ଗୋଟିଏ ପୁଞ୍ଜିରେ ଶାନ୍ତିର ମଞ୍ଜି

କଳାକାରମାନଙ୍କର ଉଚ୍ଚାକାଂକ୍ଷାର ସୀମା ସବୁବେଳେ ନଭଶ୍ଚୁମ୍ବୀ ହୋଇଥାଏ। ନିଜର କଳା ପ୍ରଦର୍ଶନ ଭିତରେ ପ୍ରଶଂସା ସାଉଁଟି ସାଉଁଟି ଜୀବନରେ ଅକଳ୍ପନୀୟ ପାହାଚ ଚଢ଼ିବାର ଏକ ଗୋପନୀୟ ଆବେଗ ସେମାନଙ୍କୁ ଉତ୍‌ପ୍ରେରିତ କରିଥାଏ। କେହି କେହି ଥିଏଟରରେ କାମ କଲା ପରେ ଟିଭି ପରଦାରେ ନିଜକୁ ଆବିଷ୍କାର କରିବାକୁ ସ୍ବପ୍ନ ଦେଖିଥା’ନ୍ତି ତ କେହି ମଧ୍ୟ ଟିଭିରେ ନାଁ ଅର୍ଜିଲା ପରେ ସିନେଜଗତ୍‌ରେ ନିଜକୁ ଉପସ୍ଥାପିତ କରିବାକୁ ଆଗେଇ ଆସିଥା’ନ୍ତି। ମାତ୍ର ଷ୍ଟାର ଟିଭିର ଦୀର୍ଘକାଳୀନ ଲୋକପ୍ରିୟ ଧାରାବାହିକ ‘ସାଥ୍‌ ନିଭାନା ସାଥୀୟା’ରେ ‘ଗୋପୀ ମୋଦି’ ଚରିତ୍ରକୁ ଆପଣେଇ ଘରେ ଘରେ ପରିଚିତ ହୋଇଥିବା ଅଭିନେତ୍ରୀ ଦେବୋଲୀନା ଭଟ୍ଟାଚାର୍ଜୀଙ୍କର ଆଉ କୌଣସି ଫିଲ୍ମରେ କାମ କରିବା ଆବଶ୍ୟକ ହୋଇନାହିଁ। ଏଥିରୁ ତାଙ୍କୁ ଏପରି ସଫଳତା ଓ ଆତ୍ମସନ୍ତୋଷ ମିଳିପାରିଛି ଯେ ସେ ଆଉ ବଡ଼ ପରଦାରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆଦୌ ମନ ବଳାଇନାହାନ୍ତି। ଆସାମର ଶିବସାଗର ଠାରେ ୧୯୮୫ ମସିହା ଅଗଷ୍ଟ ୨୨ରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଜନ୍ମିତ ଦେବୋଲୀନା ସେଠାରେ ମାଟ୍ରିକ୍‌ ଶିକ୍ଷା ସାରିଲା ପରେ ନୂଆଦିଲ୍ଲୀ ନିଫ୍‌ଟରୁ ଫେସନ୍‌ ଟେକ୍ନୋଲୋଜିରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ଏଥି ସହିତ ସେ ମଧ୍ୟ ଜଣେ ପ୍ରଶିକ୍ଷିତା ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ। ନୃତ୍ୟଗୀତ ଓ ଅଭିନୟ ପ୍ରତି ତାଙ୍କର ରୁଚି ରହିଥିଲେ ହେଁ ନିଜର ବୈଷୟିକ ଶିକ୍ଷାଗତ ଯୋଗ୍ୟତା ଯୋଗୁଁ ସେ ମୁମ୍ବାଇରେ ପ୍ରଥମେ ଜଣେ ଅଳଙ୍କାର ରୂପକାର ଭାବେ ନିଜର ପେସାଗତ ଜୀବନ ଆରମ୍ଭ କରିଥିଲେ।

Pinterest

ଏହି ଅବସରରେ ୨୦୧୦ରେ ସେ ବାସ୍ତବଧର୍ମୀ ଟିଭି ଧାରାବାହିକ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୨’ରେ ଜଣେ ପ୍ରତିଯୋଗୀ ସାଜି ନିଜର ନୃତ୍ୟ ଚମକ୍‌ ଦେଖାଇବାକୁ ଚାହିଥିଲେ। ଏହାପରେ ତାଙ୍କୁ ୨୦୧୧ରେ ‘ସଵାରେ ସବ୍‌କେ ସପନେ’ରେ କାମ କରିବାର ସୁଯୋଗ ମିଳିଥିଲା। ତେବେ ଏହି ଦୁଇଟି ଧାରାବାହିକରେ ସେ ଏପରି ଉତ୍ସାହିତ ହୋଇପଡ଼ିଥିଲେ ଯେ ନିଜର ଚାକିରି ଜୀବନ ଭୁଲି କଳାକାର ଜୀବନକୁ ଆଦରି ନେବାକୁ ପସନ୍ଦ କରିଥିଲେ। ସୌଭାଗ୍ୟକୁ ୨୦୧୨ରେ ତାଙ୍କୁ ‘ସାଥ୍‌ ନିଭାନା ସାଥୀୟା’ର ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହେବାର ମଉକା ଜୁଟିଥିଲା ଏବଂ ତାହା ହିଁ ତାଙ୍କୁ ଅପାର ସଫଳତା ଆଣିଦେଇଥିଲା। ଦୀର୍ଘ ୫ ବର୍ଷ କାଳ ସେ ଏଥିରେ ନିଜକୁ ବଶମ୍ବଦ ରଖି ଅଭିନୟକୁ ଅଧିକ ଶାଣିତ କରିବା ସହ ଅଭୂତପୂର୍ବ ଦର୍ଶକୀୟ ସ୍ବୀକୃତି ହାସଲ କରିଥିଲେ।

Zee News

ସେଥିପାଇଁ ତାଙ୍କୁ ୨୦୧୩ରେ ଶ୍ରେଷ୍ଠ ଲୋକପ୍ରିୟ ଅଭିନେତ୍ରୀ ଭାବରେ ଆଇଟା ସମ୍ମାନ, ୨୦୧୫ରେ ପ୍ରମୁଖ ଭୂମିକାର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଭାରତୀୟ ଟେଲି ସମ୍ମାନ, ସବୁଠୁ ମନୋରଞ୍ଜନକାରୀ କଳାକାର ଭାବେ ବିଗ୍‌ ଷ୍ଟାର ଏଣ୍ଟରଟେନମେଣ୍ଟ୍‌ ସମ୍ମାନ, ଶ୍ରେଷ୍ଠ ନାୟିକା ଭାବେ ଗୋଲ୍‌ଡ ସମ୍ମାନ ଓ ୨୦୧୬ରେ ଭାରତୀୟ ଟେଲିଭିଜନ୍‌ର ଶ୍ରେଷ୍ଠ ବୋହୂ ଭାବେ ଗୋଲ୍‌ଡ ସମ୍ମାନ ଆଦି ମିଳିଥିଲା। ୨୦୧୭ରେ ଏହି ଧାରାବାହିକ ସରିବା ପରେ ସେ ‘ବିଗ୍‌ ବସ୍‌-୧୩’ରେ ଭାଗ ନେଇଥିଲେ। ସେହିପରି ଏହି ବାସ୍ତବଧର୍ମୀ ଧାରାବାହିକର ପରବର୍ତ୍ତୀ ଚତୁର୍ଦ୍ଦଶ ଓ ପଞ୍ଚଦଶ ସଂସ୍କରଣରେ ମଧ୍ୟ ତାଙ୍କୁ ଦେଖିବାକୁ ମିଲିଥିଲା। ଏଥି ସହିତ ୱେବ୍‌ ଧାରାବାହିକ ‘ସ୍ବିଟ୍‌ ଲି’ ଓ ‘ଲଞ୍ଚ୍‌ ଷ୍ଟୋରିଜ୍‌’ରେ ମଧ୍ୟ ଦର୍ଶକ ତାଙ୍କର ଅଭିନୟକୁ ଖୁବ୍‌ ପ୍ରଶଂସା କରିଥିଲେ। ସେହିପରି ସଂଗୀତ ଭିଡିଓ ‘ହେ ଗୋପାଳକୃଷ୍ଣ…’ ଓ ‘ରାମଧେନୁ’ରେ ମଧ୍ୟ ସେ ବେଶ ଗ୍ରହଣୀୟ ହୋଇପାରିଥିଲେ। ମହାମାରୀ କୋଭିଡ୍‌-୧୯ର ଉପଦ୍ରବ ଭିତରେ ଟିଭିରେ ପ୍ରଦର୍ଶିତ ହୋଇଥିବା ‘ସାଥ୍‌ ନିଭାନା ସାଥୀୟା’ର ଉତ୍ତର ଅଧ୍ୟାୟର ପ୍ରଥମ ୩୧ଟି ଅନ୍ତର୍କଥାରେ ତାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରକୃତରେ ସେହି ଗୋଟିକ ଧାରାବାହିକକୁ ପୁଞ୍ଜି କରି ସେ କଳାକାର ଜୀବନର ଶାଶ୍ବତ ସୁଖ ଲଭିପାରିଥିବା ସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର