ବାତ୍ୟାର ଠିକ ନାମ ‘ଅସନି’

ସଂବାଦରେ, ସେମିତି କହିଲେ ସବୁ ଓଡ଼ିଆ ଖବରକାଗଜରେ, ଗଲା ବାତ୍ୟାର ନାଆଁ ଅସାନି ଲେଖା ଯାଉଚି। ଏ ନାଆଁ ବାସ୍ତବିକ “ଅସନି”(ନୀ)। ଏ ନାଆଁ ଦେଇଚଂତି ଶ୍ରୀଲଂକାର ପାଣିପାଗ ବିଭାଗ। ସିଂହଳୀ ଭାଷା ଆମ ଓଡ଼ିଆ ଭଳି ଏକ ପ୍ରାକୃତୋଦ୍ଭବ ଭାଷା। ଦେଖୁନାହାଂତି, ତାଂକ ଲୋକଂକ ନାଆଁ ସବୁ ଆମ ଭଳି। ସଂସ୍କୃତ-ପ୍ରାକୃତରେ ଅସନ ଶବ୍ଦର ଅର୍ଥ କ୍ଷେପଣ। ଅସନୀ(ନି) ଅର୍ଥ ଉଲ୍‌କା। ମାତ୍ର, ଅସନି ଶବ୍ଦ ସବୁ ପ୍ରକାରର ପ୍ରାକୃତିକ ଘନଘଟା ଅର୍ଥରେ ବି ବ୍ୟବହାର କରାଯାଏ, ଯଥା, ପ୍ରଚଂଡ ବର୍ଷାଭାବ, ଭୂମିକଂପ, ଭୀଷଣ ତୋଫାନ ଇତ୍ୟାଦି। ଋତ୍ବିକ ଘଟକଂକ ‘ଅସନି ସଂକେତ’ ସିନେମା ଆପଣଂକର ମନେ ଥିବ। କହିବାର ତାତ୍ପର୍ଯ, କାଗଜରେ ନାଆଁର ସଂଶୋଧନ କରାଯାଉ।
ନୀଳକଂଠ ରଥ
ପୁଣେ, ମହାରାଷ୍ଟ୍ର

ମହାନଦୀ ଜଳ ସଂରକ୍ଷଣ ଜରୁରୀ

ଛତିଶଗଡ଼ରେ ଗଢ଼ି ଉଠିଥିବା ଅନେକ ବନ୍ଧ ହେତୁ ମହାନଦୀ ସୁରକ୍ଷା ପ୍ରସଙ୍ଗ ଏବେ ଏକ ଚିନ୍ତାରେ ପରିଣତ ହୋଇଛି। ପ୍ରକୃତରେ ବର୍ଷା ଦିନେ ମହାନଦୀ ବାଟ ଦେଇ ଅପରିମେୟ ଜଳରାଶି ସମୁଦ୍ରକୁ ବହିଯାଇଥାଏ। ତା’ର ଉପଯୁକ୍ତ ବିନିଯୋଗ ପାଇଁ ଏକ ବାଟ ବାହାରିଲେ ଭଲ ହୁଅନ୍ତା। ଏହି ଜଳରାଶିକୁ ସଂରକ୍ଷଣ କରି ରଖାଯିବା ଦରକାର। ତା’ ଛଡ଼ା ହୀରାକୁଦ ଜଳଭଣ୍ଡାରର କ୍ଷମତା ବୃଦ୍ଧି ଦିଗରେ ଉଦ୍ୟମ ମଧ୍ୟ ଏକ ଉତ୍କୃଷ୍ଟ ପନ୍ଥା। ନୂତନ ନଦୀ ବନ୍ଧ ନିର୍ମାଣ କରାଯିବା ଏବେ ଅସମ୍ଭବ ହେଲାଣି। କାରଣ ବିସ୍ଥାପନ ଭଳି ସମସ୍ୟା ମୁଣ୍ଡ ଟେକିବା ନିଶ୍ଚିତ। ସୁତରାଂ, ହୀରାକୁଦ ଜଳଭଣ୍ଡାରରୁ ପଙ୍କ ସଫା କରି ଏହାର ଜଳଧାରଣ କ୍ଷମତା ବୃଦ୍ଧି କରାଯିବା ଦିଗରେ ଉଦ୍ୟମ କରାଯାଉ।

ସମ୍ବନ୍ଧିତ ଖବର