍ସ ‘ମହାଭାରତ’ ପ୍ରକାଶ କରିଛନ୍ତି। ସେଗୁଡ଼ିକ ମଧ୍ୟ ପୁରାଣ ପ୍ରକାଶକ କମ୍ପାନୀ ଗୋତ୍ରର। ଏଗୁଡ଼ିକ ପ୍ରାଚୀନ ଗ୍ରନ୍ଥର ସମକାଳୀନ ରୂପ ଓ ପାଠକ ସ୍ୱୀକୃତ; ଆମ ପାଇଁ ଆନନ୍ଦର କଥା। ମାତ୍ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା- ଗବେଷକମାନଙ୍କ ପାଇଁ ଗ୍ରନ୍ଥ ତିଆରି କରିବାକୁ ପଡ଼ିବ। ଏହି ଗ୍ରନ୍ଥ ମୂଳ ଗ୍ରନ୍ଥର ଏକ ସମ୍ଭାବ୍ୟ ରୂପ।” ଏ ପ୍ରସଙ୍ଗରେ, ଏହାର ପ୍ରସ୍ତୁତି ଓ ପ୍ରକାଶନ କରିଥିବା ଅନୁଷ୍ଠାନ- ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ)ର ପ୍ରତିଷ୍ଠାତା-ଅଧ୍ୟକ୍ଷ ପ୍ରଫେସର ମନୋଜରଞ୍ଜନ ନାୟକ କହିଛନ୍ତି, “ଆଜି ଭାଷା, ସାହିତ୍ୟ ଓ ସଂସ୍କୃତି କଥା କହିଲାବେଳେ ମନେପଡ଼ୁଛି ପିଲାଦିନର କଥା। ପିଲାଦିନେ ପଢ଼ିଥିବା ଓ ଶୁଣିଥିବା ମହାଭାରତର କଥା। ଗପ ପରି ମନେ ରହିଯାଉଥିବା ଏହି ମହାଭାରତକୁ ସାରଳା ଦାସ ନାମକ ଜଣେ କବି ୫୦୦ ବର୍ଷ ପୂର୍ବେ ଲେଖିଛନ୍ତି ବୋଲି ବଡ଼ ହେଲା ପରେ ଜାଣିଲି। ୫୦୦ ବର୍ଷ ତଳର ସାରଳା ଦାସ ଓ ତାଙ୍କ ମହାଭାରତକୁ ଆବିଷ୍କାର କରିବା କଥା ମନକୁ ଆସିଲା। ଏକଥା କରିପାରିଲେ ଆମେ ଓଡ଼ିଆ ଜାତିର ୫୦୦ ବର୍ଷ ତଳର ସମାଜ, ରାଜନୀତି, ଭାଷା ଓ ସଂସ୍କୃତିକୁ ଜାଣିପାରିବା। ଏହିଠାରୁ ଆରମ୍ଭ ହେବ ଆମ ବିଶ୍ୱବିଦ୍ୟାଳୟର ସଂସ୍କୃତି ଯାତ୍ରା, ‘ପ୍ରାଚୀନ’ ମାଧ୍ୟମରେ। ଏଥିପାଇଁ ଆମକୁ ମହାଭାରତର ଏକ ‘କ୍ରିଟିକାଲ୍ ଏଡ଼ିସନ୍‌’ କରିବାକୁ ହେବ। ଓଡ଼ିଶାର ପରିଚୟ ତିଆରି କରିବାରେ ଏହା ହେବ ଆନୁଷ୍ଠାନିକ ପ୍ରୟାସ।”
ସେହି ପ୍ରୟାସର ପ୍ରଥମ ଫଳଶ୍ରୁତି ସଦ୍ୟତମ ‘କର୍ଣ୍ଣାଦିଦଶପର୍ବ’।
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର