ଟେଲି ପରଦାର ପ୍ରଜାପତି ଅଭିନେତ୍ରୀ ’ସୃଷ୍ଟି ରୋଡ଼େ’

ଭାରତୀୟ ସିନେ ଦୁନିଆଁରେ ଏ ଯାବତ୍ ନିଜର ସ୍ବାକ୍ଷର ଛାଡ଼ି ନପାରି ସୁଦ୍ଧା ବିଭିନ୍ନ ଟିଭି ଚ୍ୟାନେଲ୍‌ରେ ନିଜକୁ ପ୍ରତିଷ୍ଠିତ କରି ପାରିଥିବା ଅଭିନେତ୍ରୀ ସୃଷ୍ଟି ରୋଡ଼େ ଏବେ ଦର୍ଶକମାନଙ୍କ ପାଇଁ ଟେଲି ପରଦାର ପ୍ରଜାପତି ପାଲଟି ଯାଇଛନ୍ତି। ଯାଦୁଭରା ଚାହାଣୀ ଓ ମନଲୋଭା ସ୍ମିତହାସ୍ୟ ସାଙ୍ଗକୁ ତାଙ୍କର କମନୀୟ ଅଙ୍ଗ ସୌଷ୍ଠବରେ ପ୍ରଶଂସକମାନେ ମତୁଆଲା ହୋଇପଡ଼ିଛନ୍ତି। ମହାମାରୀ କୋଭିଡ୍-୧୯ର ଆବିର୍ଭାବ ପରେ ରୁପେଲି ପରଦାରେ ତାଙ୍କର ଚମକ କ୍ବଚିତ୍ ଦେଖିବାକୁ ମିଳିଥିବା ବେଳେ ଶେଷ ଥର ପାଇଁ ୨୦୧୮ରେ ‘ବିଗ୍ ବସ୍-୧୨’ ଓ ୨୦୧୯ରେ ‘କିଚନ୍ ଚାମ୍ପିଅନ୍-୫’ରେ ତାଙ୍କ ଆବିର୍ଭାବକୁ ଦର୍ଶକ କେବେ ବି ଭୁଲିନାହାନ୍ତି।

India Today

ଭାରତର ମାୟାନଗରୀ ମୁମ୍ବାଇରେ ୧୯୯୧ ସେପ୍ଟେମ୍ବର ୨୪ ତାରିଖରେ ଜନ୍ମିତ ସୃଷ୍ଟିଙ୍କର ବାପା ହେଉଛନ୍ତି ଜଣେ ସିନେମାଟୋଗ୍ରାଫର। ତେଣୁ ସ୍ବାଭାବିକ ଭାବେ ପିଲାଟି ବେଳୁ ଗ୍ଲେମର ଜଗତ୍ ପ୍ରତି ତାଙ୍କର ଦୁର୍ବଳତା ରହି ଆସିଥିଲା। ତେଣୁ ଶିକ୍ଷାରେ ସ୍ନାତକ ଡିଗ୍ରି ହାସଲ ପରେ ପରେ ଅପ୍ରତ୍ୟାଶିତ ଭାବେ ତାଙ୍କୁ ୨୦୦୭ରେ ଟେଲି ଧାରାବାହିକ ‘କୁଚ୍ଛ୍ ଇସ୍ ତରା’ରେ ପ୍ରଥମ ପଦାର୍ପଣ ପାଇଁ ସୁଯୋଗ ମିଳିଥିଲା। ଏଥିରେ ତାଙ୍କୁ ଏକ କ୍ଷୁଦ୍ର ଭୂମିକା ସହ ମାତ୍ର ହଜାରେ ଟଙ୍କା ଭଳି ଅତି ନଗଣ୍ୟ ପାରିଶ୍ରମିକ ଯଦିଓ ମିଳିଥିଲା, ତେବେ ତାହାର ଅନୁଭୂତି ହିଁ ତାଙ୍କ ଅଭିନୟ ଜୀବନ ପାଇଁ ମୂଳଦୁଆ ପକାଇବା ସହ ସେଥିରେ ଉତ୍କର୍ଷ ଆଣିବାକୁ ପ୍ରୋତ୍ସାହିତ କରିଥିଲା। ଏହା ପରେ ‘ଫେୟାର ଆଣ୍ଡ୍ ଲଭ୍‌ଲି’ ବିଜ୍ଞାପନରେ ତାଙ୍କର ଆବିର୍ଭାବ ତାଙ୍କ ପାଇଁ ଏକ ଲୋକପ୍ରିୟ ଚେହେରାର ସ୍ବୀକୃତି ଯୋଗାଇଥିଲା। ଏହା ପରେ ପରେ ‘ସ୍‌ସ୍‌ସ୍‌ସ୍‌ସ୍‌ ଫିର କୋଇ ହୈ’, ‘ବଇରି ପ୍ରିୟା’ ଓ ୨୦୧୧ର ଧାରାବାହିକ ‘ୟେ ଇସ୍କ ହାୟେ’ରେ ତାଙ୍କ ଅଭିନୟକୁ ଦର୍ଶକମାନେ ଖୁବ୍ ତାରିଫ କରିଥିଲେ।

IWMBuzz

ତେବେ ୨୦୧୧ରେ ଜୀ ଟିଭି ପ୍ରଯୋଜିତ ‘ଛୋଟି ବହୂ’ରେ ତାଙ୍କର ରାଧାରାଣୀ/ମାଧବୀ ଭୂମିକା ତାଙ୍କୁ ଲୋକପ୍ରିୟତାର ଏକ ସୁଉଚ୍ଚ ପାହାଚ ଚଢ଼ିବା ପାଇଁ ସୁଯୋଗ ଦେଇଥିଲା। ଏହା ପରେ ପଛକୁ ପଛ ବିଭିନ୍ନ ଟିଭି ଚ୍ୟାନେଲ୍‌ର ଧାରାବାହିକ ପାଇଁ ବହୁବିଧ ଅବତାରରେ ଅବତୀର୍ଣ୍ଣ ସୃଷ୍ଟି ଦର୍ଶକଙ୍କୁ ଆପ୍ୟାୟିତ କରିବା ଲାଗି ଯଥା ସମ୍ଭବ ଖୋରାକ ଯୋଗାଇବା ସହ ନିଜକୁ ମଧ୍ୟ ଅଧିକରୁ ଅଧିକ ଶାଣିତ ଅଭିନେତ୍ରୀ ଭାବେ ଗଢ଼ି ତୋଳିଥିଲେ। ସେହିପରି ୨୦୧୮ରେ ‘ଇସ୍କବାଜ୍’ରେ ସେ ନିଭାଇଥିବା ଫିଜା ଚରିତ୍ର ପ୍ରଶଂସକଙ୍କ ମନରେ ଏକ ଅଲିଭା ଛାପ ଛାଡ଼ିଦେଇଥିଲା।

ଏପରି ଭାବେ କୋଡ଼ିଏରୁ ଅଧିକ ଧାରାବାହିକରେ ନିଜ ଅଭିନୟ ଯାଦୁ ପରଷିଥିବା ସୃଷ୍ଟି ୨୦୧୮ରେ ବାସ୍ତବଧର୍ମୀ ଟିଭିି ଧାରାବାହିକ ‘ବିଗ୍ ବସ୍-୧୨’ରେ ଦୀର୍ଘ ୭୦ ଦିନ ଯାଏ ତିଷ୍ଠି ପାରିଥିଲେ। ତେବେ ସେହି ଧାରାବାହିକରୁ ବାହାରି ଆସିବା ପରେ ପରେ ସେ ‘ଦାବ୍ରୁ ଗ୍ୟାଙ୍ଗ’ ନାମକ ହିନ୍ଦୀ ସିନେମାରେ ଅଭିନୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଘୋଷଣା କରିଥିଲେ। ଯଦିଓ ତାଙ୍କର ପ୍ରଥମ ଫିଲ୍ମର ଶୁଭମୁକ୍ତି ଏଯାଏ ହୋଇନାହିଁ, ତେବେ ସୃଷ୍ଟି ଏଥିପାଇଁ ବେଶ ଉତ୍ସାହିତ ଅଛନ୍ତି ଏବଂ ଚଳିତ ବର୍ଷ ସେ ଏହା ମାଧ୍ୟମରେ ଅଧିକ ଚହଳ ପକାଇବେ ବୋଲି ପ୍ରଶଂସକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର