ବିବାଦୀୟ ବାବା ଭୂମିକାରେ ଆସିବେ ଏହି ଅଭିନେତା!

ବଲିଉଡ୍‍ର କେତେକ କଳାକାର ରିଅଲ୍‌ ଲାଇଫ୍‌ ଲୋକଙ୍କ ଚରିତ୍ର ନିଭାଇବାର ସୁଯୋଗ ପାଇଛନ୍ତି। କେତେକଙ୍କୁ ବାୟୋପିକ୍‌ ସିନେମାରେ ଏଭଳି ସୁଯୋଗ ମିଳିଛି ତ ଆଉ କେତେକଙ୍କୁ ଅନ୍ୟ ସିନେମାରେ ସେଭଳି ଭୂମିକା ମିଳିଛି।

ଓଡ଼ିଆ ଚଳଚ୍ଚିତ୍ରରେ ଖୁବ୍‌ କମ୍‌ କଳାକାରଙ୍କ ଭାଗ୍ୟରେ ସେମିତି ଜୁଟିଛି। ଗତବର୍ଷ ମୁକ୍ତିଲାଭ କରିଥିବା ‘ତୁଳସୀ ଅପା’ହେଲା ପ୍ରଥମ ବାୟୋପିକ୍‌ ଓଡ଼ିଆ ଛବି। ଏଥିରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଚରିତ୍ରରେ ଅବତ୍ତୀର୍ଣ୍ଣ ହୋଇଥିଲେ ନବାଗତା ବର୍ଷା ନାୟକ। ଠିକ୍‌ ସେହିପରି ଅଭିନେତା କୁନା ତ୍ରିପାଠୀ ମଧ୍ୟ ଜଣେ ଭଣ୍ଡବାବାଙ୍କ ଚରିତ୍ର ନିଭାଇଥିଲେ ଫିଲ୍ମ ‘ରଙ୍ଗିଲା ବାବା’ରେ, ଯାହା ଜଣେ ଓଡ଼ିଶାର ବିବାଦୀୟ ବାବାଙ୍କ ଉପରେ ଆଧାରିତ ଥିଲା।

ଠିକ୍‌ ସେହିପରି ଓଲିଉଡରେ ପୁଣି ଜଣେ ଅଭିନେତାଙ୍କୁ ସେହି ବିବାଦୀୟ ବାବା ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।ଏଠାରେ ଯେଉଁ ଅଭିନେତାଙ୍କ କଥା କୁହାଯାଉଛି,ସେ ହେଲେ ମିଟୁ ମିଥୁନ୍‌। ମିଟୁ ଏକାଧାରରେ ଜଣେ ଅଭିନେତା,ପ୍ରଡ଼କ୍‌ସନ୍‌ କଣ୍ଟ୍ରୋଲର୍‌ ଓ ପ୍ରଯୋଜକ। ତାଙ୍କୁ ଯେଉଁ ଓଡ଼ିଆ ଛବିରେ ଦର୍ଶକ ଏଭଳି ଚରିତ୍ରରେ ଦେଖିବାକୁ ପାଇବେ ତାହାର ଶୀର୍ଷକ ହେଲା ‘ବାଜି ବାଜି ବାବାଜି’। ଏଥିରେ ମିଟୁଙ୍କୁ ଏକ ଭିନ୍ନ ଗେଟ୍‌ ଅପ୍‌ରେ ଦେଖିବାକୁ ମିଳିବ। ଏହି ଫିଲ୍ମକୁ ନେଇ ମିଟୁ ମିଥୁନ୍‌ ଖୁବ୍‌ ଉତ୍ସାହିତ ଅଛନ୍ତି।

ପୂର୍ବରୁ ବସନ୍ତ ସାହୁ ଓ ସୁଶାନ୍ତ ମଣିଙ୍କ ପରି ନାମୀ ନିର୍ଦ୍ଦେଶକଙ୍କ ସହଯୋଗୀ ଥିବା ସଂଗ୍ରାମ ମହାନ୍ତିି ‘ବାଜି ବାଜି ବାବାଜି’ର ନିର୍ଦ୍ଦେଶନା ଦେଇଛନ୍ତି। ସେ ଏହାର ଚିତ୍ରନାଟ୍ୟ ଓ ସଂଳାପ ମଧ୍ୟ ରଚନା କରିଛନ୍ତି। ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ରକ୍‌ ପାତ୍ର, ବାଦଲ ମହାନ୍ତି,ମୀନ କେତନ,ପ୍ରତିଭା ପଣ୍ଡା ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

ସମ୍ବନ୍ଧିତ ଖବର