୨୦୨୨ ଏପ୍ରିଲ ୧୯ ସନ୍ଧ୍ୟା। ଜୟଦେବ ଭବନ, ଭୁବନେଶ୍ବର। ଅବସର ଥିଲା ‘ସମ୍ବାଦ’ ଦ୍ବାରା ପ୍ରକାଶିତ ‘କଥା’ ପତ୍ରିକାର ବାର୍ଷିକ ସମାବର୍ତ୍ତନ ବା ଅଳଙ୍କରଣ ସମାରୋହ। ଦଶଜଣ ପ୍ରତିଭାବନ୍ତ କଥାକାରଙ୍କୁ ସମ୍ବର୍ଦ୍ଧିତ କଲେ ଭାରତର ଦୁଇ ପ୍ରସିଦ୍ଧ ବ୍ୟକ୍ତି। ଜଣେ ଦାମୋଦର ମାଜୋ, କୋଙ୍କଣୀ ସାହିତ୍ୟିକ, ଏ ବର୍ଷର ଜ୍ଞାନପୀଠ ବିଜେତା ଓ ଆର ଜଣକ ଗଣେଶ ନାରାୟଣ ଦେବୀ, ସମକାଳୀନ ଭାରତର ଜଣେ ପ୍ରମୁଖ ବୌଦ୍ଧିକ-ବାର୍ତ୍ତାକାର। ଅଧୢକ୍ଷୀୟ ଅଭିଭାଷଣରେ ‘ସମ୍ବାଦ’ର ସ˚ପାଦକ ସୌମ୍ୟର˚ଜନ ପଟ୍ଟନାୟକ ତାଙ୍କର ସୁଚିନ୍ତିତ ମନ୍ତବ୍ୟ ଭିତରେ ଗୋଟେ ବଡ଼ ଆହ୍ବାନ ଦେଲେ। ଆହ୍ବାନଟି ଥିଲା ଏହି ଯେ ସମକାଳୀନ ଭାରତରେ ଭାରତ-ବିଚାରକୁ ନେଇ ଅନେକ ଅସ୍ପଷ୍ଟତା ରହିଚି ଓ ସମକାଳୀନ ଲେଖକ ତଥା ଯୁବପିଢ଼ିର ସର୍ଜନଶୀଳ ଲେଖକମାନଙ୍କର ଗୋଟେ ବଡ଼ ଦାୟିତ୍ବ ‘ଭାରତ-ବିଚାର’ର ସୁଷମ ପ୍ରତିଷ୍ଠା।

Advertisment

କ’ଣ ହୋଇପାରେ ଭାରତରେ ଭାରତ-ବିଚାରର ପରିଦୃଶ୍ୟ, ସୀମା, ସମ୍ଭାବନା ଓ ବିଶ୍ବସନୀୟ ଉପପାଦ୍ୟ? ଏଇ ଚିନ୍ତାରେ ଘାରି ହେଉଥିଲା ବେଳେ ଗଣେଶ ଦେବୀ ତାଙ୍କର ବକ୍ତବ୍ୟ ଦେବା ପାଇଁ ଉଠିଲେ। ଦେବୀଙ୍କର ଅନେକ ଭାଷଣ ମୁଁ ଶୁଣିଚି, ଜଣେ ଚିନ୍ତାଶୀଳ ସକ୍ରିୟ ବୁଦ୍ଧିଜୀବୀ ଭାବରେ ତାଙ୍କୁ ମୁଁ ଜାଣେ। ତାଙ୍କ ସମୟର ଅନ୍ୟ ବୁଦ୍ଧିଜୀବୀଙ୍କ ଭଳି ସେ ମଧୢ ବିଶ୍ବର ଉଦାରବାଦୀ ବୌଦ୍ଧିକ ପର˚ପରାରେ ଲାଳିତ ଜଣେ ସ˚କଟବାଦୀ ବିଚାରକ ଓ ପ୍ରବକ୍ତା। ଏଥରର ଭାଷଣରେ ସେ ଶ୍ରଦ୍ଧା ଓ ଆନ୍ତରିକତା ସହିତ ଓଡ଼ିଶାକୁ ରାତ୍ରିର ଆକାଶ ବୋଲି କହିଲେ ଓ ଅର୍ଥ ସ୍ପଷ୍ଟ କରିବାକୁ ଯାଇ ଅନ୍ଧକାର ଭିତରେ ତାରାଭରା ଆକାଶ ଭଳି ଓଡ଼ିଆଙ୍କ ଉଦାରତା ଓ ସହନଶୀଳତାର ଉଦାହରଣ ଦେଲେ। ଉତ୍ସାହିତ ହୋଇ ଆମେ ଓଡ଼ିଆଏ ତାଳି ମାରିଲୁ। ସେତେବେଳକୁ ମୋ ମୁଣ୍ତ ଭିତରେ ସୌମ୍ୟଜୀଙ୍କର ‘ଭାରତ-ବିଚାର’ ସହିତ ଦେବୀଜୀଙ୍କ ‘ରାତ୍ରିର ଆକାଶ ଓଡ଼ିଶା’ ଗୋଟିଏ ବିଚିତ୍ର ସ˚ଯୋଗ ସୃଷ୍ଟି କରି ସାରିଥିଲା। ମୁଁ ଅପେକ୍ଷା କରୁଥିଲି ଆଗକୁ ଦେବୀଜୀ କ’ଣ କହିବେ। ଦେବୀଜୀ ପୁରସ୍କାର-ଵାପସୀ ଗୋଷ୍ଠୀର ଜଣେ, ସେ ଭାରତର ବର୍ତ୍ତମାନ ପ୍ରଚଳିତ ରାଜନୈତିକ ବିଚାରଧାରାର ବିରୋଧୀ ଜଣେ ଉଦାରବାଦୀ।

ତାଙ୍କ ବକ୍ତବ୍ୟରେ ଦେବୀଜୀ ବର୍ତ୍ତମାନ-କାଳର ତିନିଟି ସ˚କଟର କଥା କହିଲେ। ଏ ତିନିଟି ସ˚କଟ ହେଲେ: ଜ୍ଞାନ, ଗଣତନ୍ତ୍ର ଓ ନ୍ୟାୟ। ପ୍ରକୃତରେ ଏଭଳି ସ˚କଟ ଅଛନ୍ତି ନା ଦେବୀଜୀଙ୍କ ଭଳି ସ˚କଟବାଦୀ ବିଚାରକମାନେ ପାଶ୍ଚାତ୍ୟ ଉଦାରବାଦୀ ପର˚ପରାର ବିଫଳତାରେ ଆହତ ହୋଇ ନୂଆ ତର୍କ ପାଇଁ ଭୂମି ପ୍ରତିଷ୍ଠା କରୁଚନ୍ତି? ତର୍କର ଭୂମି ଲୋକାଗ୍ରହରେ ପରିଣତ ହେଲେ, ସମସ୍ୟାଗୁଡ଼ିକ ଲୋକକ୍ଷେତ୍ରରେ ଚର୍ଚ୍ଚିତ ହେବେ ଓ ସେତିକିବେଳକୁ ପ୍ରଶ୍ନର ମଞ୍ଜି ପୋତିଥିବା ବୌଦ୍ଧିକ-ବାର୍ତ୍ତାକାରମାନେ ନୂଆ ପ୍ରଶ୍ନ ନେଇ ମଞ୍ଚକୁ ଆସିବେ। ୟାର ଦୂରଗାମୀ ପରିଣତି ହେବ ଏଇଆ ଯେ ସମାଜରେ ବା ରାଷ୍ଟ୍ରୀୟ ଜୀବନରେ ବା ବିସ୍ତୃତ ଲୋକକ୍ଷେତ୍ରରେ ପ୍ରଶ୍ନ ସୃଷ୍ଟି କରିପାରୁଥିବା ବୌଦ୍ଧିକ ବାର୍ତ୍ତାକାରମାନେ ସବୁବେଳେ ଲୋଡ଼ା ହେବେ।

ମୁଁ ଏ ବିଷୟରେ ନିଶ୍ଚିତ ଯେ ଦେବୀଜୀଙ୍କର କୌଣସି ପୂର୍ବାଗ୍ରହ ନାହିଁ, ସେ କେବଳ ତାଙ୍କ ଅଭିବ୍ୟକ୍ତିକୁ ପ୍ରଶ୍ନାକୁଳ କରି ଆମକୁ ବିଭ୍ରାନ୍ତକାରୀ ଚିନ୍ତାର ଉପାଦାନ ଯୋଗାଉଚନ୍ତି। ସତରେ କ’ଣ ଆମର ଭାରତ-ବିଚାର ଦେବୀଜୀଙ୍କ ଭଳି ସ˚କଟବାଦୀ ବାର୍ତ୍ତାକାରଙ୍କ ଦ୍ବାରା ପରିଚାଳିତ ହେବ? କାହିଁକି ମୋର ଏ ପ୍ରବନ୍ଧରେ ମୁଁ ‘କଥା’ସମାରୋହର ଉଲ୍ଲେଖ କଲି ଓ ସୌମ୍ୟଜୀଙ୍କ ଭାରତ-ବିଚାରର ଆହ୍ବାନ ସହିତ ଦେବୀଜୀଙ୍କ ତାରାଭରା ଆକାଶ ତଳର ଅନ୍ଧକାର ସହିତ ଯୋଡ଼ିଲି, ତାହା ଲୋକକ୍ଷେତ୍ରର ବିବେକୀମାନଙ୍କୁ ଏବେ ଅବୋଧୢ ମନେ ହେବ ନାହିଁ। ଦେବୀଙ୍କ ନଜର ଭାରତୀୟ ରାଷ୍ଟ୍ରବାଦର ତତ୍ତ୍ବଭୂମି ଉପରେ। ସେ ଏ ତତ୍ତ୍ବଭୂମିର ପ୍ରତିପକ୍ଷରେ କିଭଳି ଠିଆ ହୋଇଚନ୍ତି ଓ ଏକପ୍ରକାରର ସ˚ଘର୍ଷ ଭିତରୁ ‘ଭାରତ-ବିଚାର’ କିଭଳି ବାହାରୁଚି ତାହା ସ୍ପଷ୍ଟ କରିବାକୁ ହେବ। ପାଠକଙ୍କର ସ୍ମରଣରେ ଥିବ ଏଥିପୂର୍ବରୁ ଏହି ସ୍ତମ୍ଭରେ ‘ଭାରତୀୟ ରାଷ୍ଟ୍ରବାଦ’ ଶୀର୍ଷକ ଏକ ରଚନା ଲେଖିଥିଲି ଓ ଅଭିଳାଷ ଥିଲା ଯେ ଆଉ ଚାରିଟି ରଚନାରେ ମୁଁ ମୋର ‘ଭାରତ-ବିଚାର’କୁ ଯଥା ସମୟରେ ସ୍ପଷ୍ଟ କରିବି। ସୌମ୍ୟଜୀଙ୍କ ଆହ୍ବାନ ମୋତେ ବାଧୢ କଲା ରଚନାର ପ୍ରସଙ୍ଗ ଓ ଗଢ଼ଣ ବଦଳାଇବାକୁ। ଗଣେଶ ଦେବୀଙ୍କ ଭାଷଣ ସେ ବାଧୢତାକୁ ସତେବା ଏକ ଏଭଳି ବୌଦ୍ଧିକ ସ˚କଟରେ ସ˚ଶ୍ଳିଷ୍ଟ କରିଦେଲା ଯେ ସେଥିରୁ ମୁକ୍ତ ନ ହେଲା ଯାଏଁ ସୌମ୍ୟଜୀଙ୍କ ବିରାଟ ଆହ୍ବାନର ଆପେକ୍ଷିକ ଉତ୍ତର ମଧୢ ଦେବା ସମ୍ଭବ ହେବନାହିଁ।

ତେଣୁ, ମୁଁ ପ୍ରଥମେ ପଚାରେ, ବିଶ୍ବର ଯେଉଁ ତିନିଟି ସ˚କଟର କଥା ଦେବୀଜୀ କହିଲେ ତାହା ସତ୍ୟ କି? ପ୍ରଥମେ ଜ୍ଞାନର ସ˚କଟ। କି ଦୁଃଖର କଥା, ଦେବୀଜୀ କହିଲେ ଯେ ବି˚ଶ ଶତାବ୍ଦୀ ମଧୢଭାଗ ବେଳକୁ ପ୍ରତିଷ୍ଠିତ ‘ଜ୍ଞାନ’ର ସୁନିର୍ଦ୍ଦିଷ୍ଟତା ଆଉ ନାହିଁ। ଥାଆନ୍ତା କି? ଏ କ’ଣ ସ୍ପଷ୍ଟ ନୁହଁ ଯେ ‘ଜ୍ଞାନ’କୁ ଗୋଟିଏ ସମୟରେ ଆବଦ୍ଧ କରି ଜ୍ଞାନୀ ବୋଲାଇବାର ଅହ˚କାର ଧ୍ବସ୍ତ ହୋଇଯାଇଚି। ଯାହା ହେଇଚି ଭଲ ହିଁ ହେଇଚି। ଯାହା କିଛି ମନ୍ଦ ପରିଣତି ତାହା ସେଇମାନଙ୍କ ପାଇଁ ଯେଉଁମାନେ ନିଜକୁ ନୂଆ ଜ୍ଞାନ ସହିତ ଅଗ୍ରଗାମୀ କରାଇବାରେ ବିଫଳ ହୋଇଚନ୍ତି ଓ ଅତୀତର ସ୍ବର୍ଣ୍ଣଯୁଗ ଆଳରେ ନିଜର ସ୍ବପ୍ନ ଦେଖିବାର ସମ୍ଭାବନାକୁ ବି ନଷ୍ଟ କରି ଚାଲିଚନ୍ତି। କବି ଇଲିଅଟ୍‌ ଯେତେବେଳେ କହିଲେ ଯେ ‘ଆମେ ପ୍ରଜ୍ଞାକୁ ଜ୍ଞାନରେ ଓ ଜ୍ଞାନକୁ ସୂଚନାରେ ହରାଇଚୁ’, ସେତେବେଳେ ସେ ପ୍ରଜ୍ଞାର କ୍ରମିକ କ୍ଷୟ ବିଷୟରେ କହୁଥିଲେ। ଠିକ୍‌ ଅର୍ଥରେ ସେ ଭାରତୀୟଙ୍କ ଜ୍ଞାନ-ପର˚ପରାର ସର୍ବୋଚ୍ଚ ଶିଖର ‘ପ୍ରଜ୍ଞା’ର ଅବକ୍ଷୟ କଥା କହୁଥିଲେ। ବିଶ୍ବରେ କୌଣସି ସମୟରେ, କୌଣସି ଲୋକ ସମାଜରେ ‘ପ୍ରଜ୍ଞା’କୁ କ୍ଷୁଦ୍ର କରି ଦେଖାଯାଏ ନାହିଁ କି ଅର୍ଜିତ ଜ୍ଞାନକୁ ସହଜ ଜ୍ଞାନର ସର୍ବୋଚ୍ଚ ପ୍ରାପ୍ତି ଠାରୁ ବଡ଼ ମନେ କରାଯାଏ ନାହିଁ। ବିଶେଷତଃ ସଭ୍ୟତାର ସୁଦୀର୍ଘ ପର˚ପରା ଥିବା ମାନବ ସମାଜ ମାନଙ୍କରେ ଏବେ ବି ସହଜ ଜ୍ଞାନର ଧୢାନୀ ପର˚ପରାରୁ ଆହୃତ ପ୍ରଜ୍ଞାକୁ ହିଁ ସର୍ବୋଚ୍ଚ ମନେ କରାଯାଏ। ଯେଉଁ ପ୍ରାଜ୍ଞ ପୁରୁଷମାନଙ୍କର ବାଣୀଗୁଡ଼ିକୁ ଆମେ ଏଯାଏଁ ସ୍ମରଣ କରୁ, ସେମାନେ କୋଉଯାଏଁ ପଢ଼ିଥିଲେ ବା କି କି ବହି ପଢ଼ିଥିଲେ ସେ ପ୍ରଶ୍ନ ପଚରାଯାଏ ନାହିଁ। ସେଇଠି ଜ୍ଞାନୀମାନଙ୍କୁ ତାଙ୍କର ପଠନ, ରଚନା ଓ ବକ୍ତବ୍ୟର ପ୍ରସାର ଓ ଗଭୀରତାକୁ ଚିହ୍ନାଯାଏ। ସୂଚନା ସବୁବେଳେ ଜ୍ଞାନର ପରିସ˚ଖ୍ୟାନଗତ ପରିସୀମାରେ ଥିଲା, ତାକୁ ଜ୍ଞାନର ଏକ ସୀମା, କୋଟୀ ବା ପର୍ଯ୍ୟାୟ ବୋଲି କେବେ ବି ଚିନ୍ତା କରାଯାଏ ନାହିଁ। ଜ୍ଞାନର ବ୍ୟାପ୍ତି, ତର୍କ, ପ୍ରମାଣ ଓ ତଥ୍ୟ ଆୟତ୍ତ କରିବା ଏବେ ଜଣେ ବ୍ୟକ୍ତି ବା ଗୋଟିଏ ଗୋଷ୍ଠୀର ସାମର୍ଥ୍ୟ ବାହାରେ କାରଣ ସେହି ଉଦାରବାଦୀ ପର˚ପରାର ବିଜ୍ଞ ଜନେ ‘ପ୍ରମାଣ ସିଦ୍ଧ’କୁ ଅକାଟ୍ୟ ବୋଲି ଗ୍ରହଣ ନ କରି ପ୍ରମାଣକୁ ବି ପ୍ରଶ୍ନ ଜର୍ଜର କରି ବିକଳ୍ପ-ବ୍ୟାଖ୍ୟାନ ରଚନା କରିଚନ୍ତି। ସେ ବି ବିତର୍କିତ ହୋଇଚାଲିଚି। କହିପାରନ୍ତି ପ୍ରଜ୍ଞା ଜ୍ଞାନ ଚରମ ଉତ୍କର୍ଷ ବା ଦୀପ୍ତି, ୟାକୁ ପ୍ରଶ୍ନ କରାଯାଏ ନାହିଁ। ସମସ୍ତ ପ୍ରାଜ୍ଞ ମୌଳିକ। କିନ୍ତୁ ଜ୍ଞାନୀମାନେ କେବେ ବି ଅନ୍ତିମରେ ପହଞ୍ଚନ୍ତି ନାହିଁ କି ଗୋଟିଏ ଶେଷକଥା ବା ସତ୍ୟରେ ଆସ୍ଥା ରଖନ୍ତି ନାହିଁ। ପ୍ରମାଣ, ତଥ୍ୟ, ମାନ୍ୟତା ଓ ବିଚାରଧାରା ସବୁ ବଦଳି ଚାଲେ। ସ୍ଥିର ହୋଇ ପ୍ରସ୍ତରୀଭୂତ ହେବା ଜ୍ଞାନର ଚରିତ୍ର ନୁହଁ। ତେଣୁ ଦେବୀଙ୍କ କ୍ଷୋଭ ଯେ ଜ୍ଞାନ ଆଉ ସ୍ଥିର ନୁହଁ, ଯଥାର୍ଥ ଆକଳନ ନୁହଁ। ସେହି ଉଦାରବାଦୀ ପର˚ପରାର ଚିନ୍ତକ ‘ଜ୍ୟାଁ ପ୍ରାଁସୋଆ ଲ୍ୟୋତା’ ୧୯୮୪ରେ କାନାଡାର କ୍ବେବେକ୍‌ ବିଶ୍ବବିଦ୍ୟାଳୟର କରିକୁଲମ୍‌ ବଦଳାଇବାର ପ୍ରକ୍ରିୟାରେ ‘ଉତ୍ତରପୁନିକ ସ୍ଥିତି: ଜ୍ଞାନର ବର୍ତ୍ତମାନର ସ୍ଥିତି ଉପରେ ଏକ ରିପୋର୍ଟ’ ପ୍ରସ୍ତୁତ କରି ଜ୍ଞାନକୁ ‘ପରଫର‌୍‌ମେଟିଭ୍‌’ ବା କ୍ରିୟାଶୀଳ ନର୍ତ୍ତନଶୀଳ ସ୍ଥିତି ବୋଲି କହିଲେ। ଅର୍ଥାତ୍‌, ଗୋଟିଏ ପ୍ରଶ୍ନର ଗୋଟିଏ ଉତ୍ତର ଯଥେଷ୍ଟ ନୁହେଁ, ଉତ୍ତର ବହୁମୁଖୀ, ତେଣୁ ଜ୍ଞାନକୁ ଖେଳିବାକୁ ଦିଆଯାଉ। ଏଭଳି ସ୍ଥିତିରେ ଦେବୀଙ୍କ କ୍ଷୋଭ ଯେ ଗତ ଦଶବର୍ଷ ଭିତରେ ଭାରତରେ ଜ୍ଞାନ-ପର˚ପରାକୁ ନଷ୍ଟ କରିବାର ଚକ୍ରାନ୍ତ ଚାଲିଚି ପ୍ରମାଦପୂର୍ଣ୍ଣ ନୁହେଁ କି? ଜ୍ଞାନର ଭିତ୍ତିଭୂମି ଦୋହଲିଗଲାଣି, ଅପସାରିତ ହୋଇଗଲାଣି, ଏକଥା କ’ଣ ସତ୍ୟ? ଇତିହାସର ପୁନର୍ଲିଖନ କ’ଣ ଜରୁରୀ ନୁହେଁ। ଭାରତୀୟ ପ୍ରଜ୍ଞା, ଜ୍ଞାନ ଓ ସୂଚନାକୁ ସମକାଳରେ ଆଲୋକରେ ପରୀକ୍ଷା କରିବା କ’ଣ ଜରୁରୀ ନୁହଁ? ଲୋକରେ ପ୍ରଚଳିତ ଚିନ୍ତା, ଚେତନା, ବାଣୀ, ଆରୋଗ୍ୟ ଓ ଉପଶମ ଆଦି କ’ଣ ବର୍ଜ୍ୟ? ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନର ମୁଖ୍ୟ ଭାରତକୁ ଔଷଧର ଲୋକ ବିଦ୍ୟା କ୍ଷେତ୍ର ଘୋଷିତ କରିବା କ’ଣ ଜ୍ଞାନର ପରିପନ୍ଥୀ?

ଭାରତ-ବିଚାର ପାଇଁ ଜରୁରୀ ଭାରତର ପ୍ରଜ୍ଞା, ଜ୍ଞାନ ଓ ସୂଚନା ପର˚ପରାକୁ ଆଣି ସଦ୍ୟତମ ଆବିଷ୍କାର ଓ ଉଦ୍ଭାବନ ସହିତ ମିଶାଇବା, ତଉଲିବା ଓ ପୁନଃ ପ୍ରତିଷ୍ଠା ଦେବା। ଦେବୀଙ୍କ ଭଳି ବିଦ୍ବାନମାନେ ପ୍ରଶ୍ନର ଉତ୍ତର ପ୍ରଶ୍ନରେ ଦେଇ ଚାଲିଯା’ନ୍ତି, ତେଣୁ ତାଙ୍କ ଠାରୁ ତର୍କ-ସ˚ଗତ ଅନ୍ତିମ ନିଷ୍କର୍ଷ କିଛି ମିଳେ ନାହିଁ। ଭାରତ-ବିଚାର ପାଇଁ ଆମେ ବର୍ତ୍ତମାନ ସେମାନଙ୍କୁ ପ୍ରଶ୍ନ କରିବା, ପଚାରିବା କୋଉ ଜ୍ଞାନର ମୂଳ ଦୁର୍ବଳ ହେଇଗଲା, ୟାର ଠୋସ୍‌ ପ୍ରମାଣ ଦିଅନ୍ତୁ। ଯଦି ପ୍ରମାଣ ନାହିଁ, ତେବେ ଅପପ୍ରଚାରରୁ କ୍ଷାନ୍ତ ହୁଅନ୍ତୁ। ନିଜର ବୌଦ୍ଧିକ ସୁରକ୍ଷା ଓ ମହତ୍ତ୍ବାକା˚କ୍ଷା ପାଇଁ ଦେଶ, ରାଷ୍ଟ୍ର ଓ ଭାରତୀୟ ରାଷ୍ଟ୍ରୀୟତାର ଉଦ୍‌ଘୋଷଣକୁ ଅଯଥା ବିତର୍କିତ କରନ୍ତୁ ନାହିଁ। ସେହିଭଳି ଭାରତ-ବିଚାର ପାଇଁ ଜରୁରୀ ‘ଭାରତୀୟ ରାଷ୍ଟ୍ରବାଦ’ ବା ‘ଭାରତୀୟ ଗଣତନ୍ତ୍ର’କୁ ବିତର୍କିତ କରି ସେ ଗୋଟିଏ ବଡ଼ ଭୁଲ୍‌ କଲେ। ଜଣେ ପ୍ରବୁଦ୍ଧ ବ୍ୟକ୍ତି ଭାବରେ ସେ ବରୋଦାରେ ଜଣେ ରାଷ୍ଟ୍ରୀୟ ସ୍ବୟ˚ସେବକର ଉତ୍ତେଜକ ଭାରତୀୟତାର ବିପଦ ସ୍ମରଣ କଲେ, କିନ୍ତୁ ଦିଲ୍ଲୀ, ମଧୢପ୍ରଦେଶ, କର୍ଣ୍ଣାଟକ ଓ ଗୁଜୁରାଟରେ ଧର୍ମୀୟ ବିଦ୍ବେଷର ପ୍ରକୃତ କାରଣ ସ୍ମରଣ କଲେ ନାହିଁ। ଭାରତରେ ସକ୍ରିୟ ଚରମପନ୍ଥୀ ଧର୍ମୀୟ ଅନୁଷ୍ଠାନମାନଙ୍କର ତୁଳନାତ୍ମକ ଅଧୢୟନ କରିବାରେ କି ଅନ୍ତରାୟ ଅଛି? ସିଧାସଳଖ ପ୍ରମାଣ ଏକାଠି କରାଯାଉ ଓ ଲୋକକ୍ଷେତ୍ରରେ ଉପସ୍ଥାପିତ କରାଯାଉ। ତା’ ନ କରି ବୌଦ୍ଧିକ ଅନ୍ତରାଳ ନିର୍ମାଣ କରି ଲଢ଼ିବାରେ କି ବିଚାର ବୁଦ୍ଧି? ଭାରତରେ ଯେ ରାଜ୍ୟ ଓ କେନ୍ଦ୍ରର ସରକାରମାନେ ସବୁ ଚରମପନ୍ଥୀମାନଙ୍କୁ ପ୍ରତିବନ୍ଧିତ କରିନାହାନ୍ତି ବର˚ ନ୍ୟାୟିକ ପ୍ରକ୍ରିୟା ମାଧୢମରେ ସବୁ ଧର୍ମକୁ ସମଦୃଷ୍ଟିରେ ଦେଖିବାର ପ୍ରୟାସ କରିଚାଲିଚନ୍ତି, ଏକଥା ପ୍ରମାଣ ନୁହଁ ଯେ ଏ ଦେଶରେ ସର୍ବଧର୍ମ ସହାବସ୍ଥାନର ନୀତି କାଏମ୍‌ ରହିଚି? ଏଠି ସ˚ଖ୍ୟାଲଘୁଙ୍କୁ ସମ୍ମାନ ଦିଆଯାଏ। ତା’ ନ ହୋଇଥିଲେ ବିପୁଳ ସ˚ଖ୍ୟାଗରିଷ୍ଠତା ସତ୍ତ୍ବେ ଗୋଟିଏ ଧର୍ମର ଦେବାରଧନାର କର୍ମକାଣ୍ତ ଓ ଉପଚାର, ସ˚ଖ୍ୟାଲଘୁଙ୍କ ଚକ୍ଷୁଶୂଳ ହେବା କଥାଟାକୁ ବୁଦ୍ଧିଜୀବୀମାନେ ଏଡ଼ାଇ ଯାଇନଥା’ନ୍ତେ। ଓଡ଼ିଶାର ତାରାଭରା ଆକାଶ ଓ ତଳର ଅନ୍ଧକାର କାବ୍ୟିକ ମେଟାଫର‌୍‌, କିନ୍ତୁ ଏକ ପ୍ରକାରର ତାଚ୍ଛଲ୍ୟ। ଦେବୀଙ୍କୁ ୟା ବି ଲାଗିଲା ଯେ ଆସେମ୍ଲିରେ ଆଞ୍ଚଳିକ ଦଳକୁ ଓ ଲୋକସଭାରେ ରାଷ୍ଟ୍ରୀୟ ଦଳକୁ ଭୋଟ୍‌ ଦେବାର ବୈଚିତ୍ର୍ୟ ଓଡ଼ିଶାର ଲୋକସମାଜରେ ଏବେ ବି ସ˚ଚରୁଥିବା ଧର୍ମାନ୍ଧତାର ଧୂଆଁ ଥିବାର ସୂଚନା। ନା, ଓଡ଼ିଶାରେ ସହନଶୀଳତାର ଏକ ଭିନ୍ନ ପର˚ପରା ଅଛି, ଯାହାକୁ ସ୍ବତନ୍ତ୍ର ଭାବରେ ବିଚାର କରିବାକୁ ଦେବୀଗୋଷ୍ଠୀୟ ଜ୍ଞାନୀମାନେ ସୁଯୋଗ ପାଇନାହାନ୍ତି। ଓଡ଼ିଶାକୁ ରାତିର ତାରାଭରା ଆକାଶ କହିବାର ଅର୍ଥ, ଓଡ଼ିଶାର ମାଟିର ନିର୍ମାଣକୁ ନଜରଅନ୍ଦାଜ୍‌ କରିବା। ଭାରତ ବିଚାରରେ ମାତୃଭୂମି ନିର୍ମାଣ ଓ ରାଷ୍ଟ୍ରନିର୍ମାଣ ତଥା ଆ˚ଚଳିକ ଇତିହାସରେ ରାଷ୍ଟ୍ର ଜ୍ଞାନର ପରିକଳ୍ପନା ତିନିଟିଯାକ ଦେଖିବାକୁ ହେବ। ଦେବୀ ନ କରନ୍ତୁ, ଆମେ କରିବା। ଆମେ କାହିଁକି ସେଇମାନଙ୍କୁ ଭୋଟ୍‌ ଦେଉଚେ ଯେଉଁମାନେ ଆମର ଗଣତାନ୍ତ୍ରିକ ଅଧିକାର ଛଡ଼େଇନେବା ପାଇଁ ଉଦ୍ୟତ, ଏ ଏକ ଅବାନ୍ତର ପ୍ରଶ୍ନ। ଭାରତୀୟ ରାଜନେତାମାନେ ବିବର୍ତ୍ତିତ ହୋଇ ଚାଲିଚନ୍ତି, ଲୋକେ ବି! ବ୍ୟବସ୍ଥା ଦୃଢ଼ ହୋଇ ରହିଚି।

ତୃତୀୟ ସ˚କଟଟି କୁଆଡ଼େ ନ୍ୟାୟର। ଭାରତରେ ନ୍ୟାୟ ବ୍ୟବସ୍ଥା ପାଶ୍ଚାତ୍ୟ ନ୍ୟାୟ ବ୍ୟବସ୍ଥା ଠାରୁ ଅଧିକ ସମସ୍ୟା ସ˚କୁଳ, ଅଧିକ ଜଟିଳ ଓ ଅଧିକ ଦାୟିତ୍ବପୂର୍ଣ୍ଣ। ଜଣେ ନ୍ୟାୟାଧୀଶ ଭାବରେ ପାଶ୍ଚାତ୍ୟ ଦେଶମାନଙ୍କର ଅସ˚ଖ୍ୟ ବିଚାର ଓ ରାୟ ପଢ଼ିବାର ସୁଯୋଗ ମତେ ମିଳିଚି। ମୁଁ ହଲପ୍‌ କରି କହିପାରେ ଯେ ଆମର ନ୍ୟାୟ ବ୍ୟବସ୍ଥାର ଦୁର୍ବଳତାର କାରଣ ଅନ୍ୟତ୍ର ନିହିତ। ସେ ବିଷୟରେ ଆଲୋଚନା କରୁରୀ ନୁହେଁ, କିନ୍ତୁ ଯେଉଁ ‘ଡିଷ୍ଟ୍ରିବ୍ୟୁଟିଭ୍‌ ଜଷ୍ଟିସ୍‌’ର କଥା ଦେବୀ କହୁଚନ୍ତି, ତାକୁ ତ ପାଶ୍ଚାତ୍ୟ ଜ୍ଞାନ ପର˚ପରା ସ୍ବୀକାର ବି କରେ ନାହିଁ। ତାଙ୍କ ପାଇଁ ସମାଜବାଦ, ପୁଞ୍ଜିବାଦର ଏକ ବାଇ-ପ୍ରଡକ୍‌ଟ। ଅର୍ଥାତ୍‌ ଯେଉଠି ପୁଞ୍ଜି ଅଛି, ସେଠି ଅସମାନତା ଅଛି ଓ ସାମାଜିକ ନ୍ୟାୟ ସେଠି ବିଡ଼ମ୍ବିତ ହେବାକୁ ବାଧୢ। କହିଁ ପେ ନିଗାହେଁ, କହିଁ ପେ ନିଶାନା ଶୈଳୀରେ ବିଶ୍ବର ତିନିଟି ସମସ୍ୟାକୁ ଦେବୀ ଭାରତର ବର୍ତ୍ତମାନର ସାମାଜିକ ଓ ରାଜନୈତିକ ସ˚କଟର କାରଣ ବୋଲି କହିବାକୁ ଚାହୁଁଥିଲେ। ଦେବୀ ମଧୢ ଭାରତୀୟ ଜନତା ପାର୍ଟି, ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ ଓ ଭାରତୀୟ ରାଷ୍ଟ୍ରବାଦର ବିରୋଧୀ। କିନ୍ତୁ ଏ ବିରୋଧର ସ୍ତର ଅଣରାଷ୍ଟ୍ରୀୟ ରାଜନୈତିକ ଉଦାରବାଦ ଭଳି ଚିତ୍ରିତ ହେବ କାହିଁକି? ସିଧାସଳଖ କୁହାଯାଉ। ସବୁ ଉଦାରବାଦୀ ଏକାଠି ଭାରତ-ବିଚାର କରନ୍ତୁ ଓ ଆମକୁ କହନ୍ତୁ କିପରି ଭାରତରେ ଜ୍ଞାନର ସ˚କଟ, ଗଣତନ୍ତ୍ରର ସ˚କଟ ଓ ବିତରଣକ୍ଷମ ନ୍ୟାୟରେ ସ˚କଟ।

ଆମେ ଓଡ଼ିଆଏ ତାରାଭରା ଆକାଶ ମେଟାଫର‌୍‌ରେ କୃତକୃତ୍ୟ ହୋଇ ତାଳି ମାରିବା ଏକ ତାତ୍କାଳିକ ପ୍ରତିକ୍ରିୟା। ଆମେ କିଭଳି ଭାରତ-ବିଚାର କରିବା ତାହା ଏକ ଦୀର୍ଘ କାଳୀନ ପରିଯୋଜନା। ଭାରତୀୟ ରାଷ୍ଟ୍ରବାଦର ପରିପ୍ରେକ୍ଷୀରେ ଭାରତ-ବିଚାରର ଏ ପ୍ରୟାସ ଆମର ଜାରି ରହିବ। ଖରଗୋନ୍‌, କରୋଲି, ମୁଜ୍ଜାଫରାବାଦ୍‌, ବେଙ୍ଗାଲୁରୁ, ମୁମ୍ବାଇ ବା ଦିଲ୍ଲୀରେ ସ˚ଖ୍ୟାଲଘୁଙ୍କ ସଶକ୍ତୀକରଣ, ଅସ୍ତ୍ରାୟନର କୋଉ ଅ˚ଶଟି ଭାରତ-ବିଚାରର ଅ˚ଶ? ଧର୍ମୀୟ ବିଚାର ଓ ରାଜନୈତିକ ଶକ୍ତିକ୍ରୀଡ଼ା ଭିତରେ ସମସ୍ୟା କୋଉଠି? ଧର୍ମ ନିରପେକ୍ଷତା ରାଷ୍ଟ୍ରର ଆକ୍ରାମକ ଅସ୍ତ୍ର ନା ରାଜନୀତିର ଆତ୍ମରକ୍ଷା ପାଇଁ ଢାଲ? ଲୋକେ ପରସ୍ପରକୁ ପଚାରନ୍ତୁ। ଲୋକେ ଜାଣନ୍ତୁ ଯେ ବୁଦ୍ଧିଜୀବୀଙ୍କ ଭ୍ରଷ୍ଟଜ୍ଞାନ ବିରୋଧରେ ଏକମାତ୍ର ପ୍ରତିରୋଧ ସାଧାରଣ ଭାରତୀୟର ସହଜ ଜ୍ଞାନ। ତାରାଭରା ଆକାଶ ତଳେ ଅନ୍ଧାରରେ ଦୁଃଖୀ, ଦୁର୍ବଳ ଓ ଅଳ୍ପପାଠୁଆ କର୍ମଜୀବୀଙ୍କ ଘରେ ଯେଉଁ ଦୀପଟି ମାନ ଜଳେ, ଉତ୍ତର ସେଇଥିରେ।
ମୋ- ୯୪୩୭୦୩୯୮୫୮