କଙ୍ଗନାଙ୍କୁ ଅପମାନିତ କରିବା ମହଙ୍ଗା ପଡ଼ିଲା, ଲୋକସଭା ନିର୍ବାଚନ ଲଢ଼ିବାକୁ ଟିକେଟ ଦେଲାନି କଂଗ୍ରେସ

ନୂଆଦିଲ୍ଲୀ: ମହିଳା ବିରୋଧୀ ମନ୍ତବ୍ୟ ଦେଇ ଫସିଲେ କଂଗ୍ରେସର ସୁପ୍ରିୟା ଶ୍ରୀନେତ। ନିର୍ବାଚନ କମିସନ କାରଣ ଦର୍ଶାଅ ନୋଟିସ ଜାରି କରିବା ପରେ ଏବେ କଂଗ୍ରେସ ତାଙ୍କୁ ଟିକେଟ ଦେଇନଥିବା ଜଣାପଡ଼ିଛି। ନିକଟରେ ସୁପ୍ରିୟା ଶ୍ରୀନେତଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ କଙ୍ଗନା ରାଣାୱତଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଂଗ୍ରେସ।

କଙ୍ଗନା ରାଣାୱତ ହିମାଚଳର ମଣ୍ଡିରୁ ଲୋକସଭା ପ୍ରାର୍ଥୀ ହେବା ପ‌ରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ନିଜ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ କଙ୍ଗନାଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ ଯେ, ମଣ୍ଡିରେ ଏବେ କେତେ ଦାମ୍ ଚାଲିଛି, କେହି କହିବେ କି? ଏଭଳି କହି ସେ କଙ୍ଗନାଙ୍କୁ ଦେହଜୀବୀ ବୋଲି ଦର୍ଶାଇବାକୁ ଚାହିଥିଲେ। ତାଙ୍କର ଏଭଳି ପୋଷ୍ଟ ଭାଇରାଲ ହେବା ପରେ ସମାଲୋଚନାର ଶିକାର ହୋଇଥିଲେ ସୁପ୍ରିୟା ।

ପରେ ସେ ନୁହେଁ ତାଙ୍କ ଆକାଉଣ୍ଟରୁ ଆଉ କେହି ଏଭଳି ପୋଷ୍ଟ କରିଥିବା ସୁପ୍ରିୟା କହିଥିଲେ ବି ନିର୍ବାଚନ କମିସନ କାରଣ ଦର୍ଶାଅ ନୋଟିସ ପଠାଇଥିଲ। ଏବେ ବିବାଦ ଘେରରେ ଥିବା ସୁପ୍ରିୟାଙ୍କୁ ଟିକେଟ ଦେଲେ କଂଗ୍ରେସକୁ ବିରୋଧୀ ଟାର୍ଗେଟ କରିବା ବିଷୟରେ ଭାବି ସୁପ୍ରିୟାଙ୍କୁ ଦଳ ଟିକେଟ ଦେଇନଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ୨୦୧୯ରେ କଂଗ୍ରେସ ନେତ୍ରୀ ସୁପ୍ରିୟା ଉତ୍ତରପ୍ରଦେଶର ମହାରାଜଗଞ୍ଜରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ବିଜେପିର ପଙ୍କଜ ଚୌଧୁରୀ ତାଙ୍କୁ ହରାଇଥିଲେ। ଦଳ ଏବେ ଏପ୍ରିଲରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସୁପ୍ରିୟାଙ୍କ ପରିବର୍ତ୍ତେ ବିରେନ୍ଦ୍ର ଚୌଧୁରୀଙ୍କୁ ଟିକେଟ ଦେଇଛି।

ସମ୍ବନ୍ଧିତ ଖବର