‘କେଜିଏଫ-୨’ ପରେ ରେକର୍ଡ କଲା ‘ବ୍ରହ୍ମାସ୍ତ୍ର’ର ଆଡଭାନ୍ସ ବୁକିଂ, ଜାଣନ୍ତୁ କେତେ ଲୋକ ବୁକ୍ କଲେଣି ଟିକେଟ

ମୁମ୍ବାଇ: ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ରିଲିଜ୍ ପୂର୍ବରୁ ଅନେକ ରେକର୍ଡ ଭାଙ୍ଗିବାକୁ ବସିଲାଣି। ଏହି ଚଳଚ୍ଚିତ୍ର ରିଲିଜ୍ ପାଇଁ ଆଉ ଦୁଇ ଦିନ ବାକି ଥିବା ବେଳେ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ବର୍ଷର ସର୍ବୋଚ୍ଚ ଆଡଭାନ୍ସ ବୁକିଂ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ସିନେ ସମୀକ୍ଷକମାନେ ଫିଲ୍ମର ଅଗ୍ରୀମ ବୁକିଂ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଟ୍ୱିଟ୍ କରୁଥିବା ଦେଖାଯାଇଛି।

ବ୍ରହ୍ମାସ୍ତ୍ର ବର୍ଷର ଏଭଳି ଏକ ବଲିଉଡ ଚଳଚ୍ଚିତ୍ର ହୋଇପାରିଛି ଯାହାର ଆଡଭାନ୍ସ ବୁକିଂ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଚଳିତ ବର୍ଷ କେଜିଏଫ-୨ ଅଗ୍ରୀମ ବୁକିଂ କ୍ଷେତ୍ରରେ ଶୀର୍ଷରେ ରହିଛି। ଏହି ସୁପରହିଟ୍ ଚଳଚ୍ଚିତ୍ର ପରେ ବ୍ରହ୍ମାସ୍ତ୍ର ବର୍ଷର ଦ୍ୱିତୀୟ ସର୍ବୋଚ୍ଚ ଆଡଭାନ୍ସ ବୁକିଂ ଚଳଚ୍ଚିତ୍ର ଭାବରେ ଉଭା ହୋଇଛି। ବ୍ରହ୍ମାସ୍ତ୍ର ପାଇଁ ଏବେ ଆଡଭାନ୍ସ ବୁକିଂ ଜାରି ରହିଛି। କେଜିଏଫ-୨ ପାଇଁ ବକ୍ସ ଅଫିସରେ ୪.୧୧ ଲକ୍ଷ ଟିକେଟର ଆଡଭାନ୍ସ ବୁକିଂ କରାଯାଇଥିଲା। ଏବେ ଅୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ବ୍ରହ୍ମାସ୍ତ୍ର ପାଇଁ ତିନିଟି ଜାତୀୟ ଥିଏଟର ଚେନ୍ସ, ପିଭିଆର୍, ଆଇନକ୍ସ ଏବଂ ସିନେପଲିସରେ ରିଲିଜର ପ୍ରଥମ ଦିନ ପାଇଁ ୧ଲକ୍ଷ ଟିକେଟ୍ ବିକ୍ରି ହୋଇଛି।

ବାଣିଜ୍ୟ ବିଶ୍ଳେଷକ ତରନ ଆଦର୍ଶ ଟ୍ୱିଟ୍ କରି ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସପ୍ତାହକ ପାଇଁ ବ୍ରହ୍ମାସ୍ତ୍ରର ୨ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇଛି। ଆଡଭାନ୍ସ ବୁକିଂ ଏବେ ବି ଜାରି ରହିଥିବା ବେଳେ ଏହି ସଂଖ୍ୟା ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର