ଆସନ୍ତା ବର୍ଷ କେଉଁ କେଉଁ ସିନେମାର ସିକ୍ୱେଲ୍‌ ରିଲିଜ୍ ହେବ ଜାଣନ୍ତୁ

ଆପଣ ଜାଣନ୍ତି, ନିକଟରେ ରିଲିଜ୍‌ ହୋଇଥିବା ସଲ୍‌ମାନ୍‌ ଖାଁଙ୍କ ଫିଲ୍ମ ‘ଟାଇଗର୍‌ ଜିନ୍ଦା ହୈ’ ହେଉଛି ତାଙ୍କର ୨୦୧୨ର ଫିଲ୍ମ ‘ଏକ୍‌ ଥା ଟାଇଗର୍‌’ର ସିକ୍ୱେଲ୍‌ ବା ଦ୍ୱିତୀୟ ଭାଗ। ପ୍ରଥମ ଫିଲ୍ମଟି ହିଟ୍‌ ହୋଇଗଲେ ଓ ଚର୍ଚ୍ଚାକୁ ଆସିଗଲେ, ତା’ର ସୁନାମକୁ ପୁଣି ଅନ୍ୟ ଏକ ଫିଲ୍ମରେ ବ୍ୟବହାର କରିବାର ଏଇ ପରମ୍ପରା ହଲିଉଡ୍‌ରେ ବହୁ ପୁରୁଣା। ଏବେ ବଲିଉଡ୍‌ରେ ବି ତାହା ଭାରି ଲୋକପ୍ରିୟ ହେବାର ଦେଖା ଯାଉଛି। ଅଧିକାଂଶ ଫିଲ୍ମ ନିର୍ମାତା ଏବେ ସିକ୍ୱୋଲ୍‌ ତିଆରିବାର ଯୋଜନା କରୁଛନ୍ତି। ଫଳରେ ଆଗାମୀ ବର୍ଷ ଆମେ ଏମିତି ସିକ୍ୱେଲ୍‌ଗୁଡ଼ିକର ବର୍ଷା ଦେଖିବାକୁ ପାଇବା କହିଲେ ଭୁଲ୍‌ ହେବନାହିଁ।

ଆସନ୍ତା ବର୍ଷ ରିଲିଜ୍‌ ହେଉଥିବା ସିକ୍ୱେଲ୍‌ଗୁଡ଼ିକ ଭିତରେ ରହିଛି ବିକ୍ରମ ଭଟ୍ଟଙ୍କ ‘୧୯୨୦’ର ସିକ୍ୱେଲ୍‌ ‘୧୯୨୧’। ସେଥିରେ ଜରୀନା ଖାଁ ଓ କରଣ କୁନ୍ଦ୍ରା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ‘ରେସ୍‌’ର ସିକ୍ୱେଲ୍‌ରେ ସଲ୍‌ମାନ୍‌ ଖାଁ ମଧ୍ୟ ଦର୍ଶକଙ୍କ ଆଗକୁ ଆସୁଛନ୍ତି। ଏ ସିରିଜ୍‌ର ଫିଲ୍ମରେ ମୁଖ୍ୟ ଭୂମିକାରେ ପୂର୍ବରୁ ସୈଫ୍‌ ଅଲ୍ଲି ଖାଁ ଅଭିନୟ କରୁଥିଲେ। ଏଥର ତାଙ୍କ ସ୍ଥାନରେ ରହିବେ ସଲ୍‌ମାନ୍‌। ତାଙ୍କ ସହିତ ଆହୁରି ଅଭିନୟ କରିବେ ବବି ଦେଓଲ୍‌, ଜ୍ୟାକ୍‌ଲିନ୍‌ ଫର୍ନାଣ୍ଡିଜ୍‌, ଡ଼େଜି ଶାହ ଓ ଅନୀଲ୍‌ କପୁର୍‌ ପ୍ରମୁଖ। ପୁଣି ଦେଓଲ୍‌ ପରିବାରର କମେଡି ସିରିଜ୍‌ ‘ୟମ୍‌ଲା ପଗ୍‌ଲା ଦୀଓ୍ଵାନା’ର ତୃତୀୟ ଫିଲ୍ମ ମଧ୍ୟ ଆଗକୁ ଆସୁଛି। ଫିଲ୍ମର ସୁଟିଂ ଏବେ ଚାଲିଛି। ଏ ସିକ୍ୱେଲ୍‌ ତାଲିକାରେ ଟାଇଗର୍‌ ଶ୍ରଫ୍‌ଙ୍କ ‘ବାଗୀ ୨’ ମଧ୍ୟ ସାମିଲ୍‌ ଅଛି। ଏଥିରେ ଟାିଗର୍‌ଙ୍କ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି ଦିଶା ପଟ୍‌ନୀ। ଫିଲ୍ମର ନି;ର୍ଦ୍ଦଶକ ହେଉଛନ୍ତି ଅହମ୍ମଦ୍‌ ଖାଁ। ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇ ସାରିଛି।

‘ଭୂମି’ ପରେ ଏବେ ସଞ୍ଜୟ ଦତ୍ତ ମଧ୍ୟ ତିଗ୍‌ମାଂଶୁ ଧୂଲିଆଙ୍କ ‘ସାହେବ ବିବି ଔର୍‌ ଗ୍ୟାଙ୍ଗ୍‌ଷ୍ଟର୍‌’ ସିରିଜ୍‌ର ତୃତୀୟ ଫିଲ୍ମରେ ଅଭିନୟ କରୁଛନ୍ତି। ସଞ୍ଜୟ ଏଥିରେ ଗ୍ୟାଙ୍ଗ୍‌ଷ୍ଟର୍‌ ଭୂମିକାରେ ଅଛନ୍ତି। ଏଥିରେ ତାଙ୍କ ସହିତ ଆହୁରି ଅଛନ୍ତି ଜିମ୍ମି ଶେର୍‌ଗିଲ୍‌ ଓ ମାହି ଗିଲ୍‌। ସେହିପରି ସୁପର୍‌ହିଟ୍‌ ସିରିଜ୍‌ ‘ହାଉସ୍‌ଫୁଲ୍‌’ର ଚତୁର୍ଥ ଫିଲ୍ମ ମଧ୍ୟ ଆସୁଛି। ସାଜିଦ୍‌ ଖାଁ ଏହାର ନିର୍ଦ୍ଦେଶକ ଅଛନ୍ତି। ଏଥିରେ ପୂର୍ବ ଫିଲ୍ମଗୁଡ଼ିକ ଭଳି ଅକ୍ଷୟ କୁମାର ଓ ରିତେଶ ଦେଶମୁଖ ଅଭିନୟ କରିବାକୁ ଚୁକ୍ତିବଦ୍ଧ ହୋଇ ସାରିଛନ୍ତି। ଅନ୍ୟମାନଙ୍କର ମନୋନୟନ ଚାଲିଛି।

କରନ୍‌ ଜୋହର ତାଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର୍‌’ର ଦ୍ୱିତୀୟ ଭାଗ ତିଆରିବାର ଯୋଜନା ଚଳାଇଛନ୍ତି। ତେବେ ଏ ଫିଲ୍ମରେ ମୁଖ୍ୟ ଭୂମିକାରେ ଟାଇଗର୍‌ ଶ୍ରଫ୍‌ ଅଭିନୟ କରିବେ ବୋଲି ଜଣା ପଡ଼ିଛି। ନାୟିକାଙ୍କ ବିଷୟରେ କିଛି ଘୋଷଣା କରା ଯାଇନାହିଁ। ତେବେ ଏଥିରେ ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ ତାଙ୍କ ଅଭିନୟ ଜୀବନ ଆରମ୍ଭ କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସେହିପରି ‘ଆଶିକୀ’ର ତୃତୀୟ ଭାଗ ନେଇ ମୋହିତ୍‌ ସୁରୀ ଆସୁଛନ୍ତି। ‘ଆଶିକୀ ୩’ରେ ସିଦ୍ଧାର୍ଥ ମଲହୋତ୍ରା ଓ ଆଲିଆ ଭଟ୍ଟଙ୍କ ଯୋଡ଼ି ପରଦାକୁ ଆସିବେ। ‘ହେଟ୍‌ ଷ୍ଟୋରୀ ୪’ ମଧ୍ୟ ଆସନ୍ତା ବର୍ଷ ରିଲିଜ୍‌ ହେବାର ଅଛି। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି କରଣ ଓ୍ଵାହୀ ଓ ଉର୍ବଶୀ ରୌତେଲା।

ସମ୍ବନ୍ଧିତ ଖବର