ମହାଠକ ସୁକେଶଠାରୁ ଦାମୀ ଉପହାର ନେଇ ଅଡୁଆରେ ଅଭିନେତ୍ରୀ ନିକି

ମହାଠକ ସୁକେଶ ଚନ୍ଦ୍ରଶେଖରଠାରୁ ବ୍ୟୟବହୁଳ ଉପହାର ନେଇଥିବା ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କର ଏବେ ଛାତି ଧଡ଼ଧଡ଼ ହେଉଛି। ଏକଥା ଆଉ ଅଛପା ନାହିଁ ଯେ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ ସୁକେଶଙ୍କ ସହିତ ପ୍ରେମସମ୍ପର୍କ ସ୍ଥାପନ କରି କିଭଳି ମାନସମ୍ମାନ ସାଙ୍ଗକୁ ନିଜର ପ୍ରତିଷ୍ଠିତ ଅଭିନୟ କ୍ୟାରିୟର୍‌କୁ ସବୁଦିନ ପାଇଁ ଛାରଖାର କରିଦେଇଛନ୍ତି। ଏବେ ଆହୁରି କିଛି ଅଭିନେତ୍ରୀଙ୍କର ନାମ ପଦାକୁ ଆସିଛି ଯେଉଁମାନେ ସୁକେଶ ଠାରୁ ବିଭିନ୍ନ ବିଳାସ ସାମଗ୍ରୀ ଗ୍ରହଣ କରିଥିଲେ। ସ୍ବାଭାବିକ ଭାବେ ଜ୍ୟାକଲିନ୍‌ଙ୍କ ଦଶା ଭୋଗିବାର ଭୟ ଏବେ ସେମାନଙ୍କ ମନକୁ ଘାରୁଥିବ। ସୁକେଶ ମାମଲାରେ ଜଡ଼ିତ ଅଭିନେତ୍ରୀଙ୍କ ମଧ୍ୟରୁ ନିକି ତାମ୍ବୋଲି ଅନ୍ୟତମ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚାର୍ଜସିଟ୍‌ ଅନୁସାରେ ସୁକେଶଙ୍କ ସହାୟିକା ପିଙ୍କି ଇରାନୀ ନିକିଙ୍କୁ ପ୍ରଥମେ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। ଏହା ପରେ ନିକି ସୁକେଶଙ୍କୁ ଭେଟିବାକୁ ତିହାର ଜେଲ୍‌ ଯାଇଥିଲେ।

ସେଠାରୁ ଫେରିବା ବେଳେ ତାଙ୍କୁ ୨ ଲକ୍ଷ ଟଙ୍କା ସମେତ ଏକ ଦାମିକା ଗୁଚି ବ୍ୟାଗ୍‌ ମିଳିଥିଲା। ଏହି କାରଣରୁ ଏବେ ତାଙ୍କୁ କଠୋର ସମାଲୋଚନାର ଶିକାର ହେବାକୁ ପଡୁଛି। ନିକଟରେ ନିକିଙ୍କୁ ମୁମ୍ବାଇରେ ବୁଲାବୁଲି ପାଇଁ ବାହାରିଥିଲେ। ତାଙ୍କର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଲୋକମାନେ ନିକିଙ୍କ ହାତରେ ଝୁଲିଥିବା ଲୁଇ ଭୁଟୌନ୍ ବ୍ୟାଗ୍‌କୁ ନେଇ ଆକ୍ଷେପ ଆରମ୍ଭ କରିଦେଇଛନ୍ତି। କିଏ କହୁଛି ଏହି ହେଉଛି ସେହି ବ୍ୟାଗ୍‌ ଯାହାକୁ ସେ ସୁକେଶଙ୍କ ଠାରୁ ଉପହାର ସ୍ବରୂପ ପାଇଥିଲେ ତ ଆଉ କିଏ ନିକିଙ୍କୁ ସତର୍କ କରାଇଦେଇ କହୁଛି- ଦିଦି ବାହାରକୁ ବାହାର ନାହିଁ ନଚେତ ପୁଲିସ ଧରିନେବ। ମହାଠକ ମାମଲାରେ ସଂପୃକ୍ତି କାରଣରୁ ଆକ୍ଷେପର ଶିକାର ହେବେ ଜାଣି ମଧ୍ୟ ନିକି ନିର୍ଭୀକ ଭାବେ ବାହାରେ ବୁଲାବୁଲି କରୁଛନ୍ତି। କିନ୍ତୁ ସେ ବାହାରେ କଦାପି ମୁହଁ ଖୋଲୁନାହାନ୍ତି। ଲୋକେ ଯେତେ ଆକ୍ଷେପ କଲେ ବି ନିକି ପ୍ରତିକ୍ରିୟାଶୀଳ ହେଉନାହାନ୍ତି କି ଅଭିଯୋଗ ଖଣ୍ଡନ କରୁନାହାନ୍ତି।

୨୬ ବର୍ଷୀୟା ନିକି ୨୦୧୯ରେ ତେଲୁଗୁ ଚଳଚ୍ଚିତ୍ର ଜରିଆରେ ଅଭିନୟ ଆରମ୍ଭ କରିଥିଲେ। ହିନ୍ଦୀ ବାସ୍ତବଧର୍ମୀ କାର୍ଯ୍ୟକ୍ରମ ‘ବିଗ୍‌ ବସ୍‌’ର ୧୪ତମ ସଂସ୍କରଣରେ ଭାଗ ନେବା ପରେ ସେ ଅପର୍ଯ୍ୟାପ୍ତ ଲୋକପ୍ରିୟତା ପାଇଥିଲେ। ନିକି ଏକ ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ପାଦ ବଢ଼ାଉଥିବା ବେଳେ ସୁକେଶ ଝଡ଼ରୁ ସେ କିପରି ସୁରକ୍ଷିତ ବାହାରୁଛନ୍ତି ତାହା ଉପରେ ତାଙ୍କ ପ୍ରଶଂସକଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର