ଫାଇନ ଟଙ୍କା ଯାଉ ପଛେ..ପ୍ରେମିକା ନ ଯାଉ, ତିନିଟି ଦୃଶ୍ୟ ଯାହାକି ଘଟିପାରେ

ଦୃଶ୍ୟ-୧
ପଟିଆ ଟୋକା ଆମର ମଙ୍ଗୁଆ | କିଣିଥିଲା ନୂଆ ବାଇକ | କୁତୁକୁତୁ ମନ ସାଙ୍ଗକୁ ସୁନ୍ଦରୀ ପ୍ରେମିକାକୁ ଧରି ରାଜଧାନୀ ରାସ୍ତାରେ ଉଡୁଥିବାବେଳେ ହଠାତ ପୁଲିସ ବାବୁଙ୍କ ପଞ୍ଝାରେ ପଡିଥିଲା ମଙ୍ଗୁଆ | ମୁଣ୍ଡରେ ହେଲମେଟ ନଥିବା ସହ ବାଇକର ଫଟଫଟିଆ ଶବ୍ଦ | ନମ୍ବର ପ୍ଲେଟରେ ବାବୁ ଲଗାଇଥିଲେ ଜାନେମନ ଓ ପ୍ରେମ ପାଖୁଡାର କିଛି ସାଙ୍କେତିକ ଚିହ୍ନ | ଯାହାକୁ ନେଇ ଫାଇନ କଷିଦେଲେ ପୁଲିସି ବାବୁ | ୧୫ ହଜାର ଟଙ୍କାର ଫାଇନ ଦେବାକୁ ମଙ୍ଗୁକୁ ରସିଦଟିଏ ବଢ଼ାଇଦିଆଗଲା | ହଠାତ ଏତେ ଟଙ୍କାର ଫାଇନକୁ ନେଇ ମନିପର୍ସ ଆଡେଇ ଦେଖିଲେ ୫୦୦ ଟଙ୍କିଆଟିଏ ପଡିଛି | ଘରୁ ବହି କିଣିବା ପାଇଁ ମିଛ କହି ଆଣିଥିଲା ମଙ୍ଗୁଆ, ପ୍ରେମିକାଙ୍କୁ ନେଇ ସିନେମା ଯିବାର ଯୋଜନା କରିଥିଲା ଆମ ଟୋକା | କଣ କରିବ ଭାବି ପ୍ରେମିକା ପାଖରୁ କିଛି ସହାୟତା ଆଶାରେ ଅନାଇଲା, କିନ୍ତୁ ପ୍ରେମିକାର କଟାସ ନଜର ଦେଖି ନିରବ ରହିଲା | ରାସ୍ତା କଡରେ ସୁନ୍ଦରୀ ଝିଅ ସହ ହତାଶିଆ ପ୍ରେମିକଙ୍କୁ ଏଭଳି ଭାବେ ଛିଡା ହେବା ଦେଖି ହେଲମେଟ ପିନ୍ଧିଥିବା ଜଣେ ରୋଡ଼ ରୋମିଓ ଗାଡି ଅଟକାଇଲେ, ପଚାରିଲେ ଗୋଟିଏ କଥା ମ୍ୟାଡ଼ାମ ଲିଫ୍ଟ ଦେବି କି, ମଙ୍ଗୁଆ ରାଗି କି ଲାଲ ହୋଇଗଲା ସତ କିନ୍ତୁ କିଛି କରିବା ପୂର୍ବରୁ ରୋମିଓଙ୍କ ବାଇକ ପଛପଟେ ବସିସାରିଥିଲେ ପ୍ରେମିକା ମ୍ୟାଡ଼ାମ | ରକେଟ ବେଗରେ ରୋମିଓଙ୍କ ସହ ପଳାଇଗଲେ, ଆଉ ଭକୁଆ ହୋଇଯାଇଥିଲା ମଙ୍ଗୁଆ |

ଦୃଶ୍ୟ-୨
ଫୁଲବାଣୀରୁ ରାଜଧାନୀକୁ ଅଟୋ ଚଳାଇବା ପାଇଁ ଚାଲିଆସିଥିଲା କୁଞ୍ଜ ଭାଇନା | ବୟସ ସିନା ୫୦ ଛୁଇଁଥିଲା, କିନ୍ତୁ ମନରେ ପ୍ରେମର ଅସରନ୍ତି ଫୁଆରା | ମହିଳା ମହାବିଦ୍ୟାଳୟରୁ ଛାତ୍ରୀମାନଙ୍କୁ ନେବା ଆଣିବା କରନ୍ତି କୁଞ୍ଜ ବାବୁ | ମୁହଁରେ କପଡା ଭିଡୁଥିବା ଛାତ୍ରୀଙ୍କ ଚେହେରା ପଢିବାକୁ ସବୁବେଳେ ଚାହାଁନ୍ତି ଆମ ଭାଇନା | ସବୁଦିନ ଭଳି ଗାଡ଼ିରେ ରିମିକ୍ସ ଗୀତ ଲଗାଇ ଦ୍ରୁତ ଗତିରେ ଅଟୋ ଚଳାଉଥିଲେ, ମୁଡ଼ ମିଜାଜକୁ ଆଉ ଟିକେ ରଙ୍ଗୀନ କରିବାକୁ ନାଲିପାଣି ବି ଢୋକେ ଚଢ଼ାଇଥିଲେ, ହଠାତ ମାଡ଼ିବସିଲେ ପୁଲିସି ମାମୁଁ | କଷିଦେଲେ ୨୦ ହଜାର ଟଙ୍କାର ଫାଇନ | କଣ କରିବେ, କାହାକୁ କହିବେ ଭାବୁଭାବୁ ଅଟୋରେ ବସିଥିବା ତରୁଣୀ ମାନେ ବି ଯିଏ ଯାହା ବାଟରେ ଛୁ ମାରିଲେ |

photo-navbharattimes

ଦୃଶ୍ୟ-୩
ହାଲକା ଗୀତ ବାଜୁଥିଲା, ନିଜ ସୁନ୍ଦରୀ ବ୍ୟକ୍ତିଗତ ସହାୟିକାଙ୍କ ସହ ମଙ୍ଗୁଆ ସାର କୋଣାର୍କ ଯାଉଥିଲେ | ନିଜ କାରରେ ଲଙ୍ଗ ଡ୍ରାଇଭରେ ଯିବାର ବିଚାର କରିଥିବା ମଙ୍ଗୁଆ ସାର ହସି ହସି ସହାୟିକାଙ୍କୁ ପ୍ରେମ ନିବେଦନ କରିବାର ପ୍ରୟାସରେ ଥିଲେ | ପାଖରେ ଦାମୀ କାର ଥିଲା ସତ କିନ୍ତୁ ନଥିଲା ଡ୍ରାଇଭିଙ୍ଗ ଲାଇସେନ୍ସ | କିଏ ବା କରିବ ଲାଇସେନ୍ସ, କିଏ ଧରିବ, ଯେ ଡରିବି କାହାକୁ ବୋଲି ଭାବିନେଇଥିଲେ ସାରେ | ହଠାତ ପିପିଲି ରୋଡ଼ରେ ଟ୍ରାଫିକ ପୁଲିସଙ୍କ କବଜାକୁ ଆସିଯାଇଥିଲେ ମଙ୍ଗୁଆ ବାବୁ | ଲାଇସେନ୍ସ ନଥିବାରୁ ଫାଇନ ଦେବା ସହ ସହାୟିକାଙ୍କୁ ବୁଝାଇଦେଲେ ଏମିତି ମନେ ନଥିଲା ମ, ଲାଇସେନ୍ସ କଥା, ଡୋଣ୍ଟ ଓରି | ସହାୟିକା ବି ଶୁଣାଇଦେଲେ ସଫାସଫା ‘ଗାଡି ଚଲାଇବା ଜାଣିନାହାଁନ୍ତି, ପ୍ରପୋଜ ପାଇଁ କନକନ ହେଉଛନ୍ତି ସାର ‘

ବି.ଦ୍ର: କାହାକୁ ଉପହାସ କରିବା ଆମର ଉଦ୍ଦେଶ୍ୟ ନୁହେଁ, ଫାଇନ କଷ୍ଟକୁ ନେଇ ଏକ ହାଲକାଫୁଲକା ଲେଖା | ଲେଖାଯାଇଥିବା ଚରିତ୍ରର ନାମ କେବଳ କାଳ୍ପନିକ, ମନୋରଞ୍ଜନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି |

ସମ୍ବନ୍ଧିତ ଖବର