ମୁଁ ମାଗଣାରେ ଚଳଚ୍ଚିତ୍ର ଏବଂ ଧାରାବାହିକ କରିବାକୁ ପ୍ରସ୍ତୁତ ଅଛି: ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ: ଫିଲ୍ମ ‘ମଣିକର୍ଣ୍ଣିକା’ ପରେ ମୋତେ କାମ ମିଳୁନି। ମୁଁ କାହାକୁ କାମ ବି ମାଗିପାରିବିନି। ଏକ ସାକ୍ଷାତକାରରେ ଏଭଳି କହିଥିବା ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ ମାଗଣାରେ କାମ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ପବିତ୍ର ରିସ୍ତା ଧାରାବାହିକରେ ଅର୍ଚ୍ଚନା ଦେଶମୁଖ ଭୂମିକାରେ ନଜର ଆସି ଘରେ ଘରେ ଲୋକପ୍ରିୟ ହୋଇଥିଲେ ଅଙ୍କିତା। ହେଲେ ଏହି ସୋ’ ଶେଷ ହେବା ପରେ ତାଙ୍କୁ ଅନ୍ୟ କୌଣସି ଧାରାବାହିକ ମିଳିନଥିଲା। କିଛି ବର୍ଷର ବ୍ୟବଧାନ ପ‌ରେ ସେ ବଲିଉଡ ଫିଲ୍ମ ‘ମଣିକର୍ଣ୍ଣିକା’ରେ କାମ କରିଥିଲେ। ହେଲେ ଏହି ଫିଲ୍ମ ପରେ ବି ତାଙ୍କୁ ସଫଳତା ମିଳିନଥିବା ଦେଖାଯାଇଛି।

ଅଙ୍କିତାଙ୍କ ମୁତାବକ, ସେ କେବେ ବି ଟଙ୍କା ପଛରେ ଗୋଡ଼ାଉନଥିଲା। ଭଲ କାମ କରିବା ତାଙ୍କର ସ୍ବପ୍ନ ଥିଲା ଏବଂ ରହିଛି। ଏକ ସାକ୍ଷାତକାରରେ ସେ ଜଣାଇଛନ୍ତି ଯେ, “ମୋ ପାଇଁ ଟଙ୍କା ସର୍ବଦା ଦ୍ବିତୀୟରେ ଆସେ। ମୁଁ ଯେଉଁ ଚରିତ୍ରଟି କରୁଛି ତାହା ହେଉଛି ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ମଧ୍ୟ, ମୁଁ ଟଙ୍କା ପଛରେ ଦୌଡ଼ୁ ନାହିଁ। ମୁଁ ସବୁବେଳେ କାହାଣୀ ଓ ମୋର ଚରିତ୍ର କ’ଣ ଅଛି ତାହା ଦେଖେ। ମୁଁ ମାଗଣାରେ ଚଳଚ୍ଚିତ୍ର ଏବଂ ସୋ’ କରିବାକୁ ପ୍ରସ୍ତୁତ ଅଛି।”

ଗତବର୍ଷ କାମ ମିଳୁନଥିବାରୁ ଅଙ୍କିତା କହିଥିଲେ, “‘ମାଣିକର୍ଣ୍ଣିକା’ ପରେ, ମୋ ହାତକୁ ବଡ଼ ପ୍ରେ‌ାଜେକ୍ଟ ଆସିନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ମୋତେ ଆଗକୁ ବଢ଼ାଇବା ପାଇଁ ଇଣ୍ଡଷ୍ଟ୍ରିରେ କୌଣସି ଗଡଫାଦର ନାହାନ୍ତି। ମୁଁ ପ୍ରତିଭାଶାଳୀ ଥିଲି, ତାହା ମୁଁ ଜାଣେ। ହେଲେ ମୋ ପାଖକୁ ଏପର୍ଯ୍ୟନ୍ତ କୌଣସି ସ୍କ୍ରିପ୍ଟ ଆସିନାହିଁ। ଇଣ୍ଡଷ୍ଟ୍ରିରେ ମାହୋଲ ଅଲଗା। କିଛି କଳାକାର କୁହନ୍ତି ‌ଯେ, ତାଙ୍କୁ ଭଲ ଅଫର ମିଳିନାହିଁ। ଭଲ ଅଫର ମିଳିଲେ ସେ କାମ କରିବେ। ହେଲେ ମୋତେ ମନା କରିବା ପାଇଁ ହିଁ ଗୋଟିଏ ଅଫର ମିଳିନାହିଁ। ଭଲ ଓ ଖରାପ ପଛ କଥା। ଏବଂ ମୁଁ ଯାଇ ଅନ୍ୟମାନଙ୍କ ଭଳି କାମ ମାଗି ପାରିବି ନାହିଁ, ମୁଁ ସେଭଳି ନୁହେଁ।”

ସମ୍ବନ୍ଧିତ ଖବର