ଆଜି ମୋ ବଙ୍ଗଳାରେ ଯେତିକି ବଡ଼ ଗାଧୁଆ ଘର ଅଛି, ଏକଦା ସେତିକି ବଡ଼ ମୋର ଘର ଥିଲା

ମୁମ୍ବାଇ: ଅଭିନେତା ନଓ୍ଵାଜୁଦ୍ଦିନ୍ ସିଦ୍ଦିକି ଗତ କିଛିଦିନ ହେଲା ମୁମ୍ବାଇରେ ଥିବା ନିଜ ବଙ୍ଗଳାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କର ଏହି ସ୍ଵପ୍ନର ମହଲରେ କିଛି ଦିନ ଆଗରୁ ରହିବାକୁ ଆରମ୍ଭ କରିଛନ୍ତି। ‘ଆଜି ମୋ ବଙ୍ଗଳାରେ ଯେତେ ବଡ ମୋର ବ୍ୟକ୍ତିଗତ ଗାଧୁଆ ଘର ଅଛି ସେତିକି ବଡ ଘରେ ମୁଁ ଏକଦା ରହୁଥିଲି’ ବୋଲି ନଓ୍ଵାଜୁଦ୍ଦିନ୍ ସିଦ୍ଦିକି ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି। ନଓ୍ଵାଜୁଦ୍ଦିନଙ୍କୁ ଏହି ବଙ୍ଗଳାକୁ ପୁନର୍ନିମାଣ ପାଇଁ ୩ ବର୍ଷ ଲାଗିଛି।  ସେ ତାଙ୍କ ପିତାଙ୍କ ସ୍ମୃତିରେ ବଙ୍ଗଳାର ନାମ ‘ନବାବ’ ରଖିଛନ୍ତି। ଆଭିଜାତ୍ୟ ସଂପନ୍ନ ଏହି ସୁନ୍ଦର ବଙ୍ଗଳାର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ନଓ୍ଵାଜୁଦ୍ଦିନ୍ ଏହି ବଙ୍ଗଳା ବିଷୟରେ କହିଛନ୍ତି, ମୋର ଏଭଳି କୌଣସି ଇଛ୍ଛା ନଥିଲା। ଏସବୁ ସୁବିଧା ମୋର କଠିନ ପରିଶ୍ରମର ଫଳ ଅଟେ। ମୁଁ କେବେ ବି ବଙ୍ଗଳାରେ ରହିବାର ସ୍ଵପ୍ନ ଦେଖି ନଥିଲି। ମୋ ଭାଇ ଏହି ଜାଗାକୁ ମୋତେ ଦେଖାଇଥିଲେ। ଏହା ମୋର ମନକୁ ପାଇଥିଲା, ଏହାର ଫଳାଫଳ ଆପଣଙ୍କ ସାମନାରେ ଅଛି। ଆଜି ଯେତେ ବଡ ମୋର ବ୍ୟକ୍ତିଗତ ଗାଧୁଆ ଘର ଅଛି ଗୋଟିଏ ସମୟରେ ସେତିକି ବଡ ମୋର ଘର ଥିଲା। ଯେତେବେଳେ ମୁଁ ମୁମ୍ବାଇ ଆସିଲି ସେତେବେଳେ ମୁଁ ଅତ୍ୟନ୍ତ ଛୋଟ କଠୋରିରେ ରହୁଥିଲି। ଏହି କଠୋରିରେ ଆହୁରି ୪ ଜଣ ରହୁଥିଲେ। ସେହି କଠୋରି ଏତେ ଛୋଟ ଥିଲା ଯେ ମୁଁ କବାଟ ଖୋଲିଲା ବେଳେ କାହାର ଗୋଡରେ ବାଜିଯାଉଥିଲା। କାରଣ ଆମେ ଶୋଇବା ପାଇଁ ତଳେ ହିଁ ବିଛଣା ବିଛଉଥିଲୁ। ଧୀରେ ଧୀରେ ମୁଁ ତିନି ଜଣିଆ କଠୋରୀରେ ରହିବାକୁ ଲାଗିଲି। ଏହାପରେ ୨୦୦୫ରେ ମୁଁ ଏକା ରହିବାକୁ ସ୍ଥିର କଲି।

କିଛି ବର୍ଷ ଆଗରୁ ମୋ ମୁମ୍ବାଇ ଘରକୁ ମୋ ବାପା ଆସିଥିଲେ। ସେତେବେଳେ ମୁଁ ତିନିଟି କଠୋରି ଥିବା ଆପାର୍ଟମେଣ୍ଚରେ ରହୁଥିଲି। ତେବେ ଏହା ମୋ ପୈତୃକ ଘର ତୁଳନାରେ ଖୁବ୍ ଛୋଟଥିଲା। ତେଣୁ ତାଙ୍କ ମନ ମୁମ୍ବାଇର ଘରେ ଲାଗୁ ନଥିଲା। ଏହା ପରଠାରୁ ମୋ ମନରେ ସବୁବେଳେ ଚାଲୁଥିଲା ଯେ ମୁଁ ତାଙ୍କୁ ଏକ ବଡ ଘରେ ନେଇ ରଖିବି। ତେବେ ଏହାପୂର୍ବରୁ ହିଁ ତାଙ୍କର ଦେହାନ୍ତ ହୋଇଗଲା।

ସମ୍ବନ୍ଧିତ ଖବର