ଐଶ୍ବର୍ଯ୍ୟାଙ୍କ ବିଷୟରେ ଲେଖିଥିବା ଟ୍ବିଟର୍‌ ବ୍ୟବହାରକାରୀଙ୍କୁ ଏପରି ଜବାବ ଦେଲେ ଅଭିଷେକ; ଲୋକ କହିଲେ ସ୍ବାମୀ ହେବ ତ ଏପରି

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଥାଆନ୍ତି। ସେ ଅଧିକାଂଶ ସମୟରେ ପ୍ରଶଂସକମାନଙ୍କ ଟ୍ବିଟର୍‌ ଉତ୍ତର ବି ଦେଇଥାନ୍ତି। ନିକଟରେ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀଙ୍କ ଟ୍ବିଟର୍‌ର ଜବାବ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଅଭିଷେକ। ସେ ‘ପୋନିୟିନ୍‌ ସେଲ୍‌ଭନ-୨’ରେ ପତ୍ନୀ ଐଶ୍ବର୍ଯ୍ୟା ରାୟଙ୍କ କାମକୁ ପ୍ରଶଂସା କରି ଜଣେ ବ୍ୟବହାରକାରୀଙ୍କ ଟ୍ବିଟ୍‌ର ସମ୍ମୁଖୀନ ହୋଇଥିଲେ। ‌ଯେଉଁ ଟ୍ବିଟ୍‌ରେ ବେଶ ମନଛୁଆ ଉତ୍ତର ଦେଇଛନ୍ତି ଛୋଟା ବଚ୍ଚନ।

 

ଅଭିଷେକ ‘ପୋନିୟିନ୍‌ ସେଲ୍‌ଭନ-୨’ର ପୂରା ଟିମ୍‌କୁ ଶଭେଚ୍ଛା ବାର୍ତ୍ତା ଦେବା ସହ ପତ୍ନୀ ଐଶ୍ବର୍ଯ୍ୟାଙ୍କୁ ବିଶେଷ ଅଭିନନ୍ଦନ ଜଣାଇ ଏକ ଟ୍ବିଟ୍‌ କରିଥିଲେ। ତାହାର ଉତ୍ତରରେ ଜଣେ ବ୍ୟବହାରକାରୀ ଲେଖିଥିଲେ, ‘ଏବେ ଆପଣ ଅରାଧ୍ୟଙ୍କ ଦାୟିତ୍ବ ଗ୍ରହଣ କରି ଐଶ୍ବର୍ଯ୍ୟାଙ୍କୁ ଅଧିକ ଫିଲ୍ମ ସ୍ବାକ୍ଷର କରିବାର ସୁଯୋଗ ଦିଅନ୍ତୁ’। ଏହାକୁ ରି-ଟ୍ବିଟ୍‌ କରି ଅଭିଷେକ ଯାହା ଲେଖିଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ସେ ଲେଖିଛନ୍ତି, ‘ତାଙ୍କୁ ସ୍ବାକ୍ଷର କରିବାକୁ ଦେବି? ସାର୍‌, ସେ କିଛି ବି କରିବାକୁ ମୋର ଅନୁମତି ଆବଶ୍ୟକ କରନ୍ତି ନାହିଁ, ବିଶେଷ କରି ସେ ଭଲପାଉଥିବା କାମ କରିବାକୁ ତ ଆଦୌ ବି ନୁହେଁ।’

 

ଅଭିଷେକଙ୍କର ଏହି ଗୋଟାଏ ଜବାବ ଉଭୟ ନାରୀ ଓ ପୁରୁଷଙ୍କ ନିକଟରେ ନିଜ ଜୀବନକୁ ଜୀଇବାର ସମାନ ଅଧିକାର ରହିଛି ବୋଲି ସୂଚାଇବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଆହୁର ଅଧିକ ଭଲପାଇବା ଓଜାଡ଼ି ଦେଇଛନ୍ତି। ଅଭିଷେକଙ୍କ ଏହି ଉତ୍ତର ଅନେକ ଲୋକଙ୍କ ହୃଦୟ ଜିତିଛି ଏବଂ ସେମାନେ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସ୍ୱାମୀ ‌ହେବ ତ ଏହିପରି’। ଅନ୍ୟ ଜଣେ ଲେଖିଛନ୍ତି, ‘ବହୁତ ଭଲ ସାର୍’। ‘ତୁମ ଦୁହିଁଙ୍କୁ ପରଦାରେ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛି ବୋଲି ଜଣେ ବ୍ୟବହାରକାରୀ ଲେଖିଛନ୍ତି।

ସମ୍ବନ୍ଧିତ ଖବର