ପଦ୍ମାବତୀ ବିବାଦ : ସଂସଦୀୟ କମିଟି ନିକଟରେ ହାଜର ହେଲେ ଭନସାଲୀ ଓ ଜୋଷୀ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଫିଲ୍ମ ପଦ୍ମାବତୀକୁ ନେଇ ସମଗ୍ର ଉତ୍ତର ଓ ମଧ୍ୟ ଭାରତରେ ବିବାଦ ଚାଲିଥିବାବେଳେ ଫିଲ୍ମର ନିର୍ଦ୍ଦେଶକ ସଂଜୟ ଲୀଲା ଭନସାଲୀ ଓ ସେନସର ବୋର୍ଡ ଅଧ୍ୟକ୍ଷ ପ୍ରସୁନ ଜୋଷୀ ଏକ ସଂସଦୀୟ କମିଟି ନିକଟରେ ହାଜର ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ କମିଟିର ୩ଜଣ ସଦସ୍ୟ ଏହି ଫିଲ୍ମ ଉପରେ ନିଷେଧାଜ୍ଞା ଲଗାଯିବା ସପକ୍ଷରେ ମତ ଦେଇଛନ୍ତି । ଏହି ତିନିଜଣ ସଦସ୍ୟ ହେଲେ ବିଜେପିର ଓମ ବିରଲା ଓ ସିପି ଜୋଷୀ ଏବଂ ଶିବସେନାର ରାଜନ ବିଚାରେ । ଏମାନେ ଫିଲ୍ମର ଟ୍ରେଲରକୁ ମଧ୍ୟ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । କମିଟିର ଆଉ କେତେକ ସଦସ୍ୟ ମତ ପ୍ରକାଶର ସ୍ୱାଧୀନତା ସଂପର୍କରେ ମତ ଦେଇଥିବା ଜଣାପଡିଛି ।

ସେନସର ବୋର୍ଡ ମୁଖ୍ୟ ପ୍ରସୁନ ଜୋଷୀ କହିଛନ୍ତି, ଫିଲ୍ମଟିକୁ ଏପର୍ଯ୍ୟନ୍ତ ସେ ଦେଖିନାହାନ୍ତି । ଏହାକୁ ପ୍ରଥମେ କ୍ଷେତ୍ରୀୟ କମିଟି ଦେଖିବ, ଆବଶ୍ୟକ ପଡିଲେ ତାହାକୁ କେନ୍ଦ୍ରୀୟ କମିଟି ଦେଖିବ । ଏହି ଅବସରରେ ସେ ସ୍ପଷ୍ଟ କରିଦେଇଛନ୍ତି ଯେ କେବଳ ଫିଲ୍ମର ପ୍ରୋମୋକୁ ସେନସର ଅନୁମତି ମିଳିଛି, ଏପର୍ଯ୍ୟନ୍ତ ଫିଲ୍ମକୁ ସେନସର ସାର୍ଟିଫିକେଟ୍‌ ମିଳିନାହିଁ ।

ସୂଚନାଯୋଗ୍ୟ ଯେ ଦାୟିତ୍ୱବାନ ପଦବୀରେ ବସିଥିବା ଲୋକମାନେ ଏହି ବିବାଦ ସଂପର୍କରେ ଅନାବଶ୍ୟକ ବୟାନବାଜି ନ କରିବାକୁ କିଛିଦିନ ତଳେ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ । ଫିଲ୍ମକୁ ଏପର୍ଯ୍ୟନ୍ତ ସେନସର ବୋର୍ଡ ସାର୍ଟିଫିକେଟ୍‌ ଦେଇନଥିବାବେଳେ ସାର୍ବଜନୀନ ପଦବୀରେ ବସିଥିବା ଲୋକମାନେ କିପରି ଏହା ସମ୍ପର୍କରେ ମତ ଦେଇପାରିବେ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ।

 

ସମ୍ବନ୍ଧିତ ଖବର