ଦିନକରେ ୩୦ କୋଟି

ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଓ ଅଭିନେତା ଅକ୍ଷୟ କୁମାରଙ୍କ ଯୋଡ଼ିଙ୍କୁ ପୁଣି ଅଭୂତପୂର୍ବ ସଫଳତା ମିଳିଛି। କୋଭିଡ୍ କଟକଣା କୋହଳ ହେବା ପରେ ଏହା ହେଉଛି ବଲିଉଡର ପ୍ରଥମ ଧମାକା। ଏବେ ବି ଦର୍ଶକ ପ୍ରେକ୍ଷାଳୟକୁ ଯିବାକୁ ଆଶଙ୍କା କରୁଥିବା ବେଳେ ନୂଆ ସିନେମା ‘ସୂର୍ଯ୍ୟବଂଶୀ’ ଦର୍ଶକଙ୍କୁ ସିନେମା ହଲରେ ପହଞ୍ଚିବାକୁ ବାଧ୍ୟ କରିଛି। ଅକ୍ଷୟ କୁମାର, କ୍ୟାଟ୍ରିନା କୈଫ୍, ଅଜୟ ଦେବଗନ୍ ଓ ରଣବୀର ସିଂହଙ୍କୁ ଏଥିରେ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ତେବେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରୁ କରୁ ଦର୍ଶକଙ୍କୁ ଆମୋଦିତ କରିଛି।

ପ୍ରଥମ ଦିନରେ ଏହା ଆଶାତୀତ ବ୍ୟାବସାୟିକ ସଫଳତା ପାଇଛି। ପ୍ରିମିୟର ଦିନ ଏହା ପାଖାପାଖି ୩୦ କୋଟି ଟଙ୍କାର ଟିକେଟ୍ ବିକ୍ରି କରି ବକ୍ସ ଅଫିସ୍ ହଲଚଲ କରିଛି। ପୂର୍ବରୁ ରୋହିତଙ୍କ ନିର୍ଦ୍ଦେଶିତ ସିନେମା‌ ପ୍ରଥମ ଦିନରେ ୨୦ରୁ ୨୫ କୋଟି ପର୍ଯ୍ୟନ୍ତ ଆୟ କରିଥିବାର ନଜିର ରହିଛି। ହେଲେ କୋଭିଡ୍ ପାଇଁ ଆଶଙ୍କା କରାଯାଉଥିବା ଦର୍ଶକଙ୍କ ସଂଖ୍ୟା ଆଶାତୀତ ହେଇଛି। ପ୍ରଥମ ଦିନର ପ୍ରଥମ ସୋ’ରେ ୩୦ରୁ ୪୦ ପ୍ରତିଶତ ଦର୍ଶକଙ୍କୁ ଦେଖିବାକୁ ମିଳିଛି। ଦେଶର ଗୁଜୁରାଟ ଓ ମୁମ୍ବାଇରେ ‘ସୂର୍ଯ୍ୟବଂଶୀ’ର ସର୍ବାଧିକ ବ୍ୟବସାୟ ହେଇଛି। ଏହା ବ୍ୟତୀତ ଦିଲ୍ଲୀ ଓ ପଞ୍ଜାବରେ ମଧ୍ୟ ଭଲ ବ୍ୟବସାୟ ହେଇଛି।

ଉତ୍ତର ଭାରତରେ ବେଶ୍ ଖ୍ୟାତି ଲାଭ କରିଥିବା ଅକ୍ଷୟ କୁମାରଙ୍କୁ ଦର୍ଶକ ପୁଣି ଥରେ ଦେଖିବାକୁ ପାଇ ଉତ୍ସାହିତ ହେଇଛନ୍ତି। ଏଥିରେ ଜାଭେଦ ଜାଫରୀ, ଗୁଲସନ୍ ଗ୍ରୋଭର, ଅଭିମନ୍ୟୁ ସିଂହ, ନୀହାରିକା ରାୟଜାଦା, ଜ୍ୟାକି ସ୍ରଫ୍, ସିକନ୍ଦର ଖେର, ନିକତିନ୍ ଧୀର, କୁମୁଦ ମିଶ୍ରା, ସିଦ୍ଧାର୍ଥ ଯାଦବ, ମୃଣାଳ ଜୈନ୍, ରାଜେନ୍ଦ୍ର ଗୁପ୍ତା, ଆସିଫ୍ ବାସ୍ରା ଏବଂ ଅଜିତ ସିନ୍ଧେ ପ୍ରମୁଖଙ୍କୁ ମଧ୍ୟ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି। ଲାଗୁଛି ‘ସୂର୍ଯ୍ୟବଂଶୀ’ ଖୁବଶୀଘ୍ର ଶହେ କୋଟି କ୍ଲବରେ ସାମିଲ ହେବ।

ସମ୍ବନ୍ଧିତ ଖବର