ବେରୋଜଗାର କହି ଟ୍ରୋଲ କରିବା ପରେ ନିଜ ଅନ୍ଦାଜରେ ଜବାବ ରଖିଲେ ଅଭିଷେକ, ପ୍ରଶଂସା କଲେ ଲୋକେ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଟୁଇଟ୍‌ରରେ ଏକ ପୋଷ୍ଟ କରିଥିଲେ । ଯାହାକୁ ଦେଖି ଜଣେ ବ୍ୟବହାରକାରୀ ତାଙ୍କୁ ବେରୋଜଗାର ବୋଲି କହିଥିଲେ । ବ୍ୟବହାରକାରୀଙ୍କ ଏଭଳି ନକାରତ୍ମକ କଥା ଶୁଣି ମଧ୍ୟ କୌଣସି କଡ଼ା ପ୍ରତିକ୍ରିୟା ଦେଇ ନଥିଲେ ଅଭିଷେକ । ଯେଉଁ ଭଳି ଭାବରେ ସେ ନିଜର ପ୍ରତିକ୍ରିୟା ରଖିଥିଲେ, ତାହାକୁ ଦେଖି ଲୋକେ ଏବେ ତାଙ୍କର ଶୈଳୀକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।
ସୂଚନା ମୁତାବକ, ଟୁଇଟ୍‌ରରେ ଏକ ଫଟୋ ସେୟାର କରି କ୍ୟାପ୍‌ସନରେ #ମନ୍‌ଡେମୋଟିଭେସନ୍‌ #ବିଲିଭ୍‌ ବୋଲି ଲେଖିଥିଲେ ଅଭିଷେକ । ଫଟୋରେ ଲେଖାଥିଲା କି, ‘ଗୋଟେ ଉଦ୍ଦେଶ୍ୟ ରଖନ୍ତୁ, ଗୋଟେ ଲକ୍ଷ ତିଆରି କରନ୍ତୁ । କିଛି ଅସମ୍ଭବ ସ୍ୱପ୍ନକୁ ଯଦି ଆପଣ ପୂରା କରିବାକୁ ଚାହୁଁଛନ୍ତି, ତେବେ ଏହା ଅସମ୍ଭବ ନୁହେଁ ବୋଲି ସାରା ଦେଶକୁ ପ୍ରମାଣ କରନ୍ତୁ ।’ ଏହି ଫଟୋ ଆସିବା ପରେ ଜଣେ ବ୍ୟବହାରକାରୀ ତାଙ୍କ ଲେଖାକୁ ଟ୍ରୋଲ କରି କହିଥିଲେ, ‘ସୋମବାର ଦିନ ମଧ୍ୟ ଖୁସିରେ ରହୁଥିବା ବ୍ୟକ୍ତିକୁ କ’ଣ କହି ପାରିବା, ବେରୋଜଗାର?’

ବ୍ୟବହାରକାରୀଙ୍କ ଏଭଳି ପ୍ରତିକ୍ରିୟାକୁ ଦେଖି ଅଭିଷେକ ଲେଖିଥିଲେ କି, ‘ନାଁ, ମୁଁ ଏଥିରେ ଜମା ବି ସହମତ ନୁହେଁ । ସୋମବାର ଦିନ ମଧ୍ୟ ଖୁସିରେ ରହୁଥିବା ବ୍ୟକ୍ତିକୁ ଆମେ ଏଭଳି ଲୋକ କହିବା,  ସେ ଯିଏ ଯାହାବି କରୁଛି, ତାକୁ ଭଲ ପାଉଛି । ନିଜ ମନରୁ ଓ ନିଜ ଖୁସି ପାଇଁ ସେ ସେହି କାମ କରୁଛି’ । ତେବେ ଅଭିଷେକଙ୍କ ଏଭଳି ପ୍ରତିକ୍ରିୟା ଲୋକଙ୍କ ମନ କିଣିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର